ପାକିସ୍ତାନ ପାଇଁ ସାମରିକ ଶାସନ କିଛି ନୁଆ ନୁହେଁ । ଏହାର ଇତିହାସରେ ଅନେକ ଥର ସେନା ଜେନରାଲ କ୍ଷମତା ଦଖଲ କରିଛନ୍ତି । ଆଉ ଯଦି କେବେ କୌଣସି ଜେନରାଲ କ୍ଷମତା ଦଖଲ କରି ନାହାନ୍ତି ତେବେ ସେ ରିମୋଟରେ ସରକାର ଚଳାନ୍ତି । ଏବେ ପୁନର୍ବାର ଯେଉଁଭାବେ ଫିଲ୍ଡ ମାର୍ଶାଲ ହୋଇଥିବା ଆସିମ ମୁନିରଙ୍କ ହାତରେ କ୍ଷମତା ଆସୁଛି ଏବଂ ସେ ଲୋକପ୍ରିୟ ହେଉଛନ୍ତି, ତାହା ଦେଖି ଲାଗୁଛି ଯେ ପାକିସ୍ତାନ ଆଉ ଏକ ନରମ ଅଭ୍ୟୁତ୍ଥାନର ସାକ୍ଷୀ ହେବାକୁ ଯାଉଛି। କେବଳ ଦେଖିବାକୁ ହେବ ଯେ ଏହା କିପରି ଘଟୁଛି ଏବଂ ଏହାର କ୍ଷତି କାହାର ହେଉଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅବସ୍ଥା ଦେଖି ସ୍ପଷ୍ଟ ଲାଗୁଛି ଯେ ଦେଶର ନେତୃତ୍ୱ ତାଙ୍କ ହାତରେ ଥିଲେ ମଧ୍ୟ ତାଙ୍କର ନିୟନ୍ତ୍ରଣ ନାହିଁ। ଏବେ ତ ଆନୁଷ୍ଠାନିକ ଗସ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବଦଳରେ ସେନା ମୁଖ୍ୟ ଯାଉଛନ୍ତି। ତେବେ କ’ଣ ମୁନିରଙ୍କ ରାଜ୍ୟଭିଶେକ ପାଇଁ କେବଳ ଶୁଭମୁହୁର୍ତ୍ତର ଅପେକ୍ଷା କରାଯାଉଛି?
ଅପରେସନ ସିନ୍ଦୁରରେ ଭାରତଠାରୁ ହାରିବା ପରେ ଆସିମ ମୁନିର ଓ ଶେହବାଜ ଶରିଫଙ୍କୁ ପ୍ରକୃତ ପରିସ୍ଥିତି କ’ଣ ଭଲ ଭାବେ ଜଣାଅଛି । ଏପରି ପରିସ୍ଥିତିରେ ସେନା ମୁଖ୍ୟ ଆସିମ ମୁନିର ଶେହବାଜଙ୍କ ହାତରୁ ପ୍ରାୟ ସମସ୍ତ କ୍ଷମତା ନିଜ ହାତକୁ ନେଇଛନ୍ତି। ଜୁନ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ଓଭାଲ ଅଫିସରେ ଦୁଇ ଘଣ୍ଟା ଧରି ପାକିସ୍ତାନୀ ସେନାମୁଖ୍ୟଙ୍କ ସହ ବୈଠକ କରି, ତାଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରି ଇରାନ ବିରୁଦ୍ଧରେ ପାକିସ୍ତାନର ସମର୍ଥନ ମାଗିଥିଲେ। ରୋଚକ କଥା ହେଉଛି, ସାଧାରଣତଃ ଏପରି ନୀତି ଦୁଇ ଦେଶର ଶୀର୍ଷ ନେତାମାନେ ନିର୍ଦ୍ଧାରଣ କରନ୍ତି, କିନ୍ତୁ ଏଠାରେ ଏହି କାର୍ଯ୍ୟ ସୈନ୍ୟ ମୁଖ୍ୟ କରିଥିଲେ। ଏହାଠାରୁ ହିଁ ଅନୁମାନ କରାଯାଉଥିଲା ଯେ ପାକିସ୍ତାନରେ କ୍ଷମତାର କେନ୍ଦ୍ର ଏବେ ବଦଳି ଯାଇଛି।
ଶେହବାଜ ଶରିଫଙ୍କ ଆତ୍ମସମର୍ପଣ
ମେ ୨୦୨୫ରେ ଶେହବାଜ ଶରିଫ ଆସିମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ପ୍ରଦାନ କରିଥିଲେ। ଏହା ପୂର୍ବରୁ କେବଳ ଥରେ ଆୟୁବ ଖାନଙ୍କୁ ଏହି ପଦବୀ ଦିଆଯାଇଥିଲା। ଏହା ବଦଳରେ ଶେହବାଜ ଶରିଫ ନିଜର ପ୍ରଧାନମନ୍ତ୍ରୀ ପଦକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ଏବେ ତ ଆନୁଷ୍ଠାନିକ ଗସ୍ତରେ ମଧ୍ୟ ଆସିମ ମୁନିର ରାଜକୀୟ ସୁବିଧା ସହିତ ଯାଉଛନ୍ତି, ପ୍ରଧାନମନ୍ତ୍ରୀ ଶେହବାଜଙ୍କ ନାମ ମଧ୍ୟ ଉଲ୍ଲେଖ ହେଉନାହିଁ। ନିକଟରେ ମୁନିରଙ୍କ ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ଗସ୍ତର ଚର୍ଚ୍ଚା ହେଉଛି, ଯେଉଁଠାରେ ସେ ରାଜକୀୟ ପ୍ରସ୍ତୁତି ସହିତ ଗସ୍ତ କରୁଛନ୍ତି।
ପାକିସ୍ତାନରେ କ’ଣ ପୁଣି ସେନା ବିଦ୍ରୋହ ?
