ଯୋଜନାର ପୁନଃବ୍ରାଣ୍ଡିଂ କ’ଣ ପ୍ରଶାସନିକ ସଂସ୍କାର, ନା ରାଜନୈତିକ ସ୍ମୃତି ଲିଭାବାର ଉପାୟ? ଭାରତର ଲୋକତାନ୍ତ୍ରିକ ରାଜନୀତିରେ “ଯୋଜନା” କେବଳ ଏକ ପ୍ରଶାସନିକ ଉପକରଣ ନୁହେଁ, ଏହା ଶାସନର ଆଦର୍ଶ, ଦୃଷ୍ଟିକୋଣ ଓ ରାଜନୈତିକ ଉତ୍ତରାଧିକାରର ଏକ ପ୍ରତୀକ। ସେହି କାରଣରୁ ଗତ ୧୧ ବର୍ଷ ମଧ୍ୟରେ ମୋଦି ସରକାର ଦ୍ୱାରା ୨୫ରୁ ଅଧିକ ଯୋଜନାର ନାମ ପରିବର୍ତ୍ତନ ହୋଇଛି। ବିରୋଧୀଙ୍କ ମତାନୁସାରେ ୨୮ଟି—ୟୁପିଏ ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ଓ ପ୍ରକଳ୍ପର ନାମ ପରିବର୍ତ୍ତନ ହୋଇଛି। କେତେକ କ୍ଷେତ୍ରରେ ପୁନଃବ୍ରାଣ୍ଡିଂ କରାଯିବା ନେଇ ଚର୍ଚ୍ଚା କେବଳ ନୀତିଗତ ନୁହେଁ, ଗଭୀର ଆଦର୍ଶଗତ ରୂପ ନେଇଛି।

ବିରୋଧୀ ଦଳଗୁଡ଼ିକ ଏହାକୁ “ନାମ ପରିବର୍ତ୍ତନ ନୀତି” ବୋଲି ଅଭିହିତ କରି ଏହାକୁ ପୂର୍ବତନ ସରକାରମାନଙ୍କ ରାଜନୈତିକ ଅବଦାନକୁ ଲିଭାଇ ଦେବାର ଏକ ସଂଗଠିତ ପ୍ରୟାସ ବୋଲି ଅଭିଯୋଗ କରୁଛନ୍ତି। ସରକାର, ତା’ପକ୍ଷରୁ, ଯୁକ୍ତି ଦେଉଛନ୍ତି ଯେ ଏହି ପରିବର୍ତ୍ତନ କେବଳ ନାମରେ ସୀମିତ ନୁହେଁ; ଯୋଜନାଗୁଡ଼ିକର ଲକ୍ଷ୍ୟ, ପରିସର, ଢାଞ୍ଚା ଓ କାର୍ଯ୍ୟାନ୍ୱୟନ ପଦ୍ଧତିରେ ମୂଳଗତ ସଂଶୋଧନ କରାଯାଇଛି, ଯାହା ନୂତନ ନାମକୁ ସ୍ୱାଭାବିକ କରେ।
ମନରେଗାର ନୂତନ ଅବତାର: ସଂସ୍କାର ନା ସ୍ୱରୂପ ପରିବର୍ତ୍ତନ?
ସମ୍ପ୍ରତି ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ସମ୍ପର୍କିତ ଏକ ନୂତନ ବିଲ୍ ଆଗତ ହେବା ସହିତ ଏହି ଚର୍ଚ୍ଚା ପୁନର୍ବାର ତୀବ୍ର ହୋଇଉଠିଲା। ୨୦୦୫ ମସିହାରେ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଭାରତର ସବୁଠାରୁ ବଡ଼ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଭାବେ ପରିଚିତ। ଏହା ଗ୍ରାମୀଣ ପରିବାରକୁ ୧୦୦ ଦିନର କାମର ଆଇନଗତ ଗ୍ୟାରେଣ୍ଟି ଦେଇ ଦାରିଦ୍ର୍ୟ ନିବାରଣରେ ଏକ ମାଇଲଷ୍ଟୋନ୍ ଥିଲା।
ବର୍ତ୍ତମାନ ସରକାର ଏହାକୁ “ବିକଶିତ ଭାରତ – ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି” (VBG RAM G) ଭାବରେ ପୁନଃପରିଭାଷିତ କରିବାକୁ ଯାଉଛନ୍ତି। କାମର ଦିନ ୧୨୫କୁ ବଢ଼ାଇବା, ଜଳ ସୁରକ୍ଷା, ଜଳବାୟୁ ଅନୁକୂଳ ବିକାଶ ଭଳି କ୍ଷେତ୍ରରେ ଧ୍ୟାନ ଦେବା—ଏସବୁ ସଂଶୋଧନ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିରୋଧୀଙ୍କ ଆଶଙ୍କା ହେଉଛି, ନାମ ପରିବର୍ତ୍ତନ ସହିତ ମନରେଗାର ଆଇନଗତ ଗ୍ୟାରେଣ୍ଟିର ସ୍ୱଭାବ କମଜୋର ହେବ ନାହିଁ କି?
