ଭାରତୀୟ ‘ଯୁଗାଡ଼’ର ଚମତ୍କାରିତା କେବଳ ମୋଡିଫିକେସନ୍ ନୁହେଁ। କେବଳ ମେସିନରେ ଭାରତୀୟମାନେ ଯୁଗାଡ଼ ଲଗାଇ କାମ ଚଳାଇ ନିଅନ୍ତି ନାହିଁ। ଭାରତୀୟମାନେ ଶବ୍ଦ ପରିବର୍ତ୍ତନ କରିବାରେ ମଧ୍ୟ ମାହିର। ଯେମିତି ଲାଞ୍ଚକୁ କେହି ଲାଞ୍ଚ ନ କହି ହାତଖର୍ଚ୍ଚ କିମ୍ବା ଉପହାର ବୋଲି କୁହନ୍ତି। କର୍ପୋରେଟ୍ ଜଗତରେ କୌଣସି ତଥ୍ୟକୁ ନିଜ ହିସାବରେ ପ୍ରଚାର କରିବାକୁ ପ୍ରପୋଗଣ୍ଡା ନ କହି ‘ମ୍ୟାନେଜ୍’ କରିବା କୁହନ୍ତି। ସେମିତି ସରକାରମାନେ ଗଣମାଧ୍ୟମର ଚୁଟି ଧରିବା ପାଇଁ ସବୁ କଳକୌଶଳ ପ୍ରୟୋଗ କରନ୍ତି। କିନ୍ତୁ ତାକୁ ଗୋଟିଏ ସମ୍ମାନଜନକ ନାମ ଦେଇଛନ୍ତି ‘ମିଡିଆ ମ୍ୟାନେଜମେଣ୍ଟ’। ଯାହାର ମୁଖ୍ୟ କାମ ହେଉଛି ସୂଚନାର ସବୁ ଉତ୍ସକୁ ନିଜ ନିୟନ୍ତ୍ରଣରେ ରଖିବା। ଲୋକଙ୍କ ସାମ୍ନାରେ ସେଇ ସୂଚନାକୁ ରଖିବା ଯାହା ସରକାର ଚାହାନ୍ତି। ସରକାରଙ୍କୁ ବାଧିବା ଭଳି ଖବର ଯେମିତି ଲୋକଙ୍କ ପାଖେ ନ ପହଞ୍ଚେ ସେଥିପାଇଁ ସରକାରର ମଙ୍ଗୁଆଳମାନେ ପୋଳୁହ ଧରି ଜଗିଥାନ୍ତି।
ସାମ୍ବାଦିକଙ୍କୁ ମୋବାଇଲ ମନା
ହ୍ୱାଟସଆପ୍ ଆସିଲା ପରେ ସାମ୍ବାଦିକଙ୍କ କାମ ଯେତିକି ବଢ଼ିଛି ସେତିକି ହାଲୁକା ବି ହୋଇଛି। ସୋସିଆଲ ମିଡିଆର ଯୁଗରେ ସାମ୍ବାଦିକଙ୍କ ପାଇଁ ଇନଷ୍ଟାଣ୍ଟ୍ ଫୁଡ୍ ଭଳି ତୁରନ୍ତ ଫିଡ୍ ପଠାଇବା ଅନିବାର୍ଯ୍ୟ ହୋଇଯାଇଛି। ଫଟୋ, ଭିଡିଓ ଓ ଖବର ଯଦି ଟାଇମରେ ନ ପହଞ୍ଚେ ତେବେ ଟିଆରପିର ତଣ୍ଟିକଟା ଯୁଗରେ ସାମ୍ବାଦିକଙ୍କ ପ୍ରେସକାର୍ଡ୍ ବ୍ୟାଜପ୍ତ ହୋଇଯିବାର ଯଥେଷ୍ଟା ଆଶଙ୍କା ରହିଛି। ଏମିତିରେ ଓଡ଼ିଶା ବିଧାନସଭା ବାଚସ୍ପତି ଯେମିତି ଢଙ୍ଗରେ ବିଧାନସଭା ପ୍ରେସ୍ ଗ୍ୟାଲେରି ଭିତରକୁ ସାମ୍ବାଦିକଙ୍କ ମୋବାଇଲ ନେବା ଉପରେ ପ୍ରତିବନ୍ଧକ ଲଗାଇଲେ ଓ ପରେ ଚାପରେ ଆଦେଶ ପ୍ରତ୍ୟାହର କଲେ, ତାକୁ କେହି ସହଜରେ ନେଇପାରୁ ନାହାନ୍ତି। ନେବ ବି କେମିତି, ଏହା ଏମତି ଆଦେଶ ଯେମିତି ସୈନିକଙ୍କୁ କୁହାଯିବା ପାକିସ୍ତାନ ସୀମାରେ ବିନା ବନ୍ଧୁକରେ ଡ୍ୟୁଟି କର।
ତେବେ ସାମ୍ବାଦିକଙ୍କ ମୋବାଇଲକୁ ସରକାରଙ୍କ ଏତେ ଡର କାହିଁକି?
