ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯେ କୌଣସି ସମୟରେ ଏକ ବଡ଼ ଯୁଦ୍ଧର ରୂପ ନେଇପାରେ। ଏହି ଉତ୍ତେଜନା ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନର ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରୁଛି ଏବଂ ବିଶ୍ୱର ସେହି ଅଞ୍ଚଳର ସୁରକ୍ଷା ପାଇଁ ମଧ୍ୟ ଏକ ଚେତାବନୀ, ଯେଉଁଠାରେ ପୂର୍ବରୁ ଯୁଦ୍ଧର ଜ୍ୱାଳା ଜଳୁଛି।
ଆମେ କହୁଛୁ ଆରବ ଜଗତ ବିଷୟରେ। ଗାଜା ଯୁଦ୍ଧ ଏବଂ ଯୁକ୍ତରାଷ୍ଟ୍ର-ଇସ୍ରାଏଲର ଇରାନ ସହ ଉତ୍ତେଜନା ଅରବ ଦେଶଗୁଡ଼ିକ ପାଇଁ ଚିନ୍ତା ବଢ଼ାଇଛି। ଏପରି ସ୍ଥିତିରେ ପାକିସ୍ତାନର ସମ୍ପୂର୍ଣ୍ଣ ଯୁଦ୍ଧରେ ଝାସ ଦେବା ଏହି ଦେଶଗୁଡ଼ିକର ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଏହାର ସବୁଠାରୁ ବଡ଼ କାରଣ ହେଉଛି ପାକିସ୍ତାନ ଆରବ ଦେଶଗୁଡ଼ିକର ସାମରିକ ସହଯୋଗୀ।
ପାକିସ୍ତାନର ସେନା ପ୍ରାୟ ୨୨ଟି ଆରବ ଦେଶରେ ଉପସ୍ଥିତ। ସେଠାରେ ପାକିସ୍ତାନୀ ସାମରିକ ଅଧିକାରୀମାନେ ପ୍ରଶିକ୍ଷଣ ଓ ରଣନୀତିକ ପରାମର୍ଶ ଭୂମିକାରେ ରହିଛନ୍ତି। ଇରାନ, ୟେମେନର ହୁତି ବିଦ୍ରୋହୀ ଓ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନମାନଙ୍କ ବିପଦ ହେତୁ ଉପସାଗରୀୟ ଦେଶଗୁଡ଼ିକୁ ଏକ ବିଶ୍ୱସନୀୟ ସାମରିକ ସହଯୋଗୀ ଆବଶ୍ୟକ ଏବଂ ପାକିସ୍ତାନୀ ସେନା ଏଥିରେ ସେମାନଙ୍କ ସାଙ୍ଗରେ ରହିଛି।
ଆରବ ଦେଶଗୁଡ଼ିକର ପାକିସ୍ତାନ ଉପରେ ନିର୍ଭରତା
ଆରବ ଦେଶଗୁଡ଼ିକର ସେନା ପାଖରେ ଯୁଦ୍ଧ କିମ୍ବା ବଡ଼ ଆତଙ୍କବାଦୀ ଅପରେସନର ମୁକାବିଲା କରିବାର ଅଭିଜ୍ଞତା ନାମମାତ୍ର। ଏପରି ସ୍ଥିତିରେ ଏହି ଦେଶଗୁଡ଼ିକ ନିଜ ଅଞ୍ଚଳରେ ବିଦ୍ରୋହ ପ୍ରଦର୍ଶନ କିମ୍ବା ଇସ୍ରାଏଲ ଓ ଇରାନରୁ ଆସୁଥିବା ଭବିଷ୍ୟତ ବିପଦରୁ ମୁକାବିଲା ପାଇଁ ପାକିସ୍ତାନୀ ସେନା ଉପରେ ନିର୍ଭର କରୁଛନ୍ତି।
ଏହା ସହ ପାକିସ୍ତାନ ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟ ସୁରକ୍ଷା ସହଯୋଗୀ ଏବଂ ତାହାର ସେନାର ଅରବରେ ଉପସ୍ଥିତି ଓ୍ୱାଶିଂଟନର ନୀତିର ଏକ ଅଂଶ। ପାକିସ୍ତାନ ହେଉଛି ଏକମାତ୍ର ଇସଲାମୀ ଦେଶ ଯାହା ପରମାଣୁ ଅସ୍ତ୍ରରେ ସଜ୍ଜିତ। ସାଉଦୀ ଅରବ ଭଳି ଦେଶଗୁଡ଼ିକ ଏହାକୁ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମାନନ୍ତି, ବିଶେଷକରି ଇରାନ ସହ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱିତା ହେତୁ ଏହା ଆହୁରି ମହତ୍ୱପୂର୍ଣ୍ଣ ହୋଇଛି।
ପାକିସ୍ତାନ ଯୁଦ୍ଧରେ ସାମିଲ ହେବା କାହିଁକି ଚାହିଁବେ ନାହିଁ ଆରବ ଦେଶ?
ଏହି ସଙ୍କଟପୂର୍ଣ୍ଣ ସମୟରେ ଆରବ ଦେଶଗୁଡ଼ିକ କେବେ ବି ଚାହିଁବେ ନାହିଁ ଯେ ପାକିସ୍ତାନ କୌଣସି ଯୁଦ୍ଧରେ ଅସ୍ଥିର ହେଉ। କାରଣ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ବିରୋଧରେ ସ୍ୱର ଉଠୁଛି। ଅନ୍ୟପକ୍ଷରେ ଇରାନ ସିଧାସଳଖ ଧମକ ଦେଇଛି ଯେ ଯଦି ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ ତା’ ଉପରେ ଆକ୍ରମଣ ପାଇଁ ଆରବ ଦେଶଗୁଡ଼ିକର ଅଞ୍ଚଳ ବ୍ୟବହାର କରିବେ, ତେବେ ସେ ନିଜର ମିସାଇଲ ଇସ୍ରାଏଲ ସହ ଏହି ଦେଶଗୁଡ଼ିକ ଉପରକୁ ମଧ୍ୟ ଛାଡ଼ିବ।
ଏପରି ସ୍ଥିତିରେ ପାକିସ୍ତାନର ସେନା ଦୁର୍ବଳ ହେବାର ସିଧାସଳଖ ଅର୍ଥ ହେଉଛି ଆରବ ଦେଶଗୁଡ଼ିକର ସୁରକ୍ଷା ଦୁର୍ବଳ ହେବା। ପାକିସ୍ତାନ ନିୟମିତଭାବେ ସାଉଦୀ ଆରବ ଓ ଆରବ ଏମିରେଟ୍ସ ଭଳି ଦେଶଗୁଡ଼ିକ ସହ ମିଳିତ ସାମରିକ ଅଭ୍ୟାସ କରୁଛି, ଯାହା ସେମାନଙ୍କ ସାମରିକ କ୍ଷମତା ବଢ଼ାଇବା ସହ ପାରସ୍ପରିକ ସହଯୋଗକୁ ମଜବୁତ କରୁଛି। ଇତିହାସରେ ମଧ୍ୟ ଅନେକ ଥର ପାକିସ୍ତାନୀ ସେନା ଆରବ ଦେଶଗୁଡ଼ିକ ପାଇଁ ମେରୁଦଣ୍ଡ ସାବ୍ୟସ୍ତ ହୋଇଛି।
ଇତିହାସରେ ଆରବ ଦେଶଗୁଡ଼ିକ ପାଇଁ ପାକିସ୍ତାନୀ ସେନାର ଭୂମିକା
ପାକିସ୍ତାନୀ ସେନା ୧୯୬୭ ଓ ୧୯୭୩ର ଆରବ-ଇସ୍ରାଏଲ ଯୁଦ୍ଧ ଏବଂ ୧୯୯୦ର ଉପସାଗରିୟ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଖବର ଅନୁସାରେ, ୧୯୬୭ରେ ୬ ଦିନିଆ ଆରବ-ଇସ୍ରାଏଲ ଯୁଦ୍ଧରେ ପାକିସ୍ତାନୀ ବାୟୁସେନାର ପାଇଲଟମାନେ ଅଂଶଗ୍ରହଣ କରିଥିଲେ। ୧୯୭୩ରେ ଆରବ- ଇସ୍ରାଏଲ ମଧ୍ୟରେ ହୋଇଥିବା ୟୋମ କିପ୍ପୁର ଯୁଦ୍ଧ ସମୟରେ ମଧ୍ୟ ଏହି ସହଯୋଗ ଦେଖାଯାଇଥିଲା।
