ଗତ କିଛି ବର୍ଷ ଧରି ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ସାଜିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଏକାନ୍ତ ଘନିଷ୍ଠ ସାଂସଦ ସସ୍ମିତ ପାତ୍ର ବିଜେପିରେ ଯୋଗ ଦେବେ କି? କାରଣ ଏହା ପୂର୍ବରୁ ପାଣ୍ଡିଆନ୍ଙ୍କ ଆଉଜଣେ ବ୍ଲୁ ଆଇଡ୍ ବୟ ଅକ୍ସଫୋର୍ଡ ଫେରନ୍ତା ନେତା ସୁଜିତ୍ କୁମାର ବିଜେପିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏବେ ଯେଉଁଭଳି ଭାବେ ସସ୍ମିତଙ୍କ ଆଚରଣ ଓ ଉଚାରଣ ହୋଇଛି ସେଥିରୁ ଏ ଚର୍ଚ୍ଚା ସାମ୍ନାକୁ ଆସୁଛି ଯେ ସତରେ ନବୀନ ଡବଲ ଗେମ୍ ଖେଳୁ ନାହାନ୍ତି ତ ! ନିଜକୁ ନିଜେ ଦୁର୍ବଳ କରୁନାହାନ୍ତି ତ? ନା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଭାଷାରେ ନବୀନ ଗୃହବନ୍ଦୀ ହୋଇ ରହିଛନ୍ତି? ଏ ବିଷୟକୁ ନେଇ ଆଜିର ଆଲୋଚନା।
ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପ୍ରଶାସନ ଜଣଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଏବଂ ନବୀନ ଖୋଦ୍ ତାଙ୍କରି ଜଣେ ‘ସଖି କଣ୍ଢେଇ’ ସାଜିଛନ୍ତି ବୋଲି ଅଭିଯୋଗ ହେଉଥିଲା। ଏପରିକି ନବୀନଙ୍କୁ ତାଙ୍କ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଗୃହବନ୍ଦୀ କରିଥିବା ବି ପ୍ରଚାରିତ ହୋଇଛି। ନିର୍ବାଚନ କାଳରେ ଯଦିଓ ନବୀନ ପଟ୍ଟନାୟକ ଏହି ପ୍ରଚାରକୁ ଅପପ୍ରଚାର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲୋକଙ୍କ ଆସ୍ଥାଭାଜନ ହୋଇପାରିନଥିଲେ। ଏଣୁ ଲୋକସଭାରେ ସବୁ ଆସନ ହରାଇଛି ବିଜେଡି। ରାଜ୍ୟସଭାରେ ଥିବା ୯ ଆସନକୁ ନେଇ ଆବଶ୍ୟକ ସମୟରେ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବାକୁ ଚାହିଁଥିଲା ବିଜେଡି। ହେଲେ ଏବେ ସବୁକିଛି ପସର ଫାଟିଛି। ଜଣକ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ବଡ଼ ବିଚିତ୍ର ଢଙ୍ଗରେ ବିଜେପିରେ ଯୋଗ ଦେଇ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
ଏବେ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ନିବେଦନ କରିଥିବା ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ରଙ୍କୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ଏହା ପୃଷ୍ଠଭୂମିରେ ରହିଛି ଏହି ସାଂସଦଙ୍କ ତାସକେଣ୍ଟ ଗସ୍ତ। କୁହାଯାଉଛି ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ୍ ଦେଇଥିବାରୁ ତାଙ୍କୁ ମିଳିଛି ଏହି ଉପହାର। କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ତଥା ପ୍ରତିଷ୍ଠା ହାସଲ ପାଇଁ ସସ୍ମିତ ଏପରି କରିଥିବା କୁହାଯାଉଛି। ଦଳର ନେତାମାନେ ଏହି କଥାକୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଆଉ ଅନ୍ୟ ଦଳର ନେତାଏଁ ବି ଏ ନେଇ ନବୀନଙ୍କୁ ସମାଲୋଚନା କରୁଛନ୍ତି।
ରାତାରାତି ଖଳନାୟକ ହୋଇଥିବା ସସ୍ମିତଙ୍କ ଏପରି ଆଚରରଣର କାରଣ କ’ଣ ହୋଇପାରେ? ୱାକଫ୍ ବିଧେୟକ ପରବର୍ତ୍ତୀ ପରିସ୍ଥିତିରେ ସସ୍ମିତ ଯେଉଁଭଳି ଭାବେ ରାତାରାତି ତାସକେଣ୍ଟ ଗସ୍ତରେ ଗଲେ ସେଥିରୁ ରାଜନୀତିକ ରୁଟି ସେକିବା କାମ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି ସେ ବିଜେଡିର ଭବିଷ୍ୟତ ଆଉ ଦେଖିପାରୁ ନାହାନ୍ତି। ଏଣୁ ନିଜର ରାଜନୀତିକ କ୍ୟାରିୟରରେ ନୂତନ ଉଡ଼ାଣ ପାଇଁ ବିଜେପିକୁ ଆଶ୍ରା କରିଛନ୍ତି। ଏପରିକି ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟଠାରେ ଆୟୋଜିତ ଆନ୍ତର୍ଜାତିକ ଆନ୍ତଃସଂସଦୀୟ ବୈଠକରେ ଯୋଗ ଦେବାକୁ ସେ ପ୍ରତିନିଧିଭାବେ ବଛା ହୋଇଛନ୍ତି। ଏହା ତାଙ୍କର ରାତିଅଧିଆ ଆଚରଣ ପରିବର୍ତ୍ତନ ଲାଗି ଉପହାର ବୋଲି ବି ଆଲୋଚନା ହେଉଛି।
ସଂସଦ ହେଉ ବା ବିଧାନସଭା ଯେତେବେଳେ ଭୋଟ୍ ବିଭାଜନ କଥା ଆସେ ସେତେବେଳେ ନେତା ଆଉ ନିଜର ହୋଇ ରହନ୍ତି ନାହିଁ। ଅର୍ଥାତ୍ ନିଜର ଆଦର୍ଶ ବା ବ୍ୟକ୍ତିଗତ ମତ ନୁହେଁ ନିଜକୁ ନିର୍ବାଚିତ କରିଥିବା ଦଳର ଆଭିମୁଖ୍ୟ ଅନୁସାରେ ଯିବାକୁ ହୋଇଥାଏ। ଏହା ସାମ୍ବିଧାନିକ ପରମ୍ପରାଭାବେ ଗୃହୀତ।
ଓ୍ୱାକଫ୍ ଆଇନ ସଂଶୋଧନ ବିଧାୟକ ୨୦୨୫ ଆଲୋଚନାବେଳେ କିନ୍ତୁ ଏକ ଭିନ୍ନ ବାତାବରଣ ରାଜ୍ୟସଭାରେ ଦେଖିବାକୁ ମିଳିଛି। ଏଠାରେ ବିଜେଡିର ୮ ସାଂସଦ ରହିଛନ୍ତି। କିନ୍ତୁ ବିଭାଜନ ଭୋଟରେ କିଏ କାହାକୁ ଭୋଟ୍ ଦେଲା ତାହା କହିବାକୁ ବି କିଛି ସାଂସଦ ପଛଘୁଞ୍ଚା ଦେଉଛନ୍ତି। ଅର୍ଥାତ୍ ପରମ୍ପରା ଭଙ୍ଗ ହୋଇଛି ବୋଲି ବାହାରକୁ ପ୍ରତୀତ ହେଉଥିଲେ ମଧ୍ୟ ଏ ଭିତରେ ଥିବା ରାଜନୀତିକ ଆଦବ କାଏଦା ଭିତରେ ନବୀନଙ୍କ ନିୟନ୍ତ୍ରକ ନିଜର ବ୍ୟକ୍ତିଗତ ଆଭିମୁଖ୍ୟ ହାସଲ କରିଛନ୍ତି। ଏଥିରେ ସେ ଚାହୁଁଥିବା ଦୁଇଟି ଜିନିଷ ପଦାକୁ ଆସିଛି, ଗୋଟିଏ ହେଉଛି ଦଳରେ ସ୍ପଷ୍ଟ ନିର୍ଦ୍ଦେଶର ଅଭାବ ଏବଂ ଦ୍ୱିତୀୟଟି ହେଉଛି ନୂଆ ଓ ପୁରୁଣା ନେତାଙ୍କ ଭିତରେ ଫାଟ ଉତ୍ପନ୍ନ।
