ରାଜନୀତିରେ କେହି କାହାର ନୁହଁନ୍ତି। ଏ କଥା ପ୍ରମାଣ କରିଛି ବିଜୁ ଜନତିା ଦଳ। ଅତୀତରେ ମହିଳାଙ୍କ ସମ୍ମାନ ଓ ଅଧିକାର ରକ୍ଷା ଲାଗି ବିଜେଡି ଅନେକ ସଂଗ୍ରାମ କରିଛି। ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଦେଶର ସମସ୍ତ ରାଜ୍ୟକୁ ଯାଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ସରକାରରେ ଥିବାବେଳେ ମହିଳା ବଳକୁ ଦଳର ଭୋଟ ଆହରଣ ପାଇଁ ବ୍ୟବହାର ବି କରିଛି। ହେଲେ ଆଜି ଯେତେବେଳେ ଦଳରେ ନେତୃତ୍ୱ ନେବାର ସୁଯୋଗ ଆସୁଛି ସେଠି ମହିଳାଙ୍କୁ କୋଣଠେସା କରାଯାଇଛି।
୨୪ ବର୍ଷ ଧରି କ୍ଷମତା ଭୋଗ କରିଥିବା ବିଜେଡି ମହିଳାଙ୍କୁ ବ୍ୟବହାର କରି ଅନେକ ଫାଇଦା ପାଇଛି। ଖାଲି ସାଧାରଣ ମହିଳା ନୁହଁନ୍ତି, ସରକାରୀ ମହିଳା ଅଧିକାରୀମାନଙ୍କୁ ମଧ୍ୟ ଦଳର ଭୋଟ ସଂଗ୍ରହ ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଧାରରେ ଜଣେ ଅତ୍ୟନ୍ତ କ୍ଷମତାଶାଳୀ ମହିଳା ଅଧିକାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତେଣୁ ଶେଷରେ ସେ ଇସ୍ତଫା ଚାକିରିରୁ ଦେଇଛନ୍ତି।
ଏସ୍ଏଚ୍ଜି ମହିଳାଙ୍କୁ ଗାଁରେ ପୋଖରୀ ପରିଚାଳନା କଥା ହେଉ ବା ପଞ୍ଚାୟତରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କଥା ହେଉ, ସବୁବେଳେ ଦଳ ମହିଳାଙ୍କୁ ନେଇ ଭୋଟ କିପରି ମିଳିବ ସେ ଜିଦରେ ରହିଛି। କିନ୍ତୁ ଆଜି କ୍ଷମତାରେ ନ ଥିବା ସେହି ଦଳ ନିଜର ସଂଗଠନର ନେତୃତ୍ୱ ମହିଳାଙ୍କ ହାତରେ ଦେବାକୁ ଇଚ୍ଛାପ୍ରକାଶ କରିନାହିଁ। ମଙ୍ଗଳବାର ପ୍ରକାଶିତ ଦଳୀୟ ସଂଗଠନର ଜିଲ୍ଲା ସଭାପତି ନିଯୁକ୍ତିରେ କୌଣସି ମହିଳାଙ୍କୁ ଦାୟିତ୍ୱ ନ ଦିଆଯିବା ଏହାକୁ ପ୍ରମାଣିତ କରିଛି।
ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ୧୮ଟି ଜିଲ୍ଲାର ସଭାପତି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଅନୁଗୁଳ, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜନ-୧, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ପରି ୧୮ଟି ଜିଲ୍ଲାରେ ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ହେଲେ ସମସ୍ତ ୧୮ଟି ଜିଲ୍ଲାର ନେତାମାନେ ପୁରୁଷ । କେହି ହେଲେ ମହିଳା ନେତା ନାହାନ୍ତି। ଏହା କି ସୂଚନା ଦେଉଛି? ବିଜେଡିରେ ମହିଳା ସଂଗଠକ ନାହାନ୍ତି? ନା କ୍ଷମତାରେ ନ ଥିଲେ ମହିଳାଙ୍କ ଉପରେ ଭରସା କରାଯାଇପାରେ ନାହିଁ?
