ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପଠାଯାଇଥିବା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ୬୩ ବର୍ଷୀୟା ପତ୍ନୀ ରକ୍ଷନ୍ଦା ରଶିଦଙ୍କୁ ଭାରତ ଫେରିବାକୁ ଅନୁମତି ଦେଇଛନ୍ତି। ୩୦ ଜୁଲାଇରେ ହାଇକୋର୍ଟର ନିଷ୍ପତ୍ତି ପରେ, ତାଙ୍କୁ ଭାରତ ଫେରିବା ପାଇଁ ଆଶ୍ୱସ୍ତି ମିଳିଛି। ଭାରତ ସରକାର ତାଙ୍କୁ ଏକ ପରିଦର୍ଶକ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ସେ ଭାରତ ଆସି ତାଙ୍କ ପରିବାରକୁ ଭେଟିପାରିବେ।
ଜମ୍ମୁର ତାଲାବ ଖାଟିକାନ ଅଞ୍ଚଳର ବାସିନ୍ଦା ରକ୍ଷନ୍ଦା, ଯିଏ କି ପାକିସ୍ତାନର ନାଗରିକ ଥିଲେ, ଗତ ୩୦ ବର୍ଷ ଧରି ଭାରତରେ ରହୁଥିଲେ କିନ୍ତୁ ୨୦୨୫ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଥିଲା। ୬୦ ଜଣଙ୍କୁ ପାକିସ୍ତାନ ପଠାଯାଇଥିଲା। ଏହି ସମୟରେ ରକ୍ଷନ୍ଦା ରଶିଦଙ୍କ ଦୀର୍ଘକାଳୀନ ଭିସା ମଧ୍ୟ ବାତିଲ କରାଯାଇଥିଲା। ତାଙ୍କ ସ୍ୱାମୀ ଶେଖ ଜହୁର ଅହମ୍ମଦ ଜଣେ ଭାରତୀୟ ନାଗରିକ ଏବଂ ସେ ଜମ୍ମୁ ଓ କାଶ୍ମୀରରେ ରହୁଛନ୍ତି।
ଭାରତ ଛାଡି ପାକିସ୍ତାନ ଫେରିବାକୁ ହୋଇଥିଲା ନୋଟିସ୍
ରକ୍ଷନ୍ଦା ୧୦ ଫେବୃଆରୀ ୧୯୯୦ରେ ୧୪ ଦିନିଆ ପରିଦର୍ଶକ ଭିସାରେ ଭାରତ ଆସିଥିଲେ। ଏହା ପରେ ତାଙ୍କୁ ଏକ ଦୀର୍ଘକାଳୀନ ଭିସା ଦିଆଯାଇଥିଲା ଯାହା ପ୍ରତିବର୍ଷ ନବୀକରଣ କରାଯାଉଥିଲା। ସେ ଜମ୍ମୁରେ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଥିଲେ। ଏବଂ ତାଙ୍କ ପରିବାର ସହିତ ବହୁ ବର୍ଷ ଧରି ରହୁଥିଲେ। ରକ୍ଷନ୍ଦାଙ୍କୁ ଭାରତ ଛାଡିବାକୁ ନୋଟିସ୍ ମିଳିଥିଲା। ଯାହା ଅଧୀନରେ ତାଙ୍କୁ ୨୯ ଏପ୍ରିଲ ୨୦୨୫ରେ ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ଫେରାଇ ଦିଆଯାଇଥିଲା।
କୋର୍ଟରେ ପରିବାର ପକ୍ଷରୁ ଆବେଦନ
ରକ୍ଷନ୍ଦା ପାକିସ୍ତାନ ଯିବା ପରେ ତାଙ୍କ ପରିବାର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଯେଉଁଥିରେ ସେମାନେ କହିଥିଲେ ଯେ ରକ୍ଷନ୍ଦାଙ୍କର ପାକିସ୍ତାନ ଭିତରେ କେହି ନାହାନ୍ତି। ସେ ଅସୁସ୍ଥ ଅଛନ୍ତି। ସେ ଲାହୋରର ଏକ ହୋଟେଲରେ ଏକା ରହୁଛନ୍ତି। ଏହା ଉପରେ କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ସରକାରଙ୍କୁ ୧୦ ଦିନ ମଧ୍ୟରେ ରକ୍ଷନ୍ଦାଙ୍କୁ ଭାରତ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
ଭାରତର ସଲିସିଟର ଜେନେରାଲ୍ ତୁଷାର ମେହତା କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସରକାର ରକ୍ଷନ୍ଦାଙ୍କୁ ପୁଣି ଥରେ ପରିଦର୍ଶକ ଭିସା ପ୍ରଦାନ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ, ତାଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ଏବଂ ସେ ତାଙ୍କର ନାଗରିକତା ହାସଲ ପ୍ରକ୍ରିୟା ଆଗକୁ ବଢ଼ାଇ ପାରିବେ। ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବିଚାରପତି ରାଜନେଶ ଓସୱାଲଙ୍କ ମିଳିତ ଖଣ୍ଡପୀଠ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ ସ୍ୱୀକାର କରି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ବିଶେଷ ପରିସ୍ଥିତି ଆଧାରରେ ଦିଆଯାଇଛି ଏବଂ ଏହାକୁ ଅନ୍ୟ ମାମଲାରେ ଏକ ଉଦାହରଣ ଭାବରେ ଗ୍ରହଣ କରାଯିବ ନାହିଁ।
Also Read https://purvapaksa.com/supreme-court-slams-ed/
Supreme Court slams ED Misuse ।। ଇଡ଼ି ଉପରେ କାହିଁକି ବର୍ଷିଲେ ସୁପ୍ରିମ କୋର୍ଟ?
