ଆଉ ୪ ରାଜ୍ୟରେ ବି ନୂଆ ରାଜ୍ୟପାଳ ନିଯୁକ୍ତ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମାଆ ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ |
ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି | ସେହିପରି ଜେନେରାଲ ଭି.କେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ସେହିପରି ଅଜୟ କୁମାର ଭଲଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।ଦେଶର ପୂର୍ବତନ ଗୃହ ସଚିନ ଅଜୟ ଭଲ୍ଲାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ପ୍ରଶାସନିକ ସେବାରୁ ଅବସର ନେବା ପରେ ତାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।
୨୦୨୩ ମେ’ ମାସରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛନ୍ତି। ଅଶାନ୍ତ ମଣିପୁରରୁ ଶାନ୍ତ କରିବା ପାଇଁ ଭଲ୍ଲାଙ୍କ ଭଳି ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ସେଠାକାର ରାଜ୍ୟପାଳ କରାଯାଇଥିବା କୁହାଯାଉଛି ଏବେ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସ୍ଥାନ ନେବେ ଅଜୟ କୁମାର ଭଲ୍ଲା। ଶ୍ରୀ ଆଚାର୍ଯ୍ୟ ଜୁଲାଇ ୩୧ରେ ମଣିପୁରର ରାଜ୍ୟପାଳ ହୋଇଥିଲେ। ସେ ମଣିପୁରରେ ହିଂସା ରୋକିବାରେ ବିଫଳ ହେବାରୁ ଏବେ ତାଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି। ଶ୍ରୀ ଭଲ୍ଲା ହେଉଛନ୍ତି ୧୯୮୪ ମସିହା ଆସାମ-ମେଘାଳୟ ଆଇଏସ କ୍ୟାଡର। ସେ ଦେଶର ଗୃହ ସଚିବ ଭାବେ ପ୍ରାୟ ୫ ବର୍ଷ କାମ କରିବା ପରେ ୨୦୨୪ ଅଗଷ୍ଟରେ ଅବସର ନେଇଥିଲେ। ପଞ୍ଜାବ ଅନ୍ତର୍ଗତ ଜଲନ୍ଧରର ମୂଳ ବାସିନ୍ଦା ହେଉଛନ୍ତି ଭଲ୍ଲା।
previous article:https://purvapaksa.com/pm-narendra-modi-greets-people-on-christmas-eve/
