ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଘୋଷ ହେଉଛନ୍ତି ପ୍ରକୃତ ଦୋଷୀ। ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାର ବିଚାର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ମହାବିଦ୍ୟାଳୟରେ ଆଇସିସି ଗଠନ ହେବା କଥା। ସେହି ଅନୁସାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗତ ମେ ମାସ ୧୫ ତାରିଖରେ କଲେଜକୁ ଚିଠି କରିଥିଲା। ମାତ୍ର ପୂର୍ବତନ ଅଧ୍ୟକ୍ଷ ସେହିଭଳି କୌଣସି କମିଟି ଗଠନ ପାଇଁ ଆଦୌ ଉଦ୍ୟମ କରିନଥିଲେ। ଛାତ୍ରୀ ନିର୍ଯାତନା ଘଟଣାର ତଦନ୍ତ ପୁଲିସ ହାତକୁ ଚାଲିଯିବା ଭୟରେ ସେ ଆଇସିସି ତଦନ୍ତ କଥା କହିଦେଇଥିଲେ। ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଇଁ ପୁଲିସ ଉଚିତ ମଣିନଥିଲା। ତେଣୁ ପୂର୍ବତନ ଅଧ୍ୟକ୍ଷଙ୍କ ୫ଦିନରେ ରିପୋର୍ଟ ପ୍ରଦାନ କଥା ବିଶ୍ୱାସକୁ ନେଇଥିଲା ପୁଲିସ। ଚାପରେ ଅତି ତରବରିଆ ଭାବେ ପୂର୍ବତନ ଅଧ୍ୟକ୍ଷ ଜୁଲାଇ ୧ ତାରିଖ ଦିନ ତାଙ୍କର ଘନିଷ୍ଠତା ଥିବା ଅଧ୍ୟାପକମାନଙ୍କୁ ନେଇ କମିଟି ଗଠନ କରିଦେଇଥିଲେ। କମିଟିରେ ଜଣେ ନାରୀ ସମସ୍ୟା ବିଶେଷଜ୍ଞ ବା ଆଇନଜ୍ଞ ଅଥବା ସାମାଜିକ କର୍ମୀଙ୍କୁ ସଦସ୍ୟ ଭାବେ ରଖାଯିବା ନିୟମ ଥିବାରୁ ସ୍ଥାନୀୟ ନାରୀ ସଂଘର ସଭାନେତ୍ରୀଙ୍କୁ ପୂର୍ବତନ ଅଧ୍ୟକ୍ଷ ବାଛିଥିଲେ। ଏଥିରେ ଗଣତାନ୍ତ୍ରିକ ପଦ୍ଧତିରେ ତିନିଜଣ ଛାତ୍ରଛାତ୍ରୀଙ୍କୁ ବାଛିବା ନିୟମ ଥିବା ସତ୍ତ୍ୱେ ବିଭିନ୍ନ ବିଭାଗର ୩ଜଣଙ୍କୁ ଚୟନ କରାଯାଇଥିଲା। + ୩ ତୃତୀୟ ବର୍ଷର ଜନୈକ ଛାତ୍ରଙ୍କୁ ଅଧ୍ୟକ୍ଷ ପ୍ରଥମେ କମିଟିରେ ସ୍ଥାନ ଦେଇଥିଲେ। ମାତ୍ର ଗୋଟିଏ ଦିନ ପରେ ତାଙ୍କ ବଦଳରେ ଆଉ ଜଣଙ୍କୁ କମିଟିରେ ସ୍ଥାନିତ କରିଥିଲେ, ଯାହାର କାରଣ ପୂର୍ବତନ ଅଧ୍ୟକ୍ଷ କାହାକୁ ଜଣାଇନଥିଲେ ।
ୟୁଜିସିର ନିୟମ ଅନୁସାରେ ଜଣେ ବରିଷ୍ଠ ମହିଳା କର୍ମଚାରୀ କମିଟିର ଅଧ୍ୟକ୍ଷ ହେବା ନିମୟାନୁସାରେ କଲେଜର ସାଇକୋଲୋଜି ବିଭାଗ ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଜୟଶ୍ରୀ ମିଶ୍ରଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରଯାଇଥିଲା। ସେହିପରି ଫିଜିକ୍ସ ବିଭାଗ ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୌସୁମୀ ଦାସ ପଟ୍ଟନାୟକ ଓ ଇଂରାଜୀ ବିଭାଗର ଆସିଷ୍ଟ ପ୍ରଫେସର ଡକ୍ଟର