ଇନ୍ଦିରା ଆବାସରୁ ପ୍ରଧାନମନ୍ତ୍ରୀ ଆବାସ: କଲ୍ୟାଣର ନିରନ୍ତରତା

ଇନ୍ଦିରା ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତର ଯାତ୍ରା ଏହି ଚର୍ଚ୍ଚାର ଆଉ ଏକ ଉଦାହରଣ। ୧୯୮୫ ମସିହାରେ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନା ଗରିବ ଲୋକଙ୍କ ପାଇଁ ଘର ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲା। ୨୦୧୬ ମସିହାରେ PMAY ରୂପେ ପୁନଃନାମିତ ହେବା ପରେ ଯୋଜନାର ଆକାର, ଧନରାଶି ଓ କଭରେଜ୍ ବଢ଼ିଛି। ଏଠାରେ ପ୍ରଶ୍ନ ନାମ ପରିବର୍ତ୍ତନ ନୁହେଁ, ବରଂ ପୂର୍ବତନ ଯୋଜନାର ସ୍ୱୀକୃତି ଓ ଐତିହ୍ୟକୁ କେମିତି ଦେଖାଯାଉଛି।
JNNURM ଠାରୁ AMRUT: ସହରୀ ବିକାଶର ନୂତନ ଭାଷା
ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ (JNNURM) ଠାରୁ AMRUT ପର୍ଯ୍ୟନ୍ତ ଯାତ୍ରା ସହରୀ ବିକାଶର ଭାଷା ପରିବର୍ତ୍ତନକୁ ଦର୍ଶାଏ। ସରକାର କହୁଛନ୍ତି ଯେ ନୂତନ ଯୋଜନାରେ ପାଣି, ନଳା, ଟିକାଉ ସହର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ନେହେରୁ ନାମ ଅପସାରଣ ଏହାକୁ କେବଳ ପ୍ରଶାସନିକ ସଂଶୋଧନରୁ ଅଧିକ, ଏକ ଆଦର୍ଶଗତ ବିଚ୍ଛେଦ ଭାବେ ପ୍ରତୀତ କରାଏ।
ନାମ ପରିବର୍ତ୍ତନର ପଛରେ ଆଦର୍ଶଗତ ରାଜନୀତି
ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାରୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ନିର୍ମଳ ଭାରତ ଅଭିଯାନରୁ ସ୍ୱଚ୍ଛ ଭାରତ ମିଶନ—ଏସବୁ ଉଦାହରଣ ଦେଖାଏ ଯେ ନାମ ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ, ଏକ ନୂତନ ଆଦର୍ଶ ନାରେଟିଭ୍ ଗଢ଼ିବାର ଉପକରଣ।
ରାସ୍ତା, ଆଇନ ଓ ପ୍ରତିଷ୍ଠାନ: ନୂତନ ପରିଚୟର ରାଜନୀତି

ରାଜପଥରୁ କର୍ତ୍ତବ୍ୟ ପଥ, IPC–CrPC ଠାରୁ ଭାରତୀୟ ନ୍ୟାୟିକ ସଂହିତା—ଏହି ପରିବର୍ତ୍ତନଗୁଡ଼ିକୁ ସରକାର ଉପନିବେଶବାଦୀ ଛାପ ହଟାଇବାର ପଦକ୍ଷେପ ବୋଲି ବ୍ୟାଖ୍ୟା କରୁଛନ୍ତି। ସମାଲୋଚକମାନେ କହୁଛନ୍ତି, ଏହା ସହିତ ଐତିହ୍ୟର ଏକ ନିର୍ଦ୍ଦିଷ୍ଟ ପଢ଼ାନୁହାଁକୁ ବିଲୋପ କରାଯାଉଛି।
ଯୋଜନାର ନାମ ପରିବର୍ତ୍ତନ ନିଜେ ନିଜେ ଭୁଲ ନୁହେଁ। ପ୍ରଶ୍ନ ହେଉଛି—ଏହା କ’ଣ ଯଥାର୍ଥ ନୀତିଗତ ସଂସ୍କାରର ପ୍ରତିବିମ୍ବ, ନା କେବଳ ରାଜନୈତିକ ସ୍ମୃତିକୁ ପୁନର୍ଲିଖନ କରିବାର ଉପାୟ? ଗଣତନ୍ତ୍ରରେ ନୂତନ ସରକାର ନିଶ୍ଚୟ ନୂତନ ଦୃଷ୍ଟିକୋଣ ଆଣିପାରେ, କିନ୍ତୁ ସେହି ସହିତ ପୂର୍ବତନ ଅବଦାନକୁ ସ୍ୱୀକାର କରିବା ମଧ୍ୟ ଗଣତନ୍ତ୍ରୀୟ ପକ୍ୱତାର ପରୀକ୍ଷା।
ଭାରତ ପାଇଁ ଆସଲ ପ୍ରଶ୍ନ ହେଉଛି- ନାମ ବଦଳୁଛି, କିନ୍ତୁ କଲ୍ୟାଣର ଆତ୍ମା ରହୁଛି କି?