ନବୀନଙ୍କୁ ନିୟନ୍ତ୍ରଣ କରୁଥିବା ନେତାମାନେ ଏପରି ଆଚରଣ ପୂର୍ବରୁ ଗ୍ରହଣ କରି ଆସିଛନ୍ତି। ସେଥିଲାଗି ସବୁବେଳେ ପୁରୁଣା ନେତାମାନେ କର୍ମକୁ ଆଦରି ଦଳରେ ମୁହଁମାଡ଼ି ପଡ଼ି ରହିଛନ୍ତି। ଯୁବ ଗୋଷ୍ଠୀଙ୍କୁ ପ୍ରଶ୍ରୟ ନାଁରେ ସବୁବେଳେ ପୁରୁଖା ନେତାଙ୍କୁ ଅବହେଳା କରାଯାଇଛି। ହେଲେ ଯେତେବଳେ ବିଜେଡି ଗୋଡ଼ ନିର୍ବାଚନ ତୁଠରେ ଖସିଗଲା ସେତେବଳେ ପୁରୁଣା ନେତାମାନେ ପୁଣିଥରେ ଏକାଠି ହୋଇ ନିଜର ପତିଆରା ଜାହିର କରିବାକୁ ଚାହିଁଥିଲେ। ଏବେ କିନ୍ତୁ ପୁରୁଣାପାଠର ପୁନରାବୃତ୍ତି ହେବା ସେମାନଙ୍କୁ ଆଉଥରେ ହତୋତ୍ସାହିତ କରିଛି।
ସସ୍ମିତଙ୍କ ଭଳି ଅତି ଚାଲାକ୍ ନେତା କିନ୍ତୁ ପାର୍ଟି ହ୍ୱିପ୍ ଜାରି କରିନଥିବାରୁ ବିବେକ ଅନୁସାରେ ବିଜେପିକୁ ସମର୍ଥନ କରିଥିବା କହିଛନ୍ତି। ଏହା ତାଙ୍କ ନୀରିହପଣର ଉଦାହରଣ ହୋଇନପାରେ। କାରଣ ପାର୍ଟିର ହ୍ୱିପ୍ ସାଧାରଣତଃ ରାଜ୍ୟସଭାରେ ସ୍ୱୀକୃତିପ୍ରାପ୍ତ ଦଳର ନେତା ହିଁ ଜାରି କରିଥାଆନ୍ତିା। ସେଦିନ ସବୁଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା। ହେଲା ରାଜ୍ୟସଭାରେ ବିଜେଡିର ନେତା ବିଳମ୍ବିତ ରାତି ଯାଏ ଚାଲିଥିବା ଆଲୋଚନାର ଅଧାରେ ଦଳ କୌଣସି ହ୍ୱିପ୍ ଜାରି କରିନଥିବା ସୂଚନା ଦେଇଥିଲେ। ଏପରିକି ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ।
ଅପରପକ୍ଷେ, ବରିଷ୍ଠ ନେତାଙ୍କ ଅଭିଯୋଗ ଯେ, ସସ୍ମିତଙ୍କ ଏହା ଏକ ଇଚ୍ଛାମୁତାବକ ଆଚରଣ। ସଭାପତି ପାର୍ଟି ବୈଠକରେ ଏ ବାବଦରେ ସ୍ପଷ୍ଟ କରି ୱାକଫ୍ ବିଧେୟକକୁ ପ୍ରତ୍ୟାଖ୍ୟାନ କରି ଭୋଟ୍ ଦେବାକୁ କହିଥିଲେ। ମୁନା ଖାନ୍ ମଧ୍ୟ ଏହାକୁ ସ୍ୱୀକାର କରିଥିଲେ। ଏଣୁ ସେ ବିଜେପି ବିରୁଦ୍ଧରେ ଭୋଟ୍ ଦେଇଥିଲେ। ଏତିକିରେ ଅଧ୍ୟାୟ ସରି ନ ଥିଲା। ପାଣ୍ଡିଆନ୍ଙ୍କ କତ୍ତୃତ୍ୱାଧୀନ ବିଜେଡିର ମନୋନୀନ ଅନ୍ୟ ନେତାମାନେ ମଧ୍ୟ କିଏ କେମିତି ମତ ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ରାଜ୍ୟସଭାରେ ବିଜେଡିର ନେତାଭାବେ ସସ୍ମିତ ଯେଉଁ ଖେଳ ଖେଳିଲେ ତାହା ବିଜେପିକୁ ସହାୟକ ହୋଇଥିଲା। ଏଣୁ ତାଙ୍କୁ ବି ବିଜେପି ତତ୍କ୍ଷଣାତ ସହାୟତା କରିବାକୁ ଭୁଲି ନ ଥିବା ଜଣାପଡ଼ିଛି।
କୁହାଯାଉଛି, ତାସକେଣ୍ଟଠାରେ ଆୟୋଜିତ ଆନ୍ତର୍ଜାତୀକ ଆନ୍ତଃ ସଂସଦୀୟ ପ୍ରତିନିଧି ବୈଠକରେ ଯୋଗ ଦେବାକୁ ବିଜେପି ସହ ଏକ ଡିଲ୍ କରିଥିଲେ ସସ୍ମିତ। ଯେଉଁ ପ୍ରତିନିଧି ଦଳ ଲୋକସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ତାସକେଣ୍ଟ ଗସ୍ତ କରିଛନ୍ତି ସେଥିରେ ରହିଛନ୍ତି ୧୦ ଜଣ ସାଂସଦ। ଏହି ସାସଦଙ୍କ ତାଲିକାରେ ୮ ଜଣ ବିଜେପି ସାଂସଦ ଥିବାବେଳେ ୨ ଜଣ ରହିଛନ୍ତି ଅଣ ବିଜେପି। ଏ ଦୁଇ ଅଣ ବିଜେପି ସାଂସଦଙ୍କ ଭିତରେ ରହିଛନ୍ତି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଅତୀତରେ ମନୋନୀତ ହୋଇଥିବା ବ୍ୟବସାୟୀ ଅଶୋକ ମିତ୍ତଲ ଏବଂ ଓଡ଼ିଶାର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ପ୍ରତିନିଧି ତଥା ବିଜେଡି ନେତା ସସ୍ମିତ ପାତ୍ର। ଅନ୍ୟ ୮ ଜଣ ହେଉଛନ୍ତି ବିଜେପି ସଦସ୍ୟ। ସେମାନେ ହେଲେ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ଅନୁରାଗ ଠାକୁର, ବିଷ୍ଣୁଦୟାଲ ରାମ, କୀରଣ ଚୌଧୁରୀ, ଲତା ଓ୍ୱାଙ୍ଖଡ଼େ, ଏବଂ ବିଜୁଳି କଲିତା। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ୩ଜଣ ସାଂସଦ ଏହି ତାଲିକାରେ ରହିଛନ୍ତି।
ଅର୍ଥାତ୍ କେବଳ ବିଜେଡି ଓ ଆପ୍ର ଜଣେ ଲେଖାଏଁ ସାଂସଦ ଏପରି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି। ଏନଡିଏର ଅନେକ ସହଯୋଗୀ ଦଳ ରହିଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାରେ ୩୯ଟି ଦଳ ସହ ମେଣ୍ଟ କରିଛି। କିନ୍ତୁ ଦିଲ୍ଲୀ ଏବଂ ଓଡ଼ିଶାର ଦୁଇ ହାରୁ ଦଳ ପୁଣି ଯେଉଁମାନେ ଏନଡିଏର ସହଯୋଗୀ ନୁହନ୍ତି ସେମାନଙ୍କ ଭିତରୁ ଦୁଇଜଣଙ୍କୁ ବାଚସ୍ପତି ମନୋନୀତ କରିଛନ୍ତି। ପୁଣି ଏ ଦୁଇ ସଦସ୍ୟ ରାଜ୍ୟସଭାରୁ ହିଁ ମନୋନୀତ ହୋଇଛନ୍ତି। ରାଜ୍ୟସଭାର ୨୪୫ ସଦସ୍ୟ ବିଶିଷ୍ଟ ସଭାରେ ୧୨୫ ଜଣ ହେଉଛନ୍ତି ଏନ୍ଡିଏ ସଦସ୍ୟ। ଅର୍ଥାତ୍ ଲୋକସଭା ଅପେକ୍ଷା ରାଜ୍ୟସଭାରେ ଦଳର ସମ୍ବେଦନଶୀଳତା ଅଧିକ। ଏଣୁ ହୁଏତ ଏହି ସଦସ୍ୟମାନଙ୍କ କିଛି କାର୍ଯ୍ୟ ଗୃହରେ ବିଜେପିକୁ ସହାୟତା କରିଥିବ ଏବଂ ତାଙ୍କୁ ବ୍ୟକ୍ତିଗତଭାବେ ଉପହାର ଦେବା ଲାଗି ଏପରି ବ୍ୟବସ୍ଥା ହୋଇଥାଇପାରେ।
ଏବେ ପ୍ରଶ୍ନ ସସ୍ମିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ କି? ଯଦି ହୁଏ ତେବେ ସସ୍ମିତ ଫାଇଦାରେ ରହିପାରନ୍ତି। କିନ୍ତୁ ବ୍ୟକ୍ତିଗତ ମର୍ଯ୍ୟାଦା ହାନୀ ହୋଇପାରେ। କିନ୍ତୁ ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ରାଜ୍ୟରେ ସବୁଠାରୁ ବଡ଼ ଆଞ୍ଚଳିକ ଦଳର ସ୍ଥିତି ଆହୁରି ବିପର୍ଯ୍ୟୟ ଆଡ଼କୁ ଟାଣି ହୋଇଯିବ। ଏଣୁ ଅପେକ୍ଷା ନବୀନ ଏବଂ ତାଙ୍କ ପାର୍ଷଦ କି ନିଷ୍ପତ୍ତି ନେଉଛନ୍ତି।
Also readhttps://purvapaksa.com/pandian-go-back-suspend-sasmit-raised-at-naveen-niwas/
ନବୀନ ନିବାସରେ ଉଠିଲା ‘ପାଣ୍ଡିଆନ୍ ଗୋ ବ୍ୟାକ୍’, ‘ସସ୍ମିତଙ୍କୁ ନିଲମ୍ବନ କର’