ଓଡ଼ିଶାର ତିନିଜଣ କଳାକାରଙ୍କୁ ଶୁକ୍ରବାର ସମ୍ମାନଜନକ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶୀ ନୃତ୍ୟ ବିଭାଗରେ ଅରୁପା ଗାୟତ୍ରୀ ପଣ୍ଡା ୨୦୨୨ ବର୍ଷ ପାଇଁ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ଏହି କଳାକାର ଖୁବ୍ କମ୍ ବୟସରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ସରିତା ମିଶ୍ରଙ୍କ ନୃତ୍ୟ ବିଦ୍ୟାଳୟରେ ଯୋଗ ଦେଇ ନିଜର ଦକ୍ଷତା ବୃଦ୍ଧି କରିଥିଲେ। ନବମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କୁ ସଂଯୁକ୍ତା ପାଣିଗ୍ରାହୀ ଛାତ୍ରବୃତ୍ତି ମିଳିଥିଲା । ୧୯୯୯ ମସିହାରେ ସେ ଗଙ୍ଗାଧର ପ୍ରଧାନଙ୍କ ଓଡ଼ିଶା ନୃତ୍ୟ ଏକାଡେମୀରେ ଯୋଗ ଦେଇ ନିଜର ନୃତ୍ୟ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।
ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକଙ୍କୁ ଜଣେ ପ୍ରତିଭାବାନ ଯୁବ କଳାକାରଭାବେ କୃତିତ୍ୱ ପାଇଁ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର-୨୦୨୩ ପ୍ରଦାନ କରାଯିବ। ସେହି ବର୍ଷ ପାଇଁ ଲୋକ ନୃତ୍ୟଶିଳ୍ପୀ ତଥା ସଙ୍ଗୀତଜ୍ଞ ଆଲୋକ ବିଷୋୟୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେମାନଙ୍କୁ ୨୫ ହଜାର ଟଙ୍କା, ଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏକ ସ୍ୱତନ୍ତ୍ର ସମାରୋହରେ ୮୨ ଜଣ ଯୁବ କଳାକାରଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ଉସ୍ତାଦ ବିସ୍ମିଲିଆ ଖାଁ ଯୁବ ପୁରସ୍କାର ପ୍ରଦାନ କରିବେ। ଏହି ପୁରସ୍କାର ଉତ୍ସବରେ ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ସନ୍ଧ୍ୟା ପୁରେଚା ଏବଂ ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଅଧ୍ୟକ୍ଷତା କରିବେ।
ସଙ୍ଗୀତ ନାଟକ ଏକାଡେମୀ ୨୦୦୬ ମସିହାରେ ଯୁବ କଳାକାର କଳା ଅଧ୍ୟାପକଙ୍କ ପାଇଁ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ନାମରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲା । ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଆଦିବାସୀ କଳା ଏବଂ ପୁତୁଳି କଳା କ୍ଷେତ୍ରରେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଯୁବ କଳାକାରମାନଙ୍କୁ ପ୍ରତିବର୍ଷ ଦିଲ୍ଲୀ ଏବଂ ଦିଲ୍ଲୀ ବାହାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହା ପ୍ରଦାନ କରାଯାଏ।
Also readhttps://purvapaksa.com/odisha-govt-plans-to-set-up-animal-fishery-science-university/
