ଗଣତାନ୍ତ୍ରିକ ପରିବେଶର ବିଧିବ୍ୟବସ୍ଥା ଭିତରେ ସରକାର ବଦଳିଥାଏ। ଲୋକମାନେ ବିକଳ୍ପ ଖୋଜନ୍ତି। ଯେଉଁ ଦଳ ଲୋକମାନଙ୍କୁ ତାଙ୍କ ଇଚ୍ଛା ମୁତାବକ ପ୍ରତିଶ୍ରୁତି ଦିଏ ତାଙ୍କୁ ଲୋକମାନେ ସରକାର ଭାବେ ବାଛନ୍ତି। ଭାରତୀୟ ଗଣତନ୍ତ୍ରରେ ପ୍ରତି ୫ ବର୍ଷରେ ଥରେ ନାଗରିକଙ୍କୁ ଏପରି ସୁଯୋଗ ମିଳେ। ଓଡ଼ିଶାର ରାଜନୀତିକ ଇତିହାସରେ ୨୦୨୪କୁ ମିଶାଇ ୧୭ ଥର ବିଧାନସଭା ଗଠନ ହୋଇଛି। ଅର୍ଥାତ୍ ୧୯୫୨ ପରେ ୧୭ ଥର ନିର୍ବାଚନ ହୋଇଛି। ତଥାପି ସରକାରଙ୍କ ବିରୋଧରେ ଲୋକଙ୍କ କ୍ରୋଧ, ରୋଷ ବିଭିନ୍ନ କାରଣ ଯୋଗୁ ହୋଇ ଆସିଛି। ଏଥିରୁ ବିଜୁ ବାବୁ ବାଦ୍ ପଡ଼ି ନାହାନ୍ତି କି ଜାନକୀ ବାବୁ। ଏପରିକି ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଭଳି ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ହେମାନନ୍ଦ ବିଶ୍ୱାଳ, ବିନାୟକ ଆଚାର୍ଯ୍ୟଙ୍କ ଭଳି ସ୍ୱଳ୍ପଦିନ ମୁଖ୍ୟମନ୍ତ୍ରୀତ୍ୱ ସମ୍ଭାଳିଥିବା ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି।
ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ନିରଙ୍କୁଶ ଶାସନକୁ ଅନ୍ତ କରି ନୂଆକରି ଓଡ଼ିଶା ଶାସନରେ ପାଦ ରଖିଥିବା ମୋହନ ଚରଣ ମାଝୀଙ୍କ ସରକାର ମଧ୍ୟ ସମାନ ଢଙ୍ଗରେ ରାଜ୍ୟବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏଇ ଅଳ୍ପଦିନର ଶାସନରେ ମଧ୍ୟ ବିଭିନ୍ନ ଅଞ୍ଚଳରୁ ତାଙ୍କ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। କିନ୍ତୁ କାହିଁକି?
ସମ୍ବିଧାନ ପ୍ରଣୟନ ପରେ ସରକାର ଗଠନର କ୍ଷମତା ନାଗରିକଙ୍କୁ ମିଳିବା ପରେ ଆମେ ଆମ ରାଜ୍ୟରେ ୧୭ଥର ନିର୍ବାଚନରେ ଅଂଶଗ୍ରହଣ କରିଛୁ। କେତେବେଳେ ଆମଦ୍ୱାରା ସର୍ବାଧିକ ଜନମତ ପାଇଥିବା ଦଳ ସରକାର ଗଠନ କରିଛି, ତ କେତେବେଳେ ଅନ୍ୟସହ ମେଣ୍ଟ କରି ସରକାର ଗଠିତ ହୋଇଛି। ପୁଣି ଏଇ ୭୩ ବର୍ଷର ସାମ୍ବିଧାନିକ ଯାତ୍ରାରେ ୬ ଥର ଦଳଗୁଡ଼ିକ ସରକାର ଚଳାଇବାରେ ଅସମର୍ଥ ହେବାରୁ ରାଷ୍ଟ୍ରପତି ଶାସନ ହାତକୁ ନେଇଛନ୍ତି।
ଏ ସରକାର ଗଠନରେ କିନ୍ତୁ ଗୋଟିଏ କଥା ପ୍ରାୟ ସମାନ ରହିଛି ତାହା ହେଲା ଦଳ ଯିଏ ବି ଶାସନକୁ ଆସୁ, ନେତା ଯିଏ ବି ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ, ସେ ଯେତେ ଭୋଟ୍ ପାଇଥାଆନ୍ତୁ ନା କହିଁକି, ତାଙ୍କର ଯେତେ ସମର୍ଥନ ଥାଉ ପଛେ, ସେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଜନତା ତାଙ୍କ ଉପରେ ତାତିଛନ୍ତି। ସମର୍ଥନ ପ୍ରତ୍ୟାହାର କରିଛନ୍ତି, କାଠଗଡ଼ାରେ ଠିଆ କରିଛନ୍ତି।