ବିଜେଡି, କଂଗ୍ରେସ ରାଜ୍ୟର ମୋହନ ସରକାରଙ୍କ ବିରୋଧରେ ସାମ୍ବାଦିକଙ୍କୁ ଭୟ କରିବା ଅଭିଯୋଗ ଆଣିଛନ୍ତି। ଯେଉଁ ବିଜେଡି ସରକାର ଦିନେ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କ ପ୍ରବେଶକୁ ବ୍ୟାନ୍ କରିଥିଲା, ସେହି ବିଜେଡି ଏବେ ସାମ୍ବାଦିକଙ୍କ ସ୍ୱାଧିନତା କଥା ମନେପକାଇ କୁମ୍ଭୀରକାନ୍ଦଣା ଆୟୋଜନା କଲାଣି। ଅରୁଣ ସାହୁ କହୁଛନ୍ତି,ଏତେ ଡର କାହିଁକି? ସାମ୍ବାଦିକଙ୍କ ଦାୟିତ୍ୱ ଲୋକଙ୍କ ଆଗରେ ସୂଚନା ରଖିବା ବୋଲି ସେ କହିଛନ୍ତି। ସରକାର ଏକଛତ୍ରବାଦୀ ମନୋଭାବ ରଖି ସାମ୍ବାଦିକଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଦେଉନାହାନ୍ତି। ଏହା ସରକାରଙ୍କ ପାରିବାପଣିଆ ଦେଖାଉଛି ବୋଲି ସେ କହିଛନ୍ତି। ସେ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯଦି ସାମ୍ବାଦିକଙ୍କ ଦାବି ସରକାର ମାନନ୍ତି ନାହିଁ, ତେବେ ଆମେ ଭାବିବୁ ହିଟଲରି ଶାସନ ଚାଲିଛି। ତାଙ୍କରି ଦଳର ଅନ୍ୟଜଣେ ବରିଷ୍ଠ ନେତା ଅନନ୍ତ ନାରାୟଣ ଜେନା କହିଛନ୍ତି ‘ଭୟ କାହିଁକି?’
ସତରେ,ସରକାରଙ୍କ ଏତେ ଭୟ କାହିଁକି?
ବିଜେଡି ସରକାର ଅମଳରେ ସାମ୍ବାଦିକଙ୍କ ପାଇଁ ଅନେକ ସ୍ଥାନ ଅପହଞ୍ଚ ଥିଲା। ଟପ୍ ସିକ୍ରେଟ୍ ସ୍ଥାନ ଭଳି ରାଜ୍ୟ ସରକାରଙ୍କ କିଛି ଭବନ ସେମାନଙ୍କ ପାଇଁ ନିଶିଦ୍ଧାଞ୍ଚଳ ଥିଲା। ଏବେ ବିଜେଡି ନେତା ରତ୍ନାକରରୁ ବାଲ୍ମିକି ପାଲଟି ଯାଇଛନ୍ତି।
ତେବେ ଏହାର ଅର୍ଥ ନୁହେଁ ବିଜେପି ସରକାର ମଧ୍ୟ ସେହି ସମାନ ନୀତିରେ ଚାଲିବାର ନୈତିକ ଅଧିକାର ପାଇଗଲା। ମଙ୍ଗଳବାର ଦିନ ବିଧାନସଭାରେ ଧସ୍ତାଧସ୍ତିର ଭିଜୁଆଲ ଆସିବା ପରେ ସରକାର ମୋବାଇଲକୁ ବ୍ୟାନ କରିଦେଲେ। ଉଦ୍ଦେଶ୍ୟ ଥିଲା କ’ଣ ତାହା ସମସ୍ତେ ଜାଣନ୍ତି। ଫ୍ଲୋର ମ୍ୟାନେଜମେଣ୍ଟ କରିବାରେ ବିଫଳ ସରକାରୀ ଦଳ ନିଜ ଇମେଜ ଉପରେ ଲାଗିଥିବା ଦାଗ ହଟାଇବା ପାଇଁ ଏମିତି ଉଦ୍ୟମ କରିଥିଲେ।
