JPC: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍କୁ ଲୋକସଭାରେ ଆଗତ ପରେ ବିସ୍ତୃତ ଆଲୋଚନା ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସିକୁ ପଠାଯାଇଛି।
ଆଜି ଲୋକସଭାରେ ଆଗତ ହୋଇଛି ବହୁ ପ୍ରତିକ୍ଷୀତ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍କୁ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ନାମିତ କରାଯାଇଛି । ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ପାଇଁ ଭୋଟିଂ ହୋଇଥିଲା। ଭୋଟିଂରେ ବିଲ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ ପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ କ୍ରମେ ଏ ବିଲକୁ ବିସ୍ତୃତ ଆଲୋଚନା ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସିକୁ ପଠାଯାଇଛି।
ଅନ୍ୟପଟରେ କଂଗ୍ରେସ, ସମାଜବାଦୀ ପାର୍ଟି (ଏସ୍ପି), ତୃଣମୂଳ କଂଗ୍ରେସ (ଟିଏମସି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ପିପୁଲ୍ସ ଡେମୋକ୍ରାଟ୍ସ ପାର୍ଟି (ପିଡିପି), ଶିବସେନା ଉଦ୍ଧବ ଗୋଷ୍ଠୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏହାକୁ ବିରୋଧ କରିଛନ୍ତି। ସେହିପରି ବହୁ ପ୍ରତୀକ୍ଷିତ ଏହି ବିଲ କୁ ଏନଡିଏର ସହଯୋଗୀ ଦଳ ବ୍ୟତୀତ ୱାଇଏସ୍ଆର କଂଗ୍ରେସ ଓ ବିଆରଏଓ୍ ସମର୍ଥନ କରିଛନ୍ତି ।
ସୂଚନାଯୋଗ୍ୟ; ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଦୀର୍ଘ ଦିନ ଧରି ଶାସକ ବିଜେପିର ଏଜେଣ୍ଡାରେ ରହିଛି। ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ୨ ସେପ୍ଟେମ୍ବର ୨୦୨୩ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ୨୦୨୪ ମାର୍ଚ୍ଚ ୧୪ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। କମିଟି ରିପୋର୍ଟରେ କହିଛି ଯେ ଏକକାଳୀନ ନିର୍ବାଚନ କରାଇବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିପାରିବ।
