ମୁଦ୍ରା ହେଉଛି ଅର୍ଥର ଏକ ରୂପ ଯାହା ଦୈନନ୍ଦିନ ଜୀବନରେ କ୍ରୟ ଏବଂ ବିକ୍ରୟ ପାଇଁ ବ୍ୟବହୃତ ହୁଏ। ମୁଦ୍ରା ଭାବେ ଉଭୟ ଧାତୁ ମୁଦ୍ରା ଏବଂ କାଗଜ ନୋଟ୍ ବ୍ୟବହୃତ ହୁଏ । ପୃଥିବୀର ୧୯୫ ଦେଶରେ ସମୁଦାୟ ୧୮୦ ମୁଦ୍ରା ବ୍ୟବହାର ହେଉଛି। ପ୍ରତ୍ୟେକ ଦେଶ ପରି ନେପାଳ ମଧ୍ୟ ନିଜର ମୁଦ୍ରା ଛାପିଥାଏ। ନେପାଳ ନିକଟରେ ଏହାର ୧୦୦ ଟଙ୍କା ନୋଟକୁ ପୁନଃ ଡିଜାଇନ୍ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ନିଷ୍ପତ୍ତି ଭାରତ-ନେପାଳ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାକୁ ଯାଉଛି। ଏହା ପଛର କାରଣ ହେଉଛି ନୋଟ୍ ଉପରେ ମୁଦ୍ରିତ ମାନଚିତ୍ର, ଯେଉଁଥିରେ ସୀମାର ବିବାଦୀୟ ଅଞ୍ଚଳକୁ ଦର୍ଶାଯାଇଛି, ଯାହା ଉପରେ ଭାରତ ନିଜ ଅଧିକାର ଦାବି କରିଥାଏ ଓ ଯେଉଁଠାରେ ଭାରତୀୟ ପ୍ରଶାନିକ ବ୍ୟବସ୍ଥା ପ୍ରଚଳିତ ଅଛି।
ନୂତନ ମୁଦ୍ରା ଛାପିବାକୁ ଚୀନକୁ କାହିଁକି ବାଛିଲା ନେପାଳ?
ନେପାଳ ଏବଂ ଭାରତ ମଧ୍ୟରେ ରାଜନୈତିକ ଏବଂ ରଣନୀତିକ ସମ୍ବେଦନଶୀଳତାକୁ ଉସକାଇବାରେ ଚୀନ୍ର ମଧ୍ୟ ପରୋକ୍ଷ ଭୂମିକା ରହିଛି। ନୂଆ ମୁଦ୍ରା ନୋଟ ଛାପିବା ପାଇଁ ନେପାଳ ଚୀନର ଏକ ପ୍ରିଣ୍ଟିଂ କମ୍ପାନୀ ସହିତ ଚୁକ୍ତି କରିଛି। ନେପାଳର କେନ୍ଦ୍ରୀୟ ବ୍ୟାଙ୍କ, ଶ୍ରୀ ନେପାଳ ରାଷ୍ଟ୍ର ବ୍ୟାଙ୍କ (ଏନଆରବି) ଚାଇନା ବ୍ୟାଙ୍କ୍ ନୋଟ୍ ପ୍ରିଣ୍ଟିଂ ଏବଂ ମେଣ୍ଟିଂ କର୍ପୋରେସନ୍ ସହିତ ପୁନଃ ଡିଜାଇନ୍ କରାଯାଇଥିବା ୧୦୦ ଟଙ୍କିଆ ନୋଟ୍ର ୩୦୦ ମିଲିୟନ୍ କପିର ମୁଦ୍ରଣ ଏବଂ ବିତରଣ ପାଇଁ ଏକ ଚୁକ୍ତିନାମା କରିଛି। ଏହାର ମୁଦ୍ରଣ ମୂଲ୍ୟ ପ୍ରାୟ ୮.୯୯ ମିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି। ହାରାହାରି ଗୋଟିଏ ନୋଟ୍ ପାଇଁ ୪ ଟଙ୍କା ଏବଂ ୪ ପଇସା ଖର୍ଚ୍ଚ ପଡ଼ିବ ।ଏହି ନୋଟରେ ନେପାଳର ଏକ ସଂଶୋଧିତ ରାଜନୈତିକ ମାନଚିତ୍ର ରହିବ, ଯେଉଁଥିରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନିର ବିବାଦୀୟ ଅଞ୍ଚଳ ଅନ୍ତର୍ଭୁକ୍ତ।
ନେପାଳର ମନ୍ତ୍ରୀ କ’ଣ କହୁଛନ୍ତି?
ନେପାଳର ଯୋଗାଯୋଗ ମନ୍ତ୍ରୀ ରେଖା ଶର୍ମା ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ନେପାଳ ରାଷ୍ଟ୍ର ବ୍ୟାଙ୍କକୁ ମୁଦ୍ରା ନୋଟରେ ବର୍ତ୍ତମାନର ମାନଚିତ୍ରକୁ ଅଦ୍ୟତନ ସଂସ୍କରଣ ସହିତ ବଦଳାଇବାକୁ ସରକାର ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଚଳିତ ବର୍ଷ ମେ ମାସରେ ପୁଷ୍ପ କମଲ ଦହଲ ସରକାର ସମୟରେ ନିଆଯାଇଥିଲା। ଏହାପରେ ଏନ୍ଆରବିଦ୍ୱାରା ଆନୁଷ୍ଠାନିକ ଟେଣ୍ଡର ପ୍ରକ୍ରିୟା ଏବଂ ଇଣ୍ଟେଣ୍ଟ ଲେଟର ଜାରି କରାଯାଇଥିଲା।
ଭାରତ-ନେପାଳ ସୀମା ବିବାଦ କ’ଣ?
