ଭାରତୀୟ ଜନତା ପାର୍ଟି ରାଜ୍ୟରେ ଶାସନ କରୁଛି। ଏ ଶାସନକୁ ୧୮ ମାସ ବି ବିତିଗଲାଣି। ହେଲେ ଯେଉଁ ପ୍ରତିଶ୍ରୁତି ଓ ଶୃଙ୍ଖଳା ରକ୍ଷା ଲାଗି ବିଜେପି ଭୋଟ୍ ଜିଣିଥିଲା ତାହା ସାକାର ହୋଇପାରିନାହିଁ। ଲୋକ ଯେଉଁ ଆଶାରେ ବିଜେପି ସରକାରଙ୍କୁ ଅପେକ୍ଷା କରୁଥିଲେ ତାହା ହୋଇପାରିନାହିଁ। ଖାଲି ସାଧାରଣ ଭୋଟର ନୁହେଁ ବିଜେପିର କର୍ମୀ ଓ ନେତାମାନେ ମଧ୍ୟ ଏହି ୧୮ ମାସର ସରକାରରେ ନିଜର ସତ୍ତା ଖୋଜି ପାଉନାହାନ୍ତି। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଉତ୍କଟ ହୋଇଛି। ବୃହତ୍ ଖଣିଜ ପଦାର୍ଥ କଥା ଛାଡ଼ନ୍ତୁ ସାଧାରଣ ଲୋକଙ୍କ ଘର ତିଆରିରେ ଲାଗୁଥିବା ଲଘୁ ଖଣିଜ ପରିଚାଳନାରେ ମଧ୍ୟ ସଫଳ ହୋଇ ପାରିନାହାନ୍ତି ରାଜ୍ୟ ସରକାର। ୨୦୨୫ ସମ୍ପୂର୍ଣ୍ଣ ବର୍ଷଟିକୁ ତର୍ଜମା କରିଲେ ଜଣାଯାଏ ଏହା ଯେମିତି ବିଜେପି ପାଇଁ ଏକ ବିଫଳ ବର୍ଷ ରହିଛି।
୧ ରାଜନୀତିକ ଥଇଥାନ
ରାଜନୀତିକ ପୃଷ୍ଠଭୂମିରେ ନେତା ଓ କର୍ମୀଙ୍କୁ ଉପଯୁକ୍ତ ଥଇଥାନ ଗୋଟିଏ ଦଳ ପାଇଁ ଭବିଷ୍ୟତର ବଳ ହୋଇ ଠିଆ ହୁଏ। କଂଗ୍ରେସ ହେଉ କି ବିଜେଡି ଅଥବା କେନ୍ଦ୍ରରେ ଶାସନରେ ଥିବା ବିଜେପି ଏହି ଧାରାରେ ବନ୍ଧା। ଯେତେବେଳେ ଯାହାର ସରକାର ଆସିଛି ସେଠାରେ ନିଜର କର୍ମୀ ଓ ସବଳ ନେତାଙ୍କୁ ଅଧିକ ସକ୍ଷମ କରିବା ପାଇଁ ମନ୍ତ୍ରୀପଦ ବା ଅନ୍ୟ ରାଜନୀତିକ ପଦବୀ ପ୍ରଦାନ କରାଯାଇଛି। ହେଲେ ଓଡ଼ିଶାରେ ତାହା କେବଳ ଏକ ପ୍ରହସନ ପାଲଟିଛି। କେନ୍ଦ୍ରୀୟ ନେତାଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଚାଲୁଥିବା ବିଜେପିର ସଂଗଠନରେ ନା ସକ୍ଷମ ନେତାଙ୍କୁ କୌଣସି ପଦପଦବୀ ମିଳିଛି ନା ମନ୍ତ୍ରିମଣ୍ଡଳରେ ଆବଶ୍ୟକ ମନ୍ତ୍ରୀଙ୍କ ସଂଖ୍ୟା ପୂରଣ ହୋଇପାରୁଛି। ୧୮ ମାସରୁ ଅଧିକ ସମୟ ହେଲାଣି ବିଜେପି ନିଜ ଘର ଭିତରେ ଅସନ୍ତୋଷର ନିଆଁକୁ ଲିଭାଇ ପାରୁନାହିଁ। ଫଳରେ ନା ପୂରଣ ହୋଇପାରୁଛି ନିଗମ ପଦବୀ ନା ପୂରଣ ହୋଇପାରୁଛି ମନ୍ତ୍ରିମଣ୍ଡଳ। ଅର୍ଥାତ୍ ଦଳ ଭିତରେ ଅସନ୍ତୋଷ ଯେ ବଢ଼ି ଚାଲିଛି ତାହା କହିବା ଭୁଲ ହେବ ନାହିଁ। କେବଳ କ୍ଷମତାରେ ରହିଥିବା ହେତୁ ଏହା ଉଦ୍ଗୀରଣ ହେଉ ନାହିଁ କିନ୍ତୁ ଆଗକୁ ପଞ୍ଚାୟତ ନିର୍ବାଚନରେ ଏହା ସ୍ପଷ୍ଟ ହେବା ଆଶଙ୍କା ରହିଛି। ସେଥିଲାଗି ୨୦୨୬ରେ ପଞ୍ଚାୟତ ଓ ତ୍ରିସ୍ତରୀୟ ନିର୍ବାଚନକୁ ସରକାର ଘୁଞ୍ଚାଇପାରନ୍ତି। ଅନୁରୂପ ଭାବେ ସରକାର ଏବର୍ଷ ବି ଛାତ୍ର ସଂସଦ ନିର୍ବାଚନ କରିବାରେ ବିଫଳ ହୋଇଛନ୍ତି।

୨ ବିଧାୟକଙ୍କ ଦରମା ବୃଦ୍ଧି
ରାଜ୍ୟରେ ବିଜେପି ସରକାରର ଦ୍ୱିତୀୟ ବଡ଼ ଭୁଲ୍ ହେଉଛି ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବିଧେୟକ ପାରିତ କରିବା। ଏହା ବିଜେପିର ଅର୍ଥ ଲୋଭ ଓ ଶୋଷିଲା ପଣିଆକୁ ସ୍ପଷ୍ଟ କରୁଛି। ବିଜେପିର ନେତାମାନେ କ୍ଷମତା ପାଇଲେ ନିଜର ସ୍ୱାର୍ଥ ସାଧନ କରିବାକୁ ଆଗ ଜାହିର କରନ୍ତି ତାହା ସ୍ପଷ୍ଟ ହୋଇଛି। ଯଦିଓ ଏଥିରେ ସବୁ ବିଧାୟକ ଲାଭ ପାଇଛନ୍ତି କିନ୍ତୁ ଦୋଷ ବିଜେପି ମୁଣ୍ଡାଇଛି। ୨୪ ବର୍ଷ ହେଲା ଶାସନରେ ଥିବା ବିଜେଡି କେବେ ଏପରି ବୃଦ୍ଧି କରିନଥିଲା। ନବୀନ ସରକାର ସମୟରେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହୋଇଥିଲା ଏବଂ ଋଣ ବୋଝ କମିଥିଲା। ତଥାପି ନବୀନ କେବେ ଭାରତ ବର୍ଷର ସବୁଠାରୁ ଅଧିକ ଦରମା ପାଉଥିବା ବିଧାୟକଙ୍କୁ ତିଆରି କରିନଥିଲେ। ଯଦିଓ ୨୦୧୭ ମସିହାରେ ବିଧାୟକଙ୍କ ଦରମା ଓ ପ୍ରାପ୍ୟ ବଢ଼ିଥିଲା, ତାହା ଏତେ ଚର୍ଚ୍ଚିତ ହୋଇନଥିଲା, ଯାହା ଏବେ ହୋଇଛି। ପୁଣି ଯେତେବେଳେ ବିରୋଧୀ ଦଳ ନେତା ନିଜର ଦରମାକୁ ନ ନେବା ପାଇଁ ଘୋଷଣା କଲେ, ତାହା ବିଜେପିର ପ୍ରତିଚ୍ଛବିକୁ କଳଙ୍କିତ କରିଥିଲା। ଏ ଚର୍ଚ୍ଚା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ଆକ୍ରାନ୍ତ କରିଛି। ଏଣୁ ରାଜ୍ୟ ଉପରେ ଏବେ ଚାପ ପଡ଼ିଛି। ଆସନ୍ତା ଅଧିବେଶନରେ ଏ ବିଧେୟକ ପ୍ରତ୍ୟାହାର ହୋଇପାରେ।
