- ୟୁନେସ୍କୋ ଦେଲା ମାନ୍ୟତା
- ଦେଶରେ ପ୍ରଥମ ରାଜ୍ୟ
ଜଳବାୟୁ ପରିବର୍ତ୍ତନର ଏବେ ବଡ଼ ଶିକାର ହୋଇଛି ଓଡ଼ିଶା। ଯାହା ଦ୍ୱାରା ଖରା, ବର୍ଷା, ଶୀତରେ ଅନିୟମିତତା ଦେଖାଦେଇଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ଓଡ଼ିଶାର ଚିର ସାଥି ପାଲଟିଛନ୍ତି। ଲଘୁଚାପ ଜନିତ ବର୍ଷା, ବାତ୍ୟା ଓଡ଼ିଶାକୁ ନିଜର ମାମୁ ଘର ବନେଇ ଦେଇଛନ୍ତି। ରଜ ହେଉ କି ଦଶହରା ହେଉ କି ଦିପାବଳୀ ହେଉ ମାମୁ ଘର ବୁଲି ନଆସିଲେ ବାତ୍ୟାକୁ ନିଦ ହୁଏନାହିଁ। ଯାହାଦ୍ୱାରା ଓଡ଼ିଶାର ବିପୁଳ କ୍ଷତିଗ୍ରସ୍ତ ହେଉଛି। ଏବେ ଧାନ ଅମଳ ସମୟରେ ଲଘୁଚାନ ଜନିତ ବର୍ଷା ତାହାର ଜ୍ୱଳନ୍ତ ଉଦାହରଣ। ଯାହା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଏହାସହ ରାଜ୍ୟରେ ସୁନାମୀ ଭୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଏବେ ୨୪ଟି ଗାଁ ସୁନାମୀ ପ୍ରତିରୋଧୀ କରାଯାଇଛି। ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୨୪ଟି ଗାଁକୁ ୟୁନେସ୍କୋର ଆନ୍ତଃସରକାରୀ ଓସିଓନୋଗ୍ରାଫିକ୍ କମିଶନ (ଆଇଓସି-ୟୁନେସ୍କୋ) ଆନୁଷ୍ଠାନିକ ଭାବେ ‘ସୁନାମୀ ରେଡି’ ଘୋଷଣା କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ । ୟୁନେସ୍କୋର ଡକ୍ଟର ଟି ଶ୍ରୀନିବାସ କୁମାରଙ୍କ କହିବା ଅନୁଯାୟୀ, ସୁନାମୀ ବିରୋଧରେ ସ୍ଥିରତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ହାସଲ ହୋଇଥିବା ୧୨ଟି ସୂଚକାଙ୍କ ଉପରେ ଆଧାରରେ ଏହି ମାନ୍ୟତା ମିଳିଛି। କେନ୍ଦ୍ରାପଡ଼ାରେ ୩ଟି, ବାଲେଶ୍ୱରରେ ୫ଟି, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ୪ଟି ଲେଖାଏଁ ଗାଁ ରହିଛି। ଆଇଓସି-ୟୁନେସ୍କୋ ୨୦୨୦ରେ ସ୍ୱୀକୃତି ପାଇଥିବା ନୋଳିଆସାହି (ଜଗତସିଂହପୁର) ଏବଂ ଭେଙ୍କଟରାଇପୁର (ଗଞ୍ଜାମ)ର ‘ସୁନାମୀ ରେଡି’ ସାର୍ଟିଫିକେଟ୍ ନବୀକରଣ କରିବା ସହ ମୋଟ ସଂଖ୍ୟା ୨୬ରେ ପହଞ୍ଚିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କାଇଠା ଗ୍ରାମରେ ଶନିବାର ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ (ଆଇଏନସିଓଆଇଏସ୍), ହାଇଦ୍ରାବାଦ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡ଼ିଏମ୍ଏ)ର ବୈଜ୍ଞାନିକଙ୍କ ସହ ଏକ ଲାଇଭ୍ ଉଚ୍ଛେଦ ଡ୍ରିଲରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ, ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲାପାଇଁ ଗୋଷ୍ଠୀ ସଶକ୍ତୀକରଣ, ସୁନାମୀ ବିପଦ ଏବଂ ପ୍ରସ୍ତୁତି ବିଷୟରେ ସଚେତନତା, ସ୍ଥାନାନ୍ତର ମାର୍ଗ ଚିହ୍ନଟ, ଶୀଘ୍ର ପ୍ରବେଶ ପାଇଁ ସୁରକ୍ଷିତ ସ୍ଥାନାନ୍ତର ପଥ, ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସୂଚନା ଏବଂ ପ୍ରସ୍ତୁତ କରିବା ପାଇଁ ଶିକ୍ଷାଗତ ସମ୍ବଳ, ମକ୍ ଡ୍ରିଲ୍, ସୁନାମୀ ହୋର୍ଡିଂ ଏବଂ ସଙ୍କେତ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବାସିନ୍ଦାଙ୍କୁ ମାର୍ଗଦର୍ଶନ କରିବା ପାଇଁ ସଙ୍କେତ ଅନ୍ତର୍ଭୁକ୍ତ । ୨୪ ଘଣ୍ଟିଆ ସୁନାମୀ ମନିଟରିଂ ଏବଂ ଆଲର୍ଟ ସିଷ୍ଟମ ଚଳାଉଥିବା ଇନକୋଇସ୍ ଏହି ପଦକ୍ଷେପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କୁମାର କହିଛନ୍ତି।
ଆସନ୍ତର ୨୬ତାରିଖରେ ଏହିସବୁ ପଞ୍ଚାୟତର ସରପଞ୍ଚମାନଙ୍କୁ ‘ସୁନାମୀ ରେଡି’ ସାର୍ଟିଫିକେଟ୍ ମିଳିବ। ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ରିକ୍ଟର ସ୍କେଲରେ ୯.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ଫଳରେ ଭାରତ ସମେତ ୧୪ଟି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଭାରତ ମହାସାଗର ଅଞ୍ଚଳରେ ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଓଡ଼ିଶା ଏହାର ସ୍ଥିରତା ପାଇଁ ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଛି ଏବଂ ଜାତୀୟ ସୁନାମୀ ଚେତାବନୀ କେନ୍ଦ୍ର ସହ ସହଯୋଗ କରିଛି ବୋଲି କୁମାର କହିଛନ୍ତି।
ସ୍ଥାନୀୟ ନେତା ଏବଂ ସମୁଦାୟ ସଦସ୍ୟଙ୍କ ବୁଝାମଣା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯାହା ବର୍ତ୍ତମାନ ଉପକୂଳ ସୁରକ୍ଷା ପାଇଁ ଏକ ମଡେଲ ପାଲଟିଛି ବୋଲି କୁମାର କହିଛନ୍ତି। ତେବେ ଏହି ସୁନାମୀ ପ୍ରସ୍ତୁତ ଗାଁଗୁଡ଼ିକ ହେଲା କେନ୍ଦ୍ରାପଡା ଜିଲ୍ଲାର କଣ୍ଟିଲୋ, ତଣ୍ଟିଆପାଳସାନ ଓ କଇଥା। ବାଲେଶ୍ୱରର ଜଗନ୍ନାଥପୁର, ଜୟଦେବ, କସବାପାହି, ସାହାପୁର ଓ କନ୍ୟାନଗରୀ। ଭଦ୍ରକର ମୋହନପୁର, ଅଧୁଆଁ, ବଡ଼ହାବେଲିସାହି ଓ ସାନକୃଷ୍ଣପୁର। ଜଗତସିଂହପୁରର ବାଘେଇପୁର, ଧନୁହରବେଲାରୀ, ସାହାଡ଼ାବେଡ଼ି ଓ ଭୂୟାଁପାଳ। ପୁରୀର କେଉଟଜଙ୍ଗା, ନରସିଂହପାଟଣା, ଖଲକଟାପାଟଣା ଓ ଛୋଟିପଦା। ଗଞ୍ଜାମ ଜିଲ୍ଲାର ଉପପୁଲାପୁଟି, ପ୍ରୟାଗୀ, କାନ୍ତିଆଗଡ଼ା ଓ ମାର୍କଣ୍ଡି ଗାଁ।
previous article:https://purvapaksa.com/gonasika-festival-in-womens-development/
