ନେପାଳରେ କ୍ଷମତା ପରିବର୍ତ୍ତନ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ଦେଇ ଗାଏବ ହୋଇଯାଇଛନ୍ତି । ସେନା ନିୟନ୍ତ୍ରଣରେ ଏବେ ଶାସନ । ମନ୍ତ୍ରୀଙ୍କୁ ଲୋକ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି । ଭାରତ ପାଇଁ ନେପାଳ ଭୂ-ରାଜନୈତିକ ମହତ୍ୱ ଢେର ଅଧିକ । କାରଣ ଏହା ଚୀନ୍ ଓ ଭାରତ ମଧ୍ୟରେ ଏକ ବଫର ଷ୍ଟେଟ୍ ଭାବେ କାର୍ଯ୍ୟ କରେ । ନେପାଳର ଯେଉଁ ସରକାର ଗାଦିଚ୍ୟୁତ ହୋଇଛି,ସେହି ସରକାର ଚୀନର ସଖୀ କଣ୍ଢେଇ ଥିଲା ବୋଲି ଅଭିଯୋଗ ହୁଏ । ଚୀନ ରାଷ୍ଟ୍ରଦୂତଙ୍କ ଦ୍ୱାରା ନେପାଳ ସରକାର ଚାଲୁଥିଲା ବୋଲି ଅଭିଯୋଗ ହୋଇ ଆସୁଛି । ଏସବୁ ଭିତରେ ଗୋଟିଏ କଥା ମନକୁ ଆସେ ଯେ, ନେପାଳ ଭଳି କ୍ଷୁଦ୍ର ରାଷ୍ଟ୍ର ଭାରତ ଓ ଚୀନ୍ ଭଳି ବିଶାଳ ଦେଶଙ୍କ ମଧ୍ୟରେ କେମିତି ସ୍ୱାଧିନ ହୋଇ ରହିଲା? ବିଶେଷକରି ଭାରତକୁ ୩ଶହ ବର୍ଷ ଧରି ଶାସନ କରିଥିବା ମୋଗଲଙ୍କ ଅମଳରେ ମଧ୍ୟ ହିନ୍ଦୁ ନେପାଳ କେମିତି ସ୍ୱାଧିନ ଥିଲା ? ଆସନ୍ତୁ ଜାଣିବା ଏହାର ଉତ୍ତର..
ମୋଗଲ ସାମ୍ରାଜ୍ୟ ଭାରତୀୟ ଉପମହାଦେଶର ସବୁଠାରୁ ଶକ୍ତିଶାଳୀ ଓ ସମୃଦ୍ଧ ସାମ୍ରାଜ୍ୟ ବୋଲି ବିବେଚନା କରାଯାଏ। ଶୋଡଶ ରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମୋଗଲମାନେ ପ୍ରାୟ ସମ୍ପୂର୍ଣ୍ଣ ଉତ୍ତର ଭାରତ, ବଙ୍ଗଳା, ଦକ୍ଷିଣ, ପଞ୍ଜାବ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ନିଜ ସୀମା ବିସ୍ତାର କରିଥିଲେ। ବାବରଙ୍କଠାରୁ ଔରଙ୍ଗଜେବ ପର୍ଯ୍ୟନ୍ତ ସେମାନଙ୍କର ରାଜନୈତିକ ଓ ସାମରିକ ଆଧିପତ୍ୟ ଅପାର ଥିଲା। ଏହା ସତ୍ତ୍ୱେ ଏହି ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ଯେ ନେପାଳ ପରି ଅପେକ୍ଷାକୃତ ଛୋଟ ଭୂଭାଗକୁ ମୁଗଲ ସାମ୍ରାଜ୍ୟ କାହିଁକି ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନକୁ ଆଣି ପାରିଲା ନାହିଁ? ମୁଗଲକାଳୀନ ଦଲିଲ ଏବଂ ନେପାଳ ସମ୍ବନ୍ଧୀୟ ଅଧ୍ୟୟନରୁ ଏହା ସ୍ପଷ୍ଟ ହୁଏ ଯେ ଏହା ପଛରେ ଭୌଗୋଳିକ, ରାଜନୈତିକ, ସାଂସ୍କୃତିକ ଏବଂ ସାମରିକ ଅନେକ କାରଣ ଥିଲା।
ପ୍ରାକୃତିକ ଦୁର୍ଗ ରୂପେ ନେପାଳ
ନେପାଳ ହିମାଳୟର କୋଳରେ ଅବସ୍ଥିତ। ଏଠାକାର ଭୌଗୋଳିକ ଗଠନରେ ଉଚ୍ଚ ପର୍ବତ, ସଙ୍କୁଚିତ ଖାଇ, ଗଭୀର ଉପତ୍ୟକା ଏବଂ ଘନ ଜଙ୍ଗଲ ଅଛି। ଏହା ସବୁ ନେପାଳକୁ ବାହାର ଆକ୍ରମଣରୁ ପ୍ରାୟ ପ୍ରାକୃତିକ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ଥିଲା। ବିଶେଷ ଭୌଗୋଳିକ ପରିସ୍ଥିତି ହେତୁ ଏହି ଅଞ୍ଚଳ ଉପରେ ଆକ୍ରମଣ କରିବା କାହା ପାଇଁ ସହଜ ନଥିଲା। ଯେଉଁଠାରେ ମୋଗଲ ସେନା ସମତଳ ଅଞ୍ଚଳରେ ସେମାନଙ୍କର ବିଶାଳ ଅଶ୍ୱାରୋହୀ ଏବଂ ତୋପଖାନା ଆଧାରିତ ରଣନୀତିରେ ସହଜରେ ବିଜୟ ହାସଲ କରୁଥିଲେ, ସେଠାରେ ନେପାଳର ପାହାଡ଼ିଆ ଗଠନ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ମୋଗଲଙ୍କର ବିଶାଳ ସେନା ଏବଂ ଭାରୀ ତୋପଗୁଡ଼ିକ ସଙ୍କୁଚିତ ଉପତ୍ୟକା ଓ ପାହାଡ଼ରେ ବିଫଳ ସାବ୍ୟସ୍ତ ହେଉଥିଲା। ସେମାନଙ୍କ ସୈନ୍ୟମାନଙ୍କ ପାଖରେ ଏହି ଅଞ୍ଚଳ ପାଇଁ ଯୁଦ୍ଧ କୌଶଳ ନଥିଲା।
ସମତଳ ଓ ଉର୍ବର ଅଞ୍ଚଳ ଉପରେ ଧ୍ୟାନ
ମୋଗଲଙ୍କର ଧ୍ୟାନ ଅଧିକାଂଶ ସମୟ ସମତଳ ତଥା ଉର୍ବର ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ଥିଲା। ଗଙ୍ଗା-ଯମୁନାର ଦୋଆବ, ବଙ୍ଗଳାର ଆର୍ଦ୍ର ଭୂମି, ଗୁଜରାଟ ଏବଂ ଦକ୍ଷିଣ ପରି ଅଞ୍ଚଳ ଅର୍ଥନୈତିକ ସମୃଦ୍ଧି ଓ ବାଣିଜ୍ୟିକ ଦୃଷ୍ଟିରୁ ଆକର୍ଷଣୀୟ ଥିଲା। ନେପାଳ ଅପେକ୍ଷାକୃତ କଠିନ ଭୂଗୋଳ ଏବଂ ସୀମିତ କୃଷି ଉତ୍ପାଦନ ବିଶିଷ୍ଟ ଅଞ୍ଚଳ ଥିଲା। ସେଠାରୁ ସାମ୍ରାଜ୍ୟକୁ ଧନ, କର କିମ୍ବା ସମ୍ବଳ କମ୍ ମିଳି ପାରିଥାନ୍ତା। ଐତିହାସିକ ଟଡ଼, ଯଦୁନାଥ ସରକାର ପ୍ରମୁଖ ଲେଖନ୍ତି ଯେ ଏହି କାରଣରୁ ନେପାଳ ମୋଗଲଙ୍କର ପ୍ରାଥମିକ ବିସ୍ତାର ଲକ୍ଷ୍ୟରେ କେବେ ହିଁ ନଥିଲା ।