୧. ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା (୨୦୦୫)- ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା
୨. ନିର୍ମଳ ଭାରତ ଅଭିଯାନ (୨୦୧୨)- ସ୍ୱଚ୍ଛ ଭାରତ ମିଶନ
୩. ଜାତୀୟ କନ୍ୟା ସନ୍ତାନ ଦିବସ କାର୍ଯ୍ୟକ୍ରମ (୨୦୦୮)- ବେଟି ବାଚାଅ, ବେଟି ପଢ଼ାଅ ଯୋଜନା
୪. ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା (୨୦୦୫)- ଦୀନ ଦିନଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା
୫. ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ -AMRUT
୬. ଜାତୀୟ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଉର୍ବରତା – ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା
୭. ସ୍ୱାବଲମ୍ବନ ଯୋଜନା(୨୦୧୦) – ଅଟଳ ପେନ୍ସନ୍ ଯୋଜନା
୮. ଜାତୀୟ ଉତ୍ପାଦନ ନୀତି (୨୦୧୧) -ମେକ୍ ଇନ୍ ଇଣ୍ଡିଆ
୯. ଜାତୀୟ ଇ-ଶାସନ ଯୋଜନା (୨୦୦୬)-ଡିଜିଟାଲ ଇଣ୍ଡିଆ
୧୦. ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ (୨୦୧୦)-ସ୍କିଲ ଇଣ୍ଡିଆ
୧୧. ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (୧୯୮୫)- ମିଶନ୍ ଇନ୍ଦ୍ରଧନୁଷ
୧୨. ଏଲପିଜି ପାଇଁ ସିଧାସଳଖ ଲାଭ ହସ୍ତାନ୍ତର (୨୦୧୩)-ପହଲ
୧୩. ଜାତୀୟ ଅପ୍ଟିକ୍ ଫାଇବର ନେଟୱାର୍କ (୨୦୧୧)- ଭାରତ ନେଟ୍
୧୪. ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (୨୦୦୭)- ପରାମ୍ପରାଗତ କୃଷି ବିକାଶ ଯୋଜନା
୧୫. ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (୨୦୦୭)- ପ୍ରଧାନମନ୍ତ୍ରୀ କୃଷ୍ଣ ସିଞ୍ଚାଇ ଯୋଜନା
୧୬. ଇନ୍ଦିରା ଆବାସ ଯୋଜନା (୧୯୮୫)- ପ୍ରଧାନମନ୍ତ୍ର ଗ୍ରାମୀଣ ଆୱାସ ଯୋଜନା
୧୭. ରାଜୀବ ଆବାସ ଯୋଜନା (୨୦୦୯)- ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ସହରୀ)
୧୮. ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନା (୨୦୧୦)-ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା
୧୯. ବିପିଏଲ ପରିବାରକୁ ମାଗଣା ଏଲପିଜି ସଂଯୋଗ (୨୦୧୦)- ପ୍ରଧାନମନ୍ତ୍ରୀ ଉଜୱାଲା ଯୋଜନା
୨୦. ସଂଶୋଧିତ ରାଷ୍ଟ୍ରୀୟ କୃଷି ବୀମା ଯୋଜନା (୨୦୧୦)- ପ୍ରଧାନମନ୍ତ୍ରୀ ଫାସଲ ବୀମା ଯୋଜନା
୨୧. ଜନ ଔଷଧି ଯୋଜନା (୨୦୦୮)- ପ୍ରଧାନମନ୍ତ୍ରୀ ଜନ ଔଷଧୀ ଯୋଜନା
୨୨. ଜାତୀୟ ଗ୍ରାମୀଣ ଜୀବିକା ମିଶନ (୨୦୦୫)- ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା
୨୩. ଜାତୀୟ ସହରୀ ଜୀବିକା ମିଶନ (୨୦୧୩) – ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା (ଏନୟୁଏଲଏମ)
୨୪. ଆମ୍ ଆଦମୀ ବୀମା ଯୋଜନା (୨୦୦୭)- ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା
୨୫. ହେରିଟେଜ୍ କ୍ଷେତ୍ରଗୁଡିକର ବିକାଶ (୨୦୦୫)-HRIDAY
୨୬. ଜାତୀୟ ସାମୁଦ୍ରିକ ବିକାଶ କାର୍ଯ୍ୟକ୍ରମ (୨୦୦୫)-ସାଗରମାଳା
୨୭. ICDS ସେବା (୧୯୭୫)-POSHAN ଅଭିଯାନ
୨୮. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ଜୀବିକା ମିଶନ (NREGA) (୨୦୦୫) ଭିବି ଜୀ ରାମ ଜୀ
also read https://purvapaksa.com/why-has-donald-trump-suddenly-embraced-the-india-model/


