ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଏକ ଦୀର୍ଘକାଳୀନ ଅଧିବେଶନ ହେବାକୁ ଯାଉଛି। ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧ଟି କାର୍ଯ୍ୟ ଦିବସରେ ଏହି ଅଧିବେଶନ ବସିବ। ଏଥିଲାଗି ସଂସଦର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକଲି ସର୍ବଦଳୀୟ ବୈଠକ ବି ବିସିବ। ଏ ଅଧିବେଶନରେ କ’ଣ ସମ୍ଭାବନା ରହିଛି। କ’ଣ ନୂଆ ବିଧେୟକ ଆସିବ ଏବଂ ଓଡ଼ିଶାର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହୁତି ମାମଲା ଉଠିବ କି ନା?
ସମୁଦାୟ ୩୧ ଦିନର ପ୍ରସ୍ତୁତି ହୋଇଛି ଉଭୟ ଗୃହର ମୌସୁମୀ ଅଧିବେଶନ ପାଇଁ। ୨୧ଟି ବୈଠକ ଦିବସରେ ଏଥର ବିରୋଧୀ ଓ ସରକାରଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି ଆଲୋଚନା, ସମୀକ୍ଷା ଓ ସମାଲୋଚନା କରିବାକୁ। କିନ୍ତୁ ଗୁରୁତ୍ୱ କ’ଣ ନେବ?
ରାଜନୀତିକ ପୃଷ୍ଠଭୂମିକୁ ଦେଖିଲେ ଦେଶରେ ବିହାର ନିର୍ବାଚନ ଆସନ୍ନ ହୋଇଛି। ଏଥରେ ପୁଣି ସୃଷ୍ଟି ହୋଇଛି ଭୋଟର ତାଲିକା ସଂଶୋଧନ କଥା। ଯାହାକୁ ନେଇ ସୁପ୍ରିମକୋର୍ଟ ଯାଏ କଥା ଯାଇଛି। ସୁପ୍ରିମକୋର୍ଟ ଏହାକୁ ନିର୍ବାଚନ କମିଶନଙ୍କ ଅଧିକାର କଥା କହିଥିଲେ ମଧ୍ୟ ବର୍ତ୍ତମାନର ସମୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏଣୁ ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରିପାରନ୍ତି। ସେହିପରି ମଣିପୁରରେ ହିଂସା, ରାଷ୍ଟ୍ରପତି ଶାସନ ଏବଂ ଏହାର ସମୟକାଳ ବୃଦ୍ଧି ମଧ୍ୟ ସଂସଦରେ ଚର୍ଚ୍ଚାର କାରଣ ହୋଇପାରେ।
ଏ ଭିତରେ ବି ଉଠିପାରେ ଓଡ଼ିଶାରେ ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। କଂଗ୍ରେସ ଏ ପ୍ରସଙ୍ଗ ଉଠାଇବାକୁ ଥିଲେ ମଧ୍ୟ ଲୋକସଭାରେ ଏ ପ୍ରସଙ୍ଗ ଉଠାଇବାକୁ ମାତ୍ର ଜଣେ ଓଡ଼ିଆ ରହିବେ ଆଉ ସେ ହେଉଛନ୍ତି ସପ୍ତଗିରି ଉଲାକା। ଏହି ଗୃହରେ ବିଜେଡିର କୌଣସି ସଦସ୍ୟ ନ ଥିବାରୁ ପ୍ରସଙ୍ଗ ଆଲୋଚନା ହେଲେ ତାହା ଓଡ଼ିଶାକୈନ୍ଦ୍ରିକ ନ ହୋଇ ସାରାଦେଶରେ ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ଆଲୋଚନା କରିବାର ସୁଯୋଗ ଦେଇପାରେ।
ଭାରତ-ପାକିସ୍ତାନ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ସରକାର ଅପରେସନ୍ ସିନ୍ଦୂରରେ ବିଜୟ ହାସଲ କରିଛନ୍ତି ତଥା ଏନେଇ ଜାତୀୟ ଏକତାକୁ ପ୍ରଦର୍ଶନ କରୁଥିବାବେଳେ ଏହି ଅଧିବେଶନ ସରକାର-ବିରୋଧୀଙ୍କ ଭିତରେ ଫାଟକୁ ସ୍ପଷ୍ଟ କରିପାରେ, ଯାହା ବିଦେଶୀ ମିଡିଆରେ ଭାରତର ଛବିକୁ ଉଖାରିବାରେ ସମର୍ଥ ହେବ।
