Animal-man fight in Odisha : ତଥ୍ୟ ଅନୁସାରେ ଭାରତରେ ୨୦୨୨ରେ ୧୪୩ ବାଘ ମରିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି।
ଅବୈଧ ବନ୍ୟଜନ୍ତୁ ଶିକାର ବୃଦ୍ଧି ସମସ୍ୟାର ନିରାକରଣ ଯେକୌଣସି ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ୱାନ। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ପ୍ରତିବିଧାନ ସତ୍ତ୍ବେ ଦେଶର ବିଭିନ୍ନ ଅଞ୍ଚଳରେ ବାଘ ଓ ହାତୀଙ୍କ ଶିକାର ତଥା ଅପମୃତ୍ୟୁ ବଢ଼଼ୁଛି। ଚୋର, ଶିକାରୀ ଓ ସେମାନଙ୍କ ଗୁପ୍ତ ଗୋଷ୍ଠୀଙ୍କ ଲୋଲୁପ ଦୃଷ୍ଟିକୁ ଛାଡ଼ି ଦେଲେ ମଧ୍ୟ ବାଘ ଓ ହାତୀମାନେ ଅନେକ ସମୟରେ ଜନବସତି ମଧ୍ୟକୁ ପଶି ଆସି ଘଟଣାଚକ୍ରରେ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି। ପଶୁ-ମଣିଷ ଲଢ଼େଇ ଏକ ପ୍ରାଚୀନ କ୍ରିୟା-ପ୍ରତିକ୍ରିୟା। ସଚେତନତା ସୃଷ୍ଟି ତଥା ଦୃଢ଼ ଆଇନକାନୁନ ସତ୍ତ୍ବେ ଏହାକୁ ସମ୍ପୂର୍ଣ୍ଣ ରୋକିବା ଏ ଯାଏଁ ସମ୍ଭବ ହୋଇପାରିନାହଁ।
ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସମାଜ(ଡବ୍ଲ୍ୟୁପିଏସ୍ଆଇ)ର ତଥ୍ୟ ଅନୁସାରେ ଭାରତରେ ୨୦୨୨ରେ ୧୪୩ ବାଘ ମରିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି। ମରିଥିବା ଏ ସବୁ ବାଘ ମହାବଳ ପ୍ରଜାତିର। ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ତଥ୍ୟ ଅନୁସାରେ ଚଳିତ ବର୍ଷର ମହାବଳ ବାଘ ମୃତ୍ୟୁ ସଂଖ୍ୟା ୧୬୮ ବୋଲି କୁହାଯାଉଛି। ତା’ଛଡ଼ା ୨୦୨୩ରେ ଦେଶରେ କଲରାପତରିଆ ବାଘ ମୃତ୍ୟୁ ସଂଖ୍ୟା ୫୪୪ ବୋଲି ଡବ୍ଲୁପିଏସ୍ଆଇ ରିପୋର୍ଟରେ ଉଲ୍ଲେଖ ଅଛି। ସରକାରୀ ଓ ବେସରକାରୀ ରିପୋର୍ଟରେ ତଥ୍ୟଗତ ବିଷମତା ରହିବ ଏବଂ ଏହାର କାରଣ ଅନେକ। ତେବେ ସେ ଯାହା ହେଉ ଦେଶରେ ବାଘ ମୃତ୍ୟୁ ସଂଖ୍ୟା ବଢ଼଼ୁଛି। ଉଲ୍ଳେଖନୀୟ ହେଉଛି ଯେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଭଳି ବାଘବହୁଳ ଅଞ୍ଚଳରେ ଏହି ସଂଖ୍ୟା ଅଧିକ।
