ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୂତିକୁ ୫ ଦିନ ବିତିଥିବାବେଳେ କେବଳ ଦୁଇ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କାହାରି ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଘଟଣାର ପ୍ରଚ୍ଛଦ ପଟରେ ଦେଖିବାକୁ ଗଲେ କେବଳ ଯେ କଲେଜ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି ତାହା ନୁହେଁ, ସୂଚନା ଥାଇ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ସାମ୍ଭାବ୍ୟ ବିପଦକୁ ସଠିକ ଢଙ୍ଗରେ ଆକଳନ କରାଯାଇନାହିଁ । ଛାତ୍ରୀ ନିର୍ଯାତନା ନେଇ କଲେଜରେ ବଢ଼ିଚାଲିଥିବା ଅସନ୍ତୋଷ ସମ୍ପର୍କରେ ପୁଲିସ ବିଭାଗ ନିକଟରେ ସୂଚନା ଥିଲା । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ଅଧ୍ୟକ୍ଷଙ୍କ ସୂଚନା ପାଇଁ ପୁଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସହଦେବଙ୍ଖୁଟା ଥାନା ଆଇଆଇସି କଲେଜକୁ ଯାଇ କର୍ତ୍ତୃପକ୍ଷଙ୍କ ସମେତ ପୀଡ଼ିତା, ଅଭିଯୁକ୍ତ ଓ ଛାତ୍ର ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ।
ସେତେବେଳେ ଛାତ୍ରୀ ନିର୍ଯାତନା ଘଟଣା ପୁଲିସ ନିକଟରେ ଉଜାଗର ହୋଇଥିଲା । ଘଟଣାର ତଦନ୍ତ ୫ଦିନ ମଧ୍ୟରେ ସାରି ରିପୋର୍ଟ ଦେବାର ପ୍ରତିଶ୍ରୁତି ଗ୍ରହଣ ସହିତ ଛାତ୍ରୀଙ୍କ ଅଭିଯୋଗକୁ କେବଳ ଡାଇରୀ ଲେଖି ପୁଲିସ ଅଧିକାରୀଦ୍ଵୟ ନିଜର କାମ ସାରି ଦେଇଥିଲେ । ୫ ଦିନ ପରେ ରିପୋର୍ଟ ବାବଦରେ ଖୋଜ ଖବର ନେଲେ ନାହିଁ କି ସାମ୍ଭାବ୍ୟ ବିପଦକୁ ଆକଳନ କଲେନି । ଏହା କ’ଣ କର୍ତ୍ତବ୍ୟରେ ଅବହେଳା ନୁହେଁ କି ବୋଲି ବାଲେଶ୍ଵର ସିଭିଲ ସୋସାଇଟି ପକ୍ଷରୁ ପ୍ରଶ୍ନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା କାରଣରୁ ପୁଲିସ ଅଧିକାରୀଙ୍କ ବିରୋଧରେ ସରକାର କାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବା ଏଥିରେ କୁଣ୍ଠାବୋଧ କାହିଁକି ବୋଲି ଆୟୋଜିତ ଏକ ବୈଠକରେ ସୋସାଇଟିର କର୍ମକର୍ତ୍ତାମାନେ ପଚାରିଛନ୍ତି।
ଗତ ଜୁନ ମାସ ୩୦ ତାରିଖରେ ପୀଡ଼ିତା ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧ୍ୟକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଏବିଭିପି ଛାତ୍ର ସଂଗଠନ ପକ୍ଷରୁ କଲେଜରେ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏଥିରେ ସଂଗଠନର ସଦସ୍ୟମାନେ କଲେଜ ଗେଟରେ ତାଲା ପକାଇ ଦେବାରୁ ଅଧ୍ୟକ୍ଷ ଏସପିଙ୍କୁ ଖବର ଦେଇଥିଲେ । ଏସପି ମଧ୍ୟ ତୁରନ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ପରିଡ଼ା ଓ ସହଦେବଖୁଣ୍ଟା ଥାନା ଆଇଆଇସି ଅଜୟ କୁମାର ମୁର୍ମୁଙ୍କୁ କଲେଜ ପଠାଇଥିଲେ । ଦୁହେଁ ଆସି ସମସ୍ତ ପକ୍ଷଙ୍କୁ ନେଇ ଆଲୋଚନା କରିବାବେଳକୁ ବିଇଡି ବିଭାଗ ଏଚଓଡି ସମୀର ସାହୁଙ୍କ ବିରୋଧରେ ଛାତ୍ରୀ ଯୌନ ନିର୍ଯାତନା ବାବଦରେ ଜଣାପଡ଼ିଥିଲା ।