ଆଜି ସେଇ କାଠଗଡ଼ାରେ ଠିଆ ହୋଇଛନ୍ତି ମୋହନ ମାଝୀଙ୍କ ସରକାର। ୨୪ ବର୍ଷର ନିରନ୍ତର ଶାସନ କରି ଆସୁଥିବା ଏକ ଆଞ୍ଚଳିକ ଦଳକୁ ହରାଇ ବିଜେପି ଯେତେବେଳେ ସରକାର ଗଢ଼ିଛି, ତାହାକୁ ନେତୃତ୍ୱ ଦେଉଛନ୍ତି ମୋହନ ମାଝୀ। ଆଉ ଏବେ ତାଙ୍କ ସରକାରଙ୍କ ବିରୋଧରେ ଅଭିଯୋଗ ହେଉଛି ବିଜେପି ନେତୃତ୍ୱ ରାଜ୍ୟର ପ୍ରଶାସନକୁ ଚଳାଇପାରୁ ନାହାନ୍ତି। ବାରମ୍ବାର ଅଫିସର ଅଦଳବଦଳ କଲେ ମଧ୍ୟ ଅଧିକାରୀ ଦାୟିତ୍ୱ ନେଇପାରୁ ନାହାନ୍ତି। ଏପରିକି ଯେଉଁ ବିଷୟରେ ସେମାନେ ଦିନେ ବିଜୁ ଜନତା ଦଳକୁ ସମାଲୋଚନା କରି ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି ସେହି ମୌଳିକ ସମସ୍ୟାକୁ ମଧ୍ୟ ଭୁଲି ଯାଇଛନ୍ତି। ଅର୍ଥାତ୍ ଲୋକଙ୍କ ସେବାରେ ଆସିପାରୁ ନାହାନ୍ତି ସରକାର। କହିବାକୁ ଗଲେ ବିଜେପି ସରକାରର ବୋଲ ମାନୁ ନାହାନ୍ତି ଅଫିସର।
୧୨ ତାରିଖରେ ବାଲେଶ୍ୱରର ଝିଅ ତଥା ଫକୀରମୋହନ ଅଟୋନମସ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅନୁରୋଧ, ଯୁକ୍ତି, ତଥ୍ୟ ଓ ଚେତାବନୀ ସତ୍ତ୍ୱେ ସରକାରୀ କଳ, ଦଳ, ମନ୍ତ୍ରୀ ଓ ନେତା ଚୁପ ରହିଲେ। ଏପରିକି ଛାତ୍ରୀଙ୍କ କଥାକୁ କେହି ଧ୍ୟାନ ଦେଲେ ନାହିଁ। ଫଳରେ ଆଜି ସୌମ୍ୟାଶ୍ରୀ ଏ ଦୁନିଆରେ ନାହାନ୍ତି। ତାଙ୍କୁ ନେଇ ବିରୋଧୀ ଦଳମାନେ ଆଜି ବିକ୍ଷୋଭ କରୁଛନ୍ତି। ଟେଲିଭିଜନ୍ ଗଣମାଧ୍ୟମର ସମୟ ନେଉଛନ୍ତି। ଆସନ୍ତା କାଲି ତାହା ଖବରକାଗଜ ବି ମଣ୍ଡନ କରିବ।
ପୂର୍ବରୁ ବିଜେପି ବିରୋଧୀ ଦଳରେ ଥିବାବେଳେ ଏମିତି ଅନେକ ଘଟଣାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତାଲିକା କଲେ ଏହା ଅନେକ ଲମ୍ବା ହେବ। ସେଥିରେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀ ବି ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏପରିକି ଜଣେ ମନ୍ତ୍ରୀଙ୍କୁ ମଧ୍ୟ ଷଡ଼ଯନ୍ତ୍ର ପୂର୍ବକ ହତ୍ୟା କରାଯାଇଥିବା ବି ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଏଯାଏ ଶେଷ ହୋଇ ନାହିଁ।
ଏ ନଥିକୁ ଓଲଟାଇଲେ, ଆଜି ଯେଉଁ ନେତା ଲୋକସେବା ଭବନ ଫାଟକ ପାଖରେ ଟିୟର ଗ୍ୟାସ ଓ ପାଣି ମାଡ଼ ଖାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ବି ରହିଛି। କୁହାଯାଏ ବେଆଇନ ଲୌହପଥର ଚୋରାଚାଲାଣ କରିବାରେ ତାଙ୍କ ନାଁ ରହିଛି। ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାରେ ସେ ସମ୍ପୃକ୍ତ ରହିଛନ୍ତି ବୋଲି ଅଭିଯୋଗ ଆଜିଯାଏ ହେଉଛି। କିନ୍ତୁ ଏଯାଏ ତାହାର ପ୍ରମାଣ ମିଳି ନାହିଁ। ନୟାଗଡ଼ରେ ପରି ବୋଲି ଗୋଟିଏ ଛୋଟିଆ କନ୍ୟା ସନ୍ତାନର ହତ୍ୟା ପଛରେ ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ, ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ହାତ, ମମିତା ମେହେର ହତ୍ୟାକାଣ୍ଡରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ହାତଥିବା ଅଭିଯୋଗ ହୋଇଥିଲା। ଖାଲି ସେତିକି ନୁହେଁ ଏହିସବୁ ଅଭିଯୋଗକୁ ନେଇ ରାଜ୍ୟ ଉଠୁଥିଲା ପଡ଼ୁଥିଲା। ଏହା ପୂର୍ବରୁ ପିପିଲି ହତ୍ୟାକାଣ୍ତ ବି ଅନେକ ଚହଳ ପକାଇଥିଲା।
ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ପୋଟ୍ରୋଲ ଢାଳି ପୋଡ଼ି ମାରିବା ମାମଲାରେ ଅଭିଯୁକ୍ତକୁ ବିଜେଡିର ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀ ସମର୍ଥନ କରିଥିଲେ। ତାଙ୍କୁ ହତ୍ୟା କରାଯିବା ପୂର୍ବରୁ ସେ ମଧ୍ୟ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଥିଲେ ହେଁ ତାଙ୍କୁ ଭେଟିବାର ସୁଯୋଗ ମିଳିନଥିଲା। ଇତିଶ୍ରୀ ତାଙ୍କ ମୃତ୍ୟୁକାଳୀନ ଜବାନବନ୍ଦୀରେ ତାଙ୍କ ମୃତ୍ୟୁ ପାଇଁ ନବୀନ ପଟ୍ଟନାୟକଙ୍କ ଅଫିସ ଦାୟୀ ବୋଲି କହିଛନ୍ତି।
ସର୍ବଶେଷ ଘଟଣାକ୍ରମେ ଝାରସୁଗୁଡ଼ାର ବିଧାୟକ ତତ୍କାଳୀନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଉପରୁ ବି ପର୍ଦ୍ଦା ଉଠିପାରିନାହିଁ। ଏସବୁ ରାଜନୀତିକ ବ୍ୟାକ୍ତିଙ୍କ ସମ୍ପୃକ୍ତି ଥିବା ମାମଲା ଥିଲା। ହେଲେ ସରକାରୀ କଳ ଉପରେ ଥିବା ସରକାରୀ ଦଳର ଚାପ ଏସବୁକୁ ଅମୀମାଂସିତ କରି ରଖିଛି।
ହେଲେ ଆଜି ଯେଉଁ ଦୁର୍ଘଟଣା ଲାଗି ସାରାରାଜ୍ୟ ପଡ଼ୁଛି ଉଠୁଛି ତାହା ହେଲା ସରକାରୀ କଳ ଓ ଦଳର ଉଦାସୀନତା। ଗୁଇନ୍ଦାଗିରିର ଅଭାବ। ଆତ୍ମବିଭୋର ସରକାରଙ୍କ ଅନାଗ୍ରହତା। ଏମିତି ଉଦାସୀନତା ଭିତରେ ଦିନେ ବହୁମତ ଥିବା କଂଗ୍ରେସ ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରୁ ହାତ ଉଠାଇ ଦେଇଥିଲା। ଏମିତି ସରକାରୀ କଳ ଓ ଦଳର ଉଦାସୀନତା ଯୋଗୁ ନବକୃଷ୍ଣ ଚୌଧୁରୀ ରାଜନୀତି ଛାଡ଼ି ଆଶ୍ରମ ପଳାଇଥିଲେ। ତଥାପି କ’ଣ ସରକାର ଶିଖିପାରୁନି? ୭୩ ବର୍ଷ ଭିତରେ ଯଦି ଆମେ ନିଜ ଦାୟିତ୍ୱକୁ ଜାଣିପାରିଲେ ନାହିଁ, ଶିଶୁ, ଯୁବକ, ମହିଳା, ଛାତ୍ରୀଙ୍କୁ ଏଥିଲାଗି ବଳିଦାନ ଦେବାକୁ ପଡ଼ିବ ତେବେ ଏପରି ସରକାର ଥାଇ ଲାଭ କ’ଣ? ଏହାଠୁ ଭଲ ତ ଆମେ ଦେଖି ନ ଥିବା ବ୍ରିଟିଶ୍ ଶାସନ ବା ରାଜତନ୍ତ୍ର ଥିଲା, ନୁହେଁକି?
ଏସବୁ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ହେଉଛି ସରକାରୀ କଳକୁ, ଦଳକୁ ଓ ସରକାରଙ୍କୁ ସୁଧାରିବା। ସବୁଠାରୁ ଉର୍ଦ୍ଧ୍ୱରେ ଆପଣମାନଙ୍କ ମତାମତ, ନୁହେଁକି?
Also readhttps://purvapaksa.com/bjd-stages-massive-protest-outside-odisha-secretariat/
