ଶକ୍ତିଶାଳୀ ହେବ ନୌବାହିନୀ
ଆହୁରି ଶକ୍ତିଶାଳୀ ହେବ ଭାରତର ନୌବାହିନୀ। ସେଥିପାଇଁ ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ(ରାଫେଲ-ଏମ) କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏନେଇ କ୍ୟାବିନେଟ ସୁରକ୍ଷା କମିଟି ସହ ଆଲୋଚନା ଜାରି ରହିଛି। ଜାନୁଆରିରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ। ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି ଆଲୋଚନା ହୋଇଛି, ତେଣୁ ଏଥିରେ ବେଶୀ ଡେରି ଲାଗିବ ନାହିଁ। ବହୁ ମୁଲଚାଲ ପରେ ବିମାନ ଦାମ କମାଇବାକୁ ଫ୍ରାନ୍ସ ସରକାର ରାଜି ହୋଇଛନ୍ତି। ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ (ରାଫେଲ-ଏମ) କିଣାଯିବ। ଏହାସହ ତିନୋଟି ଅତିରିକ୍ତ ସ୍କର୍ପିନ ବୁଡ଼ାଜାହାଜ କିଣିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ହେବାକୁ ଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଦୁଇଟି ଏସଏସଏନ(ଆାଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ) ପାଇଁ ସରକାରଙ୍କ ଅନୁମୋଦନ ଏହାର ନିର୍ମାଣ ନିମନ୍ତେ ଦେଶର ସ୍ୱଦେଶୀ ସାମର୍ଥ୍ୟ ଉପରେ ବିଶ୍ୱାସକୁ ସୂଚାଉଛି। ନୌସେନା ମୁଖ୍ୟ ଆହୁରି କହିଛନ୍ତି ଯେ, ନୌସେନାର ଶକ୍ତି ବୃଦ୍ଧି ପାଇଁ ଦେଶରେ ବର୍ତ୍ତମାନ ୬୨ଟି ଜାହାଜ ଓ ଗୋଟିଏ ବୁଡ଼ାଜାହାଜ ନିର୍ମାଣାଧିନ ରହିଛି। ଆସନ୍ତା ବର୍ଷକ ମଧ୍ୟରେ ବହୁ ସଂଖ୍ୟକ ପ୍ଲାଟଫର୍ମ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି ଏବଂ ଅତି କମରେ ଗୋଟିଏ ଜାହାଜ ନୌସେନାରେ ସାମିଲ ହେବ ବୋଲି ସେ କହିଛନ୍ତି।
ବିଶେଷ ଜ୍ଞାନକୌଶଳକୁ ବାହିନୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପ୍ରୟାସ ଆରମ୍ଭ କରିଛୁ ବୋଲି ଆଡମିରାଲ ତ୍ରିପାଠୀ କହିଛନ୍ତି। ଆସନ୍ତା ମାସରେ ରାଫେଲ-ଏମ୍ (ନୌସେନା ଭାରିଆଣ୍ଟ) ଏବଂ ସ୍କର୍ପିନ୍ ବୁଡ଼ାଜାହାଜ କ୍ରୟ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ଗତ ବର୍ଷ ଜୁଲାଇରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଫ୍ରାନ୍ସଠାରୁ ରାଫେଲ-ଏମ ବିମାନ କିଣିବାକୁ ମଞ୍ଜୁରୀ ଦେଇଥିଲା, ଯାହା ମୁଖ୍ୟତଃ ସ୍ୱଦେଶୀ ନିର୍ମିତ ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତରେ ମୁତୟନ ହେବ।
ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି ପାଇଁ ପାକିସ୍ତାନର ପ୍ରୟାସ ସମ୍ପର୍କରେ ଆଡମିରାଲ ତ୍ରିପାଠୀ କହିଛନ୍ତି ଯେ ଭାରତୀୟ ନୌସେନା ପଡ଼ୋଶୀ ଦେଶଗୁଡ଼ିକର ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ଭାରତୀୟ ନୌସେନା ଶକ୍ତି ବଢାଉଥିବା ବେଳେ ଫ୍ରାନ୍ସ ସହିତ ଏହି ଡିଲ୍ ଖୁବ୍ ଜରୁରୀ ଅଟେ। ଯେମିତି ଭାରତୀୟ ମିସାଇଲ୍ ଏଥିରେ ମାଡ଼ କରାଯାଇପାରିବ ସେହିଭଳି ଡିଜାଇନ୍ କରିବାକୁ ଭାରତ ଫ୍ରାନ୍ସକୁ ଅନୁରୋଧ କରିଛି। ଅନ୍ୟପଟେ ପାକିସ୍ତାନ ମଧ୍ୟ ନୌସେନା ଶକ୍ତି ବଢ଼ାଉଛି। ତେଣୁ ଭାରତ ସବୁବେଳେ ସଜାଗ ରହିଛି। ପଡ଼ୋଶୀ ଦେଶର କୌଣସି ବି ଆକ୍ରମଣର ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି ଏହି ଅସସରରେ ଶ୍ରୀ ତ୍ରିପାଠୀ କହିଛନ୍ତି।
previous article: https://purvapaksa.com/potato-carts-arrive-from-up-potato-crisis-will-be-solved/