ପଟେଲଙ୍କ ଦେହାନ୍ତ ପରେ ପରିବାରର ଖବର ନେଇନଥିଲେ ନେହେରୁ !
୧୫ ଡିସେମ୍ବର ୧୯୫୦, ସକାଳ ୯ଟା ୩୦ ମିପିଟ୍। ବିରଲା ଭବନ,ମୁମ୍ବାଇ। ଯାହା ଅନେକ ଦିନ ଧରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଠିକଣା ଥିଲା,ସେଠାରେ ପଟେଲ ଏକ ବଡ଼ ହୃଦ୍ଘାତରେ ପୀଡ଼ିତ ହୋଇଥିଲେ। ଲୌହମାନବଭାବେ ପରିଚିତ ସର୍ଦ୍ଦାର ପଟେଲ ସେହି ହୃଦ୍ଘାତରୁ ବଞ୍ଚି ପାରିନଥିଲେ । ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାୟତଃ କୁହାଯାଏ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀଭାବେ ପ୍ରସ୍ତୁତ କରୁଥିଲେ। କିନ୍ତୁ ପଟେଲ ନିଜ ସନ୍ତାନଙ୍କୁ ସେମିତି କୌଣସି ରାଜନୈତିକ ଲକ୍ଷ୍ୟ ପାଇଁ ପ୍ରସ୍ତୁତ କରୁନଥିଲେ। ତେବେ ସତ କ’ଣ ? କାରଣ ଯଦିଓ ପଟେଲଙ୍କ ଜୀବଦ୍ଦସାରେ ତାଙ୍କର ପୁଅ ଓ ଝିଅଙ୍କ ମଧ୍ୟରୁ କେହି ମଧ୍ୟ ରାଜନୀତିକୁ ଆସିନଥିଲେ,ତେବେ ତାଙ୍କ ପରେ ସେମାନେ ରାଜନୀତିକୁ ଆସିଥିଲେ। ପୁଅ ଓ ଝିଅ ସାଂସଦ ମଧ୍ୟ ହୋଇଥିଲେ। କିନ୍ତୁ ବାପାଙ୍କ ଭଳି ସଫଳତା ପାଇନଥିଲେ,ଯେମିତି ସଫଳତା ନେହେରୁ ପରିବାରର ଇନ୍ଦିରା,ରାଜୀବ ପାଇଥିଲେ। ତେବେ ଏହାର କାରଣ କ’ଣ ଥିଲା?
ଗାନ୍ଧୀଙ୍କ ପାଇଁ ହୋଇପାରିନଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ
୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିଆଡ଼ରେ ସର୍ଦ୍ଦାର ପଟେଲଙ୍କର ଜନ୍ମ ହୋଇଥିଲା। ଦେଶର ନାମିଦାମୀ ଓକିଲଙ୍କ ମଧ୍ୟରେ ସାମିଲ ଥିବା ପଟେଲ ବର୍ଦ୍ଦୋଳି କୃଷକ ଆନ୍ଦୋଳନ ପରେ ଦେଶର ରାଜନୈତିକ ଦୃଶ୍ୟପଟରେ ଚମକି ଥିଲେ। ପଟେଲ ଦୃଢ଼ମନା ଥିଲେ। ଯେଉଁଥିପାଇଁ ଦେଶ ତାଙ୍କୁ ଲୌହମାନବର ଉପାଧି ଦେଇଥିଲା। ସ୍ୱାଧିନତା ପାଇବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। କଂଗ୍ରେସର ପ୍ରଥମ ପସନ୍ଦ ଥିଲେ ପଟେଲ। କିନ୍ତୁ ମହାତ୍ମା ଗାନ୍ଧୀଙ୍କର ପସନ୍ଦ ଥିଲେ ନେହେରୁ। ଏମିତି ଦେଶର ପ୍ରଧାନମନ୍ତ୍ରୀ ହେଉ ହେଉ ରହିଯାଇଥିଲେ ପଟେଲ। ପଟେଲ କଂଗ୍ରେସ ସମ୍ଭାଳନ୍ତୁ ଓ ନେହେରୁ ଦେଶ ସମ୍ଭାଳନ୍ତୁ ବୋଲି ଗାନ୍ଧୀ ଚାହୁଁଥିଲେ। ପଟେଲ ନିଜ ରାଜନୈତିକ ଗୁରୁଙ୍କ ଆଦେଶକୁ ଗ୍ରହଣ କରିନେଇଥିଲେ। କାଶ୍ମୀର ଆଦି ପ୍ରସଙ୍ଗରେ ପଟେଲ ଓ ନେହେରୁଙ୍କ ମତପାର୍ଥକ୍ୟ ଥିଲା। କିନ୍ତୁ ମନାନ୍ତର ନ ଥିଲା।
ପଟେଲଙ୍କ ପରେ ରାଜନୀତିରେ ପରିବାର
ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓ ଝିଅ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କ ଝିଅ ଦୀର୍ଘ ସମୟ ଧରି କଂଗ୍ରେସ ସାଂସଦ ଥିଲେ। ପରେ ସେ ମୋରାର୍ଜୀ ଦେଶାଇଙ୍କ ସହ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ। ତା’ପରେ ସେ ଜନତା ପାର୍ଟି ଟିକଟରେ ନିର୍ବାଚନ ଲଢିଥିଲେ ଏବଂ ଜିତି ଥିଲେ। ପଟେଲଙ୍କ ପରିବାର ରାଜନୀତିରେ ବହୁତ ସକ୍ରିୟ ଥିଲେ। ତାଙ୍କ ବଡ ପୁଅ ଦହୟା ମୁମ୍ବାଇ କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ଗଣା ଯାଉଥିଲେ। ଝିଅ ମଣିବେନ ପଟେଲ ରାଜନୈତିକ ମହଲରେ ଭଲ ସମ୍ପର୍କ ରଖୁଥିବା ଜଣେ ଦକ୍ଷ ରାଜନେତା ଥିଲେ।
ପଟେଲଙ୍କ ସନ୍ତାନ ରାଜନୈତିକ ଲାଭ ପାଇଁ ପିତାଙ୍କ ନାମ ବ୍ୟବହାର କରିଥିଲେ
ଏମିତି ବି ନୁହେଁ ଯେ, ପଟେଲଙ୍କ ପରେ ତାଙ୍କ ପୁଅ-ଝିଅ ରାଜନୈତିକ ପ୍ରତିପତ୍ତି ପାଇଁ ବାପାଙ୍କ ନାମ ବ୍ୟବହାର କରିନଥିଲେ । ସେମାନେ ବାପାଙ୍କ ନାମରେ ହିଁ ରାଜନୀତି କରୁଥିଲେ। ଯେପର୍ଯ୍ୟନ୍ତ ଦୁହେଁ ରାଜନୀତିରେ ସକ୍ରୀୟ ଥିଲେ,ସେ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ସର୍ଦ୍ଦାର ପଟେଲଙ୍କ ନାମରେ ଥିଲା। ୧୯୭୦ ଦଶକରେ ଉଭୟ ପଟେଲଙ୍କ ପୁଅ ଓ ଝିଅ କଂଗ୍ରେସକୁ ନେଇ ନିରାଶ ହୋଇଥିଲେ। ପଟେଲଙ୍କ ଝିଅ ମଣିବେନ ପଟେଲ ଅଧିକ ତୀବ୍ର ଏବଂ ସକ୍ରିୟ ଥିଲେ। ସେ ବହୁତ ସଚ୍ଚୋଟ ଥିଲେ । ୧୯୮୮ରେ ତାଙ୍କର ଦେହାନ୍ତ ହୋଇଥିଲା।
ପିତାଙ୍କ ମୃତ୍ୟୁ ପରେ ମଣିବେନ ନେହେରୁଙ୍କୁ ଭେଟିଥିଲେ କିନ୍ତୁ ନେହେରୁ ହାଲଚାଲ ପଚାରି ନ ଥିଲେ !
