live-in: ପୁରୁଷଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମଲାକୁ ରଦ୍ଦ କରି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ କେବଳ ବିବାହ ପ୍ରତିଶ୍ରୁତିରେ ଦୀର୍ଘବର୍ଷ ଧରି ଲିଭ୍-ଇନ୍ ରହିବା ଦୁଷ୍କର୍ମ ନୁହେଁ।
ଦୁଇ ବୟସ୍କଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ପୁରୁଷ ଜଣକ ବ୍ୟାଙ୍କ ଅଧିକାରୀ ଓ ମହିଳା ଅଧ୍ୟାପକ। ଦୁହେଁ ଶିକ୍ଷିତ ଓ ପ୍ରତିଷ୍ଠିତ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବର୍ଷେ କିମ୍ବା ଦୁଇ ବର୍ଷର ନ ଥିଲା। ସେମାନେ ଏକାଠି ଗୋଟିଏ ଛାତ ତଳେ ୧୫-୧୬ ବର୍ଷ ଧରି ରହୁଥିଲେ। ଏକାଠି ରହିବା ଭିତରେ ସେମାନଙ୍କ ମଧ୍ୟରେ ଅନେକ ଥର ଶାରିରିକ ସମ୍ପର୍କ ସ୍ଥାପିତ ହୋଇଥିଲା। ୧୬ ବର୍ଷ ପରେ ହଠାତ୍ ଦିନେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମର ମାମଲା ରୁଜୁ କରିଥିଲେ। ପୁରୁଷ ସାଥିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଥିଲା। ତେବେ ସୁପ୍ରିମକୋର୍ଟ ମହିଳାଙ୍କ ଅଭିଯୋଗକୁ ଅବିଶ୍ୱାସ କରିଛନ୍ତି। ପୁରୁଷ ବନ୍ଧୁଙ୍କ ବିରୋଧରେ ସେ କରିଥିବା ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୬ ବର୍ଷ ଧରି ଜଣେ ବିବାହ ପ୍ରଲୋଭନରେ ଦୁଷ୍କର୍ମର ଶିକାର ହେବା ବିଶ୍ୱାସଯୋଗ୍ୟ ନୁହେଁ।
ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯଦି କୌଣସି ମହିଳା ଜଣକ ଦୀର୍ଘ ଦିନ ଧରି ଲିଭ୍ ଇନ୍ ରିଲେସନସିପରେ ରହିଥିଲେ, ତେବେ ସେ କେବଳ ବିବାହର ପ୍ରଲୋଭନ ଦେଖାଇ ନିଜ ପାର୍ଟନରଙ୍କ ଉପରେ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ କରିପାରିବେ ନାହିଁ। କାରଣ ଏତେ ଦିନ ଧରି ଜଣେ କେବଳ ବିବାହ ପ୍ରତିଶ୍ରୁତିରେ ବିଶ୍ୱାସ କରି ଦୁଷ୍କର୍ମର ଶିକାର ହେଉଥିବା ବିଶ୍ୱାସଯୋଗ୍ୟ ନୁହେଁ।
ଜଣେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ତାଙ୍କ ଲିଭ୍ ଇନ୍ ପାର୍ଟନର ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଣିଥିବା ମହିଳା ଜଣେ ଅଧ୍ୟାପିକା। ସେ ଅଭିଯୋଗ କରିଥିଲେ ଯେ, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ପୁରୁଷବନ୍ଧୁ ୧୬ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ମହିଳାଙ୍କ ଆବେଦନକୁ ଅଗ୍ରାହ୍ୟ କରି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଥିବା ମାମଲାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଉଭୟ ଶିକ୍ଷିତ ଏବଂ ଏହି ସମ୍ପର୍କ ସେମାନଙ୍କ ନିଜ ଇଚ୍ଛାରେ ଥିଲା। ଏପରିକି ବିଭିନ୍ନ ସହରରେ ପୋଷ୍ଟିଂ ସମୟରେ ମଧ୍ୟ ଦୁହେଁ ପରସ୍ପରର ଘରକୁ ଆସୁଥିଲେ। କୋର୍ଟ କହିଛନ୍ତି ଯେ ଏହା ଏକ ପ୍ରେମ ସମ୍ପର୍କ କିମ୍ବା ଲିଭ୍ ଇନ୍ ରିଲେସନ୍ ସିପ୍ର ଏକ ମାମଲା, ଯେଉଁଥିରେ କିଛି ଭୁଲ ବୁଝାମଣା ପାଇଁ ସମ୍ପର୍କ ତିକ୍ତ ହୋଇଛି।
ଅଦାଲତ କହିଛନ୍ତି ଯେ, ଏହା ବିଶ୍ୱାସ କରିବା କଷ୍ଟକର ଯେ ଅଭିଯୋଗକାରୀ ପ୍ରତିବାଦ ନ କରି ପ୍ରାୟ ୧୬ ବର୍ଷ ଧରି ଆବେଦନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଚାଲିଥିଲେ। ଦୀର୍ଘ ୧୬ ବର୍ଷର ଅବଧି, ଯେଉଁ ସମୟରେ ଉଭୟ ପକ୍ଷ ମଧ୍ୟରେ ଯୌନ ସମ୍ପର୍କ ନିରବଚ୍ଛିନ୍ନ ଭାବରେ ଜାରି ରହିଥିଲା, ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଯଥେଷ୍ଟ ଯେ ସମ୍ପର୍କରେ କେବେ ବି ବଳ ବା ପ୍ରତାରଣାର ଉପାଦାନ ନ ଥିଲା। ଏଥିରୁ ସ୍ପଷ୍ଟ ଯେ ୧୬ ବର୍ଷ ଧରି ଚାଲିଥିବା ଏହି ମାମଲା ବିନା କୌଣସି ବିରୋଧରେ ହୋଇଛି, ଯାହା ଦର୍ଶାଉଛି ଯେ କୌଣସି ଜବରଦସ୍ତି ନ ଥିଲା।
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି କ୍ଷେତ୍ରରେ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏତେଦିନ ଧରି ସମ୍ପର୍କ ବଜାୟ ରଖିବା ମହିଳାଙ୍କ ଯୁକ୍ତିକୁ ଦୁର୍ବଳ କରୁଛି।
Also readhttps://purvapaksa.com/what-is-sleep-divorce-the-rise-of-sleep-divorce-in-india/