ଛାଡ଼ଖାଇର ଗୋଟିଏ ଦିନ ପରେ ରବିବାର ଟ୍ୱିନ୍ ସିଟି ମାର୍କେଟରେ ନିରାମିଷ ଖାଦ୍ୟ ପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗି ଦେଖିବାକୁ ମିଳିଥିଲା। ମାଛ, ମାଂସ ଓ କୁକୁଡ଼ା-ଅଣ୍ଡା ବିକ୍ରେତାଙ୍କ ପାଇଁ ଦିନଟି ବହୁତ ଭଲ ଥିଲା। ଏହି ଦିନ ଉଭୟ କଟକ ଓ ଭୁବନେଶ୍ୱରର ବଜାରରେ ମିଳିତଭାବେ ୬ କୋଟିରୁ ଅଧିକ ଟଙ୍କାର ଆମିଷ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ପ୍ରାୟ ମାସ ଧରି ଲୋକେ କାର୍ତ୍ତିକ ମାସ ପାଳିଥିବା ବେଳେ ଆମିଷ ଖାଦ୍ୟରୁ ଦୂରେଇ ରହିଥିଲେ। ଶୁକ୍ରବାର ପୂର୍ଣ୍ଣିମାରେ କାର୍ତ୍ତିକ ବ୍ରତ ସରିଥିବା ବେଳେ ଶନିବାର ଥିଲା ଛାଡଖାଇ। କିନ୍ତୁ ଶନିବାର ସଂକ୍ରାନ୍ତି ପଡିବାରୁ ମାଡ଼ ଖାଇ ଯାଇଥିଲା ଛାଡଖାଇ। ଲୋକେ ରବିବାରକୁ ଅପେକ୍ଷା କରିଥିଲେ। ଫଳରେ ଆମିଷ ବିକ୍ରେତାଙ୍କ ବେପାର ମାନ୍ଦା ପଡ଼ିଯାଇଥିଲା। ମାତ୍ର ରବିବାର ଆମିଷ ହାଟରେ ଖଚଖଚ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ମନପସନ୍ଦର ଖାସି ମାଂସ, ବ୍ରଏଲର ସହ ଦେଶୀ କୁକୁଡ଼ା, ପୋଖରୀ ଓ ଡ୍ୟାମ ମାଛ ଘରକୁ ବୋହି ନେଇଥିଲେ।
ତେବେ ଛାଡଖାଇକୁ ଆଖି ଆଗରେ ରଖି ବିକ୍ରେତାମାନେ ସାଧାରଣ ଦିନ ତୁଳନାରେ ବିଭିନ୍ନ ଆମିଷ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲେ। କିନ୍ତୁ ଏଥିରେ ସାମିଲ ହେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏଥିରେ କୌଣସି ଫରକ ପଡିନଥିଲା। ସେହିଦିନ ମଟନ୍ କିଲୋ ପିଛା ୮୦୦ରୁ ୮୫୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ଦେଶୀ ଚିକେନ୍ କିଲୋ ପିଛା ୪୫୦ରୁ ୬୦୦ ଟଙ୍କାରେ ବିକ୍ରି ହୋଇଥିଲା। ସୋନାଲି ପ୍ରଜାତିର ଚିକେନ୍ ମଧ୍ୟ କିଲୋ ପିଛା ୪୫୦ ଟଙ୍କାରେ ମହଙ୍ଗା ହୋଇଥିଲା। ଅନ୍ୟପକ୍ଷରେ ମାଛ ୨୫୦ରୁ ୫୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥିଲା।
ଅଲ୍ ଓଡ଼ିଶା ନନଭେଜ ବ୍ୟବସାୟୀ ମହାସଂଘର ସଭାପତି ଏସ୍ କେ ମୁନ୍ତାକିମ୍ ବୁକ୍ସ କହିଛନ୍ତି ଯେ ଭୁବନେଶ୍ୱର ବଜାରରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବାବେଳେ କଟକର ବିକ୍ରେତାମାନେ ୧ କୋଟି ୩୭ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି। ମହାସଂଘ ଅଧୀନରେ ୪ ହଜାରରୁ ଅଧିକ ବିକ୍ରେତା ଥିବାବେଳେ ସେମାନଙ୍କ ମଧ୍ୟରୁ ୫୦୦ ଜଣ ମଟନ୍, ୧୫୦୦ ଚିକେନ୍ ଓ ୨୦୦୦ ମାଛ ବିକ୍ରି କରିଥିଲେ। ସାଧାରଣ ଦିନ ତୁଳନାରେ ଆଜି ଉଭୟ ମଟନ୍, ଚିକେନ୍ ଓ ମାଛ ବିକ୍ରି ଅଢ଼େଇ ଗୁଣ ଅଧିକ ହୋଇଛି ବୋଲି ବୁକ୍ସ ସୂଚନା ଦେଇଛନ୍ତି। ଛଡ଼ଖାଇର ଅତିରିକ୍ତ ଚାହିଦା ପୂରଣ କରିବା ପାଇଁ ବିକ୍ରେତାମାନେ ବିଭିନ୍ନ ସ୍ଥାନ ତଥା ଆନ୍ଧ୍ରପ୍ରଦେଶ ଓ କୋଲକାତାରୁ ମାଛ, ଚିକେନ୍ ଓ ମଟନ୍ କିଣିଥିଲେ। ଏହାସହ ରାଜ୍ୟର ବିଭିନ୍ନ ଡ୍ୟାମ, ପୋଖରୀରେ ଚାଷ ହେଉଥିବା ବିଭିନ୍ନ ପ୍ରକାରର ମାଛ ମଧ୍ୟ ବଜାରକୁ ଆସିଥିଲା। ଏଥିସହ ନୟାଗଡ, ନିଆଳି, ମୟୂରଭଞ୍ଜ, ଅନୁଗୁଳ ଆଦି ଅଞ୍ଚଳରୁ ଛେଳି, ଦେଶୀ କୁକୁଡ଼ା ଅଣାଯାଇଥିଲା।
previous article: https://purvapaksa.com/is-bjp-embracing-the-legacy-of-odishas-1st-congress-cm-harekrushna-mahtab/