ସେହି ସମୟରେ ନେପାଳ ଏକୀକୃତ ରାଷ୍ଟ୍ର ନଥିଲା, ବରଂ ଅନେକ ଛୋଟ ଛୋଟ ରାଜ୍ୟ ଯେମିତି କାଠମାଣ୍ଡୁ, ଭକ୍ତପୁର, ଲଲିତପୁର ଆଦିରେ ବିଭକ୍ତ ଥିଲା। ଏହି ରାଜ୍ୟଗୁଡ଼ିକ ହୁଏତ ପରସ୍ପର ମଧ୍ୟରେ ସଂଘର୍ଷରେ ରହୁଥିଲେ, କିନ୍ତୁ ବାହାର ଆକ୍ରମଣ ସମୟରେ ସାମୂହିକ ପ୍ରତିରୋଧ ଦେଖାଇବାରେ ସକ୍ଷମ ଥିଲେ। ମୁଗଲ ଦରବାରରେ ନେପାଳରୁ ହେଉଥିବା ବାଣିଜ୍ୟ, ବିଶେଷକରି ତିବ୍ବତ ପର୍ଯ୍ୟନ୍ତ ଯାଉଥିବା ବାଣିଜ୍ୟ ମାର୍ଗ ଉପରେ ଖାସ୍ ନଜର ରହୁଥିଲା। କିନ୍ତୁ ନେପାଳୀ ଶକ୍ତି ସ୍ଥାନୀୟ ଦୁର୍ଗ ଓ ପାହାଡ଼ିଆ ରାସ୍ତା ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲା। ଏହି କୁଶଳ ନୀତି ସେମାନଙ୍କୁ ବାହାର ଅଧୀନତାରୁ ରକ୍ଷା କରିଥିଲା।
ନେପାଳ ଶତାବ୍ଦୀ ଧରି ଭାରତ ଓ ତିବ୍ବତ ମଧ୍ୟରେ ବାଣିଜ୍ୟିକ ସେତୁ ରହିଆସିଛି। ଲୁଣ, ପଶମ, ମସଲା ଏବଂ ଧାତୁଗୁଡ଼ିକର ଅଦଳବଦଳ ଏଠାରୁ ହେଉଥିଲା। ମୋଗଲ ସାମ୍ରାଜ୍ୟ ତିବ୍ବତ ସହ ସିଧାସଳଖ ସମ୍ବନ୍ଧ ସ୍ଥାପନ କରି ପାରି ନଥିଲେ। ସେମାନଙ୍କୁ ନେପାଳର ରାସ୍ତା ଉପରେ ହିଁ ନିର୍ଭର କରିବାକୁ ପଡୁଥିଲା। ତେଣୁ ନେପାଳ ସହ ସଂଘର୍ଷ ଅପେକ୍ଷା ବାଣିଜ୍ୟିକ ସମ୍ବନ୍ଧ ବଜାୟ ରଖିବା ବ୍ୟବହାରିକ ନୀତି ଥିଲା। ମୋଗଲମାନେ ସେମାନଙ୍କର ଏହି ନୀତି ଉପରେ ହିଁ ଜୋର ଦେଇଥିଲେ।
ସାଂସ୍କୃତିକ ଓ ଧାର୍ମିକ ପରିଚୟ ବଜାୟ ରଖିଥିଲେ
