ଭାସ୍କର ପରିଚ୍ଛା
Women’s Reservation, Odisha vs. Other States : ୨୦୧୯ରେ ବିଜେଡିର ସାତଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣ ଜିତିଥିବାବେଳେ ୨୦୧୪ରେ ଦୁଇଜଣ ଯାକ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ।
ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର କିଛିଘଣ୍ଟା ପୂର୍ବରୁ ୧୦ ମାର୍ଚ୍ଚ, ୨୦୧୯ ରେ ବିଜେଡି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ରାଲିରେ ଘୋଷଣା କରିଥିଲେ ଯେ ତାଙ୍କ ଦଳ ମହିଳା ସଂସଦ ନିର୍ବାଚନ ପାଇଁ ୩୩% ଟିକେଟ୍ ଦେବ। ମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ଭାରତ ବିଶ୍ୱକୁ ଆଗେଇ ନେବାକୁ ଚାହୁଁଛି, ଯଦି ଭାରତ ଆମେରିକା ଏବଂ ଚୀନ୍ ଭଳି ଏକ ଉନ୍ନତ ରାଷ୍ଟ୍ର ହେବାକୁ ଯାଉଛି, ତେବେ ମହିଳା ସଶକ୍ତିକରଣ ହିଁ ଏକମାତ୍ର ଉତ୍ତର।
ଏହି ଘୋଷଣା ପରେ ବିଜୁ ଜନତା ଦଳ ସାତଜଣ ମହିଳାଙ୍କୁ ଲୋକସଭା ପାଇଁ ଟିକେଟ ଦେଇଥିଲା। ୨୦୧୪ରେ, ବିଜଦ ମାତ୍ର ଦୁଇଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ତା’ ପୂର୍ବ ନିର୍ବାଚନ ଅର୍ଥାତ ୨୦୦୯ରେ, ଯେତେବେଳେ ନବୀନଙ୍କ ଦଳ ଏନସିପି ଏବଂ ବାମପନ୍ଥୀ ଭଳି ଛୋଟ ଦଳ ସହ ମିଳିତ ଭାବରେ ନିର୍ବାଚନ ଲଢ଼ିଥିଲା ସେତେବେଳେ ବିଜେଡିରେ ଜଣେ ବି ମହିଳା ପ୍ରାର୍ଥୀ ନ ଥିଲେ। ୨୦୧୯ରେ ବିଜେଡିର ସାତଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣ ଜିତିଥିବାବେଳେ ୨୦୧୪ରେ ଦୁଇଜଣ ଯାକ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ।
ଉଲ୍ଳେଖ କରାଯାଇପାରେ ଯେ ୨୦୧୯ରେ ବିଜେଡି ଯେଉଁ ସାତଜଣଙ୍କୁ ପ୍ରାର୍ଥୀ କରିଥିଲା ସେମାନଙ୍କ ମଧ୍ୟରୁ ମଧ୍ୟରୁ ଆସ୍କା ଆସନର ୭୦ ବର୍ଷ ବୟସ୍କା ସ୍ୱୟଂ ସହାୟକ ଗୋଷ୍ଠୀ ନେତା ପ୍ରମିଳା ବିଶୋଇ ୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ।
ନିଜକୁ ଜଣେ ‘ପ୍ରଗତିଶୀଳ ନେତା’ ଭାବରେ ପ୍ରତିଷ୍ଠିତ କରିବା ବ୍ୟତୀତ ୨୦୧୯ରେ ବିଜେଡି ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚିତ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିଜୁ ଜନତା ଦଳ ପାଇଁ ଗ୍ରାମାଞ୍ଚଳର ମହିଳା ଭୋଟ୍ ଆଣିବାରେ ସହାୟକ ହୋଇଛି ବୋଲି ବିଶ୍ୱାସ କରାଯାଏ।
ଗ୍ରାମାଞ୍ଚଳ ମହିଳାମାନେ ପାରମ୍ପରିକଭାବେ ବିଜେଡିର ସମର୍ଥକ ହୋଇଆସିଛନ୍ତି। ମହିଳା-କେନ୍ଦ୍ରିକ ଯୋଜନା ଓ ପଦକ୍ଷେପଗୁଡ଼ିକ ଦଳର ପାରମ୍ପାରିକ ନୀତି ହୋଇ ଆସିଛି। ନବେ ଦଶକର ପ୍ରାରମ୍ଭରେ ଯେତେବେଳେ ନବୀନଙ୍କ ଦଳ ଜନତା ଦଳର ଏକ ଅଂଶ ଥିଲା ସେହି ସମୟରୁ ହିଁ ନବୀନ ପଟ୍ଟନାୟକଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ।
ପିତାଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ। ୨୦୧୧ରେ ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ୫୦%କୁ ବୃଦ୍ଧି କରିଥିଲେ। ପରବର୍ତ୍ତୀ ବର୍ଷ, ତାଙ୍କ ସରକାର ମହିଳାମାନଙ୍କ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମହିଳା ସଂରକ୍ଷଣ ୫୦%କୁ ବୃଦ୍ଧି କରିଥିଲେ। ୨୦୧୮ ମସିହାରେ, ବିଜେଡି ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ରଖିବା ପୂର୍ବରୁ ବି ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ବିଲ ପାସ୍ କରିବା ପାଇଁ ଦୃଢ଼ ଯୁକ୍ତି ବାଢ଼ିଥିଲେ। ଏହି ଉଦ୍ଦେଶ୍ୟରେ ନଭେମ୍ବର ୨୦୧୮ ରେ, ତାଙ୍କ ସରକାର ଆଉ ଗୋଟିଏ ପାଦ ଆଗକୁ ଯାଇ ବିଧାନସଭାରେ ଏକ ସଂକଳ୍ପ ଗୃହୀତ କରାଇଥିଲେ।
ସେହି ଅବସରରେ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆମ ରାଜ୍ୟ ତଥା ଆମ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥାରେ ଆମର ଅର୍ଦ୍ଧେକ ଜନସଂଖ୍ୟା, ଆମର ମା ଏବଂ ଝିଅଙ୍କ ଭୂମିକା ରହିଲେ ନୂତନ ଓଡ଼ିଶା ଆହୁରି ଅଧିକ ବଢ଼ିବ। ଓଡ଼ିଶା ନିଶ୍ଚିତ ଭାବରେ ସମଗ୍ର ଦେଶ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସଂକଳ୍ପକୁ ଦର୍ଶାଇ କହିବ ଯେ ଏହା ହେଉଛି ସେହି ଦେଶ ଯେଉଁଠାରେ ମହିଳାମାନେ ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ଜଡ଼ିତ ଅଛନ୍ତି।
ମହିଳା ସଶକ୍ତିକରଣ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ଢେର ଆଗରେ ରହି ଆସିଛି। ଭବିଷ୍ୟତରେ ଓଡ଼ିଶାର ରାଜନୈତିକ ଇତିହାସ ଯେଉଁମାନେ ଲେଖିବେ ଏହି ବିଷୟଟିକୁ କେବେ ବି ଅଣଦେଖା କରିପାରିବେ ନାହିଁ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)