ମୀନତି ସେଠୀଙ୍କୁ ଅଧ୍ୟାପନାମଣ୍ଡଳୀରୁ ସଦସ୍ୟା ଭାବେ ଚୟନ କରାଯାଇଥିଲା। ଗୋଟିଏ ସୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଖଣ୍ଡ କ୍ଷମତା ଉପଭୋଗ କରୁଥିବାବେଳେ ବିନା ଯୋଗ୍ୟତାରେ ବିଭାଗ ମୁଖ୍ୟ ପାଲଟିଥିବା ଆସିଷ୍ଟାଣ୍ଟ ପ୍ରଫେସରମାନଙ୍କ ସ୍ୱର ଉତ୍ତୋଳନ କରିବାର ସାହାସ ବା କେଉଁଠାରୁ ଆସିବ? କମିଟିର ଅଧ୍ୟକ୍ଷା ଡକ୍ଟର ମିଶ୍ର ସାଇକୋଲୋଜି ବା ମନସ୍ତାତ୍ଵିକ ବିଭାଗର ପ୍ରାଧ୍ୟାପକ। ଅପାତତଃ ଜଣକଙ୍କ ମାନସିକ ସ୍ଥିତି ବୁଝିବାରେ ସେ ପାରଙ୍ଗମ ହେବା କଥା।
ତଥାପ ସେ କାହିଁକୁ ଛାତ୍ରୀଟିର ଅଭିଯୋଗକୁ ଗୁରୁତ୍ୱ ଦେଇ ପାରିଲେ ନାହିଁ ? ଏହା ଇଚ୍ଛାକୃଚ ନା ଅବହେଳା ? କମିଟି ଅଧ୍ୟକ୍ଷା ଡକ୍ଟର ମିଶ୍ର ଓ ଅନ୍ୟ ଜଣେ ସଦସ୍ୟା ଡକ୍ଟର ସେଠୀ ମହିଳା ହୋଇଥିଲେ ବି ଅଧ୍ୟକ୍ଷଙ୍କ କଥାରେ ପଡି ପ୍ରଭାବିତ ହୋଇଥିବା ଶୁଣାଯାଏ । ମାତ୍ର ପୂର୍ବରୁ କେକେଏସ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଫିଜିକ୍ସ ବିଭାଗ ମୁଖ୍ୟ ଶ୍ରୀମଚୀ ଦାସ ପଟ୍ଟନାୟକ ଯେ ଜଣେ ଛାତ୍ରୀଙ୍କ ବିରୋଧରେ ଯାଇ ବିଇଡି ଏଚଓଡିଙ୍କୁ କ୍ଲିନ ଚିଟ୍ ଦେଲେ ତାହା ଆଶ୍ଚର୍ଯ୍ୟଜନକ।
ଉଚ୍ଚ ଶିକ୍ଷିତ ହୋଇ ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଧ୍ୟାପକମାନେ ଶିକ୍ଷାଦାନ ପାଇଁ ଆଦୌ ନୈତିକତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ଅଣ ଶିକ୍ଷକ ବର୍ଗରୁ କଲେଜର ବରିଷ୍ଠ କିରାଣୀ ପ୍ରଭାତ କୁମାର ମହାରଣା ଓ ଷ୍ଟାଟିଷ୍ଟିକ୍ ବିଭାଗ ଲାବୋରେଟୋରୀ ଆସିଷ୍ଟାଣ୍ଟ ବନ୍ଦିତା ପରିଡ଼ା ସଦସ୍ୟ ହୋଇଥିଲେ। କନିଷ୍ଠ ବର୍ଗର ଚାକିରିଆ ଭାବେ ଅଧ୍ୟକ୍ଷଙ୍କ ନିକଟରେ ଶରଣାପନ୍ନ ହେବା ମଧ୍ୟ ସ୍ୱାଭାବିକ। ଛାତ୍ରୀଟିର ସମ୍ମାନ ଓ ଜୀବନଠାରୁ ତାଙ୍କ ଚାକିରୀକୁ ସେମାନେ ପ୍ରାଥମିକତା ଦେଇଥିବା ଆଲୋଚନା ହେଉଛି। ତେବେ ସବୁଠାରୁ ବଡ଼ କଥା ହେଉଛି, ସର୍ବଦା ନାରୀଙ୍କ ସୁରକ୍ଷା ଓ ସାର୍ଥରକ୍ଷାର ଢିଣ୍ଡିମ ପିଟୁଥିବା ବାଲେଶ୍ଵର ନାରୀ ସଂଘର ସଭାନେତ୍ରୀ ମଧ୍ୟ ଛାତ୍ରୀର ଆତ୍ମସମ୍ମାନକୁ କେମିତି ଜଳାଞ୍ଜଳି ଦେଲେ। ପୀଡ଼ିତା ବିଦ୍ୟାର୍ଥୀ ପରିଷଦର ସଦସ୍ୟା ହୋଇଥିବାରୁ ସେ ବି ନିଜ ହିତାହିତ ଜ୍ଞାନ ଭୁଲିଗଲେ କି? ଯାହା ଶୁଣାଯାଏ, ଆଇସିସି ସଦସ୍ୟମାନଙ୍କୁ ପ୍ରଭାବିତ କରିବାରେ ତାଙ୍କର ଭୂମିକା ମଧ୍ୟ ବେଶ୍ ଗୁରୁତ୍ଵପୂର୍ଣ୍ଣ ।
