ଏହା ପ୍ରେରଣାର ଉତ୍ସ
ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି । ସେହିପରି ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ବିଭାଗୀୟ ଅତିରିକ୍ତ ଶାସନସଚିବ ତଥା ବିତ୍ତ ପରାମର୍ଶଦାତା ବନିତା ଦାଶ, ଅତିରିକ୍ତ ଶାସନସଚିବ ନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ ସର୍ଗିଫୁଲର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ଉପାସକ । ସମୟାନୁକ୍ରମେ ଜନଜାତି ସମ୍ପ୍ରଦାୟ ସର୍ଗିଫୁଲ ବା ଶାଳ ଫୁଲକୁ ଖାଦ୍ୟ ଭାବେ ଗ୍ରହଣ କରିଆସୁଥିଲେ । ପରେ ଏହାକୁ ଜାହିରା ଭାବେ ପୂଜା କରିବା ଆରମ୍ଭ କରିଥିଲେ। ତେଣୁ ସର୍ଗିଫୁଲ ହେଉଛି ପ୍ରେରଣାର ଉତ୍ସ । ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା ମଧ୍ୟ କହିଛନ୍ତି ଯେ କିଶୋର ସୃଜନଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ସର୍ଗିଫୁଲ ଉତ୍ସବ ଆରମ୍ଭ । ଆମ ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି ଦକ୍ଷତା ଓ ସାମର୍ଥ୍ୟ ରଖିଛନ୍ତି । ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ ଦେଖାଇବା ହେଉଛି ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।
ଉଦଘାଟନୀ ଅବସରରେ ୨୦୨୪ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି ଏସଟି ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ନାଏକ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବା ସହ ମାନପତ୍ର ଓ ଜନଜାତି ସମ୍ପର୍କିତ ପୁସ୍ତକ ପ୍ରଦାନ କରିଥିଲେ । ଜଗତସିଂହପୁରରୁ ମିଲି ଟୁଡୁ, କଳାହାଣ୍ଡିରୁ ସୁପ୍ରଭା ନାଏକ, ମହେଶ ମହାର, ନନ୍ଦିନୀ ନାଏକ, ଚୁମକି ନାଏକ, ଲଭଲି ନାଏକ, ଖୋର୍ଦ୍ଧାରୁ କ୍ରିଷ୍ଣା ଟୁଡୁ, ସମ୍ବଲପୁରରୁ ସୁନେଲୀ ପ୍ରଧାନ, ନବରଙ୍ଗପୁରରୁ ରଶ୍ମିତା ଭତ୍ରା, ଗଜପତିରୁ କବିତା ଗମାଙ୍ଗ ଏହି ଅବସରରେ ସମ୍ମାନିତ ହୋଇଛନ୍ତି । ଏଥିସହିତ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ ।
ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି । ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୦ ଗାଇଡ୍ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ସାମୁଦ୍ରିକ ପରିମଣ୍ଡଳର ସଂରକ୍ଷଣ, ପରିବେଶ ଅନୁକୂଳ ବାତାବରଣ, କୃତ୍ରିମ ବୁଦ୍ଧିମତ୍ତା, ଭାରତୀୟ ଅନ୍ତରୀକ୍ଷ ଗବେଷଣା, ସ୍ମାର୍ଟ କ୍ଲାସ ରୁମ୍ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ୫ ଟି ଡୋମାରେ ତିନିଦିନ ଧରି ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ ।
previous article:https://purvapaksa.com/national-flag-hoisted-at-108-feet-high-in-ramadevi/
