ଓଡ଼ିଶାର ପୁରୀ ଜିଲ୍ଲାରେ ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା, ପିପିଲିରେ ନିଆଁ ଲାଗି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଗୋଟିଏ ମାସ ମଧ୍ୟରେ ରାଜ୍ୟରେ ୬ଟି ପୋଡ଼ା ଘଟଣା ଘଟିଛି । ଏହି ଘଟଣାଗୁଡ଼ିକ ମଧ୍ୟରୁ ଦୁଇ ଜଣ ନାବାଳକଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଋଣ ଭାରରେ ବୁଡ଼ି ପିପିଲି ସହରରେ ଥିବା ତାଙ୍କ ଭଡା ଘରେ ୩୭ ବର୍ଷୀୟା ମହିଳା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ସ୍ୱାମୀ ଏବଂ ଝିଅ ଘରେ ନଥିବା ସମୟରେ ସେ ଏଭଳି ପଦକ୍ଷପ ନେଇଥିଲେ। ସେ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ମହିଳାଙ୍କ ଶରୀରର ୯୦% ପୋଡ଼ିଛି, ସେ ଏବେ ଭେଣ୍ଟିଲେଟରେ ରହିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ୍ ନୋଟ୍ କୁ ଯାଞ୍ଚ ପାଇଁ ପଠାଯାଇଛି। ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି। ଏପଟେ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ପିପିଲି ଏସଡିପିଓ, ପୀଡ଼ିତା ଚିକିତ୍ସିତ ହେଉଥିବା ଭୁବନେଶ୍ବର ଏମ୍ସକୁ ଯାଇଥିଲେ କିନ୍ତୁ ରେକର୍ଡ ହୋଇ ପାରିନଥିବା ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ପ୍ରଥମେ ତାଙ୍କୁ ପିପିଲି ଡାକ୍ତରଖାନାକୁ ନେଇଥିଲେ ଏପରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ପୁରୀ ଅତିରିକ୍ତ ଏସ୍ପି ସଚିନ ପଟେଲ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳରୁ ଏକ କିରୋସିନି ବୋତଲ, ଏକ ହାତଲେଖା ଆତ୍ମହତ୍ୟା ନୋଟ୍ ଏବଂ ଏକ ଦିଆସିଲି ଜବତ କରିଛି। “ପ୍ରାଥମିକ ତଦନ୍ତ ସମୟରେ ଆମେ ଜାଣିପାରିଲୁ ଯେ ସେ ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସୁଇସାଇଡ୍ ନୋଟରେ ସେ କାହାକୁ ଦୋଷ ଦେଇନାହାଁନ୍ତି” । ରାଜ୍ୟ ମହିଳା କମିଶନର ଉର୍ମିଳା ମହାପାତ୍ର ତାଙ୍କର ବୟାନ ରେକର୍ଡ କରିବା ପାଇଁ ଭୁବନେଶ୍ୱର ଏମ୍ସ ଯାଇଥିଲେ କିନ୍ତୁ ରୋଗୀ କଥା କହିପାରି ନଥିବାରୁ ସେ ଏପରି କରିପାରି ନଥିଲେ।
ମହାପାତ୍ରଙ୍କ ଅନୁଯାୟୀ, ପରିବାର ସଦସ୍ୟମାନେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଓ ଝିଅ ବାହାରକୁ ଯାଇ ଥିବା ସମୟରେ ମହିଳାଙ୍କ ଦେହରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏଥିରେ କୌଣସି ପାରିବାରିକ ବିବାଦ ଜଡିତ ନାହିଁ । ଏହି ଘଟଣା ଜୁଲାଇ ୧୨ ତାରିଖରୁ ବିଭିନ୍ନ ଜିଲ୍ଲାରେ ମହିଳା ଏବଂ ଝିଅମାନଙ୍କୁ ନେଇ ଆସୁଥିବା ଆତ୍ମଦାହ ମାମଲାରେ ଆଉ ଏକ ଫର୍ଦ ଯୋଡି ଦେଇଛି।
ଜୁଲାଇ ୧୨ ତାରିଖରେ, ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ତାଙ୍କ କଲେଜ ଭିତରେ ଆତ୍ମଦାହ କରିଥିଲେ ଏବଂ ଦୁଇ ଦିନ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଜୁଲାଇ ୧୯ ତାରିଖରେ ଅନ୍ୟ ଏକ ମାମଲାରେ, ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାର ଜଣେ ୧୫ ବର୍ଷୀୟା ଝିଅକୁ ନିଆଁ ଲଗାଇ ଦିଆଯାଇଥିଲା ଏବଂ ଅଗଷ୍ଟ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭରେ, ତାଙ୍କ ପରିବାର ତିନି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଭିଯୋଗ କରିଥିଲେ, କିନ୍ତୁ ପୋଲିସ ଏହି ଦାବିକୁ ସମର୍ଥନ କରୁଥିବା କୌଣସି ପ୍ରମାଣ ପାଇଲା ନାହିଁ।
ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ରୀ ଅଗଷ୍ଟ ୬ ତାରିଖରେ ପୂର୍ବତନ ପ୍ରେମିକଙ୍କ ବ୍ଲାକମେଲ୍ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ତୁରନ୍ତ ତାଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାର ଜଣେ ୧୩ ବର୍ଷୀୟା ସ୍କୁଲ ଛାତ୍ରୀ ଅଗଷ୍ଟ ୧୨ ତାରିଖରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ସେହି ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ଜିଲ୍ଲାର ଆଉ ଜଣେ ମହିଳା ଅଗଷ୍ଟ ୧୩ ତାରିଖରେ ପାରିବାରିକ କଳହ ଯୋଗୁଁ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାଗୁଡ଼ିକ ବିଭିନ୍ନ କାରଣ ପାଇଁ ଓଡ଼ିଶାରେ ମହିଳା ଏବଂ ଝିଅମାନଙ୍କ ମଧ୍ୟରେ ଆତ୍ମଦାହ କରିବାର ଏକ ଚିନ୍ତାଜନକ ଧାରା ପ୍ରକାଶ କରେ। ପ୍ରଭାବିତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ସହିତ କର୍ତ୍ତୃପକ୍ଷ ଏହି ମାମଲାଗୁଡ଼ିକର ତଦନ୍ତ ଜାରି ରଖିଛନ୍ତି।
Also Read https://purvapaksa.com/odisha-govt-to-establish-21-new-nac/
Odisha govt to establish 21 New NAC ।। ରାଜ୍ୟରେ ଗଠନ ହେବ ଆଉ ୨୧ ଟି ନୂତନ ଏନଏସି