ନେପାଳର ସମାଜ ହିନ୍ଦୁ ଓ ବୌଦ୍ଧ ପରମ୍ପରାର ମଜବୁତ କେନ୍ଦ୍ର ଥିଲା। ସେଠାକାର ଜନତା ନିଜର ସାଂସ୍କୃତିକ ଅସ୍ମିତା ସହ ଗଭୀର ଭାବେ ଜଡ଼ିତ ଥିଲେ। ମୋଗଲ ଶାସନକାଳରେ ଅକବରଙ୍କ ପରି ନୀତିଗୁଡ଼ିକ ସୁଲହ-ଏ-କୁଲ (ସର୍ବଧର୍ମ ସମଭାବ)ର ପରିବେଶ ସୃଷ୍ଟି କରିଥିଲେ ହେଁ, କିନ୍ତୁ ଔରଙ୍ଗଜେବ ପରି ଶାସକଙ୍କର ବିଚାରଧାରା ଧାର୍ମିକ ଅସହିଷ୍ଣୁତା ସହ ଜଡ଼ିତ ବୋଲି ବିବେଚନା କରାଯାଉଥିଲା।
ନେପାଳୀ ଶାସକ ଓ ପ୍ରଜାଙ୍କ ପାଇଁ କୌଣସି ବାହାର ମୁସଲମାନ ସାମ୍ରାଜ୍ୟର ଅଧୀନତା ସାଂସ୍କୃତିକ ବିପଦ ପରି ଅନୁଭବ ହେଉଥିଲା। ଏହି କାରଣରୁ ନେପାଳର ରାଜା ଓ ଶାସକମାନେ ପ୍ରତିରୋଧ ଓ ସ୍ୱଶାସନକୁ ପ୍ରାଥମିକତା ଦେଇଥିଲେ।
ମୋଗଲଙ୍କ ପାଇଁ ଯୁଦ୍ଧ ରଣନୀତି ତିଆରି କରିବା ସହଜ ନଥିଲା
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା ଯେ ମୋଗଲଙ୍କର ଶକ୍ତି ଅଶ୍ୱାରୋହୀ ସେନା ଓ ତୋପଖାନାରେ ଥିଲା। ନେପାଳର ଭୂଗୋଳ ତୋପଖାନା ପାଇଁ ଅନୁପଯୁକ୍ତ ଥିଲା। ନେପାଳୀ ଗୋରଖା ସେନାନୀ, ଯେଉଁମାନେ ଆଧୁନିକ ଇତିହାସରେ ମଧ୍ୟ ନିଜର ବୀରତ୍ୱ ପାଇଁ ପ୍ରସିଦ୍ଧ, ପାହାଡ଼ିଆ ଗରିଲା ଯୁଦ୍ଧରେ ନିପୁଣ ଥିଲେ। ମୁଗଲଙ୍କୁ ଏପରି ଯୁଦ୍ଧ ପ୍ରଣାଳୀର ଅନୁଭବ ନଥିଲା, ଏବଂ ଯଦି ସେମାନେ ନେପାଳ ଉପରେ ଅଭିଯାନ କରୁଥିଲେ ବି, ତେବେ ବଡ଼ କ୍ଷତିର ଆଶଙ୍କା ଥିଲା। ଏପରି ସ୍ଥିତିରେ ସେମାନେ ନେପାଳୀ ରାଜ୍ୟଗୁଡ଼ିକ ଉପରେ ଆକ୍ରମଣର ଇରାଦା ହିଁ ତିଆରି କରି ନଥିଲେ।
ରଣନୈତିକ ପ୍ରାଥମିକତା
କାରଣ ଆହୁରି ଅନେକ ଥିଲା। ଚ୍ୟାଲେଞ୍ଜ ବି ଥିଲା। ମୋଗଲଙ୍କର ସବୁଠାରୁ ବଡ଼ ସଂଘର୍ଷ ଅନେକ ଅନ୍ୟ ମୋର୍ଚାରେ ଥିଲା। ଉତ୍ତର-ପଶ୍ଚିମ ସୀମାରେ ଆଫଗାନ ଓ ଇରାନୀ ବିପଦ ଥିଲା ତ ଦକ୍ଷିଣ ଭାରତରେ ମରାଠା ଶାସକମାନେ ନାକରେ ଦମ କରି ରଖିଥିଲେ। ପୂର୍ବରେ ଆସାମ ଓ ବଙ୍ଗଳାର ରାଜନୈତିକ ଚ୍ୟାଲେଞ୍ଜ ଅଲଗା ଥିଲା। ଏହି ମୋର୍ଚାଗୁଡ଼ିକରେ ଲାଗାତାର ସାମରିକ ଚାପ ହେତୁ ସେମାନେ ନେପାଳ ପରି କଠିନ ଓ କମ ଲାଭଜନକ ଅଞ୍ଚଳକୁ ନିଜର ବିସ୍ତାରର କେନ୍ଦ୍ର କରିବାକୁ ଚାହୁଁ ନଥିଲେ। ସେମାନଙ୍କର ଶକ୍ତି ଦୁର୍ବଳ ହେଉଥିଲା।
