One Nation, One Election Bill: କେନ୍ଦ୍ର କ୍ୟାବିନେଟ୍ ‘ଏକ ଦେଶ, ଏକ ନିର୍ବାଚନ’ ବିଲକୁ ଅନୁମୋଦନ କରିଛି। ଏହି ବିଲ୍ ରେ ସମ୍ବିଧାନରେ ସଂଶୋଧନ କରାଯାଇ ଲୋକସଭା ଓ ବିଧାନସଭାର ଏକକାଳୀନ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଛି। ସଂସଦରେ ଉପସ୍ଥାପିତ ହେବା ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରିବ।
କେନ୍ଦ୍ର କ୍ୟାବିନେଟରେ ଗୁରୁବାର ଅନୁମୋଦନ ପାଇଥିବା ‘ଏକ ଦେଶ, ଏକ ନିର୍ବାଚନ‘ ବିଲ୍ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବ। ଏହି ବିଧେୟକ ସୋମବାର ସଂସଦରେ ଉପସ୍ଥାପିତ ହେବାର ଥିଲା କିନ୍ତୁ ଏବେ ସରକାର ସୋମବାର ବିଧେୟକ ସଂସଦରେ ରଖିବେ ନାହିଁ ବୋଲି ଶୁଣିବାକୁ ମିଳୁଛି। ଆଇନମନ୍ତ୍ରୀ ଏହାକୁ ଚଳିତ ଶୀତକାଳୀନ ଅଧିବେଶନରେ କୌଣସି ଦିନରେ ଗୃହରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି। କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଲ୍, ଯାହାକୁ ଆନୁଷ୍ଠାନିକଭାବେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍, ୨୦୨୪ ବୋଲି କୁହାଯାଏ, ଆଗତ କରିବେ। ଏହା ଜରିଆରେ ସମ୍ବିଧାନର ୪ଟି ଧାରାରେ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି।
ଏଥିରେ ଧାରା ୮୨ଏ ଯୋଡ଼ିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାରେ ଏକକାଳୀନ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯିବ ଏବଂ ଧାରା ୮୩ (ସଂସଦର ଗୃହର କାର୍ଯ୍ୟକାଳ), ଧାରା ୧୭୨ (ରାଜ୍ୟ ବିଧାନସଭାର ଅବଧି), ଧାରା ୩୨୭ (ବିଧାନସଭା ନିର୍ବାଚନ ପାଇଁ ବ୍ୟବସ୍ଥା କରିବା ପାଇଁ ସଂସଦର କ୍ଷମତା)ରେ ସଂଶୋଧନ କରାଯିବ।
ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ପରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ଏହାକୁ ପ୍ରଣୟନ କରିବେ। ମିଳିଥିବା ସୂଚନା ଅନୁଯାୟୀ, ବିଲ୍ ଗୃହରେ ଉପସ୍ଥାପିତ ହେବା ପରେ ଏହାକୁ ପ୍ରଥମେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇପାରିବ ଏବଂ ସେଠାରେ ବିଚାର ପରେ ବିଧେୟକ ଗୃହ ପଟଳରେ ଉପସ୍ଥାପିତ ହେବ। ସମ୍ବିଧାନ ସଂଶୋଧନ ପରେ ଏହା ୨୦୩୪ ସାଧାରଣ ନିର୍ବାଚନରୁ ହିଁ କାର୍ଯ୍ୟକାରୀ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବିଧେୟକରେ ଏହିସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି
୧. ଧାରା ୮୨ଏ
- ଧାରା ୮୨ଏରେ ଲୋକସଭା ଓ ବିଧାନସଭାର ଏକକାଳୀନ ନିର୍ବାଚନ ପାଇଁ ବ୍ୟବସ୍ଥା ରହିଛି।
- ଏହି ବ୍ୟବସ୍ଥାରେ ଏକକାଳୀନ ନିର୍ବାଚନ ରଖାଯାଇଛି। ଏହା ଲୋକସଭା ଏବଂ ସମସ୍ତ ବିଧାନସଭା ଗଠନ ପାଇଁ ଏକାସାଙ୍ଗରେ ଅନୁଷ୍ଠିତ ସାଧାରଣ ନିର୍ବାଚନକୁ ବୁଝାଏ।
- ରାଷ୍ଟ୍ରପତି ପ୍ରଥମ ବୈଠକ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଏହି ଧାରାକୁ କାର୍ଯ୍ୟକାରୀ କରିପାରିବେ । ଏହି ତାରିଖକୁ ନିର୍ଦ୍ଧାରିତ ତାରିଖ କୁହାଯିବ।
- ଏହି ବିଜ୍ଞପ୍ତି ଜାରି ହେବା ପରେ ଲୋକସଭାର ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତିରେ ସମସ୍ତ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଯିବ,ତେଣିକି ସେଗୁଡ଼ିକର ଗଠନ ଯେବେ ମଧ୍ୟ ହୋଇଥାଉ।
- ଯଦି ନିର୍ବାଚନ କମିଶନଙ୍କ ମତରେ ଲୋକସଭା ନିର୍ବାଚନ ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ କରାଇବା ସମ୍ଭବ ନୁହେଁ, ତେବେ ଆୟୋଗ ରାଷ୍ଟ୍ରପତିଙ୍କୁ ସୁପାରିସ କରିପାରିବେ। ଏହାପରେ ସେହି ବିଧାନସଭାର ନିର୍ବାଚନ ଅନ୍ୟକୌଣସି ତାରିଖରେ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇପାରିବେ।
୨. ଧାରା ୮୨ଏ (୩)
- ଏହା ଅନୁଯାୟୀ, ଲୋକସଭାର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ଆୟୋଗ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ କରାଇ ପାରିବେ।
- ଭାଗ ପଞ୍ଚମ (ନିର୍ବାଚନ)ର ବ୍ୟବସ୍ଥା ଏହି ନିର୍ବାଚନରେ ଲାଗୁ ହେବ, କିନ୍ତୁ ଆବଶ୍ୟକ ଅନୁଯାୟୀ ସଂଶୋଧନ କରାଯାଇପାରିବ, ଯାହାକୁ ନିର୍ବାଚନ ଆୟୋଗ ଆଦେଶଦ୍ୱାରା କାର୍ଯ୍ୟକାରୀ କରିବେ।
- ବିଧେୟକରେ ବ୍ୟବସ୍ଥା ରହିଛି ଯେ ଯଦି କୌଣସି ବିଧାନସଭା ନିର୍ବାଚନ ସ୍ଥଗିତ ରଖାଯାଏ, ତେବେ ଲୋକସଭାର ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତି ସହିତ ସେହି ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଶେଷ ହେବ।
- ଯଦି ବିଧାନସଭାର କାର୍ଯ୍ୟକାଳ ଶେଷ ହୁଏ, କିନ୍ତୁ ମୁଲତବୀ କାରଣରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ କରାଯିବ।
୩. ଧାରା ୮୩
- ଲୋକସଭାର କାର୍ଯ୍ୟକାଳ ସ୍ପଷ୍ଟ କରିବା ପାଇଁ ଧାରା ୮୩ରେ ନୂଆ ଉପଧାରା (୩ରୁ ୭) ଯୋଡ଼ାଯିବ।
- ଯଦି ଲୋକସଭାର ପୂର୍ଣ୍ଣ କାର୍ଯ୍ୟକାଳ (ପାଞ୍ଚ ବର୍ଷ) ସରିବା ପୂର୍ବରୁ ଭଙ୍ଗ କରାଯାଏ, ତେବେ ସେହି ଅବଧିକୁ ଅସମ୍ପୂର୍ଣ୍ଣ ଅବଧି ବୋଲି କୁହାଯିବ।
- ଭଙ୍ଗ ପରେ ହେବାକୁ ଥିବା ନିର୍ବାଚନ ମାଧ୍ୟମରେ ଗଠିତ ନୂତନ ଲୋକସଭା କେବଳ ପୂର୍ବ ଲୋକସଭାର ଅସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରିବ।
- ନୂଆ ଲୋକସଭାକୁ ପୂର୍ବ ଲୋକସଭାର ଧାରାଭାବେ ବିବେଚନା କରାଯିବ ନାହିଁ।
୪. ଧାରା ୧୭୨
- ରାଜ୍ୟ ବିଧାନସଭା ପାଇଁ ବି ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନର ସମାନ ବ୍ୟବସ୍ଥା ଲାଗୁ ହେବ।
- ଯଦି କୌଣସି ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ଭଙ୍ଗ କରାଯାଏ, ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ।
- ନିର୍ବାଚନ ଫଳସ୍ୱରୂପ ଗଠିତ ନୂତନ ବିଧାନସଭା ପୂର୍ବ ବିଧାନସଭାର ଅସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରିବ।
ଏହା ମଧ୍ୟ ଘଟିବ
- କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୪ ମଧ୍ୟ ସଂସଦରେ ଆଗତ ହେବ। ଏଥିରେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ୧୯୬୩, ଜାତୀୟ ରାଜଧାନୀ ଅଞ୍ଚଳ ଆଇନ ୧୯୯୧ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ରେ ସଂଶୋଧନ ପ୍ରସ୍ତାବ ରହିଛି। ଏହି ଆଇନଗୁଡ଼ିକରେ ସଂଶୋଧନ କରାଯାଇ ଏକକାଳୀନ ଏବଂ ମଧ୍ୟବର୍ତ୍ତୀ ନିର୍ବାଚନ ସମ୍ବନ୍ଧୀୟ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯିବ।
- ସମ୍ବିଧାନ ସଂଶୋଧନ ପରେ ଧାରା ୩୨୭ରେ ଥିବା “ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ” ଶବ୍ଦ ସ୍ଥାନରେ “ଏକକାଳୀନ ନିର୍ବାଚନ ପରିଚାଳନା” ଶବ୍ଦ ଲଗାଯିବ।
ଏହା ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ?
ଏହି ବିଧେୟକ ଆଣିବା ପଛରେ ସରକାରଙ୍କର କିଛି କାରଣ ରହିଛି। ଯାହା ମଧ୍ୟରେ ପ୍ରମୁଖ ହେଉଛି, ବାରମ୍ବାର ନିର୍ବାଚନ କାରଣରୁ ବିଭିନ୍ନ ସ୍ଥାନରେ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜିଥାଏ। ବାରମ୍ବାର ନିର୍ବାଚନ ଜନଜୀବନକୁ ପ୍ରଭାବିତ କରିଥାଏ ଏବଂ ସେବାର ସ୍ୱାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିର୍ବାଚନ ଡ୍ୟୁଟି ପାଇଁ ବହୁ ସଂଖ୍ୟକ କର୍ମଚାରୀଙ୍କୁ ସେମାନଙ୍କ ମୂଳ ଦାୟିତ୍ୱରୁ ହଟାଇବାକୁ ପଡ଼ିଥାଏ।
ଜଷ୍ଟିସ ହଂସରାଜ ଖନ୍ନାଙ୍କୁ କାହିଁକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିନଥିଲେ ଇନ୍ଦିରା ଗାନ୍ଧୀ ?
