ଗଣତନ୍ତ୍ର ଓ ଗଣତନ୍ତ୍ରର ଶାସନ – ଏକଥା ମିଛ। ସବୁକିଛି ବ୍ୟବସ୍ଥା ହାତରେ। ବ୍ୟବସ୍ଥା ନ ଚାହିଁଲେ କେହି କିଛି କରିବା ସମ୍ଭବ ନୁହେଁ। ଗଣତନ୍ତ୍ର କେବଳ ରାଜନୀତି ଲାଗି, ରାଜନୀତି ଦ୍ୱାରା ଓ ରାଜନୀତିର। ବ୍ୟବସ୍ଥା ବ୍ୟତୀତ ସମସ୍ତେ ଏଠି ଅସହାୟ। ଏହା ବାଲେଶ୍ୱର ଘଟଣାରୁ ପ୍ରମାଣିତ।
ଗୋଟିଏ ଉଚ୍ଚଶିକ୍ଷିତା ଝିଅ ୬ ମାସ କାଳ ନିଜ ଇଜ୍ଜତ ରକ୍ଷା ଲାଗି ଲଢ଼ିଲେ। ନିଜ ମହାବିଦ୍ୟାଳୟ ଯାହାକୁ ଆମେ ଶିକ୍ଷାର ମନ୍ଦିର କହିଥାଉ ସେଠାରେ ନିର୍ଯାତିତ ହୋଇ ବ୍ୟବସ୍ଥା ଆଗରେ ହାରି-ଗୁହାରି କଲେ। ଜଣ ଜଣ କରି ସବୁ ବ୍ୟବସ୍ଥାଧାରୀଙ୍କୁ ନିବେଦନ କଲେ। ଯାହାଙ୍କ ପାଖରେ ସିଧାସଳଖ ପହଞ୍ଚି ପାରିଲେ ସେଠି ପହଞ୍ଚିଲେ। ଯେଉଁଠି ପହଞ୍ଚି ପାରିଲେ ନାହିଁ ସେଠାରେ ନିଜର ଅଭିଯୋଗକୁ ପହଞ୍ଚାଇଲେ। ମାତ୍ର କେଉଁଠି ହେଲେ ମଧ୍ୟ ନ୍ୟାୟ ପାଇଲେ ନାହିଁ ।
ପ୍ରଥମେ ଅଧ୍ୟାପକଙ୍କ ବିରୋଧରେ ସେ କଲେଜର ମୁଖ୍ୟ-ପ୍ରିନ୍ସିପାଲଙ୍କ ପାଖରେ ଅଭିଯୋଗ ଆଣିଲେ। ପରେ ବ୍ୟବସ୍ଥା ଆଧାରରେ କଲେଜ ଆଭ୍ୟନ୍ତରୀଣ କମିଟି (ଆଇସିସି) ପାଖରେ ଅଭିଯୋଗ କଲେ। ନ୍ୟାୟ ନ ପାଇବାରୁ ଥାନାକୁ ଯାଇ ଆଇଆଇସିଙ୍କ ପାଖରେ ଲିଖତ ଅଭିଯୋଗ ପ୍ରଦାନ କଲେ। ସେଠି ନିରାଶ ହେବାରୁ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ଜଣାଇଲେ। ସେଠି ମଧ୍ୟ ନିରାଶ ହେଲେ।
ଦିନେ, ଦୁଇଦିନ କିମ୍ବା ସପ୍ତାହେ-୧୫ ଦିନର ସଂଘର୍ଷ ନୁହେଁ। ୬ ମାସର ଅବଧି। ଝିଅ ଜଣକ ତା’ ପରେ ମିଛ ଗଣତନ୍ତ୍ରର ଶାସକ ସାଂସଦ-ବିଧାୟକଙ୍କୁ ଭେଟିଲେ, ଗୁହାରୀ କଲେ। କିଛି ଲାଭ ହେଲା ନାହିଁ। ଜିଲ୍ଲାପାଳ ଓ ଏସପିଙ୍କ ପାଖରେ ପହଞ୍ଚି ପାରିଲେନି । ପରେ ସୋସିଆଲ ମିଡିଆର ସାହାରା ନେଲେ।