୩ ଶ୍ରୀମନ୍ଦିରରେ ବିଶୃଙ୍ଖଳା
ରାଜ୍ୟରେ ବିଜେପି ସରକାରର ତୃତୀୟ ବଡ଼ ଭୁଲ ହେଉଛି ଶ୍ରୀମନ୍ଦିର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ବିଫଳତା। ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର ହିନ୍ଦୁ ଆସ୍ଥାର ଏକ ବଡ଼ ପ୍ରତୀକ। ପ୍ରତିଟି ଓଡ଼ିଆର ପରିଚୟ, ଗର୍ବ ଓ ଗୌରବ। ଏହି ଶ୍ରୀମନ୍ଦିର ବିଶୃଙ୍ଖଳା ହେତୁ ନବୀନ ସରକାର କ୍ଷମତାଚ୍ୟୁତ ହୋଇଥିଲେ। ଏହାକୁ ସୁଧାରିବାର ଜୟଘୋଷ ଦେଇ ବିଜେପି ଶାସନକୁ ଆସିଥିଲା। ହେଲେ ଆଜି ଯାଏ ନା ଭକ୍ତଙ୍କୁ ଶୃଙ୍ଖଳାରେ ଦର୍ଶନ ମିଳିପାରୁଛି ନା ଭଗବାନଙ୍କୁ ରାତିରେ ନିଦ୍ରା। ଅର୍ଥାତ୍ ରୀତିନୀତି ପାଳନରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। କୁହାଯାଉଛି ସେବକଙ୍କୁ ଅଧିକ ବେଆଇନ ରୋଜଗାର ପାଇଁ ବାଟ ଖୋଲିଛନ୍ତି ଏ ସରକାର।
ଖାଲି ସେତିକି ନୁହେଁ, ରତ୍ନ ଭଣ୍ଡାର ଖୋଲିବା ବିଷୟରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ୧୮ ମାସ ଭିତରେ ରତ୍ନ ଭଣ୍ଡାରରେ ଥିବା ରତ୍ନ ଗଣତିମଣିତି ହୋଇପାରିନାହିଁ। ସରକାରଙ୍କ ଯେତେବେଳେ ପ୍ରଶ୍ନ କଲେ ମାର୍ଗଦର୍ଶିକା ପ୍ରସ୍ତୁତ ଚାଲୁଛି ବୋଲି ଉତ୍ତର ମିଳୁଛି। ଆଜି ବି ସମାନ ଉତ୍ତର ଦିଆଯାଇଛି।
୪ ଫେରିଛନ୍ତି ପାଣ୍ଡିଆନ୍
ସର୍ବୋପରି ରାଜ୍ୟ ରାଜନୀତିକୁ ପୁଣିଥରେ ପାଣ୍ଡିଆନ ଫେରିଛନ୍ତି। ଏହା କହିବାର ଅର୍ଥ ହେଉଛି ଯେଉଁ ସମୟରେ ନବୀନ ଗୌଣ ଓ ପାଣ୍ଡିଆନ୍ ସର୍ବସ୍ୱ ଥିଲେ ସେତେବଳେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଆଜି ବି ଉଦାହରଣ ହୋଇ ରହିଛି। କାରଣ ଦେଢ଼ ବର୍ଷରେ ଗୋଟିଏ ଆଖି ଦୃଶିଆ ପ୍ରକଳ୍ପ ନା ସରକାର ଗଢ଼ିଛନ୍ତି ନା ନିଅଁ ପକାଇଛନ୍ତି। ଆଜି ବି ପାଣ୍ଡିଆନ୍ ଖବରର ଚର୍ଚ୍ଚାରେ ରହିଛନ୍ତି। ଯଦି ତାଙ୍କରି ଦଳର ଲୋକମାନେ ତାଙ୍କ ଉପସ୍ଥିତିକୁ ବିରୋଧ କରିନଥାଆନ୍ତେ ହୁଏତ ଆଜି ପାଣ୍ଡିଆନ୍ ରାଜ୍ୟ ରାଜନୀତିରେ ସକ୍ରିୟ ଥାଆନ୍ତେ! ଏହା ଆଉ କିଛିଦିନ ଭିତରେ ବାସ୍ତବ ହେବ ବୋଲି ବି କିଛି ବ୍ୟକ୍ତି କହିଛନ୍ତି।