ଶେଷରେ ୟୁଜିସି ନିୟମ ଅନୁଯାୟୀ କମିଟିରେ ଏମବିଏ ବିଭାଗ ଛାତ୍ରୀ ରୋଜାରାଣୀ ମହାନ୍ତି, ସ୍ନାଚକ ବିଭାଗ ଛାତ୍ରୀ ଅନନ୍ୟା ମିଶ୍ର ଓ କଳା ବିଭାଗ ଛାତ୍ର ଚନ୍ଦ୍ରକାନ୍ତ ଦାସ ପ୍ରମୁଖଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ହେଲେ ଗୋଟିଏ ଦିନ ପରେ ଚନ୍ଦ୍ରକାନ୍ତ ଦାସଙ୍କୁ ଅଧ୍ୟକ୍ଷ କମିଟିରୁ ନିଷ୍କାସିତ କରି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଛାତ୍ରୀଙ୍କୁ ନେଇଥିଲେ। ଅନ୍ୟପକ୍ଷରେ ନୂଚନ ଭାବେ ଗଠିତ ଆଇସିସି ପକ୍ଷରୁ ନିର୍ଦ୍ଧାରିତ ୫ ଦିନ ମଧ୍ୟରୁ ମାତ୍ର ଗୋଟିଏ ଦିନ ବୈଠକ ହୋଇଥିବାବେଳେ କାଗଜପତ୍ରରେ ୩ ଦିନ ବୈଠକ ବାବଦରେ ଦର୍ଶାଯାଇଥିବା ଜଣାପଡ଼ିଛି । ସେଥିରେ ପୁଣି ୬୦ଜଣ ଛାତ୍ରଛାତ୍ରୀଙ୍କ ମତାମତ ରେକର୍ଡଭୁକ୍ତ ହୋଇଥିବାବେଳେ ବିଇଡି ବିଭାଗର ଜଣେ ହେଲେ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ବାବଦରେ ଆଦୌ ପଚରା ଯାଇନଥିବା ଜଣାପଡ଼ିଛି।
ସେହିପରି ପୀଡିତା ଛାତ୍ରୀଙ୍କ ବାପା ଦେଇଥିବା ବୟାନକୁ କମିଟିର ସଦସ୍ୟଙ୍କୁ ନ ଦେବା ଓ ରିପୋର୍ଟରେ ସେହି ବୟାନକୁ ଅନ୍ତର୍ଭୁକ୍ତ ନ କରିବା ଭଳି ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିଲା। ଅପରନ୍ତୁ ରିପୋର୍ଟରେ ଛାତ୍ରୀ ନିର୍ଯ୍ୟାଚନା ବିରୋଧରେ କେବଳ ଏଚଓଡିଙ୍କ ସର୍ବଗୁଣ ସମ୍ପନ୍ନ ଚରିତ୍ର ଚିତ୍ରଣ ହୋଇଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଜଣକ ଆତ୍ମାହୁତି ଦେବା ପୂର୍ବରୁ ଅଧ୍ୟକ୍ଷଙ୍କୁ ରିପୋର୍ଟ ବାବଦରେ ପଚାରିଥିଲେ। ଅଧ୍ୟକ୍ଷ ସେଠାକୁ ଛୁଟିରେ ଥିବା ଅଭିଯୁକ୍ତ ଏଚଓଡିଙ୍କୁ ଡକାଇଥିଲେ ଦୁହେଁ ମିଶି ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ଦେଇଥିଲେ। ପରେ ଗଣମାଧ୍ୟମ ସାମନାରେ ଅଭିଯୁକ୍ତ ଏଚଓଡି କଲେଜରେ ଉପସ୍ଥିତ ନ ଥିବା କହୁଥିଲେ ବି ପରେ ତାଙ୍କୁ ସେ ଡାକିଥିବା ମାନିଯାଇଥିଲେ। ତେଣୁ ସବୁ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଘଟଣାରେ ପୂର୍ବତନ ଅଧ୍ୟକ୍ଷ ସାମିଲ ଥିବାନେଇ ପୁଲିସ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
Also Readhttps://purvapaksa.com/the-victim-face-a-political-conspiracy/
The victim face a political conspiracy।। ରାଜନୀତିର ଶିକାର ହେଲେ ପୀଡ଼ିତା