ଅମୁଲ ପ୍ରତିଷ୍ଠାତା କୁରିଆନ୍ ଭାର୍ଗସେ ତାଙ୍କ ପୁସ୍ତକରେ ମଣିବେନଙ୍କ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି, ଯେତେବେଳେ କୁରିଏନ୍ ଆନନ୍ଦରେ ଥିଲେ, ସେତେବେଳେ ସେ ପ୍ରାୟତଃ ମଣିବେନଙ୍କୁ ଭେଟୁଥିଲେ କାରଣ ମଣିବେନ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିଲେ।
କୁରିୟନ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ମଣିବେନ ସର୍ଦ୍ଦାର ପଟେଲଙ୍କ ଦେହାନ୍ତ ହେବା ପରେ ସେ ଏକ ବହି ଓ ବ୍ୟାଗ ନେଇ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ଜବାହରଲାଲ ନେହେରୁଙ୍କୁ ଭେଟିଥିଲେ। ସେ ବହି ଓ ବ୍ୟାଗକୁ ନେହେରୁଙ୍କୁ ଦେଇଥିଲେ। କାରଣ ସେଭଳି କରିବାକୁ ତାଙ୍କ ବାପା ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ବ୍ୟାଗ ଓ ବହିକୁ କେବଳ ନେହେରୁଙ୍କୁ ଦିଆଯିବ ବୋଲି ପଟେଲ ମଣିବେନଙ୍କୁ କହିଥିଲେ। ଯେଉଁ ବ୍ୟାଗ ମଣିବେନ ନେହେରୁଙ୍କ ଦେଇଥିଲେ ସେଥିରେ ୩୫ ଲକ୍ଷ ଟଙ୍କା ଥିଲା। ଯାହା ପାର୍ଟି ପାଣ୍ଠି ଥିଲା। କୁରିୟନଙ୍କ ଅନୁସାରେ ଯେଉଁ ବହି ନେହେରୁଙ୍କୁ ଦିଆଯାଇଥିଲା ତାହା ଥିଲା ସେହି ଟଙ୍କାର ହିସାବ ଖାତା।
ମଣିବେନଙ୍କ ହାଲଚାଲ ବୁଝିନଥିଲେ ନେହେରୁ
ନେହେରୁ ମଣିବେନଙ୍କଠାରୁ ଟଙ୍କା ବ୍ୟାଗ ଓ ହିସାବ ଖାତା ନେବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ କିଛି ସମୟ ନିରବତାରେ କଟିଥିଲା। ମଣିବେନ ଆଶା କରୁଥିଲେ ଯେ, ନେହେରୁ ତାଙ୍କୁ ପଚାରିବେ ପିତାଙ୍କ ମୃତ୍ୟୁ ପରେ ସେ କ’ଣ କରୁଛନ୍ତି କେମିତି ଅଛନ୍ତି। କିନ୍ତୁ ନେହେରୁ ତାଙ୍କୁ ସେମିତି କିଛି ପଚାରି ନ ଥିଲେ। ନେହେରୁଙ୍କ ନିରବତା ମଣିବେନଙ୍କ ପାଇଁ ଇଶାରା ଥିଲା। ଅଧିକ କିଛି କଥା ନ ବଢ଼ାଇ ସେ ସେଠାରୁ ଉଠି ଆସିଥିଲେ। ଏହାକୁ ନେଇ କୁରିଏନ୍ ତାଙ୍କୁ ପଚାରିଥିଲେ ଯେ, ଆପଣ ନେହେରୁଙ୍କଠାରୁ କ’ଣ ଶୁଣିବାକୁ ଆଶା କରୁଥିଲେ, ଉତ୍ତରଟି ଥିଲା- ମୁଁ ଭାବିଲି ବୋଧହୁଏ ସେ ପଚାରିବେ ମୁଁ ବର୍ତ୍ତମାନ କିପରି ଚଳୁଛି କିମ୍ବା ମୋର କୌଣସି ସାହାଯ୍ୟ ଦରକାର କି ନାହିଁ, କିନ୍ତୁ ସେ କିଛି ମଧ୍ୟ ପଚାରି ନ ଥିଲେ।
ଜୀବନର ଶେଷ ବର୍ଷରେ, ମଣିବେନଙ୍କ ଦୃଷ୍ଟି ଶକ୍ତି ବହୁତ ଦୁର୍ବଳ ହୋଇଯାଇଥିଲା । ସେ ଅହମ୍ମଦାବାଦ ରାସ୍ତାରେ ଏକୁଟିଆ ବୁଲୁଥିବାର ନଜର ଆସିଥିଲେ। ଦୁର୍ବଳ ଦୃଷ୍ଟି ଶକ୍ତି ହେତୁ ସେ ଦୁଇଥର ଝୁଣ୍ଟି ପଡ଼ିବାର ଖବର ମଧ୍ୟ ଆସିଥିଲା।
