- ତୃତୀୟ ଦିନରେ ସମ୍ମାନିତ କରିବେ ରାଷ୍ଟ୍ରପତି
- ୨୪ ଦେଶର ପ୍ରତିନିଧି ପାଇବେ ଏହି ସମ୍ମାନ
ଆସନ୍ତାକାଲି ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ପାଳନ କରାଯାଉଛି । ଏହାର ତୃତୀୟ ଦିନ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରାଯିବ । ଚଳିତ ଥର ୨୪ ଟି ଦେଶର ୨୭ ଜଣ ପ୍ରବାସୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସେମାନଙ୍କୁ ସମ୍ମାନିତ କରିବେ । ଭାରତର ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟି ଏହି ତାଲିକା ଚୂଡ଼ାନ୍ତ କରିଛନ୍ତି । ଭାରତ ବାହାରେ ରହୁଥିବା ଏହି ପ୍ରବାସୀ ବ୍ୟକ୍ତି ବିଷଶ ଏବଂ ସଂସ୍ଥାଗୁଡ଼ିକୁ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଉଛି ।
ଏହି ସମ୍ମାନଜନକ ସ୍ୱୀକୃତି ସେମାନଙ୍କ ସଫଳତାକୁ ପାଳନ କରିଥିବା ବେଳେ ଦେଶ-ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ କରୁଛି । ଏଥିସହିତ ବିଶ୍ୱରେ ଭାରତର ଉପସ୍ଥିତିକୁ ଦୃଢ କରିବାରେ ସେମାନଙ୍କର ପ୍ରମୁଖ ଭୂମିକାକୁ ସବଳ କରୁଛି । ଏଥିରେ ଆମେରିକାର ୩ ଜଣ, ରୁଷର ୨ ଜଣ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବାରବାଡୋସ୍, ଫିଜି, ଗୁଏନା, ଲାଓସ୍, ମାଲାୱି, ମାଲେସିଆ, ମରିସସ୍, ମାଲଡୋଭା, ମିଆଁମାର, ରୋମନିଆ, ସାଉଦି ଆରବ, ସିଙ୍ଗାପୁର, ସ୍ଫେନ୍, ତାଞ୍ଜାନିଆ, ତ୍ରିନିନାଦ ଆଣ୍ଡ ଟବାଗୋ, ୟୁଏଇ, ଉଗାଣ୍ଡା, ୟୁକେ ଏବଂ ଜାପାନର ଜଣେ ଲେଖାଏଁ ପ୍ରବାସୀଙ୍କୁ ସମ୍ମାନିତ କରାଯିବ ।
ସମାଜସେବା କ୍ଷେତ୍ରରେ ୮ ଜଣ, ଶିକ୍ଷାକ୍ଷେତ୍ରରେ ୪, ମେଡିକାଲ ସାଇନ୍ସରେ ୩, ବ୍ୟବସାୟରେ ୬ ଜଣ, ରାଜନୀତିରେ ୨ ଜଣ, ମେଡିସିନ୍ କ୍ଷେତ୍ରରେ ୨ ଜଣ ଏବଂ ଜନସମ୍ପର୍କ ଓ ବିଜ୍ଞାନ-ପ୍ରଯୁକ୍ତି କ୍ଷେତ୍ରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଉଛି । ଅଷ୍ଟ୍ରେଲିଆରେ ବାସ କରୁଥିବା ପ୍ରଫେସର ଅଜୟ ରାଣେ ଜଣେ ସଫଳ ଚିକିତ୍ସକ ହୋଇଥିବା ଏବଂ ସମାଜସେବୀ ଭାବେ କାର୍ଯ୍ୟ କରିଆସୁଛନ୍ତି। । ପୁନେ ବିଶ୍ୱ ବିଦ୍ୟାଳୟରୁ ସର୍ଜରୀରେ ସ୍ନାତକ ପରେ କୁଇନ୍ସଲାଣ୍ଡ ରୁ ପିଏଚ୍ଡି କରି ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗବେଷଣା କରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୨୦୧୨ରେ ସେ ଅଷ୍ଟ୍ରେଲିଆନ୍ ଅଫ୍ ଦ ଇୟର ରେ ସମ୍ମାନିତ ହୋଇଛନ୍ତି ।
ସେହିପରି ମରିସସ୍ରେ ବାସ କରୁଥିବା ଲେଖିକା ଡଃ ସରିତା ବୁଦ୍ଧୁ ମଧ୍ୟ ସମାଜସେବା ଓ ସଂସ୍କୃତି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ମରିସସ୍ରେ ବସବାସ କରୁଥିବା ଭୋଜପୁରୀ ଭାଷାଭାଷୀ ଲୋକଙ୍କ ନିମନ୍ତେ ସେ ରଚନା କରିଛନ୍ତି ପୁସ୍ତକ ‘ଗୀତ୍ ଗବାଇ’ । ମୁମ୍ବାଇ ଜନ୍ମିତ ଡଃ ମାରିଆଲେନା ଜୋନ ଫର୍ଣ୍ଣାଡିସ୍ ମନୋବିଜ୍ଞାନ ଏବଂ ଦର୍ଶନଶାସ୍ତ୍ରରେ ପାଣ୍ଡିତ୍ୟ ହାସଲ କରି ସଙ୍ଗୀତ ଶିକ୍ଷାରେ ଭିଏନା ବିଶ୍ୱ ବିଦ୍ୟାଳୟରୁ ଡକ୍ଟରେଟ୍ ପାଇଛନ୍ତି । ଅଷ୍ଟ୍ରିଆରେ ବାସ କରୁଥିବା ଡଃ ଫର୍ଣ୍ଣାଡିସ୍ ଇରୋପିଆନ୍ କ୍ୟାପିଟାଲରେ ଏକକ ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଂଶସିତ ହୋଇଛନ୍ତି ।
ଲକ୍ଷ୍ନୌରେ ଜନ୍ମିତ ଡଃ ଲଖନପାଲ କିଙ୍ଗ ଜର୍ଜ ବିଶ୍ୱ ବିଦ୍ୟାଳୟରୁ ଏମ୍ବିବିଏସ୍ ଏବଂ ଇଣ୍ଟରନାଲ ମେଡିସିନ୍ରେ ସ୍ନାତକୋତ୍ତର ଶେଷକରି ଲଣ୍ଡନ ଏବଂ ଆମେରିକାରେ ସ୍ଥାପିତ ହୋଇଛନ୍ତି । ସାଉଦି ଆରବରୁ ଡଃ ସୟଦ ଅନୱର ଖୁର୍ସିଦଙ୍କୁ ମଧ୍ୟ ଏହି କ୍ରମରେ ସାମିଲ ହୋଇଛନ୍ତି । କର୍ଣ୍ଣାଟକ ଗୁଲବର୍ଗ ଜିଲାରେ ଜନ୍ମିତ ଡଃ ଖୁର୍ସିଦ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି । ରିୟାଦ୍ସ୍ଥିତ ପ୍ରବାସୀ ଫୋରମ୍ର ସେ ଉପାଧ୍ୟକ୍ଷ ଅଛନ୍ତି ଏବଂ ଭାରତୀୟ ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରୁଛନ୍ତି ।
previous article:https://purvapaksa.com/migrants-to-visit-golden-triangle/