ଇତିହାସରେ ଏହି କାରଣଗୁଡ଼ିକ ମଧ୍ୟ ଦିଆଯାଇଛି
ଆଇନ-ଏ-ଅକବରୀ (ଅବୁଲ ଫଜଲ)ରେ ନେପାଳର ଉଲ୍ଲେଖ ଅଛି, କିନ୍ତୁ ମୁଖ୍ୟତଃ ଏହାକୁ ବାଣିଜ୍ୟ ଓ ସାଂସ୍କୃତିକ ସମ୍ବନ୍ଧ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଜେ.ଏନ୍. ସରକାରଙ୍କର ହିଷ୍ଟ୍ରି ଅଫ୍ ଔରଙ୍ଗଜେବରେ ମଧ୍ୟ ନେପାଳ ସମ୍ବନ୍ଧରେ ଏହି ଉଲ୍ଲେଖ ମିଳେ ଯେ ଏହି ସାମ୍ରାଜ୍ୟ କେବେ ବି ମୋଗଲଙ୍କର ପ୍ରତ୍ୟକ୍ଷ ଶକ୍ତି ଅଧୀନକୁ ଆସି ନଥିଲା।
ନେପାଳୀ ଐତିହାସିକ ବାବୁରାମ ଆଚାର୍ଯ୍ୟ ଓ ଅନ୍ୟମାନଙ୍କ ଅନୁସାରେ ମଧ୍ୟ ନେପାଳ ସବୁବେଳେ ନିଜର ସାର୍ବଭୌମତ୍ୱ ବଜାୟ ରଖିଥିଲା ଏବଂ ବାଣିଜ୍ୟିକ ଚୁକ୍ତି ମାଧ୍ୟମରେ ସମ୍ବନ୍ଧ ଗଢ଼ିଥିଲା।
ଏହିପରି ନେପାଳ ମୋଗଲଙ୍କର ପ୍ରତ୍ୟକ୍ଷ ଶାସନରୁ ମୁକ୍ତ ରହିଥିଲା। ଯଦିଓ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ବନ୍ଧ ପ୍ରବଳ ରହିଥିଲା, କିନ୍ତୁ ରାଜନୈତିକ ଅଧୀନତା କେବେ ହିଁ ସ୍ଥାପନ ହୋଇ ପାରି ନଥିଲା। ଏହା ହିଁ କାରଣ ଯେ ନେପାଳ ମୋଗଲଙ୍କ ପରେ ମଧ୍ୟ ନିଜର ସ୍ୱାଧୀନ ଶକ୍ତି କ୍ରମ ବଜାୟ ରଖିଥିଲା, ଏବଂ ପରେ ଗୋରଖା ସାମ୍ରାଜ୍ୟ ରୂପେ ଉଭା ହୋଇଥିଲା। ଇତିହାସରୁ ସ୍ପଷ୍ଟ ଯେ ଭୌଗୋଳିକ ଓ ସାଂସ୍କୃତିକ ବିବିଧତା ଅନେକ ସମୟରେ ଛୋଟ ରାଜ୍ୟଗୁଡ଼ିକୁ ମଧ୍ୟ ବିଶାଳ ସାମ୍ରାଜ୍ୟର ଅଧୀନ ହେବାରୁ ରକ୍ଷା କରିଥାଏ। ନେପାଳର ଉଦାହରଣ ତାହାର ଜୀବନ୍ତ ପ୍ରମାଣ।
Also Read https://purvapaksa.com/chaos-and-anarchy-all-around-india/
Chaos and anarchy all around India ! ।। ଭାରତର ଚାରି ପଟେ ବିଶୃଙ୍ଖଳା ଓ ଅରାଜକତା