କଥା ହେଉଛି ବିଜେଡି, କଂଗ୍ରେସ ଓ ବିଜେପି ସବୁ ସରକାର ମିଡିଆ ମ୍ୟାନେଜମେଣ୍ଟ କରନ୍ତି। ସେମାନଙ୍କୁ ସୁହାଉଥିବା ଚହଟଚିକ୍କଣ ଖବରକୁ ଗଣମାଧ୍ୟମ ପ୍ରାଧାନ୍ୟ ଦେଉ ବୋଲି ସେମାନେ ସବୁ ଚେଷ୍ଟା କରନ୍ତି। ଖବରକାଗଜ ମାଲିକ, ସମ୍ପାଦକଙ୍କୁ ପଦ୍ମଶ୍ରୀଠାରୁ ରାଜ୍ୟସଭା ପଠାଇବାରେ ସରକାରମାନେ କାର୍ପଣ୍ୟ କରନ୍ତି ନାହିଁ। ମାଲିକମାନଙ୍କୁ ସରକାରୀ ବିଜ୍ଞାପନର ଥୋପ ଦେଖାଇ ନିଜ ପଟରେ ରଖନ୍ତି। କିନ୍ତୁ ସୋସିଆଲ ମିଡିଆର ଯୁଗ ସରକାରମାନଙ୍କ ପାଇଁ ମ୍ୟାନେଜମେଣ୍ଟ ଟିକିଏ କାଠିକର ପାଠ କରିଦେଇଛି। ମାଲିକ ଓ ଗଣମାଧ୍ୟମର ବଡ଼ପଣ୍ଡାକୁ ନିୟନ୍ତ୍ରଣ କରାଯାଇପାରେ। ଯିଏ ଲାଇନରେ ଆସେନି ତା’ ବିରୋଧରେ ଇଡି, ଇନକମ୍ ଟ୍ୟାକ୍ସ ବିଭାଗକୁ ଲଗାଇ ଦିଆଯାଇପାରେ। ରାଜ୍ୟ ସରକାରଙ୍କ ପାଖରେ ବି ଅନେକ ଅସ୍ତ୍ର ଅଛି।
ବିଜେଡି ସରକାର ଅମଳରେ ରାଜ୍ୟର ଗୋଟିଏ ଆଗଧାଡ଼ିର ଖବରକାଗଜ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ସରକାର ଯେମିତି ମୋର୍ଚ୍ଚା ଖୋଲିଲେ ତାହା ଆଗରୁ କେବେ ଦେଖାଯାଇନଥିଲା। ତାଙ୍କ ଉପରେ ବିଜ୍ଞାପନ ନ ଦେବାର ଚାପ ପକାଇ ଇସ୍ତଫାପତ୍ର ନିଆଗଲା। ବାବୁ ନିରୁପାୟ ହୋଇ ଝିଅ ହାତରେ ଖବରକାଗଜ ଟେକି ଦେଇ କିଛିଦିନ ପାଇଁ ସନ୍ୟାସ ନେଇଗଲେ। ଇଏ ଥିଲା ପୁରୁଣା ସରକାରଙ୍କ ମିଡିଆ ମ୍ୟାନେଜମେଣ୍ଟ।
କଥା ହେଲା ମାଲିକମାନଙ୍କୁ ସରକାରୀ ନାଲି ଆଖି ଡରାଇପାରେ। ସରକାରୀ ବିଜ୍ଞାପନ ଓ ଅନ୍ୟାନ୍ୟ ସୁବିଧା ପ୍ରଲୋଭିତ କରିପାରେ। କିନ୍ତୁ ମୋବାଇଲ ହାତରେ ଥିବା ଜଣେ ସାମ୍ବାଦିକ ସୋସିଆଲ ମିଡିଆ ଯୁଗରେ ପରମାଣୁ ବୋମାଠାରୁ ବି ଭୟଙ୍କର। ଯଦି କିଛି ଭିଜୁଆଲ ମୋବାଇଲରେ କଏଦ ହୋଇଯାଏ ଓ ଭାଇରଲ ହୁଏ ତେବେ କଥା ସରିଲା। ତେଣୁ ମୁଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ମୋବାଇଲ ବ୍ୟାନ ହୋଇଥିଲା।