୧୮୧୬ ମସିହାରେ ଆଙ୍ଗ୍ଲୋ-ନେପାଳ ଯୁଦ୍ଧ ପରେ ନେପାଳ ଏବଂ ବ୍ରିଟିଶ ଭାରତ ମଧ୍ୟରେ ସ୍ୱାକ୍ଷରିତ ସୁଗୌଲି ଚୁକ୍ତି ପରଠାରୁ ନେପାଳ– ଭାରତ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏହି ଚୁକ୍ତି ଅନୁଯାୟୀ କାଳୀ ନଦୀକୁ ନେପାଳର ପ୍ରାକୃତିକ ପଶ୍ଚିମ ସୀମା ଭାବରେ ନାମିତ କରାଯାଇଥିଲା। ଯାହାର ପୂର୍ବରେ ନେପାଳର ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଅନ୍ତର୍ଭୁକ୍ତ ଥିଲା। ଏହା ସତ୍ତ୍ୱେ ୧୯୬୦ ଦଶକରୁ ଏହି କ୍ଷେତ୍ରଗୁଡିକ ଭାରତର ପ୍ରଶାସନିକ ନିୟନ୍ତ୍ରଣରେ ରହିଆସିଛି। ନଭେମ୍ବର ୨୦୧୯ ରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ବୃଦ୍ଧି ପାଇଲା ଯେତେବେଳେ ଭାରତ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କଲା ଯେଉଁଥିରେ ଏହି ବିବାଦୀୟ ଅଞ୍ଚଳ ଏହାର ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଦର୍ଶାଯାଇଥିଲା। ଏହାପରେ ମେ ୨ ୨୦୨୦ରେ ନେପାଳ ନିଜର ସଂଶୋଧିତ ରାଜନୈତିକ ମାନଚିତ୍ର ପ୍ରକାଶ କରି ଏହାର ଜବାବ ଦେଇ ଏହି କ୍ଷେତ୍ରଗୁଡ଼ିକ ନେପାଳର ବୋଲି ଦାବି କରିଥିଲା।
ଏହା ସମ୍ପର୍କକୁ ବିପଦରେ ପକାଉଛି କି?
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ନୂଆ ବ୍ୟାଙ୍କ ନୋଟ ଛାପିବା ପାଇଁ ନେପାଳର ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଦୃଢ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ। ଯେଉଁଥିରେ ଖୋଲା ସୀମା, ସାଂସ୍କୃତିକ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସହଯୋଗ ଅନ୍ତର୍ଭୁକ୍ତ। ନେପାଳ ଏବଂ ଭାରତ ମଧ୍ୟରେ ୧୭୫୦ କିଲୋମିଟର ଲମ୍ବା ସୀମା ଅଛି। ଏହା ପାଞ୍ଚଟି ଭାରତୀୟ ରାଜ୍ୟ- ସିକ୍କିମ୍, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହିତ ସଂଯୁକ୍ତ। ଏହି ସମସ୍ୟା ହେତୁ ସୀମାରେ ମାହୋଲ ଉତ୍ତେଜନପୂର୍ଣ୍ଣ ହେବାର ଆଶଙ୍କା ରହିଛି। କୂଟନୈତିକ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ନେପାଳର ବୈଦେଶିକ ମନ୍ତ୍ରୀ ନାରାୟଣ କାଜୀ ଶ୍ରେଷ୍ଟା କହିଛନ୍ତି ଯେ, ଆମେ ଭାରତ ସହ ସୀମା ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ। କୂଟନୈତିକ ଉପାୟ ଏବଂ ସଂଳାପ ମାଧ୍ୟମରେ ଆମେ ଏହାର ସମାଧାନ କରିବାକୁ ଚାହୁଁଛୁ । ଆମେ ଏଥିପାଇଁ ପଦକ୍ଷେପ ନେଉଛୁ। ତେବେ ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହା ଯଥେଷ୍ଟ ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।
ବିବାଦୀୟ କ୍ଷେତ୍ରଗୁଡିକ କାହିଁକି ଗୁରୁତ୍ୱପୂର୍ଣ୍ଣ?
ନେପାଳୀ ମୁଦ୍ରାରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନିଙ୍କୁ ଅନ୍ତର୍ଭୂକ୍ତ କରିବାକୁ ଭାରତ ଆଞ୍ଚଳିକ ଦାବିର ପ୍ରୟାସ ବୋଲି ଦେଖୁଛି। ମେ୨୦୨୦ରେ, ଭାରତ ଲିପୁଲେଖ ଦେଇ ୮୦ କିଲୋମିଟର ଲମ୍ବର ରାସ୍ତା ଉଦ୍ଘାଟନ କରିବାର କିଛି ସମୟ ପରେ ନେପାଳ ବିବାଦୀୟ ଅଞ୍ଚଳ ଉପରେ ଦାବିକୁ ଜୋରଦାର କରିଥିଲା, ଯାହା ଭାରତର ଉତ୍ତରାଖଣ୍ଡ ରାଜ୍ୟକୁ ତିବ୍ଦତର କୈଳାଶ ମାନସରୋବର ସହିତ ଯୋଡ଼ିଥାଏ। ଏହି ରାସ୍ତାକୁ ଉଭୟ ବାଣିଜ୍ୟ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ ରଣନୀତିଗତଭାବେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। କାରଣ ଏହା ଭାରତରୁ ତିବ୍ଦତ ପର୍ଯ୍ୟନ୍ତ ଏକ ବାଣିଜ୍ୟ ମାର୍ଗ ଅଟେ।