ଏହି ଅଧିବେଶନର ୨୧ କାର୍ଯ୍ୟଦିବସରୁ ୪ ଦିନ ରହିଛି ଘରୋଇ ସଦସ୍ୟଙ୍କ ବିଧେୟକ ବା ସଂକଳ୍ପ ଆଣିବା ପାଇଁ ସୁଯୋଗ ଦିନ। ଅର୍ଥାତ୍ ଏହିଦିନଗୁଡ଼ିକରେ ସରକାର ନୁହେଁ କୌଣସି ବି ସଦସ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କୌଣସି ବିଧେୟକ ବା ସଂକଳ୍ପ ଆଣିପାରିବେ। ଏଥିନେଇ ବିଧି ଅନୁସାରେ ବାଚସ୍ପତିଙ୍କ ଅନୁମତି ଆବଶ୍ୟକ ରହିବ। ପୂର୍ବରୁ ବିମାନ ଭଡ଼ାକୁ ନେଇ ଏକ ସଂକଳ୍ପ ଲୋକସଭାରେ ଆଲୋଚନା ହୋଇଛି କିନ୍ତୁ ତାହା ଏଯାଏ କାର୍ଯ୍ୟରେ ପରିଣତ ହୋଇନାହିଁ।
ଏବେ ଆସନ୍ତୁ ନଜର ପକାଇବା ଏଥର ଲୋକସଭାରେ କେଉଁ ବିଧେୟକଗୁଡ଼ିକ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଯାଉଛି। ପ୍ରମୁଖ ବିଧେୟକ ଭାବେ ଏଥରେ ଆୟକର ସଂଶୋଧନ ବିଧେୟକକୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଆଲୋଚନା କରାଯିବ। ଏହି ବିଧେୟକ ଗତ ଅଧିବେଶନରେ ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ ମୁଖ୍ୟତଃ ଆୟକର ବର୍ଷକୁ ନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯିବ। ଏବେ ଆୟକର ଦାତା ପିଛିଲା ଭାବେ ମୂଲ୍ୟାୟନ ବର୍ଷକୁ ନିର୍ଦ୍ଧାରଣ କରୁଛନ୍ତି। ହେଲେ ନୂଆ ବିଧେୟକ କାର୍ଯ୍ୟକାରୀ ହେଲେ ଗୋଟିଏ ବର୍ଷ ରହିବ। ୨୦୨୬ରୁ ଏହା ଲାଗୁ ହେବ ବୋଲି ଅନୁମାନ କରାଯାଉଛି।
ଏହା ବାଦ ସରକାର ଭାରତୀୟ ବନ୍ଦର ବିଲ୍, ୨୦୨୫ ଆଗତ କରିବା ସମ୍ଭାବନା ରହିଛି। ଏହା ୧୯୦୮ ମସିହାର ବନ୍ଦର ଆଇନକୁ ବଦଳାଇବ। ସେହିପରି ସିପିଂ ବିଲ୍, ୨୦୨୪ ଦ୍ୱାରା ଜାହାଜ ଚଳାଚଳ ନିୟମକୁ ଆଧୁନିକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୋଷ୍ଟାଲ ସିପିଂ ବିଲ୍- ୨୦୨୪ ଦ୍ୱାରା ଉପକୂଳବର୍ତ୍ତୀ ଜାହାଜ ନିୟନ୍ତ୍ରଣକୁ ସୁରୁଖୁର କରାଯିବ। ଏବଂ ଅନ୍ତର୍ଦ୍ଦେଶୀୟ ନୌ ପରିବହନ ବ୍ୟବସ୍ଥା ତ୍ୱରାନ୍ୱିତ ତଥା ପ୍ରୋତ୍ସାହିତ ହେବ।
ସେହିପରି ଗତ ଲୋକସଭାରେ ଉପସ୍ଥାପନ ହୋଇଥିବା ଗୋଆ ବିଧାନସଭା ଆସନ ସଂରକ୍ଷଣ ବିଲ୍, ୨୦୨୪ ଅନୁସୂଚିତ ଜନଜାତି ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଭାରତୀୟ ବାୟୁଯାନ ବିଲ୍, ୨୦୨୪ ଦ୍ୱାରା ସରକାର ବେସାମରିକ ବିମାନ ଚଳାଚଳ ନିୟମକୁ ଅଧିକ ସମୟୋପଯୋଗୀ କରିବା ସହ ଭାରତରେ ବିମାନ ଯନ୍ତ୍ରଂଶ ଆସେମ୍ବି୍ଲିଂ କରିବା କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିପାରିବେ। ବୟଲର ବିଲ୍ ଦ୍ୱାରା ପୁରୁଣା ବୟଲର ଆଇନ ସଂଶୋଧନ କରାଯିବ।
ଏହି ସମୟରେ ସରକାର ଆର୍ଥିକ ବିଧେୟକ ୨୦୨୫କୁ ମଧ୍ୟ ଉପସ୍ଥାପନ କରିବେ। ଏହାଦ୍ୱାରା ଅତିରିକ୍ତ ଖର୍ଚ୍ଚ ଅଟକଳ ଉପସ୍ଥାପନ ହେବ। ଜୁଲାଇ ୨୩ରେ ଏହା ଉପସ୍ଥାପନ ହେବ।