ମଣିବେନ ସ୍କୁଲ ଜୀବନରୁ ନିଜକୁ କଂଗ୍ରେସ ଏବଂ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେ ମଧ୍ୟ ଅହମ୍ମଦାବାଦରେ ଥିବା ତାଙ୍କ ଆଶ୍ରମରେ ଦୀର୍ଘ ସମୟ ରହିଲେ। ପରବର୍ତ୍ତୀ ବର୍ଷରେ ସେ ପଟେଲଙ୍କ ସହ ଦିଲ୍ଲୀରେ ରହିବାକୁ ଲାଗିଲେ। ସେ ତାଙ୍କ ପିତାଙ୍କ ଦୈନନ୍ଦିନ କାର୍ଯ୍ୟର ଯତ୍ନ ନେଉଥିଲେ ଏବଂ ତାଙ୍କୁ ବ୍ୟକ୍ତିଗତ ସଚିବ ଭାବରେ ସାହାଯ୍ୟ କରୁଥିଲେ। ତେଣୁ ପ୍ରାୟ ସମସ୍ତ କଂଗ୍ରେସ ନେତା ତାଙ୍କୁ ଭଲଭାବେ ଜାଣିଥିଲେ।
ସାଂସଦ ହେବା ସହିତ ପ୍ରଭାବଶାଳୀ ପଦବୀରେ ଅବସ୍ଥାପିତ ହୋଇଥିଲେ
ପଟେଲଙ୍କ ମୃତ୍ୟୁ ପରେ ଶିଳ୍ପପତି ବିର୍ଲା ତାଙ୍କୁ ବିର୍ଲା ହାଉସରେ ରହିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ସେତେବେଳେ ତାଙ୍କ ପାଖରେ ଅଧିକ ଟଙ୍କା ମଧ୍ୟ ନ ଥିଲା। ସେ ଅହମ୍ମଦାବାଦରେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ସେ ବସ୍ କିମ୍ବା ଟ୍ରେନରେ ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିଲେ। ପରେ କଂଗ୍ରେସ ନେତା ତ୍ରିଭୁବନ ଦାସଙ୍କ ସହାୟତାରେ ସେ ସାଂସଦ ହୋଇଥିଲେ। ସେ ଗୁଜରାଟ କଂଗ୍ରେସରେ ପ୍ରଭାବଶାଳୀ ପଦବୀରେ ରହିଥିଲେ। ସେ ଶେଷ ପର୍ଯ୍ୟନ୍ତ ଅନେକ ଅନୁଷ୍ଠାନରେ ଟ୍ରଷ୍ଟି କିମ୍ବା ପଦାଧିକାରୀ ଭାବେ ରହିଥିଲେ।
ଜନତା ପାର୍ଟି ଟିକେଟରେ ନିର୍ବାଚନ ଜିତିଥିଲେ ମଣିବେନ
ମଣିବେନ ପ୍ରଥମ ଲୋକସଭା ପାଇଁ ଗୁଜରାଟର ଦକ୍ଷିଣ କାଇରାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ତା’ପରେ ସେ ଦ୍ୱିତୀୟ ଲୋକସଭା ପାଇଁ ଆନନ୍ଦରୁ ସାଂସଦ ହୋଇଥିଲେ। ସେ ୧୯୬୪ରୁ ୧୯୭୦ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ପରେ ସେ କଂଗ୍ରେସ ଛାଡି ମୋରାଜୀ ଦେଶାଇଙ୍କ ସହ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ। ତେବେ ପରେ ସେ କଂଗ୍ରେସକୁ ଫେରି ଆସିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ସେ ପୁନର୍ବାର ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଛାଡ଼ି କଂଗ୍ରେସ ଓ’ରେ ଯୋଗ ଦେଇଥିଲେ।