ତେବେ ଅଧ୍ୟକ୍ଷ ଛାତ୍ରୀ ନିର୍ଯାତନା ଘଟଣାର ତଦନ୍ତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଦ୍ଵାରା କରାଯାଇ ୫ ଦିନ ମଧ୍ୟରେ ଏସପିଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ । ମାତ୍ର ସେତେବେଳେ କଲେଜର ଆଇସିସି ଅଛି କି ନାହିଁ ବା ସେଥିରେ କିଏ କିଏ ସଦସ୍ୟ ଅଛନ୍ତି, ତାଙ୍କର ଯୋଗ୍ୟତା କ’ଣ, ଛାତ୍ରୀ ଯୌନ ନିର୍ଯାତନା ଭଳି ଗୋଟିଏ ସ୍ପର୍ଶକାତର ଘଟଣାରେ ଆଇସିସି ସଦସ୍ୟଙ୍କ ତଦନ୍ତ ଶୈଳୀର ରୂପରେଖ ପ୍ରଭୃତି ବିଷୟ ଉପରେ ଦୁଇ ଅଧିକାରୀ ଗୁରୁତ୍ଵ ଦେବା ଉଚିତ ମଣିନଥିଲେ । ଅଧ୍ୟକ୍ଷଙ୍କ କଥାରେ ଦୁଇ ଅଧିକାରୀ ସନ୍ତୁଷ୍ଟ ହୋଇ କେବଳ ନିଜ ଡାଇରୀରେ ଘଟଣା ସମ୍ପର୍କରେ ଉଲ୍ଲେଖ କରି ଫେରିଯାଇଥିଲେ । ତେବେ ଏ ବାବଦରେ ଦୁଇ ଅଧିକାରୀଙ୍କ ନିକଟରୁ ସୟଂ ଏସପି ସୂଚନା ନେଇଥିବା କଥା । ସେହିପରି ୫ ଦିନ ପରେ କଲେଜର ରିପୋର୍ଟ ଖୋଜିବା ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଏସପି କାହିଁକି ସେପରି କଲେ ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଗତ ୧୨ ତାରିଖ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପରେ ଏସପି କଲେଜକୁ ଆସି ଘଟଣାର ତଦନ୍ତବେଳେ ଅଧ୍ୟକ୍ଷଙ୍କୁ ରିପୋର୍ଟ ବାବଦରେ ପଚାରିଥିଲେ । ୫ ଦିନ ମଧ୍ୟରେ କାହିଁକି ରିପୋର୍ଟ ଦିଆଗଲା ନାହିଁ ସେ ବାବଦରେ ମଧ୍ୟ ପଚାରିଥିଲେ । ତେବେ ସେ କାହିଁକି ୫ ଦିନ ଗଡ଼ିଗଲା ପରେ ରିପୋର୍ଟ ଖୋଜିଲେ ନାହିଁ ତାହାର ଉତ୍ତର ଏସପି କାହାରିକୁ ଦେଇନାହାନ୍ତି । ଅନ୍ୟପକ୍ଷରେ ଯଦିଚ କଲେଜର ଆଇସିସି ପକ୍ଷରୁ ତଦନ୍ତ ଚାଲିଥିଲା ତେବେ ଏସପି ଚାହିଁଥିଲେ ପୁଲିସର ଗୁଇନ୍ଦା ବିଭାଗ ମାଧ୍ୟମରେ ଘଟଣାର ସତ୍ୟାସତ୍ୟ ବାବଦରେ ସୂଚନା ନେଇପାରିଥାନ୍ତେ । ଗୁଇନ୍ଦା ବିଭାଗ କର୍ମଚାରୀ ତ କେବଳ ସଭା ସମିତିରେ ଲୋକ ଗଣିବାକୁ ନାହାନ୍ତି । ସାମ୍ଭାବ୍ୟ ଘଟଣା। ଦୁର୍ଘଟଣା ବାବଦରେ ନଜର ରଖୁବା ଏବଂ ଏସପିଙ୍କୁ ସେ ବାବଦରେ ଅବଗତ କରିବା ଜିଲ୍ଲା ଗୁଇନ୍ଦା ବିଭାଗର ଦାୟିତ୍ଵ ।
କଲେଜରେ ଛାତ୍ରୀ ନିର୍ଯାତନାକୁ ନେଇ ଆନ୍ଦୋଳନ ହେଉଥିବା ଏବଂ ଅସନ୍ତୋଷ ବଢ଼ୁଥିବା ସମ୍ପର୍କରେ ଗୁଇନ୍ଦା ବିଭାଗ ନିକଟରେ କିଛି ସୂଚନା ଥିଲା କି ନାହିଁ ବା ସେ ବାବଦରେ ଏସପିଙ୍କୁ ଅବଗତ ଥିଲା କି ନାହିଁ ? ଏ ସମ୍ପର୍କରେ ଏସପି ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ କାହିଁକି ନେଇନାହାନ୍ତି ? ଏହାକୁ ନେଇ ସିଭିଲ ସୋସାଇଟି କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ଏସପିଙ୍କ ଅପାରଗତା ଜଳ ଜଳ ହୋଇ ଦୃଶ୍ୟମାନ ହେଉଛି । ସେହିପରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏତେ ବଡ଼ ଘଟଣା ବାବଦରେ ଥାନାଧିକାରୀଙ୍କ ଉଦାସୀନତା ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି । ତେଣୁ ଏସପିଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି କୁଣ୍ଠାବୋଧ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ତୁରନ୍ତ ଏସପିଙ୍କୁ ଅନ୍ୟତ୍ର ବଦଳି ସହିତ କର୍ତ୍ତବ୍ୟରେ ଅବହେଳା କରି ଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସୋସାଇଟି କର୍ମକର୍ତ୍ତାମାନେ ଦାବି କରିଛନ୍ତି।
Also Readhttps://purvapaksa.com/syria-israel-conflict-real-reason-vegetable-vendor-robbery/
