ଭାଗ୍ୟକ୍ରମେ ଭାରତବର୍ଷ କୁଳବଂଶଜା କମଳା ହାରିସ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଡେମୋକ୍ରାଟ୍ ପାର୍ଟି ତରଫରୁ ମନୋନୀତ ହୋଇ ନିର୍ବାଚନ ଲଢ଼ିଥିଲେ। ଆମେରିକୀୟ ଭାରତୀୟ ସମାଜ ଲାଗି ଏହା ଏକ ଗୌରବାବହ ଘଟଣା ଥିଲା। ଭୋଟ ଗଣତି ପରେ ହାରିସ ହାରିଛନ୍ତି। ଆଗରୁ ଥରେ ରାଷ୍ଟ୍ରପତି ହୋଇଥିବା ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ୍ ଟ୍ରମ୍ପ୍ ନିର୍ବାଚନରେ ଜିତିଛନ୍ତି।
ଦେଶ ଭିତରେ ଡୋନାଲ୍ଡ୍ ଟ୍ରମ୍ପ୍ ଙ୍କର ପ୍ରଚଣ୍ଡ ବିରୋଧ ଥିଲା। କିନ୍ତୁ ବର୍ତ୍ତମାନର ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଗଭୀର ଅସନ୍ତୋଷ ଥିଲା। କୋଭିଡ୍ ର ପ୍ରକୋପ ସମୟରୁ ଖାଦ୍ୟ ପେୟ, ତେଜରାତି ଦରଦାମ ବଢ଼ିଯାଇଛି।
ରୁଷ୍ ଯୁଦ୍ଧ ଯୋଗୁଁ ପେଟ୍ରୋଲ୍ ଦାମ୍ ବି ବଢ଼ିଛି। ଏହା ଫଳରେ ଲୋକଙ୍କ ଭିତରେ କ୍ଷୋଭ ରହିଛି। ଶ୍ରୀମତୀ କମଳା ଏ’ କ୍ଷୋଭ ଓ ଅସନ୍ତୋଷର ଶିକାର ହେଲେ ବୋଲି ବିଚାର କରାଯାଉଛି। ଜିତିଥିଲେ ସେ’ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ମର୍ୟ୍ୟାଦା ଉପଲବ୍ଧି କରିଥାନ୍ତେ।
ଶ୍ରୀମତୀ କମଳାଙ୍କ ମା’ ଶ୍ୟାମଳା ଭାରତରେ ତାମିଲ୍ ନାଡୁର ଝିଅ। ସେ’ ପାଠ ପଢ଼ିବାକୁ ବୃତ୍ତି ପାଇ ୧୯୫୮ ମସିହାରେ ଆମେରିକା ଯାଇଥିଲେ। କାଲିଫର୍ଣ୍ଣିଆର ବର୍କଲି ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଥିବା ସମୟରେ ସେଠାର ଜଣେ ସାଥୀ ଅର୍ଥନୀତି ଛାତ୍ରଙ୍କୁ ବିବାହ କରିଥିଲେ। ସ୍ଵାମୀ ହେଲେ ଜାମାଇକା ଦେଶର, ଆଫ୍ରିକୀୟ। କମଳାଙ୍କ ଜନ୍ମ ୧୯୬୪ରେ, ପରେ ଆଉ ଗୋଟିଏ ଝିଅ ମାୟାର ଜନ୍ମ ୧୯୬୬। ପରେ ସେମାନଙ୍କର ବିବାହ ବିଚ୍ଛେଦ ହେଲା। ୧୯୭୧ ମସିହାରେ ଛାଡ଼ପତ୍ର ହୋଇଗଲା। ବାପଙ୍କ ସମ୍ମାନରେ ମା’ ଶ୍ୟାମଳା ପିଲାମାନଙ୍କୁ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ ମାଧ୍ୟମରେ ଧର୍ମ ଓ ନୀତି ଶିକ୍ଷାର ଉଦ୍ୟମ କରିଥିଲେ।