୧୯୭୭ ମସିହାରେ ସେ ଜନତା ପାର୍ଟି ଟିକଟରେ ମେହସାନାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ନିର୍ବାଚିତ ହୋଇଥିଲେ। ମୋରାରଜୀ ଦେଶାଇଙ୍କଠାରୁ ତାଙ୍କର ବହୁତ ଆଶା ଥିଲା କିନ୍ତୁ କୌଣସି ଅଜ୍ଞାତ କାରଣରୁ ମୋରାରଜୀ ତାଙ୍କ ସହ ଅଜବ ବ୍ୟବହାର କରିଥିଲେ। ଯେତେବେଳେ ବି ସେ ତାଙ୍କୁ ଭେଟିବାକୁ ଯାଉଥିଲେ, ସେ ତାଙ୍କୁ ବହୁତ ଅପେକ୍ଷା କରାଉଥିଲେ।
ପୁଅ ଦହୟା ମଧ୍ୟ ଦୁଇଥର ସାଂସଦ ଥିଲେ
୧୯୭୩ ରେ ପଟେଲଙ୍କ ପୁଅ ଦହୟାଭାଇ ପଟେଲଙ୍କର ମୃତ୍ୟୁ ହୋଇଥିଲା। ଅଧ୍ୟୟନ ସମାପ୍ତ କରିବା ପରେ ସେ ମୁମ୍ବାଇର ଏକ ବୀମା କମ୍ପାନୀରେ ଭଲ ପଦବୀରେ ଯୋଗ ଦେଇଥିଲେ। ତାଙ୍କର ଦୁଇଜଣ ପୁତ୍ର ଥିଲେ- ବିପିନ ଏବଂ ଗୌତମ। ପ୍ରଥମ ପତ୍ନୀଙ୍କଠାରୁ ବିପିନ୍ ଏବଂ ଦ୍ୱିତୀୟ ପତ୍ନୀଙ୍କଠାରୁ ଗୌତମ। ପ୍ରଥମ ପତ୍ନୀ ଯଶୋଦାଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ଥର ବିବାହ କରିଥିଲେ।
ଦହୟାଭାଇ ଛାତ୍ରାଜୀବନରୁ ସ୍ୱାଧୀନତା ସଂଗ୍ରାମକୁ ଲମ୍ଫ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ସ୍ୱାଧୀନତା ପରେ ସେ ୧୯୫୭ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୬୨ରେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।
ପଟେଲ ପିଲାମାନଙ୍କୁ କାହିଁକି ରାଜନୀତିଠାରୁ ଦୂରରେ ରହିବାକୁ କହିଥିଲେ?
ସର୍ଦ୍ଦାର ପଟେଲ ନିଜ ପିଲାମାନଙ୍କୁ ରାଜନୀତିଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ସେ ଆଶଙ୍କା କରୁଥିଲେ ଯେ, ତାଙ୍କ ପିଲାମାନଙ୍କ ମାଧ୍ୟମରେ କେହି ତାଙ୍କ ପଦର ଲାଭ ଉଠାଇ ପାରନ୍ତି। ଦହୟାଭାଇଙ୍କ ବଡ଼ ପୁଅ ବିପିନ ୨୦୦୪ରେ ମୃତ୍ୟୁ ବରଣ କରିଥିଲେ। ସେମାନଙ୍କର କୌଣସି ସନ୍ତାନ ନ ଥିଲେ। ଦ୍ୱିତୀୟ ପୁଅ ଗୌତମ ଜୀବିତ ଅଛନ୍ତି। ସେ ଆମେରିକାର ବିଶ୍ୱବିଦ୍ୟାଳୟରେ କିଛିବର୍ଷ ଶିକ୍ଷାଦାନ ଜାରି ରଖିଥିଲେ ଏବଂ ପରେ ଭାରତକୁ ଫେରିଥିଲେ। ବର୍ତ୍ତମାନ ଭଦୋଦାରାରେ ରହୁଛନ୍ତି। ଗୌତମଙ୍କ ପୁଅ କେଦାର ଆମେରିକାରେ ରହୁଛନ୍ତି।
ଗୌତମ ସର୍ବସାଧାରଣରେ ତାଙ୍କ ଜେଜେବାପା ବଲ୍ଲଭଭାଇ ପଟେଲଙ୍କ ବିଷୟରେ କୌଣସି ମତାମତ ଦେବାକୁ ଚାହନ୍ତି ନାହିଁ। କାରଣ ସେ ଅନୁଭବ କରନ୍ତି ଯେ, ପଟେଲଙ୍କୁ ନେଇ ତାଙ୍କ ମତାମତକୁ ସବୁ ରାଜନୈତିକ ଦଳ ନିଜ ହିସାବରେ ବ୍ୟବହାର କରିବେ। ସେ ମଧ୍ୟ ପଟେଲଙ୍କୁ ନେଇ ହେଉଥିବା ରାଜନୀତିକୁ ନାପସନ୍ଦ କରନ୍ତି।