୫ ମାଗଣା ଭଣ୍ଡାର
ରାଜ୍ୟବାସୀଙ୍କ ଟିକସରେ ଗରିବଙ୍କୁ ଅନ୍ନ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ପରିଚାଳନା କରାଯାଉଛି। ସରକାର ଏହି ବିକାଶମୂଳକ ଯୋଜନାକୁ କିପରି ପ୍ରୟୋଗ କରାଯିବ ତାହା ନିର୍ଣ୍ଣ କରିବାର କ୍ଷମତା ଓ ଦାୟିତ୍ୱ ବହନ କରନ୍ତି। ହେଲେ କ୍ଷମତାକୁ ଆସିବା ଦିନଠାରୁ ବିଜେପି ସରକାର କେବଳ ଟଙ୍କା ବାଣ୍ଟି ଲୋକପ୍ରିୟ ହେବାର ପନ୍ଥା ଗ୍ରହଣ କରିଛନ୍ତି। ୨୦୧୪ରେ ନରେନ୍ଦ୍ର ମୋଦୀ ଯେତେବେଳେ କ୍ଷମତାକୁ ଆସିଥିଲେ କଂଗ୍ରେସର ସବ୍ସିଡି ରାଜନୀତିକୁ ବିରୋଧ କରିଥିଲେ। ଗ୍ୟାସ ସବ୍ସିଡି ଉଠାଇଥିଲେ। ରେଳବାଇ ସବ୍ସିଡି ଉଠିଥିଲା। ଆଜି ଯାଏ ଆଉ ତାହା ଫେରି ନାହିଁ। କିନ୍ତୁ ରାଜ୍ୟରେ ସରକାର ଗଢ଼ିବା ଦିନଠାରୁ ଆରମ୍ଭ ହୋଇଛି ଟଙ୍କା ବଣ୍ଟା। ନୂଆ ଯୋଜନାଭାବେ ସୁଭଦ୍ରା ଯୋଜନାରେ ଏକ କୋଟି ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ପୁରୁଣା ଯୋଜନାରେ ବଢ଼ିଛି ବିଭିନ୍ନ ପ୍ରକାର ପେନସନ୍। ଅର୍ଥାତ୍ ସରକାରୀ ତହବିଲକୁ କେବଳ ବାଣ୍ଟିବାରେ ପ୍ରୟୋଗ କରିଛନ୍ତି ସରକାର।
୬ ଶାସନର ଦିଗଭ୍ରମ
ନୂଆ ସରକାର, କିନ୍ତୁ ସ୍ପଷ୍ଟ ରୋଡମ୍ୟାପ୍ ନାହିଁ। ନିଷ୍ପତ୍ତିରେ ଧୀରଗତି ଯୋଗୁ ରାଜ୍ୟରେ ସରକାର ନ ଥିବା ମତଦାତାମାନେ କହିବା ଆରମ୍ଭ କଲେଣି। ଏପରିକି ରାଜ୍ୟର କୌଣସି ନୀତିରେ ସ୍ପଷ୍ଟତା ନାହିଁ।
୭ କେନ୍ଦ୍ର-ନିର୍ଭରତାର ଛାୟା
ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ କେନ୍ଦ୍ରୀୟ ଏଜେଣ୍ଡା ଚାଳୁଛି। ତେଣୁ ରାଜ୍ୟ ସ୍ୱାର୍ଥ ପଛକୁ ଗଲା ଭଳି ମନେ ହେଉଛି। ପ୍ରତିଟି କଥାରେ ରାଜ୍ୟ ସରକାର କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରି ରହୁଛନ୍ତି। ଯେପରି ରାଜ୍ୟ ସରକାରର କୌଣସି ବୁଦ୍ଧି ବିକେକ ନାହିଁ। ତେଣୁ ସେମାନେ ପିଏମଓର କଥାରେ ଉଠ୍ବସ ହେବାକୁ ଉଚିତ ମନେକରୁଛନ୍ତି।