କେବଳ ଇସ୍ରାଏଲ ସହ ଯୁଦ୍ଧ ନୁହେଁ, ପାକିସ୍ତାନୀ ସେନା ଗଲ୍ଫ ଯୁଦ୍ଧରେ, ଯାହା କୁୱେତ ଓ ସଦ୍ଦାମ ହୁସେନଙ୍କ ଇରାକ ମଧ୍ୟରେ ହୋଇଥିଲା, ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ଯେତେବେଳେ ଇରାକୀ ସେନା କୁୱେତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ପାକିସ୍ତାନ ସାଉଦୀ ଆରବକୁ ପ୍ରାୟ ୧୦ ହଜାର ସୈନ୍ୟ ପଠାଇଥିଲା। ପାକିସ୍ତାନୀ ସୈନ୍ୟମାନେ ଇରାକ ବିରୋଧରେ ସିଧାସଳଖ ଯୁଦ୍ଧରେ ଅଂଶଗ୍ରହଣ କରିନଥିଲେ। ସେମାନଙ୍କର ସାଉଦୀରେ ମୁତୟନ ରକ୍ଷାତ୍ମକ ଥିଲା, ଯାହା କେବଳ ସାଉଦୀ ଭୂମିର ସୁରକ୍ଷା ପାଇଁ, ଖାସକରି ମକ୍କା ଓ ମଦିନା ଭଳି ପବିତ୍ର ସହରଗୁଡ଼ିକ ପାଇଁ ଥିଲା।
ଆରବରେ ସୁନ୍ନୀ-ସିଆ ଲଢ଼ାଇରୁ ଦୂରେଇ ରହିଛି ପାକିସ୍ତାନ
ଏହା ନୁହେଁ ଯେ ପାକିସ୍ତାନୀ ସେନା ସବୁବେଳେ ଆରବରେ ସାଉଦୀ ନେତୃତ୍ୱକୁ ସମର୍ଥନ କରିଛି। ଅନେକ ସମୟରେ ପାକିସ୍ତାନର ସାଉଦୀ ଆରବ ସହ ନିକଟତା ଇରାନ ସହ ତାହାର ସମ୍ପର୍କକୁ ଉତ୍ତେଜନାପୂର୍ଣ୍ଣ କରିଛି। ପାକିସ୍ତାନ ଇରାନ ସହ ସୀମା ଅଂଶୀଦାର କରୁଛି ଏବଂ ଉଭୟ ଦେଶ ମଧ୍ୟରେ ଭଲ ବାଣିଜ୍ୟିକ ସମ୍ପର୍କ ରହିଛି। ଏହି କାରଣରୁ ପାକିସ୍ତାନ ୟେମେନ ଯୁଦ୍ଧ ସମୟରେ ନିରପେକ୍ଷତା ନୀତି ଗ୍ରହଣ କରି ସାଉଦୀ ଆରବର ସାଙ୍ଗ ହୋଇନଥିଲା। ଯଦିଓ କିଛି ରିପୋର୍ଟ ଦାବି କରୁଛି ଯେ ପାକିସ୍ତାନୀ ଅଧିକାରୀମାନେ ଏହି ଯୁଦ୍ଧରେ ସାଉଦୀ ସେନାକୁ ମାର୍ଗଦର୍ଶନ କରିଥିଲେ।
ଭାରତ ସହ ଯୁଦ୍ଧ ଆରବ ପାଇଁ କାହିଁକି ବିପଦ?