ଏହି ସଭାପତିମାନେ ପ୍ରତି ଜିଲ୍ଲାରେ ବିଜେଡିର ଆଖି ନାକ କାନ ଭାବେ କାର୍ଯ୍ୟ କରିବେ। ତୃଣମୂଳସ୍ତରରେ ଦଳର ସୁଦୃଢ଼ୀକରଣ ଏହି ସଭାପତିଙ୍କ ଉପରେ ନିର୍ଭର କରିବ। ପୂର୍ବରୁ ସଂଗଠନରେ ସବୁ ବର୍ଗଙ୍କୁ ସାମିଲ୍ କରିବା ଲାଗି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାବି କରିଥିଲେ। ଏପରିକି ଦଳକୁ କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କ ହାତରେ ହାଇଜାକ୍ ହେବାକୁ ଦିଆନଯିବାକୁ ସେ ଅନୁରୋଧ କରିଥିଲେ। ଏହାପରେ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ର ଏହାକୁ ସମାଲୋଚନା କରିଥିଲେ। କିନ୍ତୁ ବାସ୍ତବ କଥା ହେଲା ଗତକାଲି ପ୍ରକାଶିତ ତାଲିକାରେ ସମାଜର ସବୁ ବର୍ଗଙ୍କୁ ସାମିଲ କରାଯାଇନାହିଁ।
ବିଜେଡି ଏହାର ସାଂଗଠନିକ ସ୍ତରରେ ସହଜ ପ୍ରଶାସନ ହେତୁ ଓଡ଼ିଶାର ୩୦ ଜିଲ୍ଲାକୁ ୩୩ଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରିଛି। ଏଥିରୁ ୧୮ଟି ଘୋଷଣା କରାଯାଇଥିବାବେଳେ ଆହୁରି ୧୫ ଜିଲ୍ଲାର ସଭାପତିଙ୍କ ତାଲିକା ଘୋଷଣା ହେବାକୁ ବାକି ରହିଛି। ଅଭିଯୋଗ ହେଉଛି ଦଳର ସଂଗଠନ ଏହି ୧୫ଟି ଜିଲ୍ଲାକୁ ବିବାଦୀୟ ବୋଲି ଗ୍ରହଣ କରୁଛି। ଅର୍ଥାତ୍ ଦଳରେ ଏବେ ଯେଉଁ:ଭଳି ଭାବେ ଗୋଷ୍ଠୀକନ୍ଦଳ ଲାଗି ରହିଛି ସେଥିପାଇଁ ୧୫ଟି ଜିଲ୍ଲାରେ ସଭାପତି ଚୟନ ହୋଇପାରୁନାହିଁ। ଘୋଷଣା ହୋଇଥିବା ତାଲିକାକୁ ଦେଖିଲେ ଜଣାଯାଏ ଯେ, ଏହି ୧୮ ଜଣଙ୍କ ଭିତରୁ ୭ରୁ ଅଧିକ ଓବିସି ଥିବାବେଳେ ୫ ଜଣ ଆଦିବାସୀ ରହିଛନ୍ତି। ସାଧାରଣ ବର୍ଗର ସଭାପତିଙ୍କ ସଂଖ୍ୟା ୪ ରହିଛି। ଅର୍ଥାତ୍ ଏ ତାଲିକାରେ ଓବିସି ବର୍ଗଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓବିସି ବର୍ଗ ହେଉଛନ୍ତି ରାଜ୍ୟ ଜନସଂଖ୍ୟାର ପ୍ରାୟ ୪୫ ପ୍ରତିଶତ। ଏହା ସରକାରୀ ହିସାବ। ଆତ୍ମଘୋଷିତ ତାଲିକାରେ ଏତିକି ପରିମାଣରେ ଓବିସି ରାଜ୍ୟରେ ଥିବା କୁହାଯାଇଛି। କିନ୍ତୁ ବିଭିନ୍ନ ସଂଗଠନ ରାଜ୍ୟରେ ୫୪ ପ୍ରତିଶତରୁ ଅଧିକ ସଂଖ୍ୟକ ଓବିସି ଥିବା ଦାବି କରିଛନ୍ତି। ଅର୍ଥାତ୍ ଯଦି ଜାତିଭିତ୍ତିରେ ସଂଗଠନରେ ପ୍ରତିନିଧିତ୍ୱ କଥା ବିଚାର କରାଯାଏ ତେବେ ଅଧାରୁ ଅଧିକ ସଭାପତି ଓବିସି ବର୍ଗ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ହେଲେ ତାହା ଏଠାରେ କରାଯାଇପାରିନାହିଁ। ପୁଣି ସମୁଦାୟ ଓବିସିଙ୍କ ଭିତରେ ୨୨ ପ୍ରତିଶତ ହେଉଛନ୍ତି ଗୋପାଳ ଜାତି। ଅର୍ଥାତ୍ ଓବିସି କଥା କହିଲେ ଗୋପାଳଙ୍କ ସଂଖ୍ୟା ସାମ୍ନାକୁ ଅଧିକ ଆସିବା ସ୍ୱାଭାବିକ କିନ୍ତୁ ଗୋପାଳ ସମ୍ପ୍ରଦାୟଙ୍କୁ ବିଜେଡି ନିଜର ସାଂଗଠନିକ କାର୍ଯ୍ୟରେ ସେତିକି ପ୍ରୋତ୍ସାହନ ନ ଦେଉଥିବା ବି ଏଥିରୁ ସ୍ପଷ୍ଟ ହେଉଛି।
ଯେଉଁ ସଂଖ୍ୟାଲଘୁଙ୍କୁ ନେଇ ବିଜେଡି ରାଜନୀତିରେ ଏବେ ନିଆଁ ଲାଗିଛି ସେମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇନାହିଁ। ରାଜ୍ୟରେ ୨.୭୭ ପ୍ରତିଶତ ଖ୍ରୀଷ୍ଟିଆନ ଥିବାବେଳେ ୨.୧୭ ପ୍ରତିଶତ ମୁସଲମାନ ରହିଛନ୍ତି।
ବିଗତ ଦିନରେ ଓବିସି ଓ ପଛୁଆ ବର୍ଗକୁ ନେଇ ବିଜେଡି ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିଥିଲା। ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ବିଷୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବିଷୟକୁ ଯଦିଓ ବିଜେଡି ବେଶ୍ ସନ୍ତର୍ପଣତାର ସହ ଗ୍ରହଣ କରିଛି କିନ୍ତୁ ଏ ବର୍ଗର ମହିଳାଙ୍କ ଉପରେ ଆସ୍ଥା ରଖିପାରିନାହିଁ ବିଜେଡି। ଏବେ ଏହି ସମୀକରଣ ଦଳକୁ ଦୁର୍ବଳ କରିବାରେ ଆଉ ଏକ ଅଧ୍ୟାୟ ଆରମ୍ଭ କରିପାରେ।
କାରଣ ଦଳ ବିରୁଦ୍ଧରେ ମହିଳା ବ୍ୟଭିଚାର ନେଇ ପୂର୍ବରୁ ଅନେକ ମାମଲା ରହିଛି। ସରକାରରେ ଥିବା ସମୟରେ ମହିଳାଙ୍କ ପ୍ରତି ହୋଇଥିବା ଅବିଚାରକୁ ଭିତ୍ତିକରି ବିରୋଧୀ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଆଉ ସେଥିରେ ମଧ୍ୟ ସମର୍ଥନ ପାଇଥିଲେ। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ମହିଳାଙ୍କୁ ବିଜେଡି ସାମ୍ନାକୁ ଆଣିବ ବୋଲି ସାଧାରଣ ଜନତାଙ୍କ ଆକଳନ ରହିଥିଲା। ହେଲେ ଏଥିରେ ବିଚ୍ୟୁତି ଘଟିଛି। ଏହି ବିଚ୍ୟୁତି ଆଗକୁ କି ରୂପ ନେବ? ମହିଳାଙ୍କ ପ୍ରତିନିଧିତ୍ୱ କମାଇବ ନା ବିଜେଡି ଉପରୁ ମହିଳାଙ୍କ ଆସ୍ଥା କମିବ?
ଜରୁରୀକାଳୀନ ପରିସ୍ଥିତି ଘୋଷଣା, ରାଣୀ ବନ୍ଦୀ, ମୋଗଲ ସୁନା ଖୋଜିବା ଆରମ୍ଭ କଲେ ଇନ୍ଦିରା ଗାନ୍ଧୀ
