ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଏକ ଗାଁର ପ୍ରାୟ ୨୯ଟି ପରିବାର ୧୧ ବର୍ଷ ଧରି ନିଜ ଭିଟାମାଟିକୁ ଝୁରୁଥିଲେ। କିନ୍ତୁ ଏବେ ଜଣେ ଯୁବ ଆଇପିଏସ ଅଧିକାରୀଙ୍କ ପ୍ରୟାସ ପରେ ସମସ୍ତେ ନିଜ ଘରକୁ ଫେରିଛନ୍ତି ଏବଂ ସେମାନଙ୍କର ଶୂନ୍ୟ ପଡ଼ିଥିବା ଅଗଣାରେ ପୁଣି ଥରେ ହସଖୁସିର ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହି ପରିବାରଗୁଡ଼ିକର ବର୍ଷ ବର୍ଷ ଧରି ଉଜୁଡ଼ା ପଡ଼ିଥିବା ଜମି ଏବେ ଫସଲରେ ହସି ଉଠିଛି । ଏହି ସମସ୍ତ ପରିବାରଙ୍କୁ ସେମାନଙ୍କ ଗାଁରୁ ବାହାର କରି ଦିଆଯାଇଥିଲା, ଯେଉଁଥିପାଇଁ ସେମାନେ ଅନ୍ୟ ସ୍ଥାନରେ ରହି ଶ୍ରମିକ ଭାବେ ଜୀବନଯାପନ କରୁଥିଲେ।
୧୧ ବର୍ଷ ପୂର୍ବେ ବନାସକାଣ୍ଠାର ଆଦିବାସୀ ଅଞ୍ଚଳରେ ଥିବା ମୋଟା ପିପୋଦରା ଗାଁରେ ୨୯ଟି ପରିବାରର ପ୍ରାୟ ୩୦୦ ଲୋକଙ୍କୁ ସାମାଜିକ ବହିଷ୍କାର କରାଯାଇଥିଲା । ଏଠାରେ ଏକ ପାରମ୍ପରିକ ଆଦିବାସୀ ନ୍ୟାୟ ବ୍ୟବସ୍ଥା ‘ଛଡ଼ୋତରା’ ଅନୁଯାୟୀ ଏହି ଲୋକମାନଙ୍କୁ ରାତାରାତି ଗାଁ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ଯଦିଓ ଏହି ବ୍ୟବସ୍ଥା ନ୍ୟାୟ ଓ ଶାନ୍ତି ବଜାୟ ରଖିବା ପାଇଁ ଗଠନ କରାଯାଇଥିଲା, କିନ୍ତୁ ଏହା ଯୋଗୁଁ ୨୯ଟି ପରିବାରକୁ ଏକ ଝଟକାରେ ଗାଁରୁ ବାହାର କରି ଦିଆଯାଇଥିଲେ ।
୨୦୧୪ରେ ଆରମ୍ଭ ହୋଇଥିଲା ମାମଲା
ପ୍ରକୃତରେ, ମୋଟା ପିପୋଦରା ଗାଁରେ ୨୦୧୪ ମସିହାରେ ଏହି ମାମଲା ଆରମ୍ଭ ହୋଇଥିଲା, ଯେତେବେଳେ ଗାଁରେ ଏକ ହତ୍ୟା ଘଟିଥିଲା । ଏକ ପାର୍ଟି ସମୟରେ ବିବାଦ ହୋଇଥିଲା ଏବଂ ଏହି ବିବାଦରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାରୀ ବ୍ୟକ୍ତି କୋଡରଭୀ ସମୁଦାୟର ଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଥିଲା । ଛଡ଼ୋତରା ପରମ୍ପରା ଅନୁଯାୟୀ, କୋଡରଭୀ ସମୁଦାୟ ଆଗରେ ଦୁଇଟି ବିକଳ୍ପ ରଖାଯାଇଥିଲା: ସେମାନେ ପୀଡ଼ିତ ପକ୍ଷକୁ ‘ବ୍ଲଡ ମନି’ ଅର୍ଥାତ୍ ହତ୍ୟାର କ୍ଷତିପୁରଣ ଦେବେ, ନଚେତ୍ ଗାଁ ଛାଡ଼ି ଚାଲିଯିବେ ।
୩୦୦ ଲୋକ ଏକ ଝଟକାରେ ବେଘର
ଏହି ପରିସ୍ଥିତିରେ କୋଡରଭୀ ସମୁଦାୟର ଲୋକେ ଗାଁ ଛାଡ଼ିବାର ବିକଳ୍ପ ବାଛିଥିଲେ । ଏହି ଗାଁରେ କୋଡରଭୀ ସମୁଦାୟର ୨୯ଟି ପରିବାର ଥିଲେ । ଦ୍ୱିତୀୟ ବିକଳ୍ପ ଅନୁଯାୟୀ, ସମସ୍ତ ପରିବାରଙ୍କୁ ରାତାରାତି ଗାଁ ଛାଡ଼ିବାକୁ ପଡ଼ିଥିଲା। ଫଳରେ, ୩୦୦ ଲୋକ ଏକ ଝଟକାରେ ବେଘର ହୋଇଗଲେ । ସେମାନେ ଅନ୍ୟ ସହରମାନଙ୍କରେ ଯାଇ ବସବାସ କରିଥିଲେ। ଏହି ସମୟରେ ସେମାନଙ୍କର ଜମିଗୁଡ଼ିକ ମଧ୍ୟ ସେହିପରି ପଡ଼ି ରହିଥିଲା । ସମୁଦାୟର ଲୋକେ ଗାଁକୁ ଫେରିବା ପାଇଁ ଅନେକ ପ୍ରୟାସ କରିଥିଲେ, କିନ୍ତୁ ସେମାନେ ସଫଳ ହୋଇ ନଥିଲେ ।
