Subash Chand: ଚାଷୀ ସୁବାସ ଚାନ୍ଦ ଚାଷ ଜମି, ଫସଲ ବିକ୍ରି କରିବା ସହ ୪୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ହସ୍ତାନ୍ତର କରିଛନ୍ତି।
- ୧୯୮୦ରେ ବିବାହ, ୨୦୦୬ରେ ଅଲଗା ହୋଇଗଲେ ଦମ୍ପତି
- ୩.୧ କୋଟି ଟଙ୍କାର ଛାଡ଼ପତ୍ର ସମାଧାନ ସହ ଶେଷ ହେଲା ୧୮ ବର୍ଷର ଆଇନଗତ ଲଢ଼େଇ
- ଜମି, ଫସଲ ବିକ୍ରି କରି ୪୦ ଲକ୍ଷ ଟଙ୍କାର ସୁନା ଦେଲେ ବ୍ୟକ୍ତି
ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି ୩.୧ କୋଟି ଟଙ୍କାର ବୁଝାମଣା ଜରିଆରେ ୪୪ ବର୍ଷର ବିବାହ ଭାଙ୍ଗିଯିବା। ହରିୟାଣାର କରନାଲ ଜିଲ୍ଲାର ୭୦ ବର୍ଷୀୟ କୃଷକ ସୁବାସ ଚାନ୍ଦ ତାଙ୍କ ପତ୍ନୀ ସନ୍ତୋଷ କୁମାରୀ(୭୩)ଙ୍କୁ ମୋଟା ଅଙ୍କର ସ୍ଥାୟୀ ଭରଣପୋଷଣ ଦେଇ ଛାଡ଼ପତ୍ର ଦେଇଛନ୍ତି।

ବୁଝାମଣା ସର୍ତ୍ତ ପୂରଣ କରିବା ପାଇଁ ଚାନ୍ଦ ଚାଷ ଜମି, ଫସଲ ବିକ୍ରି କରିବା ସହ ୪୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ହସ୍ତାନ୍ତର କରିଥିଲେ। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମଧ୍ୟସ୍ଥତା ଓ ସମନ୍ୱୟ କେନ୍ଦ୍ରର ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିରେ ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ଭବିଷ୍ୟତରେ ତାଙ୍କ ସମ୍ପତ୍ତି ଉପରେ କୌଣସି ଦାବି ରହିବ ନାହିଁ।
୧୯୮୦ ମସିହା ଅଗଷ୍ଟ ୨୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ସେମାନଙ୍କର ୪ଟି ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦୬ ବେଳକୁ ସେମାନଙ୍କ ସମ୍ପର୍କରେ ‘ସ୍ୱଭାବଗତ ମତଭେଦ’ କାରଣରୁ ତିକ୍ତତା ଆସିଯାଇଥିଲା, ଯାହା ଫଳରେ ସେମାନେ ଅଲଗା ରହୁଥିଲେ।
ମାନସିକ ନିର୍ଯାତନା ଦର୍ଶାଇ ଚାନ୍ଦ ୨୦୦୬ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ
ତାଙ୍କର ପ୍ରାରମ୍ଭିକ ଆବେଦନକୁ ୨୦୧୩ରେ କର୍ନାଲ ପରିବାର ଅଦାଲତ ଖାରଜ କରିଦେଇଥିଲେ। ହାର ମାନିବାକୁ ରାଜି ନ ହେବାରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ଏହି ମାମଲା ୧୧ ବର୍ଷ ଧରି ଚାଲିଥିଲା ଏବଂ ନଭେମ୍ବର ୪, ୨୦୨୪ରେ ମଧ୍ୟସ୍ଥତା ପାଇଁ ପଠାଯାଇଥିଲା।

ଚାନ୍ଦଙ୍କ ପକ୍ଷରୁ ଆଇନଜୀବୀ ରାଜେନ୍ଦ୍ର ଗୋଏଲ କହିଛନ୍ତି ଯେ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ୨.୧୬ କୋଟି ଟଙ୍କା, ଫସଲ ବିକ୍ରିରୁ ନଗଦ ୫୦ ଲକ୍ଷ ଟଙ୍କା ଏବଂ ସୁନା ଓ ରୁପା ଅଳଙ୍କାର ବାବଦରେ ୪୦ ଲକ୍ଷ ଟଙ୍କା ରହିଛି।
ବୁଝାମଣା ଅନୁଯାୟୀ, ପତ୍ନୀ ଓ ପିଲାମାନେ ଚାନ୍ଦଙ୍କ ସମ୍ପତ୍ତିର ସମସ୍ତ ଅଧିକାର ତ୍ୟାଗ କରିଥିଲେ। ଅଦାଲତ ପାରସ୍ପରିକ ନିଷ୍ପତ୍ତିକୁ ସ୍ୱୀକାର କରିବା ସହ ଗତ ସପ୍ତାହରେ ଛାଡ଼ପତ୍ର ଚୂଡ଼ାନ୍ତ କରିଥିଲେ।
ଜଷ୍ଟିସ ସୁଧୀର ସିଂହ ଓ ଜଷ୍ଟିସ ଜସଜିତ ସିଂ ବେଦୀଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ଏହି ଚୁକ୍ତିକୁ ବୈଧତା ଦେବା ସହ ଆନୁଷ୍ଠାନିକ ଭାବେ ବିବାହକୁ ଭଙ୍ଗ କରିଦେଇଛନ୍ତି।
Also readhttps://purvapaksa.com/did-ambedkar-and-km-munshi-have-a-say-on-the-issue-of-uniform-civil-code/
ଆମ୍ବେଦକର ଓ କେଏମ୍ ମୁନ୍ସି କ’ଣ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ଏକ ମତ ରଖୁଥିଲେ?

