ଗୋଟିଏ ହେଉଛି ଇଣ୍ଡିଆ । ଆଉ ଗୋଟିଏ ହେଉଛି ଭାରତ । ଇଣ୍ଡିଆ ଯେଉଁଠି ସରେ ଭାରତ ସେଇଠୁ ଆରମ୍ଭ ହୁଏ । ଗୋଟିଏ ପଟେ ଚିକମିକ୍ ଲାଇଫଷ୍ଟାଇଲ । ଆରପଟେ ଗରିବୀର ଅନ୍ଧକାର । ଇଏ ହେଉଛି ବିରୋଧାଭାଷର ଦେଶ,ଇଏ ହେଉଛି ଭାରତର କାହାଣୀ । ସାଇନିଂ ଇଣ୍ଡିଆର କାହାଣୀ ବି ଆଉ ସେହି ସାଇନିଂ ଇଣ୍ଡିଆର ଅନ୍ୟପଟେ ଗରିବି ସହିତ ଲଢୁଥିବା,ଶଢୁଥିବା ଭାରତର କାହାଣୀ । ଦୁଇଟି ଚିତ୍ରରୁ ଆପଣ ଏହାକୁ ଭଲ ଭାବେ ବୁଝିପାରିବେ । ଆପଲ ମାର୍କା ଆଇଫୋନ୍ ୧୭ ଭାରତରେ ଲଂଚ୍ ହୋଇଛି । ଯେଉଁଦିନ ଲଂଚ୍ ହେଲା ସେହିଦିନ ଫୋନ୍ ପାଇବାକୁ ଲାଇନରେ ପୁରା ଦେଶରେ ଥିଲେ ୨୫ ଲକ୍ଷ ଯୁବା । ତାହା ପୁଣି ରାତି ୧୨ରୁ ସକାଳ ୮ ପର୍ଯ୍ୟନ୍ତର ଅପେକ୍ଷା । ଆଇଫୋନ୍ ଲାଇନକୁ ଯଦି ଆପଣ ସାଇନିଂ ଇଣ୍ଡିଆର ପ୍ରତୀକ ବୋଲି ଭାବୁଛନ୍ତି ତେବେ ଟିକେ ଅଟକି ଯାଆନ୍ତୁ । ରାଜସ୍ତାନରୁ ଆସିଛି ଆଉ ଏକ ଚିତ୍ର । ରାଜସ୍ତାନରେ ୨୪ ଲକ୍ଷରୁ କିଛି ଅଧିକ ଯୁବକ ଚପରାସୀ ଚାକିରି ପାଇଁ ଲାଇନରେ ଥିଲେ । ଇଏ ହେଉଛି ଟ୍ରିଲିୟନ ଡଲାର ଇକୋନମିର କଥା କହୁଥିବା ଦେଶର କାହାଣୀ,ଯେଉଁଠି ଗରିବ ଅଧିକ ଗରିବ ହେଉଛି ଏବଂ ଧନୀ ଅଧିକ ଧନୀ । ଆୟର ଏହି ତାରତମ୍ୟ ଲାଇଫଷ୍ଟାଇଲର କଥା ବି କୁହେ ।
କେଉଁଠି ଦୁଇ ଓଳା ଖାଦ୍ୟ ପାଇଁ ଜୀବନ ଯୁଦ୍ଧ ତ’ କେଉଁଠି ଲାଟେଷ୍ଟ ଫୋନ୍ ପାଇଁ ପର୍ସନାଲ ଲୋନ ନେବାର ମୋହ । ସ୍ୱାଗତ ଆପଣଙ୍କୁ ଦୁଇଟି ଭାରତକୁ । ଗୋଟିଏ ଉଜ୍ୱଳ,ଆରଟି କିଟିମିଟି ଅନ୍ଧାରିଆ । ହୁଏତ ଏହା ସଂଯୋଗ ହୋଇପାରେ । କିନ୍ତୁ ସାଂଘାତିକ ସଂଯୋଗ । ଏଭଳି ସଂଯୋଗ,ଯାହାକୁ ଦେଶର ନୀତିନିର୍ଧାରକ ମାନେ ଆପଣଙ୍କ ସାମ୍ନାକୁ ଆସୁ ବୋଲି ଚାହିଁବେ ନାହିଁ । ୧୯ ସେପ୍ଟେମ୍ବର ଦିନ ଯେତେବେଳେ ଦିଲ୍ଲୀ-ମୁମ୍ବାଇ ଭଳି ସହରଗୁଡ଼ିକରେ ସହସ୍ରାଧିକ ଯୁବକ ଆଇଫୋନ୍ ୧୭ ପାଇଁ ଲାଇନ୍ ମଧ୍ୟରେ ଠିଆ ହୋଇଥିଲେ ସେହି ସମୟରେ ରାଜସ୍ଥାନରେ ୨୪ ଲକ୍ଷ ଯୁବକ ଚପରାସୀ ହେବା ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ଥିଲେ। ଯେଉଁମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷିତ ମଧ୍ୟ ତିଲେ । ଯାହା ନିଜ ଭିତରେ ଏକ ମଜବୁତ ବିରୋଧାଭାସ ଅଟେ। ଯାହା ନିଶ୍ଚିତ କରୁଛି ଯେ ଦେଶରେ ଖାଇ ବଢ଼ୁଛି। ଆର୍ଥିକ ଭାବେ ଦୁର୍ବଳ ଲୋକମାନେ ଆହୁରି ଦୁର୍ବଳ ହେଉଛନ୍ତି ଏବଂ ମଜବୁତ ଲୋକମାନେ ଆହୁରି ମଜବୁତ। ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ଏହା ମଧ୍ୟ ଯେ ଭାରତର ଯୁବକମାନେ ସରକାରୀ ଚାକିରି ପଛରେ ବହୁତ ଦୌଡ଼ୁଛନ୍ତି।
ଆସନ୍ତୁ, ଏହି ସମସ୍ତ ବିଷୟକୁ ଆର୍ଥିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଦେଖିବା-ବୁଝିବାର ଚେଷ୍ଟା କରିବା। ପ୍ରଥମେ ଆଇଫୋନର ବୁକିଂର ସଂଖ୍ୟା ଦେଖିବା। ଉପଲବ୍ଧ ରିପୋର୍ଟ ଅନୁସାରେ ଭାରତରେ ଲଞ୍ଚ୍ର ପ୍ରାରମ୍ଭିକ ସପ୍ତାହରେ ହିଁ ୨୫ ଲକ୍ଷରୁ ଅଧିକ ଆଇଫୋନ୍ ୧୭ ୟୁନିଟ୍ ପ୍ରି-ବୁକିଂ ହୋଇଛି।
ଯେଉଁଥିରୁ ପ୍ରାୟ ୬୦% ବୁକିଂ ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁ, ଚେନ୍ନାଇ, କୋଲ୍କାତା, ହୈଦରାବାଦ ଭଳି ମହାନଗରଗୁଡ଼ିକରୁ ଆସିଛି। କେବଳ ଆଇଫୋନ୍ ୧୭ ପ୍ରୋ/ଅଲ୍ଟ୍ରା ମଡେଲର ୮-୧୦ ଲକ୍ଷ ୟୁନିଟ୍ ବୁକ୍ ହୋଇଥିବା କୁହାଯାଉଛି । ଯାହାର ମୂଲ୍ୟ ୧.୫ ଲକ୍ଷରୁ ଉପରେ। ସବୁଠାରୁ ବଡ଼ କଥା ହେଲା ବୁକିଂ କରିଥିବା ଯୁବକଙ୍କ ମଧ୍ୟରୁ ଅଧିକାଂଶଙ୍କ ମାସିକ ଆୟ ୩୫ ହଜାରରୁ ୫୦ ହଜାର ମଧ୍ୟରେ । ଯାହାର ଅର୍ଥ ହେଲା ସେମାନେ ଇଏମଆଇରେ ଏହି ଫୋନ୍ ନେଉଛନ୍ତି ।