ଏଏସପି ସୁମନ ନାଲାଙ୍କୁ ମିଳିଲା ସୂଚନା
ଏବେ ଜଣେ ଆଇପିଏସ ଅଧିକାରୀ ସୁମନ ନାଲାଙ୍କ ମଧ୍ୟସ୍ଥତାରେ ଏହି ପରିବାରଗୁଡ଼ିକର ଗାଁକୁ ଫେରିବା ସମ୍ଭବ ହୋଇଛି । ସେ ଗୁଜରାଟ କ୍ୟାଡରରେ ବନାସକାଣ୍ଠାର ଦାନ୍ତାରେ ସହାୟକ ପୁଲିସ ଅଧୀକ୍ଷକ (ଏଏସପି) ଭାବେ କାର୍ଯ୍ୟ କରୁଛନ୍ତି । ଏହି ମାମଲା ସମ୍ପର୍କରେ ସୂଚନା ତାଙ୍କୁ ତାଙ୍କ ଘରେ କାମ କରୁଥିବା ଜଣେ ସହାୟିକାଠାରୁ ମିଳିଥିଲା । ଏକଦା ସୁମନ ନାଲା ତାଙ୍କ ସହାୟିକାଙ୍କୁ ପଚାରିଥିଲେ ଯେ ତୁମେ ତୁମ ଗାଁକୁ କାହିଁକି ଯାଉ ନାହଁ? ସେହି ମହିଳା ଏଏସପି ସୁମନ ନାଲାଙ୍କୁ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ ଏବଂ ଜଣାଇଥିଲେ ଯେ ତାଙ୍କ ମାତାପିତା ମଧ୍ୟ ସେହି ୩୦୦ ଲୋକଙ୍କ ମଧ୍ୟରେ ଥିଲେ, ଯାହାଙ୍କୁ ଗାଁରୁ ବାହାର କରି ଦିଆଯାଇଥିଲା ।
ଅଭିଯୁକ୍ତ ୨୦୧୭ରେ ମୁକ୍ତ ହୋଇଥିଲେ
ମହିଳାଙ୍କ କଥା ଶୁଣି ସୁମନ ନାଲା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଏହି ମାମଲାର ତଦନ୍ତ ଆରମ୍ଭ କଲେ ଏବଂ ଜାଣିବାକୁ ପାଇଲେ ଯେ ହତ୍ୟାର ଅଭିଯୁକ୍ତ ବ୍ୟକ୍ତି ୨୦୧୭ ମସିହାରେ ମୁକ୍ତ ହୋଇ ଗାଁକୁ ଫେରି ଆସିଥିଲେ। କିନ୍ତୁ ଅନ୍ୟ ଲୋକମାନେ ଏହି ଦଣ୍ଡ ଭୋଗୁଥିଲେ ଏବଂ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିଲେ । ଏହାପରେ ସେ ବନାସକାଣ୍ଠାର ପୁଲିସ ଅଧୀକ୍ଷକ ଅକ୍ଷୟରାଜ ମାକବାନା ଏବଂ ହଡଦର ପୁଲିସ ଉପନିରୀକ୍ଷକ ଜୟନ୍ତୀ ଦେସାଇଙ୍କ ସହ ଏକ ମିଶନ ଆରମ୍ଭ କଲେ ଏବଂ ଉଭୟ ସମୁଦାୟର ଲୋକଙ୍କ ସହ ଆଲୋଚନା କଲେ ।
୧୧ ବର୍ଷ ପରେ ବନବାସର ଅନ୍ତ
ସେମାନେ ମୋଟା ପିପୋଦରା ଗାଁର ପଞ୍ଚମାନଙ୍କ ସହ ବୈଠକ କଲେ। ୨୦ ଦିନ ଧରି ଲଗାତାର ବୈଠକ ହୋଇଥିଲା। ଶେଷରେ ନିଷ୍ପତ୍ତି ହେଲା ଯେ ଶାନ୍ତି ବଜାୟ ରହିବ ଏବଂ ସେହି ପରିବାରଗୁଡ଼ିକୁ ଗାଁକୁ ଫେରାଇ ଆଣାଯିବ । ଏହାପରେ ଏହି ଲୋକମାନେ ନିଜ ଗାଁକୁ ଫେରିବା ପରେ ସମସ୍ତଙ୍କ ମୁହଁରେ ହସ ଓ ଆଖିରେ ଖୁସିର ଲୁହ ଥିଲା । ୨୯ଟି ପରିବାର ମଧ୍ୟରୁ ଦୁଇଟି ପାଇଁ ନୂଆ ଘର ନିର୍ମାଣ କରାଯାଇଥିଲା ଏବଂ ଅନ୍ୟ ପରିବାରଗୁଡ଼ିକର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏନଜିଓଗୁଡ଼ିକର ସହାୟତାରେ ନିର୍ମାଣ କରାଯିବ।
ALSO READ https://purvapaksa.com/operation-sindoor-parliament-discussion-from-july-28/
