ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ
ଭାରତର ଦୁର୍ବଳ ପ୍ରଦର୍ଶନରେ ରୋହିତ ବଳିବୋଦା
ଶୁକ୍ରବାରଠାରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଭାରତୀୟ ଦଳର ଏହି ସିନିୟର ଓପନରଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ଦଳଗତ ବିଫଳତା ପାଇଁ ଅଧନାୟକ ଦାୟି ରହିବା ନୂଆ କଥା ନୁହେଁ। ମାତ୍ର ସିରିଜର ଶଷ ମ୍ୟାଚ୍ରୁ ଅଧିନାୟକଙ୍କୁ ବାଦ ଦେବା ନିଷ୍ପତ୍ତି କେତେଦୂର ଯଥାର୍ଥ? ରୋହିତଙ୍କ ବୟସ ୩୭ ବର୍ଷ। ଭାରତ ଏବେବି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ସିଡନୀରେ ଭାରତ ଜିତିଲେ ଓ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ଶ୍ରୀଲଙ୍କା ୨-୦ କିମ୍ବା ୧-୦ରେ ବିଜୟୀ ହେଲେ ଭାରତ ଫାଇନାଲରେ ପ୍ରବେଶ କରିପାରିବ। ସିଡନୀରେ ରୋହିତଙ୍କୁ ଖେଳାଇ ସମ୍ମାନର ସହ ବିଦାୟ ଦିଆଯାଇପାରିବ। କ୍ରିକେଟ ଏକ ଦଳଗତ ଖେଳ। ଦଳର ବିଜୟରେ ସମସ୍ତଙ୍କ ଅବଦାର ରହିବା ଜରୁରି। ସେହିପରି ଏକାଧିକ ଖେଳାଳି ବିଫଳ ହେଲେ ବିଜୟ ଅସମ୍ଭବ। ଭାରତ କ୍ଷେତ୍ରରେ ବର୍ତ୍ତମାନ ଠିକ ସେଭଳି ପରିସ୍ଥିତି ଉପୁଯିଛି। ରୋହିତଙ୍କ ସେମତ ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ ଓ ଅଧିକାଂଶ ବୋଲର ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରଜର ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇ ଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କୁ ସିଡନୀ ଟେଷ୍ଟରୁ ବାଦ ଦେଇ ଶୁଭମନ ଗିଲଙ୍କୁ ଏକାଦଶକୁ ଡ଼କାଇବାକୁ ଟିମ ମ୍ୟାନେଜମେଣ୍ଟ ଯୋଜନା କରୁଥିବା ଅନୁମାନ କରାଯାଉଛି। ଏଭଳି ହେଲେ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ। ଜଣେ ଅଧିନାୟକଙ୍କୁ ଉକଯୁକ୍ତ ସମ୍ମାନ ମିଳିବ ନାହିଁ। ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତ ଆଗାମୀ ୬ମାସ ପରେ ଯାଇ ପରବର୍ତ୍ତି ଟେଷ୍ଟ ଖେଳିବ। ଜୁନ୍-ଜୁଲାଇରେ ଭାରତୀୟ ଦଳ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ। ସେତେବେଳକୁ ଚଳିତ ବିଶ୍ୱ ଟାଷ୍ଟ ଚାମ୍ପିଅନସିପ ସାଇକେଲ ଶେଷ ହୋଇସାରିଥିବ।
ଆଜି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଯୋଗ ଦେବା ରୋହିତଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ ସ୍ପଷ୍ଟ ଚିତ୍ର ଦେଖାଇ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ରୋହିତ ଆସନ୍ତା କାଲି ଖେଳୁଛନ୍ତି କି ନାହିଁ ବୋଲି ପଚାରା ଯାଇଥିବା ପ୍ରଶ୍ନକୁ ଗମ୍ଭୀର ଏଡ଼ାଇ ଯାଇଥିଲେ। ସେ କହିଥିଲେ, ଆମେ ପ୍ରଥମେ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଦେଖିବୁ ଓ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବୁ। ଗମ୍ଭୀରଙ୍କ ଏଭଳି ମନ୍ତବ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ରୋହିତ ଭାରତୀୟ ଦଳର ଅଧିନାୟକ। ଅବଶ୍ୟ ସେ ଫର୍ମରେ ନାହାନ୍ତି। ଦଳରେ ଅନେକ ସିନିୟର ଖେଳାଳି ମଧ୍ୟ ଫର୍ମ ହରାଇଛନ୍ତି। କିନ୍ତୁ କେବଳ ରୋହିତଙ୍କୁ ବଳି ବୋଦା କରାଯିବା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି।