ଭାରତରେ ମହାବଳ ବାଘଙ୍କ ସଂଖ୍ୟା ଗଣନା ତଥ୍ୟ ଅନୁସାରେ ୩୬୮୨। ଚାରିବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୨୪ ଶତାଂଶ ବଢ଼଼ିଛି। ସାରା ବିଶ୍ୱରେ ଯେତେସଂଖ୍ୟକ ମହାବଳ ବାଘ ଅଛନ୍ତି ତାହାର ୭୫ ଭାଗ ଭାରତରେ। ଭାରତ ସରକାରଙ୍କ ‘ପ୍ରୋଜେକ୍ଟ ଟାଇଗର’ର ଏହା ଯେ ଏକ ବଡ଼ ସାଫଲ୍ୟ ଏହାକୁ ଅସ୍ୱୀକାର କରିହେବ ନାହିଁ। ତେବେ ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ମହାବଳ ବାଘଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ ହେବା ମଧ୍ୟ ନିଶ୍ଚିତ ଏକ ଉଦ୍ବେଗର ବିଷୟ। ସେମିତି ହାତୀ-ମଣିଷ ଲଢ଼େଇ ମଧ୍ୟ ଏକ ଚିନ୍ତାଜନକ ପରିସଂଖ୍ୟାନ ଉପସ୍ଥାପନ କରୁଛି। ବିଗତ ତିନିବର୍ଷ ମଧ୍ୟରେ ୩୦୦ ହାତୀଙ୍କୁ ଦେଶରେ ଶିକାର କରାଯାଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ହାତୀ ଆକ୍ରମଣରେ ମରିଛନ୍ତି। ଏବେ ଭାରତରେ ପ୍ରାୟ ୩୦ ହଜାର ହାତୀ ଅଛନ୍ତି ଓ ଏହା ବିଶ୍ୱର ମୋଟ ଏସୀୟ ହାତୀ ପ୍ରଜାତିର ୬୦ ଶତାଂଶ।
ଓଡ଼ିଶାରେ ମହାବଳ ବାଘ ସଂଖ୍ୟା ସରକାରୀ ଗଣନା ଅନୁସାରେ ୨୦। ସେଥିମଧ୍ୟରୁ ଅଧିକାଂଶ ଶିମିଳିପାଳରେ ଅଛନ୍ତି। ତେବେ ଏହି ତଥ୍ୟକୁ ନେଇ ଅସହମତି ରହିଛି ଏବଂ ପ୍ରକୃତ ବାଘ ସଂଖ୍ୟା ଅଧିକ ହୋଇପାରେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିଭଳି ଓଡ଼ିଶାରେ ହାତୀଙ୍କ ସଂଖ୍ୟା ଶେଷ ଗଣନା ୨୦୧୭ ଅନୁସାରେ ୧୯୭୬। ଏହି ସଂଖ୍ୟା ଏବେ ବଢ଼଼ି ଥାଇପାରେ। ତେବେ ଓଡ଼ିଶାରେ ବିଗତ ୮ ବର୍ଷ ମଧ୍ୟରେ ୬୯୮ ହାତୀ ଓ ୭ ଟି ମହାବାଳ ବାଘଙ୍କର ମୃତ୍ୟୁ ଘଟିଛି ବୋଲି ଜଙ୍ଗଲ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ସରକାରୀ ହେଉ ବା ବେସରକାରୀ ଯେକୌଣସି ପରିସଂଖ୍ୟାନରେ ହାତୀ ଓ ବାଘ ମୃତ୍ୟୁ ସମ୍ପର୍କରେ ଯେଉଁ ସଂଖ୍ୟା ଦିଆଯାଉଛି ତାହା ଶତ ପ୍ରତିଶତ ଠିକ୍ ହେବ ବୋଲି କୁହାଯାଇପାରିବ ନାହିଁ। କାରଣ ଏଥିରେ ଶିକାର ଓ ଅପ୍ରାକୃତିକ ପଶୁ ମୃତ୍ୟୁର ସବିଶେଷ ବିବରଣୀ କ୍ୱଚିତ ଥାଏ। ଖବରକାଗଜ ରିପୋର୍ଟ ଅନୁସାରେ ଓଡ଼ିଶାରେ ଉଭୟ ବାଘ ଓ ହାତୀ ଶିକାର ବଢ଼଼ୁଛି। ତେଣୁ ଜଙ୍ଗଲ ବଭାଗ ବିଶେଷକରି ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ଚାପରେ ରହିବା ସ୍ୱାଭାବିକ। କଲରାପତରିଆ ବାଘଙ୍କ ଶିକାର ମଧ୍ୟ ମାତ୍ରାଧିକ ହେଉଛି। କାରଣ ସେମାନଙ୍କ ସଂଖ୍ୟା ରାଜ୍ୟରେ ଅପେକ୍ଷାକୃତ ଅଧିକ।