୮ ପ୍ରଶାସନିକ ଅନୁଭବ ଅଭାବ
ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରିମାନଙ୍କ ଅନଭିଜ୍ଞତା ଯୋଗୁ ଅନେକ ସମୟରେ ଉପହସିତ ହେଉଛନ୍ତି; ଫାଇଲ୍ ଚଳାଚଳ ଠିକଣା ଭାବରେ ହୋଇପାରୁନାହିଁ ଓ ଫିଲ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ଦୁର୍ବଳ ହେଉଛି।
୯ ଚାଷୀ ସଙ୍କଟରେ ନୀରବତା
ଫସଲ ଦର, ବୀମା, ଜଳସେଚନ ନେଇ ଅନେକ ସରକାରୀ ଘୋଷଣା ହୋଇଛି, କିନ୍ତୁ ଫଳାଫଳ ନାହିଁ।
୧୦ ମହିଳା ସୁରକ୍ଷା ଓ ସାମାଜିକ ନ୍ୟାୟ
ରାଜ୍ୟରେ ବିଜେପି ସରକାରକୁ ଆସିବା ପରଠାରୁ ମହିଳା ଅପରାଧ ମାମଲା ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। କିନ୍ତୁ ଦୃଢ଼ ଆକ୍ସନ୍ ଅଭାବରୁ ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଓ ହତ୍ୟାଭଳି ମାମଲା ପ୍ରତିଦିନ ଖବରର ଶିରୋନାମା ମଣ୍ଡନ କରୁଛି। ତେଣୁ ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଭରସା କମିବାରେ ଲାଗିଛି।
୧୧ ଆଦିବାସୀ ଓ ଦଳିତ ପ୍ରସଙ୍ଗରେ ଅବହେଳା
ଭୂମି, ଜୀବିକା, ଶିକ୍ଷା—ପ୍ରତିଶ୍ରୁତି କେବଳ କାଗଜରେ ସୀମିତ ରହିଛି। ଗୋଟିଏ ବର୍ଷରେ ଅନେକ ଆଦିବାସୀ ଛାତ୍ର ଚିକିତ୍ସା ଅଭାବରୁ ଛାତ୍ରାବାସରେ ୨୬ଜଣ ମୃତ୍ୟୁବରଣ କରିଥିବା ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ଆଶ୍ରମ ସ୍କୁଲର ହଷ୍ଟେଲରେ ଥିବା ନାବାଳିକା ଛାତ୍ରୀମାନେ ମଧ୍ୟ ଯୌନ ଶୋଷଣର ଶିକାର ହୋଇ ମାତୃତ୍ୱ ଲାଭ କରୁଛନ୍ତି।
୧୨ ନିଯୁକ୍ତି ଓ ଯୁବ ଆକାଙ୍କ୍ଷା
