ସବୁଜିମା, ଅନୁକୂଳ ପାଣିପାଗ ବେଙ୍ଗାଲୁରୁକୁ କରିଛି ସ୍ୱଚ୍ଛ, ସୁଦ୍ଧ
ସୁରକ୍ଷିତ ଜୀବନ ପାଇଁ ଲୋଡ଼ା ସ୍ୱଚ୍ଛ ଜଳବାୟୁ। ନିଃଶ୍ୱାସରେ ଶୁଦ୍ଧ ସ୍ୱଚ୍ଛ ବାୟୁ ଶରୀରରେ ପ୍ରବେଶ କଲେ ମଣିଷ ସୁସ୍ଥ ରହିବ। ମାତ୍ର ଦିଲ୍ଳୀ ଓ ନିକଟସ୍ଥ ଉତ୍ତରଭାରତର ଅନ୍ୟାନ୍ୟ ସହରର ଅବସ୍ଥା ସଙ୍କଟାପନ୍ନ। ଏଠାକାର ବାୟୁ ପ୍ରଦୂଷିତ ହୋଇସାରିଛି। ବିନା ମାସ୍କରେ ଘରୁ ବାହାରିବା ହୋଇଛି କଷ୍ଟକର। କିନ୍ତୁ ଦକ୍ଷିଣ ଭାରତ ସମ୍ପୁର୍ଣ୍ଣ ବିପରୀତ। ଏଠାକାର ଜଳବାୟୁ ସ୍ୱଚ୍ଛ ଓ ଶୁଦ୍ଧ। ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରର ବାୟୁ ମଣ୍ଡଳ ସ୍ୱଚ୍ଛତାରେ ଉତ୍ତର ଭାରତର ସହରମାନଙ୍କ ଠାରୁ ବେଶ ଆଗେର।
ବେଙ୍ଗାଲୁରୁରେ ଉପଲବ୍ଧ ବାୟୁର ସ୍ୱଚ୍ଛତା ଏକ୍ୟୁଆଇ-୫୦ ଥିବାବେଳେ ଦିଲ୍ଲୀ ସମ୍ପୂର୍ଣ୍ଣ ବିପରୀତ। ଦିଲ୍ଲୀର ପ୍ରଦୂଷଣ ସଙ୍କଟ ଭୟଙ୍କର, ଏଠାକାର ଏକ୍ୟୁଆଇ ସ୍ତର ବର୍ତ୍ତମାନ ୩୯୬ରେ ପହଞ୍ଚି ସାରିଛି।
ଧୂଆଁ ଋତୁରେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ବାସିନ୍ଦାଙ୍କପାଇଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଯାଉଛି। ଠିକ ସେହିସମୟରେ ବେଙ୍ଗାଲୁରୁ ସହର ଲୋକଙ୍କୁ ସ୍ୱଚ୍ଛ ବାୟୁ ଏବଂ ନୀଳ ଆକାଶର ଅଭୟାରଣ୍ୟ ପ୍ରଦାନ କରୁଛି । ନଭେମ୍ବର ୧୫ସୁଦ୍ଧା ବେଙ୍ଗାଲୁରୁ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମାତ୍ର ୫୦ (ଉନ଼୍ନତ) ରହିଛି। ଅନ୍ୟତ୍ର ବିପଜ୍ଜନକ ପ୍ରଦୂଷଣ ସ୍ତରରୁ ବର୍ତ୍ତିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସହର ପୁଣି ଥରେ ଏକ ପସନ୍ଦର ସ୍ଥାନ ଭାବେ ଉଭା ହୋଇଛି।
ଅନ୍ୟପକ୍ଷରେ ଦିଲ୍ଲୀ ଏବେ ବି ପ୍ରଦୂଷଣ ସଙ୍କଟର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏକ୍ୟୁଆଇ ସ୍ତର କ୍ରମାଗତ ଭାବେ ‘ଗମ୍ଭୀର’ ଓ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ନଭେମ୍ବର ୧୫ ରେ ସହରରେ ହାରାହାରି ଏକ୍ୟୁଆଇ-୩୯୬ (‘ଅତ୍ୟନ୍ତ ଖରାପ’) ରେକର୍ଡ କରାଯାଇଛି। ଅଲିପୁର (୪୩୩), ଆନନ୍ଦ ବିହାର (୪୩୬) ଓ ଅଶୋକ ବିହାର (୪୩୮) ଭଳି ନିର୍ଦ୍ଦିଷ୍ଟ ଅଞ୍ଚଳର ବାୟୁ ଆହୁରି ଭୟଙ୍କର।
ଏହି ପରିସ୍ଥିତି ଦିଲ୍ଲୀ ସରକାରଙ୍କୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ତୃତୀୟ ପର୍ଯ୍ୟାୟ ଲାଗୁ କରିବାକୁ ବାଧ୍ୟ କରିଛି। ପୁରୁଣା ପେଟ୍ରୋଲ ଓ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା, ନିର୍ମାଣ ଉପରେ କଟକଣା ଏବଂ ସରକାରୀ କାର୍ଯ୍ୟାଳୟ ର ସମୟ କୁ ନିୟନ୍ତ୍ରଣ କରିବାଭଳି ପଦକ୍ଷେପ ନିଆଯାଇଛି । ଏସବୁ ପ୍ରୟାସ ସତ୍ତ୍ୱେ ଧୂଆଁ ସହରକୁ କବଳିତ କରିବାରେ ଲାଗିଛି ଏବଂ ଏହି ସମୟ ମଧ୍ୟରେ ଦିଲ୍ଲୀ ଭାରତରେ ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଛି।
ପ୍ରଦୂଷଣ ସଙ୍କଟ କେବଳ ଦିଲ୍ଲୀରେ ସୀମିତ ନାହିଁ। ଚଣ୍ଡୀଗଡ଼ ପରି ନିକଟବର୍ତ୍ତୀ ଅଞ୍ଚଳ ଏବଂ ନୋଏଡ଼ା ଏବଂ ଗୁରୁଗ୍ରାମ ଭଳି ସହରମଧ୍ୟ ସଂଘର୍ଷ କରୁଛନ୍ତି, ନଭେମ୍ବର ୧୫ରେ ଚଣ୍ଡୀଗଡ଼ରେ ବାୟୁ ସ୍ତର ହାରାହାରି ଏକ୍ୟୁଆଇ ୩୦୯, ନୋଏଡ଼ାରେ ୩୧୬ ଏବଂ ଗୁରୁଗ୍ରାମରେ ୩୦୪ ରହିଛି। ସମସ୍ତେ ‘ଅତ୍ୟନ୍ତ ଖରାପ’ ବର୍ଗରେ ଅଛନ୍ତି।
ଅପରପକ୍ଷରେ ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ଦକ୍ଷିଣ ଭାରତୀୟ ସହରରେ ଯଥାକ୍ରମେ ୫୦ ଓ ୪୫ ଏକ୍ୟୁଆଇ ଥିବା ବେଳେ ଉଭୟ ‘ଉନ୍ନତ’ ବର୍ଗରେ ରହିଛି। ହାଇଦ୍ରାବାଦ, ମୁମ୍ବାଇ ଏବଂ ଅହମ୍ମଦାବାଦ ଭଳି ଅନ୍ୟ ଅନ୍ୟ ସହର ବାୟୁସ୍ତର ଏକ୍ୟୁଆଇ ‘ମଧ୍ୟମ’ ରୁ ‘ଦୁର୍ବଳ’ ପର୍ଯ୍ୟନ୍ତ ରହିଛି।
ବେଙ୍ଗାଲୁରୁର ବିଜୟ ଫର୍ମୁଲା
ବେଙ୍ଗାଲୁରୁ ସହରର ପର୍ଯ୍ୟାପ୍ତ ସବୁଜିମା, ଅନୁକୂଳ ପାଣିପାଗ ପରିସ୍ଥିତି ଏବଂ ତୁଳନାତ୍ମକ ଭାବରେ କମ୍ ଶିଳ୍ପ ନିର୍ଗମନ ବାୟୁ ଗୁଣବତ୍ତାକୁ ଉନ୍ନତ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ବେଙ୍ଗାଲୁରୁର ସକ୍ରିୟ ସହରୀ ଯୋଜନା ଏବଂ ଜନସଚେତନତା ଅଭିଯାନ ପ୍ରଦୂଷଣ ସ୍ତରକୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରିପୋର୍ଟରେ କୁହାଯାଇଛି।
previous article:https://purvapaksa.com/1500-kg-buffalo-eats-20-eggs-a-day-it-is-worth-23-crore/