ଦିନକ ତଳେ ଏଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ସମଗ୍ର କ୍ରିକେଟ ଜଗତକୁ ଦୋହଲାଇ ଦେଇଛି। ରୋହିତଙ୍କୁ ବିତାଡ଼ିତ କରିବା ପାଇଁ ଜୋରସୋର ଷଡ଼ଯନ୍ତ୍ର ଚାଲିଥିବା ପ୍ରକାଶ କରିଥିଲା ଉକ୍ତ ଗଣମାଧ୍ୟମ। ଜଣେ ସିନିୟର ଖେଳାଳି ରୋହିତଙ୍କ ସ୍ଥାନରେ ଅଧିନାୟକ ହେବା ପାଇଁ ପ୍ରୟାସ ଚଳାଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ରୋହିତ ଏକ ପ୍ରକାର ଦଳଠୁ ଦୂରେଇ ରହିବା ଭଳି ମନେ ହେଉଛି। ଆଜି ଭାରତୀୟ ଦଳ ସିଡନୀରେ ଅଭ୍ୟାସ କରିଥିଲା। ରୋହିତ ବିଳମ୍ବରେ ଦଳ ସହ ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ।
ରୋହିତଙ୍କ ଉପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ନୂଆ ସ୍ଲିପ୍ କର୍ଡନ ପ୍ରସ୍ତୁତ କରି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ବିରାଟ କୋହଲି ପ୍ରଥମ ସ୍ଲିପରେ ଫିଲ୍ଡିଂ କରୁଥିଲେ। ବାକି ସ୍ଥାନରେ ରହିଥିଲେ ଶୁଭମନ ଗିଲ, ନୀତିଶ କୁମାର ରେଡ୍ଡୀ ଓ ଯଶସ୍ୱୀ ଜୈସ୍ୱାଲ। ଆଜି ଅଭ୍ୟାସ ଶିବିରରେ ଗିଲ୍ ଓ ଧ୍ରୁବ ଜୁରେଲଙ୍କ ବ୍ୟାଟିଂ ଉପରେ ଫୋକସ କରାଯାଇଥିଲା। ରୋହିତଙ୍କୁ ଦଳ ସହ ଦେଖିବାକୁ ମିଳୁ ନଥିଲା। ମୁଖ୍ୟ ଗ୍ରାଉଣ୍ଡରେ ରୋହିତ ସେତେବେଳେ ଫୁଟ ଭଲିବଲ ଖେଳୁଥିଲେ। ଏହାପରେ ମଧ୍ୟ ସେ ନେଟ୍ସରେ ପହଞ୍ଚି ନଥିଲେ। ହଠାଥ୍ ମୁଖ୍ୟ ଗ୍ରାଉଣ୍ଡରୁ ଉଭାନ ହୋଇଯାଇଥିଲେ। ପାଖା ପାଖି ଘଣ୍ଟାଏ ପରେ ସେ ନେଟ୍ସକୁ ଆସି ବ୍ୟାଟିଂ ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟରେ ସେ କୌଣସି ବୋଲରଙ୍କୁ ସାମ୍ନା କରିନଥିଲେ। କେବଳ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଓ ଦୟା ତାଙ୍କୁ ଥ୍ରା’ ଡାଉନରେ ଅଭ୍ୟାସ କରାଇଥିଲେ। ସେତେବେଳକୁ ଦଳର ବାକି ସବୁ ଖେଳାଳିଙ୍କ ଅଭ୍ୟାସ ଶେଷ ହୋଇସାରିଥିଲା। ରୋହିତଙ୍କ ସହ କେବଳ ଅଭିମନ୍ୟୁ ଈଶ୍ୱରନ ଓ ତନୁଶ କୋଟିଆନ ଅଭ୍ୟାସ କରିଥିଲେ।
ରୋହିତ ଗ୍ରାଉଣ୍ଡରେ ଥିବା ବେଳେ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ମୁଖ୍ୟ ଦଳ ସହ ଅଭ୍ୟାସ ନକରିବା, ସାମ୍ବାଦିକ ସମ୍ମିଳନୀ ଠାରୁ ଦୂରେଇ ରହିବା, ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ହାଲକା ଅଭ୍ୟାସ କରିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ରୋହିତ ଅବସର ନେବା ପାଇଁ ଚାହୁଁଛନ୍ତି ନା ଦଳ ତାଙ୍କୁ ବିଦାୟ ଦେବାକୁ ଯୋଜନା କରି ସାରିଛି?
ରୋହିତ ଗତ ୩ଟି ଟେଷ୍ଟରେ ୬.୨ ହାରରେ ରନ ସଂଗ୍ରହ କରିଛନ୍ତି। ମାତ୍ର ତାଙ୍କ ଭଳି ବିରାଟ କୋହଲି ଓ କେଏଲ ରାହୁଲ ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି। ରିଷଭ ପନ୍ତ ବାରମ୍ବାର ବେପରବାୟ ସଟ ଖେଳୁଛନ୍ତି। ଯଶପ୍ରୀତ ବୁମରାଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବୋଲର ମଧ୍ୟ ଫେଲ ମାରୁଛନ୍ତି। ଏଭଳି ସ୍ଥଳେ କେବଳ ରୋହିତଙ୍କୁ ବାଦ ଦେବା କେତେଦୂର ଠିକ ତାହା ଦର୍ଶକ କହିବେ।
previous article: https://purvapaksa.com/mitchell-marsh-dropped-beau-webster-to-debut-in-sydney/