ଭାରତୀୟ ସେନା ପାକିସ୍ତାନୀ ସେନା ଅପେକ୍ଷା ସବୁ ଦିଗରୁ ଶକ୍ତିଶାଳୀ ଦେଖାଯାଉଛି। ଭାରତ ପୂର୍ବରୁ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଛି। ଯଦି ଏଥର ଯୁଦ୍ଧ ହୁଏ, ତେବେ ପାକିସ୍ତାନକୁ ପୁଣି ଏକ ବଡ଼ କ୍ଷତି ହେବା ନିଶ୍ଚିତ ବୋଲି ବିଚାର କରାଯାଉଛି, ଯାହା ତାହାର ସେନାକୁ ଦୁର୍ବଳ କରିଦେବ। ଯଦି ଏପରି ହୁଏ, ତେବେ ପାକିସ୍ତାନୀ ସେନାକୁ ଏଥିରୁ ଉବୁରିବାକୁ ବର୍ଷ ବର୍ଷ ଲାଗିପାରେ, ଯାହାଫଳରେ ଆରବକୁ ସୁରକ୍ଷା ପ୍ରଦାନ କରିବା ତାହା ପାଇଁ କଷ୍ଟକର ହୋଇପଡ଼ିବ।
ଭାରତ-ପାକିସ୍ତାନ ଯୁଦ୍ଧ କେତେ ବଡ଼ ବିପଦ?
ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି ଏବଂ ଏହାକୁ ନେଇ ଆନ୍ତର୍ଜାତୀୟ ସମୁଦାୟରେ ଚିନ୍ତା ବଢ଼ିଛି। ସମଗ୍ର ବିଶ୍ୱ ଏକ ଖରାପ ସମୟରେ ଅତିକ୍ରମ କରୁଛି ଏବଂ ୟୁକ୍ରେନ ଯୁଦ୍ଧ, ସୁଦାନ ଗୃହଯୁଦ୍ଧ, ଇସ୍ରାଏଲ -ଫିଲିସ୍ତିନ ଯୁଦ୍ଧ, ଚୀନ-ତାଇୱାନ ଉତ୍ତେଜନା ଏବଂ ଯୁକ୍ତରାଷ୍ଟ୍ର-ଇରାନ ଉତ୍ତେଜନା ହେତୁ ୟୁରୋପ, ଏସିଆ, ଆଫ୍ରିକା, ଉତ୍ତର ଆମେରିକା ଭଳି ମହାଦେଶଗୁଡ଼ିକ କୌଣସି ନା କୌଣସି ଭାବେ ସଂଘର୍ଷର କବଳରେ ଅଛନ୍ତି।
ଯୁଦ୍ଧ ଓ ରକ୍ଷା ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ ଯଦି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସବୁଠାରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇପାରେ। ଏହି ସଂଖ୍ୟା ଇତିହାସରେ ସର୍ବାଧିକ ହୋଇପାରେ, କାରଣ ଏହା ବିଶ୍ୱର ସବୁଠାରୁ ଅଧିକ ଓ ଘନ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ। ଜାତିସଂଘ ମଧ୍ୟ ଭାରତ ଓ ପାକିସ୍ତାନର ଉତ୍ତେଜନାକୁ ନେଇ ଅତ୍ୟନ୍ତ ଚିନ୍ତିତ।
Also readhttps://purvapaksa.com/history-of-terrorism-in-kashmir-1/