ଯୁଗ୍ମ ସଂସଦୀୟ କମିଟିରେ ଥିବା ଓ୍ଵାକଫ୍ (ସଂଶୋଧନ) ବିଲ୍ ଏଥର ଲୋକସଭାରେ ବିସ୍ତୃତ ଆଲୋଚନା କରାଯାଇପାରେ। ବୀମା ଆଇନ ସଂଶୋଧନ ବିଲ୍, ଅବୈଧ ଋଣ ରୋକିବାପାଇଁ ଅନିୟନ୍ତ୍ରିତ ଋଣ କାର୍ଯ୍ୟ ନିଷେଧ ବିଲ୍, ଦେବାଳିଆ ଓ ଦିବାଳିଆପଣ କୋଡ ସଂଶୋଧନ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୧ରୁ ସଂସଦର ମୌସୁମୀ ଅଧୂବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ କାଳରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ବୈଧାନିକ ନୁହେଁ, ରାଜନୈତିକ ଦୃଷ୍ଟିରୁ ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ହେବ। ଅଧିବେଶନ କାଳରେ ବିରୋଧୀ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ଏହାକୁ ନେଇ ଗୃହରେ ଝଡ଼ ସୃଷ୍ଟି ହେବା ସୁନିଶ୍ଚିତ।
ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ପହଲଗାମରେ ଆତଙ୍କୀ ଆକ୍ରମଣ ଏବଂ ଭାରତୀୟ ସେନାର ଅପରେସନ ସିନ୍ଦୂର ପ୍ରସଙ୍ଗ ଉଠିବ। ଏହା ଉପରେ ଆଲୋଚନା ନିମନ୍ତେ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀ ଦାବି କରି ଆସୁଥିଲେ। କିନ୍ତୁ ସରକାର ଏହାକୁ ଏଡ଼ାଇ ଜଚାଲିଥିଲେ। ଏବେ ଏହା ଉପରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
ପହଲଗାମରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୀ ଆତଙ୍କବାଦୀମାନେ ଆସି ୨୬ଜଣ ନୀରିହ ବ୍ୟକ୍ତିଙ୍କୁ ହତ୍ୟା କରି ଖସିଗଲେ। ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଜୀବନ୍ତ ବା ମୃତ ଧରାଯାଇପାରିଲା ନାହିଁ । ବିରୋଧୀ ଏହା ଉପରେ ପ୍ରଶ୍ନ ଉଠାଇବେ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଏବଂ ଗୁଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିରୋଧୀ ଅଭିଯୋଗ କରିବେ।
ସେହିପରି ଭାରତୀୟ ସେନାର ଅପରେସନ ସିନ୍ଦୂର ଉପରେ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇବେ। ଏହି ଅପରେସନରେ ଭାରତର କେତେ ଯବାନ ଶହୀଦ ହୋଇଛନ୍ତି, କେତୋଟି ରାଫାଏଲ ବିମାନ ଧ୍ୱଂସ ହୋଇଛି, କାହିଁକି କେଉଁ ପରିସ୍ଥିତିରେ ପାକିସ୍ତାନ ସହ ଅସ୍ତ୍ରବିରତି ଘୋଷଣା ହେଲା ସେ ସମ୍ପର୍କରେ ବିରୋଧୀ ପ୍ରଶ୍ନ ପଚାରିବେ। ବିରୋଧୀ ଦଳନେତା ରାହୁଲ ଗାନ୍ଧି
ଅଭିଯୋଗ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ମୁଣ୍ଡ ନୁଆଁଇ ସରକାର ଅସ୍ତ୍ରବିରତି ଘୋଷଣା କଲେ। ଏହାକୁ ସରକାର ଅସ୍ୱୀକାର କରୁଛନ୍ତି। ତେବେ ସଂସଦରେ ବିରୋଧୀ ଏହା ଉପରେ ପ୍ରଧାନମନ୍ତ୍ରୀଙ୍କଠାରୁ ସୃଷ୍ଟିକରଣ ଦାବି କରିବେ। ଅପରେସନ ସିନ୍ଦୂର ପ୍ରସଙ୍ଗ ବ୍ୟତିତ ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସମୀକ୍ଷା ଅଭିଯାନ, ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଆମେରିକା ସହ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଏବଂ ଓଡ଼ିଶାରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବେ ତଥା ସରକାରଙ୍କଠାରୁ ଜବାବ ଚାହିଁବେ।
ଏହା ସହିତ ଦରବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ପଡ଼ୋଶୀ ଦେଶ ସହ ସମ୍ପର୍କରେ ଅବନତି ଏବଂ କୃଷି ଓ କୃଷକଙ୍କ ସମସ୍ୟା ନେଇ ବିରୋଧୀ ପ୍ରଶ୍ନ ଉଠାଇବେ । ଏହିସବୁ ପ୍ରସଙ୍ଗ ନେଇ ସଂସଦର ଆଗାମୀ ଅଧିବେଶନ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି।
ଏସବୁ ପୁରୁଣା ବିଧେୟକ ବାବଦରେ ଆଲୋଚନା ହେବା ସହ ମିଳିଥିବା ସୂଚନା ଅନୁସାରେ ଏଥର ଲୋକସଭାରେ ୮ଟି ନୂଆ ବିଧେୟକ ଉପସ୍ଥାପନ ହେବ। ସେଥିରେ ରହିଛି ମଣିପୁର ଜିଏସଟି (ସଂଶୋଧନ) ବିଲ୍, ୨୦୨୫, ଟିକସ ନିୟକ ସଂଶୋଧନ ବିଲ୍, ୨୦୨୫, ଛୋଟ ଛୋଟ ଅପରାଧକୁ ସମାଧାନ କରିବା ଲକ୍ଷ୍ୟରେ ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୫, ଆଇଆଇଏମ ଗୁଆହାଟୀକୁ ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତୀୟ ମ୍ୟାନେଜମେଣ୍ଟ ସଂସ୍ଥାନ (ସଂଶୋଧନ) ବିଲ୍, ୨୦୨୫, ଐତିହ୍ୟ ସଂରକ୍ଷଣ ପାଇଁ ଜିଓହେରିଟେଜ ସାଇଟ୍ ଓ ଜିଓ-ରେଲିକ୍ସ ବିଲ୍, ୨୦୨୫, କ୍ରୀଡ଼ା ସଂଘରେ ସ୍ୱଚ୍ଛତା ରକ୍ଷା ଲାଗି ଜାତୀୟ କ୍ରୀଡ଼ା ଗଭର୍ନାନ୍ସ ବିଲ୍, ୨୦୨୫, ଆଣ୍ଟି-ଡୋପିଂ ନିୟମ ସଂଶୋଧନ ପାଇଁ ଜାତୀୟ ଆଣ୍ଟି-ଡୋପିଂ (ସଂଶୋଧନ) ବିଲ୍, ୨୦୨୫ ଏବଂ ଖଣିଜ କାର୍ଯ୍ୟର ସରଳୀକରଣ ଲାଗି ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୫ ଏ ହି ଅବସରରେ ଆସିବାର ସମ୍ଭାବନା ରହିଛି।
ତେବେ ଏହି ବିଧେୟକ ସବୁ କେଉଁ ସମୟରେ ଆଗତ ହେବ ତାହା ଲୋକସଭାର କାର୍ଯ୍ୟ ପରିଚାଳନା କମିଟି ନିଷ୍ପତ୍ତି ନେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ପ୍ରତିନିଧିତ୍ୱରେ ଏହି କମିଟି କାର୍ଯ୍ୟ କରିଥାଏ।
ଆସନ୍ତା ଦିନଗୁଡ଼ିକରେ ଦେଶର ଆକାଂକ୍ଷାକୁ ପୂରଣ କରିବା ପାଇଁ ସଂସଦର ଅଧିବେଶନ ଆମକୁ ଯଥେଷ୍ଟ ସୁଯୋଗ ଦେଇଥାଏ। କିନ୍ତୁ ସଂସଦରେ ଲଗାତାର ବାଧା ଯୋଗୁ ଅନେକ ସମୟରେ କାର୍ଯ୍ୟ ବ୍ୟାହତ ହୁଏ ଏବଂ ଯେଉଁ ବିଧେୟକ ବାବଦରେ ଆଲୋଚନା କରିବା କଥା ତାହା ହୋଇପାରେ ନାହିଁ। ଏଣୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା ଲାଗି ଆବଶ୍ୟକ ଏକ ଦାୟିତ୍ୱବାନ ବିରୋଧୀ ଦଳ, ଯାହା ଏବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରହିଛି। ଏଣୁ ଉଭୟ ସରକାର ଓ ବିରୋଧୀ ଦଳଙ୍କ କମର କଷା ଦେଶ କଥାକୁ କେତେ ଧ୍ୟାନ ଦେଉଚି ତାହା ସୋମବାରଠାରୁ ସ୍ପଷ୍ଟ ହେବ।