କମଳା ନିଜକୁ ଆଫ୍ରିକୀୟ ବୋଲି ଗ୍ରହଣ କରିନେଇଥିଲେ। ଆଫ୍ରିକୀୟ କଲେଜରେ ପାଠ ପଢ଼ି ଓକିଲ ହେଲେ ଓ କାଲିଫର୍ଣ୍ଣିଆର ଓକ୍ ଲାଣ୍ଡ୍ ସହରରେ ଓକିଲାତି କଲେ। ନିର୍ବାଚନ ଲଢ଼ି ସାନ୍ ଫ୍ରାନ୍ ସିସ୍କୋରେ ସରକାରୀ ଓକିଲ ପଦ ପାଇଲେ। ମା’ ଶ୍ୟାମଳା କର୍କଟ ବ୍ୟାଧିକ୍ରାନ୍ତ ହୋଇ ୨୦୦୯ ମସିହାରେ ଦେହତ୍ୟାଗ କଲେ। କମଳା ପ୍ରଥମେ କାଲିଫର୍ଣ୍ଣିଆ ସିନେଟର୍ ଓ ପରେ ଆମେରିକାର ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ।
ପ୍ରାୟ ଚାରିମାସ ତଳେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋସେଫ୍ ବାଇଡେନ୍ ନିଜର ବୃଦ୍ଧାବସ୍ଥା ଦର୍ଶାଇ ପରବର୍ତ୍ତୀ ରାଷ୍ଟ୍ରପତି ପଦ ଲାଗି ଶ୍ରୀମତୀ କମଳାଙ୍କୁ ମନୋନୀତ କଲେ। କମଳା ଅତୀବ ଉତ୍ସାହରେ ଏ’ ଦାୟିତ୍ଵ ନେଇ ଦେଶବ୍ୟାପୀ ପ୍ରଚାର କଲେ। ତାଙ୍କୁ ଗୁଣୀ, ଶିକ୍ଷାବିତ୍ ଓ କଳାକାରଙ୍କର ସମର୍ଥନ ମିଳିଲା। କିନ୍ତୁ ସାଧାରଣ ଲୋକେ ତାଙ୍କୁ ଅଜଣା ବୋଲି ଭାବିଲେ, ତାଙ୍କର ପରିଚୟ ଖୋଜିଲେ। ଆପଣା ଜାତିର ଲୋକଙ୍କୁ ଗାଦିରେ ବସାଇବା ମଣିଷର ଏକ ଅନ୍ତର୍ନିହିତ ଦୁର୍ବଳତା। କମଳାଙ୍କୁ ନିଜ ଜାତିର ବୋଲି ଲୋକେ ଗ୍ରହଣ କରି ପାରିଲେନାହିଁ। ଆମେରିକା ଇତିହାସର ଗୋଟିଏ ବଡ଼ ପର୍ୟ୍ୟାୟ ହଠାତ୍ ଆରମ୍ଭ ହୋଇ ଶେଷ ହୋଇଗଲା।
ଡୋନାଲ୍ଡ୍ ଟ୍ରମ୍ପ୍ ମଣିଷ ହିସାବରେ ଏକଚାଟିଆ ଲୋକ। ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ, ବିପୁଳ ସମ୍ପଦ ଓ ସୈନ୍ୟ ସମ୍ଭାର। ଏ’ ସବୁର ଉପଯୋଗ ଲାଗି ମେଧା ଓ ବିଚାର ଆବଶ୍ୟକ। ପୁଞ୍ଜିବାଦ ସମାଜରେ ବିଭିନ୍ନ ଗୋଷ୍ଠୀର ସ୍ଵାର୍ଥରେ ଦେଶର ନୀତି ଚାଲେ। ଆସନ୍ତା ଚାରିବର୍ଷ ଭିତରେ ପୃଥିବୀରେ ଅସ୍ଵାଭାବିକ ପରିସ୍ଥିତି ଉପୁଜିପାରେ। କମଳାଙ୍କୁ ଦେଶ ଝୁରିପାରେ। କମଳା ଓ ତାଙ୍କ ମା’ଙ୍କୁ ସମ୍ମାନ ଜଣାଉଛି।
Previous articlehttps://purvapaksa.com/kamadhenu-yojana-odisha/

1 Comment
Pingback: Page not found – purvapaksa.com