ଭାରତରେ ଥିବା ମୋଟ କଳାବାଘ(ମେଲାନିଷ୍ଟିକ୍ ଟାଇଗର)ଙ୍କ ସଂଖ୍ୟା ମାତ୍ର ୧୦। ଉଲ୍ଲେଖନୀୟ ହେଉଛି ଏ ସବୁ ମହାବଳ ପ୍ରଜାତିର କଳାବାଘଙ୍କ ନିବାସ ହେଉଛି ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ। ଏକଥା ରାଜ୍ୟସଭାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସୂଚନା ଦେଇଛନ୍ତି। ଶିମିଳିପାଳ ଟାଇଗର ପ୍ରୋଜେକ୍ଟରେ ଥିବା ସବୁ ବାଘ ଓଡ଼ିଶା ଓ ଦେଶର ସମ୍ପଦ ହେଲେ ମଧ୍ୟ ଏମାନେ ଗୁଣସୂତ୍ର ଦୃଷ୍ଟିରୁ ଅଧିକ ବିପଦାପନ୍ନ। ବିଶେଷଜ୍ଞଙ୍କ ମତରେ ଟ୍ରାନ୍ସମେମ୍ବରାନ୍ସ ଆମିକୋପେପ୍ଟିଡେସ୍ କ୍ୟୁ ଜିନ୍ର ଏକକ ବିଭାଜନ (ସିଙ୍ଗଲ ମ୍ୟୁଟେସନ୍) ଘଟିଲେ ବାଘଙ୍କ ରଙ୍ଗ କଷରା କିମ୍ବା କଳା ହୋଇଥାଏ ଏବଂ ଏହା ମହାବଳ ପ୍ରଜାତିଙ୍କ ମଧ୍ୟରେ ଦେଖାଯାଏ। ପ୍ରକଳ୍ପ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିବେଶରେ ଥିବା ଶିମିଳିପାଳ ଏହି ବାଘ ଅନ୍ୟ ବାଘଙ୍କ ସଂସ୍ପର୍ଶରେ ଆସୁ ନ ଥିବାରୁ ସେମାନଙ୍କର ମିଳନରେ ଗୁଣସୂତ୍ର ପ୍ରବାହ(ଜିନ୍ ଫ୍ଲୋ) ଅତ୍ୟନ୍ତ ସୀମିତ। ତେଣୁ ଇନବ୍ରିଡିଂ(ଅନ୍ତଃପ୍ରଜନନ) ଯୋଗୁଁ ଜନ୍ମ ନେଉଥିବା ଏହି ପ୍ରଜାତିର ବାଘ ଗୁଣସୂତ୍ର ଦୌର୍ବଲ୍ୟ ଓ ପ୍ରାକୃତିକ କାରଣରୁ ଶୀଘ୍ର ବିଲୁପ୍ତ ହେବାର ଆଶଙ୍କା ଅଧିକ। ତେଣୁ ପ୍ରକଳ୍ପ କର୍ତ୍ତୃପକ୍ଷ ଏଥିପ୍ରତି ସଚେତନ ହୋଇ କାର୍ଯ୍ୟ କରିବା ଜରୁରୀ।
ଶେଷ କଥା ହେଲା ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ଓଡ଼ିଶା ସରକାର କେତେକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ଶାରେ ଜଙ୍ଗଲର ଅନୁପାତ ରାଜ୍ୟର ମୋଟ କ୍ଷେତ୍ରଫଳର ୩୭.୩୪%। ସେଥିମଧ୍ୟରୁ ଘନଜଙ୍ଗଲର ଅନୁପାତ ପ୍ରାୟ ୫୦ ଭାଗ। ଜାତୀୟ ତାଲିକାରେ ଜଙ୍ଗଲ ଅଞ୍ଚଳରେ ଓଡ଼ିଶା ତୃତୀୟ। ତେଣୁ ଓଡ଼ିଶାର ବନ୍ୟଜନ୍ତୁଙ୍କ ସଂଖ୍ୟା ଅଧିକ ହେବା ସ୍ୱାଭାବିକ। କେଇମାସ ତଳେ ଓଡ଼ିଶା ସରକାର ବନରକ୍ଷୀ ଓ ଜଙ୍ଗଲ କର୍ମଚାରୀଙ୍କୁ ବନ୍ଧୁକ ବା ଅନ୍ୟ ଅଗ୍ନେୟାସ୍ତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଏହାର ବ୍ୟବହାର ପାଇଁ ଆଇନଗତ ଅଧିକ ପ୍ରଦାନ କରିଥିଲେ। ଏଥିପାଇଁ ସମ୍ପୃକ୍ତ ଆଇନରେ ସଂଶୋଧନ କରାଯାଇଥିଲା। ଗୁଳି ଚଳାଇବା ବା ଆକ୍ରମଣକାରୀଙ୍କୁ ରୋକିବାକୁ ଜଙ୍ଗଲ କର୍ମଚାରୀ ଗୁଳି ଚଳାଇବା ପାଇଁ ପୂର୍ବରୁ ପୁଲିସର ଅନୁମତି ନେବାର ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିଲା। ରାଜ୍ୟ ଜଙ୍ଗଲ ବିଭାଗ ୧୫୫୦ଟି ଏଭଳି ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର କିଣିବାକୁ ବରାଦ ଦେଇଛି, ଯେଉଁଥିରେ ୯ ଏମଏମ୍ ଅଟୋମେଟିକ୍ ପିସ୍ତଲ୍, ସାଧାରଣ ପିସ୍ତଲ, ୫.୫୬ ଏମଏମ୍ ଏକ୍ସ କାଲିବର ରାଇଫଲ୍ ତଥା ପିଏନଜି ଗନ୍ ରହିଛି। ସେଥିରୁ ସର୍ବାଧିକ ୧୨୮ ବନ୍ଧୁକ ଶିମିଳିପାଳ କର୍ମଚାରୀଙ୍କୁ ଦିଆଯିବ। ବିଭିନ୍ନ ରାଙ୍କ ବନକର୍ମଚାରୀଙ୍କୁ ମଧ୍ୟ ସେମାନଙ୍କ ପଦବୀ ଅନୁସାରେ ଏହି ଅସ୍ତ୍ର ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।
ବିଳମ୍ବରେ ହେଉ ପଛେ ଓଡ଼ିଶା ସରକାରଙ୍କ ଏହା ଏକ ଭଲ ଓ ସମୟୋପଯୋଗୀ ନିଷ୍ପତ୍ତି। ଶିକାରୀ ଓ ଜଙ୍ଗଲ ମାଫିଆମାନେ ଅତ୍ୟାଧୁନିକ ଚୋରା ଅସ୍ତ୍ରରେ ସଜ୍ଜିତ ହୋଇ ପଶୁ ଶିକାର ଓ ବନଜାତ ଦ୍ରବ୍ୟ, କାଠ ଆଦି ଲୁଟ୍ କରୁଥିବା ବେଳେ ବିଭାଗୀୟ କର୍ମଚାରୀମାନେ ଠେଙ୍ଗା ଧରି ସେମାନଙ୍କର ବିଫଳ ମୁକାବିଲା କରିବାକୁ ବାଧ୍ୟ ହେଉଥିଲେ। ଏବେ ଅନ୍ତତଃ ସେମାନେ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଲଢ଼େଇ ପାଇଁ ସମର୍ଥ ହୋଇପାରିବେ। କେବଳ ବନ୍ଧୁକ ବା ଅସ୍ତ୍ରଶସ୍ତ୍ର ନୁହେଁ। ଜଙ୍ଗଲ ତଥା ବନ୍ୟଜନ୍ତୁ ସୁରକ୍ଷା ପାଇଁ ବହୁମୁଖୀ ପଦକ୍ଷେପ ଲୋଡ଼ା। କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ ଗମନାଗମନ ସୁବିଧା ବଢ଼଼ାଇବା, ଜଙ୍ଗଲ ସନ୍ନିକଟ ଲୋକଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ସୁରକ୍ଷା କାଳରେ ବିନିଯୋଗ କରିବା ଏବଂ ଚୋରାବେପାରୀ ଓ ଶିକାରୀଙ୍କ ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ସେଥିମଧ୍ୟରୁ ଅନ୍ୟତମ। ଜଙ୍ଗଲ ବିଭାଗ କ୍ରମଶଃ ଏ କ୍ଷେତ୍ରରେ ଅଧିକ ସକ୍ରିୟ ହେବା ନିଶ୍ଚିତ ସ୍ୱାଗତଯୋଗ୍ୟ।
Also readhttps://purvapaksa.com/status-of-agriculture-in-coastal-odisha/