ଚାକିରି ଘୋଷଣା ବହୁତ, ଭର୍ତ୍ତି ପ୍ରକ୍ରିୟା ଧୀର। ଯେଉଁଠି ଯୁବକମାନେ ଚାକିରି ଆଶାରେ ଅଛନ୍ତି ସେଠାରେ ଅବସରପ୍ରାପ୍ତ କର୍ମଚାରୀମାନେ ପୁନଃ ନିଯୁକ୍ତି ପାଉଛନ୍ତି। ତେଣୁ ଯୁବକମାନେ ନିରାଶ। ଏପରିକି ନିଯୁକ୍ତି ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେବା ଦର୍ଶାଉଛି ଯେ ରାଜ୍ୟରେ ପୂର୍ବରୁ ଚାଲିଥିବା ଏହି ଗ୍ୟାଙ୍ଗକୁ କାବୁ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
୧୩ ମିଡିଆ ପରିଚାଳନା ଓ ଯୋଗାଯୋଗ ବିଫଳତାରୁ ସଫଳତା କଥା କହିବାରେ ଅସମର୍ଥ; ସଙ୍କଟ ସମୟରେ ସ୍ପଷ୍ଟ ବାର୍ତ୍ତା ରାଜ୍ୟବାସୀଙ୍କୁ ମିଳୁ ନାହିଁ।
୧୪ ଦଳୀୟ ଗୋଷ୍ଠୀ ବିବାଦ ଓ ସମନ୍ୱୟ ଅଭାବ
ସରକାର-ଦଳ ଏକସୂତ୍ର ବନ୍ଧା ନୁହନ୍ତି। ବିଜଚେପିକୁ ଏବେ କଂଗ୍ରେସ ରୋଗ ସଂକ୍ରମିତ ହୋଇଛି। ଦଳରେ ଗୋଷ୍ଠୀ ବିବାଦ ଓ ଗୋଡ଼ ଟାଣାଟାଣି ଶାସନକୁ ଦୁର୍ବଳ କରୁଛି। ଧର୍ମେନ୍ଦ୍ର-ମୁଖ୍ୟମନ୍ତ୍ରୀ-ମନମୋହନ ସମ୍ପର୍କ ଏବେ ବଡ଼ ଆଲୋଚନାର ବିଷୟବସ୍ତୁ ହୋଇଛି।
୧୫ ଲିଗାସି ବନାମ ମ୍ୟାନେଜମେଣ୍ଟ
ପୂର୍ବ ସରକାରର ଦୀର୍ଘକାଳୀନ ଲିଗାସିକୁ ବଦଳାଇବାରେ ନୂଆ ମ୍ୟାନେଜମେଣ୍ଟ ଫେଲ୍ ହୋଇଛି। ଏହା ଭିଜନ୍ ଅଭାବ ପ୍ରକାଶ।
ଭାତ ହାଣ୍ଡିର ଦାନା ଭଳି ଏହି ୧୫ଟି ବିଫଳତା କେବଳ ପ୍ରତୀକ ମାତ୍ର। ୨୦୨୫ରେ ବିଜେପି ଶାସନ ଯେଉଁଭଳି ଭାବେ ରାଜ୍ୟବାସୀଙ୍କ ସହ ବ୍ୟବହାର କରିଛି ତାହା କେବଳ ଛଳନା ଛଡ଼ା ଆଉ କିଛି ହୋଇନପାରେ। ଏହା ‘ବିଜେଡି ଶାସନ ଭଲ ଥିଲା’ ବୋଲି ଏକ ଭାବଧାରା ବି ସୃଷ୍ଟି କରିପାରେ।

ଅସଲ୍ ପ୍ରଶ୍ନ
ବିଜେପି କ’ଣ ଓଡ଼ିଶାକୁ ବୁଝିପାରିଲା?
ଯଦି ନୁହେଁ,
ତେବେ ୨୦୨୬–୨୭ ରାଜନୀତି ଏକ ନୂଆ ମୋଡ଼ ନେବ।
କାରଣ ଓଡ଼ିଆ ଭୋଟର ଧୈର୍ଯ୍ୟଶୀଳ,
କିନ୍ତୁ ସେ ଭୁଲିଯାଉ ନାହାନ୍ତି।
AlsoRead; https://purvapaksa.com/new-delhi-rejects-india-pakistan-ceasefire-demand/
https://purvapaksa.com/new-delhi-rejects-india-pakistan-ceasefire-demand/