ଯାହା ଦର୍ଶାଉଛି ଯେ ଭାରତରେ ଉପଭୋକ୍ତା ସଂସ୍କୃତି ବା କଂଜ୍ୟୁମାରିଜିମ୍ ଏବଂ ବ୍ରାଣ୍ଡ୍ ଭ୍ୟାଲ୍ୟୁର ପ୍ରଭାବ ଏତେ ଗଭୀର ହେଲାଣି ଯେ ଅନେକ ସମୟରେ ଲୋକମାନେ ନିଜର ଆୟରୁ ଅଧିକ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ।
ଯେଉଁ ସମୟରେ ଆଇଫୋନ୍ ନେବାକୁ ଲୋକ ଲାଇନରେ ଥିଲେ ସେହି ସମୟରେ ରାଜସ୍ଥାନର ବିଭିନ୍ନ ପରିକ୍ଷାକେନ୍ଦ୍ରରେ ୨୪ ଲକ୍ଷ ୭୫ ହଜାର ଯୁବକ ଚପରାସୀ ପରୀକ୍ଷା ଦେଉଥିଲେ । ୫୩୭୪୯ ପଦ ପଇଁ ଆବେଦନ କରିଥିଲେ ୨୪.୭୫ ଲକ୍ଷ । ଅର୍ଥାତ୍ ପ୍ରତ୍ୟେକ ଏକ ପଦ ପାଇଁ ୪୬ରୁ ଅଧିକ ଦାବିଦାର। ଏଥିରୁ ଅନୁମାନିତ ୭୦-୭୫ ପ୍ରତିଶତ ଆବେଦକ ସ୍ନାତକ ଏବଂ ସ୍ନାତକୋତ୍ତର। ୧୦ରୁ ୧୫ ପ୍ରତିଶତ ଟେକ୍ନୋଲୋଜିକାଲ୍ ଡିଗ୍ରୀ ଧାରୀ ମଧ୍ୟ ଆବେଦନ କରିଥିବା କୁହାଯାଉଛି ।
ଏହି ପରିସ୍ଥିତି ଦର୍ଶାଉଛି ଯେ ଭାରତରେ ରୋଜଗାର ସୁଯୋଗଗୁଡ଼ିକର ଭାରୀ ଅଭାବ ଅଛି ଏବଂ ଲୋକମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ସତ୍ତ୍ୱେ, ଛୋଟରୁ ଛୋଟ ଏବଂ କମ୍ ବେତନର ସରକାରୀ ଚାକିରି ପାଇଁ ମଧ୍ୟ ଲାଇନ୍ ମଧ୍ୟରେ ଠିଆ ହେଉଛନ୍ତି । ତେବେ ପ୍ରଶ୍ନ ହେଲା ଏହି ବିରୋଧାଭାସ କାହିଁକି? ପ୍ରଥମତଃ ଏଥିପାଇଁ . ଆର୍ଥିକ ଅସମାନତା ଦାୟୀ । ଅକ୍ସଫାମ୍ ୨୦୨୪ର ରିପୋର୍ଟ ଅନୁଯାୟୀ, ଭାରତର ୧୦ ପ୍ରତିଶତ ଜନସଂଖ୍ୟା ପାଖରେ ମୋଟ ସମ୍ପଦର ୭୭ ପ୍ରତିଶତ ଅଂଶ ରହିଛି । ଅନ୍ୟପକ୍ଷରୁ, ୬୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୫ ପ୍ରତିଶତ ସମ୍ପତି ରହିଛି । କୋଟିକୋଟି ଗରିବ ଲୋକ ମୌଳିକ ଆବଶ୍ୟକତା -ଶିକ୍ଷା, ସ୍ୱାସ୍ଥ୍ୟ, ଚାକରି ପାଇଁ ସଂଘର୍ଷ କରୁଛନ୍ତି।
ALSO READ https://purvapaksa.com/congresss-fear-will-bjp-leave-nuapada-for-bjd/
Congress’s fear: Will BJP leave Nuapada for BJD? II କଂଗ୍ରେସ ଭୟ: ବିଜେଡିକୁ ନୂଆପଡ଼ା ଛାଡ଼ିଦେବ କି ବିଜେପି?