ତେବେ ଏ ଭୟ ଏବର ନୁହେଁ, କି ମିଡିଆ ମ୍ୟାନେଜମେଣ୍ଟ ନୁଆ ନୁହେଁ। ଇନ୍ଦିରାଙ୍କ ଅମଳରେ ପ୍ରିଣ୍ଟ୍ ମିଡିଆ ଉପରେ ଚାପ ଥିଲା। ଏମରଜେନ୍ସି କାଳରେ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଭଳି ଖବରକାଗଜକୁ ଛାଡ଼ି ଦେଲେ ବାକି ସବୁ ସରକାରୀ ଲାଇନରେ ଚାଲୁଥିଲେ। ଇନ୍ଦିରା ସରକାର ବିଶ୍ୱସ୍ତ ଖବରକାଗଜ ମାଲିକ ଓ ସମ୍ପାଦକଙ୍କ ଯତ୍ନ ନେଉଥିଲ। ପୁଣି ଗୋଏଙ୍କାଙ୍କ ଭଳି ସମ୍ପାଦକଙ୍କ ଅଫିସର ଇଲେକ୍ଟି ସଂଯୋଗ କାଟି ତାଙ୍କୁ ଲାଇନକୁ ଆଣିବାକୁ ଉଦ୍ୟମ କରୁଥିଲା।
ମନମୋହନ ସରକାର ଅମଳରେ ମିଡିଆ ମ୍ୟାନେଜମେଣ୍ଟର ଆଉ ଏକ ରୂପ ଦେଖିବାକୁ ମିଳିଥିଲା। ବଛାବଛା ସାମ୍ବାଦିକ, ଯେଉଁମାନଙ୍କୁ ଆପଣ କ୍ରିମି ଲେୟାର କହିପାରିବେ ସେମାନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନରେ ବିଦେଶ ଭ୍ରମଣ କରୁଥିଲେ। ଦାମି ସାମ୍ପେନର ମଜା ନେଉଥିଲେ। ଏମିତିକି ବଡ଼ ବଡ଼ ଶିଳ୍ପପତିଙ୍କ ପାଇଁ ଲବି କରୁଥିଲେ।
ମୋଦୀ ଯୁଗ ଆସୁ ଆସୁ ସେହି ସାମ୍ବାଦିକମାନେ ଅଭିବ୍ୟକ୍ତି ଅଧିକାରର ସ୍ଳୋଗାନ ଦେଇ ଗୋଟିଏ ନୂଆ ଶବ୍ଦ ଗଢ଼ିଲେ ‘ଗୋଦି ମିଡିଆ’। ମୋଦୀ ଶାସନ କାଳରେ ମିଡିଆ ମ୍ୟାନେଜମେଣ୍ଟର ଆଉ ଏକ ରୂପ ଦେଖିବାକୁ ମିଳିଛି। ଏବେ ବିରୋଧର ସ୍ୱର ଚ୍ୟାନେଲରେ କି ଖବରକାଗଜର ପୃଷ୍ଠାରେ ନାହିଁ। ସୋସିଆଲ ମିଡିଆରେ ବିରୋଧର ମୁହଁ ଦେଖିବାକୁ ମିଳୁଛି। ହୁଏତ ମିଡିଆ ମ୍ୟାନେଜମେଣ୍ଟର ମୋଦୀ ଫର୍ମୁଲାକୁ ଓଡ଼ିଶାରେ ମୋହନ ସରକାର ପ୍ରୟୋଗ କରିବାକୁ ଚାହୁଁଥିଲେ। କିନ୍ତୁ ପ୍ରଥମ ପରୀକ୍ଷଣ ବିଫଳ ହୋଇଛି।
ମାର୍ଚ୍ଚ ୧୫ ଓ ୧୬ରେ ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକରେ ହେବ ଗ୍ରୀଷ୍ମ ପ୍ରବାହ; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି
