Farmer Death: କଟକ ସୁମଣ୍ଡି ଗାଁରେ ଫସଲ ନଷ୍ଟ ହେଉଥିବା ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ଅଦିନିଆ ବର୍ଷା ଓ ଫସଲ ନଷ୍ଟ ଯୋଗୁଁ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି।
କଟକ ଜିଲ୍ଲା ବାରଙ୍ଗ ବ୍ଲକ ଉସୁମା ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡି ଗ୍ରାମରେ ଫସଲ ନଷ୍ଟ ହୋଇଥିବା ଦେଖି ସୋମବାର ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।
ଗତ ମାସରେ ହୋଇଥିବା ଅଦିନିଆ ଓ ଲଘୁଚାପ ଜନିତ ବର୍ଷା ପରେ ଓଡ଼ିଶାରେ ଚାଷୀ ମୃତ୍ୟୁ ସଂଖ୍ୟା ଭୟଙ୍କର ହେବାରେ ଲାଗିଛି।
ଇନ୍ଦ୍ରଜିତ ଚଟୋଇ ନାମକ ମୃତ କୃଷକଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ସନ୍ଧ୍ୟାରେ କ୍ଷେତ ଯାଞ୍ଚ ସାରି ଘରକୁ ଫେରିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ବର୍ଷାରେ ସେ ତାଙ୍କ ଫସଲର ଏକ ବଡ଼ ଅଂଶ ହରାଇଥିଲେ ଏବଂ ଋଣ ଭାର ରେ ବୁଡି ଆର୍ଥିକ ଚାପରେ ଥିଲେ ବୋଲି ଜଣାପଡ଼ିଛି।
ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା କୋଲାଡିହା ଗ୍ରାମର କୈଳାସ ଚନ୍ଦ୍ର ଧଳ ନାମକ ଜଣେ ଚାଷୀ ଫସଲ ନଷ୍ଟ ହେବାରୁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଧଳ ୮ ଏକର ଜମିରେ ଧାନ ଚାଷ କରିଥିଲେ, କିନ୍ତୁ ଡିସେମ୍ବର ୧୯ତାରିଖରୁ ଆରମ୍ଭ ହୋଇଥିବା ଅଦିନିଆ ଓ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଯାଇଥିଲା। ପାଖାପାଖି ଅଢ଼େଇରୁ ତିନି ଲକ୍ଷ ଟଙ୍କାର ଋଣ ନେଇ ଆର୍ଥିକ ଚାପରେ ପଡ଼ିଥିବା ଧଳ ଗୁରୁତର ମାନସିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଉପରୋକ୍ତ ଘଟଣା ପୂର୍ବରୁ ଜାନୁଆରି ୩ ତାରିଖରେ ନୟାଗଡ଼ ରଣପୁର ବ୍ଲକର ଦୁଇଜଣ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଦେଖି ଆଘାତରେ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଗତମାସର ବର୍ଷାକୁ ରାଜ୍ୟ ବିପର୍ଯ୍ୟୟଭାବେ ଘୋଷଣା କରିବା ସହ ଧାନ ବ୍ୟତୀତ ଅନ୍ୟ ଫସଲ ଚାଷ କରିଥିବା ଚାଷୀଙ୍କ ସମେତ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୯୧ କୋଟି ଟଙ୍କାର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିଛନ୍ତି।
ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନଠାରୁ ଆରମ୍ଭ କରି ଦାବି ସମାଧାନରେ ଅନିୟମିତତା ବିରୋଧରେ ବୀମା କମ୍ପାନିଗୁଡ଼ିକୁ ଚେତାବନୀ ଦେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଉଦ୍ବେଗଜନକ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି।
ଚୀନରୁ କାହିଁକି ଜନ୍ମ ନେଉଛନ୍ତି ନୂଆ ଭାଇରସ ? ଏହି୪ କାରଣ ପାଇଁ ଚୀନ୍ ହେଉଛି ବିଶ୍ୱର ଭାଇରସ ଭଣ୍ଡାର