ଶେହବାଜ ଶରିଫ ନିଜର ପଦକୁ ସୁରକ୍ଷିତ ରଖିବାରେ ବ୍ୟସ୍ତ, କିନ୍ତୁ ଯଦି ଜେନେରାଲ ଆସିମ ମୁନିରଙ୍କ ନଜର ପ୍ରକୃତରେ ଇସଲାମାବାଦ ଉପରେ ଅଛି, ତେବେ ସବୁଠାରୁ ସହଜ ଲକ୍ଷ୍ୟ ହେଉଛନ୍ତି ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀ, ଯାହାଙ୍କୁ ଏକ ନରମ ବିଦ୍ରୋହ ଜରିଆରେ ହଟାଇ ସେ ପଦ ଦଖଲ କରିପାରନ୍ତି। ଯଦିଓ ଶେହବାଜ ଶରିଫ କହିଛନ୍ତି ଯେ ମୁନିରଙ୍କୁ ଏହି ପଦର କୌଣସି ଇଚ୍ଛା ନାହିଁ, କିନ୍ତୁ ଇତିହାସ କହୁଛି ଯେ ଯେତେବେଳେ ସୈନ୍ୟ ମୁଖ୍ୟଙ୍କୁ ଫିଲ୍ଡ ମାର୍ଶାଲ ପଦ ମିଳିଛି, ସେତେବେଳେ ପାକିସ୍ତାନରେ ସେ କ୍ଷମତା ଦଖଲ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ମଧ୍ୟ ଜଣା।
ଆସିମ ମୁନିର କାହିଁକି ଏତେ ଶକ୍ତିଶାଳୀ?
ପାକିସ୍ତାନୀ ସେନାମୁଖ୍ୟ ଆସିମ ମୁନିର ପାକିସ୍ତାନ ସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି, , ତାହା ଡିଜି ଆଇଏସଆଇ ହେଉ, ଡିଜି ମିଲିଟାରୀ ଇଣ୍ଟେଲିଜେନ୍ସ, କୋର କମାଣ୍ଡର ହେଉ କିମ୍ବା ଏବେ ସୈନ୍ୟ ମୁଖ୍ୟ। ମେ-ଜୁନ ମାସରେ ସେ ଶେହବାଜ ଶରିଫଙ୍କ ସହ ଅନେକ ଦେଶର ଉଚ୍ଚସ୍ତରୀୟ ଗସ୍ତରେ ସାମିଲ ଥିଲେ, କିନ୍ତୁ ତା’ପରେ ସେ ଏକାକୀ କୂଟନୀତିକ ଗସ୍ତ ଆରମ୍ଭ କରିଛନ୍ତି। ୧୦ ଜୁଲାଇରେ ପାକିସ୍ତାନ ସେନା ମୁନିରଙ୍କ ଆମେରିକା ଗସ୍ତ ଉପରେ ଆନୁଷ୍ଠାନିକ ବିବୃତି ଜାରି କରିଥିଲା, ଯାହା ସାଧାରଣତଃ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟ। ମୁନିରଙ୍କ ଏହି ‘ଫିଲ୍ଡ ମାର୍ଶାଲ କୂଟନୀତି’ ଏକ ଅଘୋଷିତ ସାମରିକ ବିଦ୍ରୋହ ପରି ଲାଗୁଛି।
Also Readhttps://purvapaksa.com/pm-narendra-modi-gave-a-clear-message-to-the-opposition/
