Durand Line : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏହି ଦୁଇଦେଶ ପରସ୍ପରକୁ ମୁହାଁମୁହିଁ କରୁଥିବା ଡୁରାଣ୍ଡ ଲାଇନ ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ସୀମା।
ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଏବେ ଯୁଦ୍ଧର ରୂପ ନେଇଛି। ଏହି ଦୁଇ ଦେଶର ସେନା ଏବେ ଡୁରାଣ୍ଡ ରେଖା ଅତିକ୍ରମ କରି ପରସ୍ପରର ଅଞ୍ଚଳ ଉପରେ ଆକ୍ରମଣ କରୁଛନ୍ତି। ଏହି ଦୁଇ ଦେଶର ସ୍ଥିତିକୁ ଦେଖି ଅନେକ ଦେଶ ଚିନ୍ତାରେ ପଡ଼ିଯାଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଡୁରାଣ୍ଡ ଲାଇନରେ ସୀମା କେତେ ବିପଜ୍ଜନକ ? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।
ମୁହାଁମୁହିଁ ହେଲେ ପାକିସ୍ତାନ-ଆଫଗାନିସ୍ତାନ
ଆପଣଙ୍କୁ କହିରଖୁଛୁ ଯେ ଆଫଗାନିସ୍ତାନରେ ପାକିସ୍ତାନୀ ସେନାର ଏୟାର ଷ୍ଟ୍ରାଇକ ପରେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନଆଡ଼କୁ ନିଜର ସୈନ୍ୟ ପଠାଇଥିଲେ। ଏହି ସମୟରେ ଡୁରାଣ୍ଡ ଲାଇନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି। ଖାଲି ସେତିକି ନୁହେଁ, ଉଭୟ ସେନାର ଗୁଳିଚାଳନା ଜାରି ରହିଛି ଏବଂ ଏହି ଅଘୋଷିତ ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ୱାଜିରିସ୍ତାନ ଏବଂ ଖାଇବର ପଖତୁନଖୱା। ଯେଉଁଠି ସାଧାରଣ ନାଗରିକମାନେ ମଧ୍ୟ ପ୍ରାଣ ହରାଉଛନ୍ତି।
ଡୁରାଣ୍ଡ ଲାଇନ୍ ସୀମା କାହିଁକି ବିପଜ୍ଜନକ?
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ୨୬୪୦ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାକୁ ଡୁରାଣ୍ଡ ଲାଇନ ବୋଲି କୁହାଯାଏ। ବାସ୍ତବରେ, ଏହି ରେଖା ଦକ୍ଷିଣରେ ବେଲୁଚିସ୍ତାନର ମଝିରେ ଥିବା ପଶ୍ତୁନ ଆଦିବାସୀ ଅଞ୍ଚଳ ଦେଇଯାଇଥାଏ। ଏହି ସୀମା ଦେଇ ପଶ୍ତୁନ ଓ ବଲୋଚ ଜନଜାତି ଦୁଇଟି ଦେଶରେ ବିଭକ୍ତ ହୋଇଛନ୍ତି। ଏହି କାରଣରୁ ଏହାକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ସୀମା ଭାବେ ବିବେଚନା କରାଯାଏ।
ଇଂରେଜମାନେ ଏହି ରେଖା ଆଙ୍କିଥିଲେ
ଡୁରାଣ୍ଡ ଲାଇନର ସୃଷ୍ଟି ଇଂରେଜମାନଙ୍କ ସମୟରେ ହୋଇଥିଲା। ବାସ୍ତବରେ ବ୍ରିଟିଶମାନେ ଦକ୍ଷିଣ ଏସିଆରେ ନିଜର ସ୍ୱାର୍ଥରକ୍ଷା କରିବା ପାଇଁ ଡୁରାଣ୍ଡ ଲାଇନ ସୃଷ୍ଟି କରିଥିଲେ। ଏହା ୧୮୯୩ ମସିହାରେ ବ୍ରିଟିଶ ଭାରତ ଓ ଆଫଗାନିସ୍ତାନ ଏମିରେଟସ ମଧ୍ୟରେ ସୀମାରେଖାଭାବେ ନିର୍ଧାରିତ ହୋଇଥିଲା। ସେହି ସମୟରେ ଭାରତର ବ୍ରିଟିଶ ଶାସକଙ୍କ ବୈଦେଶିକ ସଚିବ ଥିବା ସାର୍ ହେନରୀ ଡୁରାଣ୍ଡଙ୍କ ନାମରେ ଏହି ସୀମାର ନାମକରଣ କରାଯାଇଥିଲା। ସୂଚନା ଅନୁଯାୟୀ, ସେହି ସମୟରେ ବ୍ରିଟିଶମାନେ ତତ୍କାଳୀନ ଆଫଗାନିସ୍ତାନ ଶାସକ ଅବଦୁର ରେହମାନଙ୍କ ସହ ଏହି ସୀମା ରେଖା ଆଙ୍କିଥିଲେ। ରେହମାନଙ୍କୁ ତାଙ୍କ ସ୍ୱାର୍ଥ ସାଧନ ପାଇଁ ବ୍ରିଟେନ ଆଫଗାନିସ୍ତାନର କ୍ଷମତା ହସ୍ତାନ୍ତର କରିଥିଲା। କେବଳ ଏତିକି ନୁହେଁ, ଡୁରାଣ୍ଡ ଲାଇନର ଏକ ବଡ଼ ଅଂଶ ପିଓକେ ବା ପାକ୍ ଅଧିକୃତ କାଶ୍ମୀର ଦେଇ ଯାଇଥାଏ।
ଅଘୋଷିତ ଯୁଦ୍ଧ
ପାକିସ୍ତାନ-ଆଫଗାନିସ୍ତାନ ସେନା ଡୁରାଣ୍ଡ ଲାଇନରେ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଯୁଦ୍ଧକୁ ନେଇ ଏପର୍ଯ୍ୟନ୍ତ ଦୁଇ ଦେଶ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ସେଥିପାଇଁ ଏହି ଯୁଦ୍ଧକୁ ଏକ ଅଘୋଷିତ ଯୁଦ୍ଧ ବୋଲି କୁହାଯାଉଛି।
ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି ପାକିସ୍ତାନ, ବଢ଼ିଲା ଭାରତର ଚିନ୍ତା