ସୋସିଆଲ ମିଡିଆରେ ଆଜିକାଲି ସରକାର ଶାସନ ବ୍ୟବସ୍ଥା ଚଳାଉଛନ୍ତି। ୬ ମାସ ଲଢ଼ିଲା ପରେ ସୋସିଆଲ ମିଡିଆକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀ, ଦେଶର ଶିକ୍ଷାମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ସାଂସଦ, ବିଧାୟକ, ଜିଲ୍ଲାପାଳ, ଏସପି ଓ ଜାତୀୟ ମହିଳା କମିଶନ ସମସ୍ତଙ୍କୁ ଜଣାଇଲେ। ମାତ୍ର କେଉଁଠି ବି ନ୍ୟାୟ ପାଇଲେନି।
ସବୁଠି ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ। ସୌଭାଗ୍ୟକୁ ସହପାଠୀ ଓ ହଷ୍ଟେଲ ୱାର୍ଡେନଙ୍କ ହସ୍ତକ୍ଷେପରେ ବଞ୍ଚିଗଲେ। ପୁଣି ଦୌଡିଲେ ନ୍ୟାୟର ଲଢ଼େଇରେ। ବାରମ୍ବାର କଲେଜ ପ୍ରିନ୍ସିପାଲଙ୍କୁ ଭେଟିଲେ। ପରିବାର ଲୋକଙ୍କୁ ଜଣାଇଲେ। ସାଙ୍ଗସାଥୀ- ଭାଇ ସମସ୍ତଙ୍କୁ କହିଲେ। କିଛି ହେଲା ନାହିଁ ।
ଗଣମାଧ୍ୟମକୁ ଆସିଲେ। ଖବର କାଗଜ ଓ ଟିଭିରେ ସବୁ ବାହାରିଲା। କେହି ଗୁରୁତ୍ୱ ଦେଲେନି। ବ୍ୟବସ୍ଥା ତାଙ୍କ ପାଇଁ ଅନ୍ଧ-ମୁକ- ବଧୂର ହୋଇଗଲା। ସମସ୍ତେ ଜାଣିଲେ- ଦେଖିଲେ-ଶୁଣିଲେନି। ଏତେ ବଡ଼ ରାକ୍ଷସ ସମାଜରେ ଜଣେ ଉଚ୍ଚଶିକ୍ଷିତା ଯୁବତୀକୁ ତା’ର ସମ୍ମାନ ଓ ଇଜ୍ଜତର ଲଢ଼େଇରେ ଏକା କରି ଛାଡ଼ିଦେଲେ। ସେ ଦୌଡ଼ିଲେ-ଦୌଡ଼ିଲେ- ସଂଘର୍ଷ କଲେ। ଥକି ପଡ଼ିଲେନି-ଶେଷରେ କିନ୍ତୁ ହାରିଗଲେ।
ମିଛ ଗଣତନ୍ତ୍ର ଓ ବ୍ୟବସ୍ଥାର କ୍ରୀତଦାସ ସାଜିଥିବା ସରକାରଙ୍କ ଆଗରେ ମୁଣ୍ଡକୋଡ଼ି କାନ୍ଦି କାନ୍ଦି ଲଢ଼େଇ କରି ହାରିଗଲା ପରେ ଆଉ ବାଟ କିଛି ନ ଥିଲା । ନିଜକୁ ମୃତ୍ୟୁର ଅଗ୍ନି ଆଗରେ ସମର୍ପି ଦେଲେ। ସେ ହାରିଗଲେ ନା ଏ ସମାଜ- ଏ ବ୍ୟବସ୍ଥା ତାଙ୍କୁ ହରାଇଦେଲା? କ’ଣ ପାଇଲେ ସେହି ଯୁବତୀ ? କ’ଣ ପାଇଲେ ତାଙ୍କ ବାପା-ମାଆ-ପରିବାର? କି ନ୍ୟାୟଦେଲା ଏ ବ୍ୟବସ୍ଥା ?
ଏଠି ବ୍ୟବସ୍ଥା ହିଁ ପ୍ରଥମ ଦାୟୀ। ଆମେ ଗଣତନ୍ତ୍ରର ଦ୍ୱାହି ଦେଇ ରାଜନେତାଙ୍କୁ ବା ମୁଖ୍ୟମନ୍ତ୍ରୀ -ମନ୍ତ୍ରୀ-ସାଂସଦ– ବିଧାୟକଙ୍କୁ କାଠଗଡ଼ାରେ ଛିଡ଼ା କରାଉଛନ୍ତି। ତାହା ହେବା ଉଚିତ।
କିନ୍ତୁ ସେହି ଆଢୁଆଳରେ ‘ବ୍ୟବସ୍ଥା ଧାରୀ’ମାନେ ଖସିଯିବା ଉଚିତ ନୁହେଁ। ଥାନା ଆଇଆଇସି, ଅତିରିକ୍ତ ଏସପି, ଜିଲ୍ଲା ଏସପି, ଜିଲ୍ଲାପାଳ, ଜିଲ୍ଲାର ଶିକ୍ଷା ଅଧିକାରୀ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ବୃନ୍ଦ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ, ଦେଶର ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ-ରାଜ୍ୟ ଶିକ୍ଷା ବିଭାଗର ଅଧିକାରୀ ଏମାନେ ସମସ୍ତେ କାହିଁକି ଚୁପ ରହିଲେ ?
ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାର ଦାୟିତ୍ଵ କ’ଣ ଏମାନଙ୍କର ସମସ୍ତଙ୍କର ଦରମା ଭିତରେ ଆସୁନାହିଁ କି ? କ’ଣ କରୁଥିଲେ ଏମାନେ ? ନା, ଅଭିଯୋଗର ଟ୍ଵିଟ- ଖବରକାଗଜରେ ଓ ଟିଭିର ଖବର ଏମାନଙ୍କୁ କାହାରିକୁ ଦେଖାଗଲାନି ?
ଜଣେ ଯଦି କେହି ହସ୍ତକ୍ଷେପ କରିଥାନ୍ତେ ତାହାହେଲେ କ’ଣ ଗୋଟିଏ ସଂଘର୍ଷରତ ଉଚ୍ଚଶିକ୍ଷିତା ଝିଅର ପ୍ରାଣ ଜଳି ଜଳି ଚାଲିଯାଇଥାନ୍ତା କି ? ତାହାହେଲେ ଏମାନେ ସମସ୍ତେ ଦାୟୀ ହେବେନି କାହିଁକି? ଗଣତନ୍ତ୍ରରେ ନିର୍ବାଚିତ ଶାସକଙ୍କୁ ଚଳାଇବାର ଦାୟିତ୍ଵ ପ୍ରଶାସନିକ ବ୍ୟବସ୍ଥାର। ସରକାର ଆସନ୍ତି-ଯାଆନ୍ତି । ପ୍ରଶାସନିକ ବ୍ୟବସ୍ଥା ଥାଏ। ବ୍ୟବସ୍ଥା ହିଁ କାର୍ଯ୍ୟ କରେ। ତାହା ହେଲେ ଏଠି ବ୍ୟବସ୍ଥା ନିରବିଗଲା କାହିଁକି ? କ’ଣ ପାଇଁ ତଳୁ-ଉପର ସମଗ୍ର ବ୍ୟବସ୍ଥାଟି ଅନ୍ଧ- ମୁକ-ବଧୂର ପାଲଟିଗଲା ସୌମ୍ୟାଶ୍ରୀଙ୍କ ପାଇଁ ? ବିଭାଗ-ଅଧିକାରୀ-ନିର୍ଦ୍ଦେଶାଳୟ ଯଦି ଅଭିଯୋଗ ଶୁଣିଥାଆନ୍ତେ ତେବେ ନ୍ୟାୟ ମିଳିଥାନ୍ତା ନିଶ୍ଚୟ।
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ, ସାଂସଦ ବିଧାୟକ କିଛି କହିଲେ ନାହିଁ ବା କଲେ ନାହିଁ ବୋଲି କ’ଣ ଆଇଆଇସି, ଏସପି, ଜିଲ୍ଲାପାଳ, ଶିକ୍ଷାର ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ନିରବରେ ବସିଗଲେ କି ? କ’ଣ ପାଇଁ ? ସବୁ ଘଟଣାର ସମାଧାନ ବା ନ୍ୟାୟ କ’ଣ ରାଜନୀତିରେ ହିଁ ହେବ। ତାହା ହେଲେ ଏତେବଡ଼ ବ୍ୟବସ୍ଥା ରହିଛି କ’ଣ ପାଇଁ? ଧଳାହାତୀ ପୋଷା ହେଉଛନ୍ତି କାହିଁକି ? ଲୋକଙ୍କ ପଇସାରେ କ’ଣ ଅୟସ ଲାଗି?
Also readhttps://purvapaksa.com/why-people-change-the-govt/
