ଓଡ଼ିଶା ରାଜନୀତିରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଉପଭୋଗ କରିଥିବା ନେତା କିଏ ବୋଲି ପ୍ରଶ୍ନ ହେଲେ ଉତ୍ତର ଆସିବ ସେ ହେଉଛନ୍ତି ଓଡ଼ିଶା ତଥା ଦେଶର ରାଜନୀତିରେ ପ୍ରବାଦ ପୁରୁଷ ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ପଟ୍ଟନାୟକ। ସେ ମୁଖ୍ୟମନ୍ତ୍ରୀ ପଦରୁ ଯାଇ ବିରୋଧୀଦଳ ନେତା ହେବା ପରେ ଆଉ ରାଜ୍ୟ ରାଜନୀତିରେ ଦିଶୁ ନାହାନ୍ତି। ବିଧାନସଭାର ଅଧିବେଶନ କଥା ଛାଡ଼ନ୍ତୁ ସେ ଲୋକମାନଙ୍କ ଗହଣକୁ ବି ଆସୁନାହାନ୍ତି। ଯେଉଁ ଗଣେଶ ପୂଜା ଓ ଦୁର୍ଗାପୂଜା ମେଢ଼ ବୁଲା ସମୟରେ ସେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଥିଲେ, ଏବେ ସେପରି କୌଣସି ଲୋକମାନଙ୍କ ଗହଣରେ ସେ ଆଉ ବିଜେ ହେଉ ନାହାନ୍ତି। ଏହାର ଅର୍ଥ ଯେ ତାଙ୍କର ନିକଟ ଅତୀତର ଅସ୍ତ୍ରୋପଚାର ବା ଅସୁସ୍ଥତା ଯୋଗୁ ନୁହେଁ, ବରଂ ସେ ସୁସ୍ଥ ଅଛନ୍ତି ଓ ବିନା ଆଶ୍ରୟରେ ଏବେ ଚାଲିବୁଲି ପାରୁଛନ୍ତି। ରାଜନୀତିକ କମେଣ୍ଟ ବି ଦେଉଛନ୍ତି ସୋଶାଲ ମିଡିଆରେ। ଦିଲ୍ଲୀରେ ବିଭିନ୍ନ କଳା ମେଳାରେ ଯୋଗ ଦେଉଛନ୍ତି। ସେଠାରେ ଟିପ୍ପଣୀ ଦେଉଛନ୍ତି, ଲୋକଙ୍କ ସାଙ୍ଗରେ ଆଲୋଚନା କରୁଛନ୍ତି କିନ୍ତୁ ଓଡ଼ିଶାରେ ତାଙ୍କୁ ଦେଖିବାକୁ ମିଳୁ ନାହାନ୍ତି।
ପେଣ୍ଡାଲ ବୁଲା : ରାଜନୀତିରେ ପରିଚିତ ପର୍ବ
ଗଲା ପ୍ରାୟ ୧୫ ଦିନ ହେଲା ରାଜ୍ୟରେ ଚାଲିଥିବା ଦୁର୍ଗାପୂଜାର ପ୍ରସ୍ତୁତି, ସମାରୋହ ଓ ଉତ୍ସାହର ଆଜି ଶେଷ ଦିନ। ଆଜି ବିଭିନ୍ନ ପୂଜା ମଣ୍ଡପରେ ଆବାହାନ କରିଯାଇଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯିବ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ପଟୁଆର ଆୟୋଜନ କରାଯାଇଛି। ପ୍ରାୟ ମଧ୍ୟରାତ୍ରୀ ଯାଏ ଏ ପଟୁଆର ଚାଲିବ। ମୋଟା ମୋଟି ଭାବେ କହିଲେ ଆଜି ମା’ ଦୁର୍ଗାଙ୍କ ଭାବନାରେ ତଲ୍ଲୀନ ହେବାର ଶେଷ ଦିନ। ଏହିଦିନଟି ଗଲା କିଛିଦିନ ହେଲା ମା’ଙ୍କ ପୂଜା ସହ ଭିନ୍ନ ଭିନ୍ନ ଲକ୍ଷ୍ୟଧାରୀ ଗୋଷ୍ଠୀ, ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ପାଇଁ ଲୋକଙ୍କ ସହ ଯୋଡ଼ି ହେବା ନିଜ ଭାବନାର ପରିପ୍ରକାଶ କରିବାକୁ ଉତ୍କୃଷ୍ଟ ପରିବେଶ ଯୋଗାଇଥିଲା।
ଏଥିରୁ ରାଜନେତା ବା ବାଦ୍ ପଡ଼ନ୍ତେ କେମିତି? ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ମେୟର, କାଉନସିଲରଙ୍କ ଭଳି ପଦପଦବୀରେ ଥିବା ବ୍ୟକ୍ତିମାନେ ଏହି ସମୟରେ ପେଣ୍ଡାଲ ବୁଲିବା ନାଁରେ ନିଜର କାଟ୍ତି ଦେଖାଇଥିଲେ। ନିଜର ଭାବନାକୁ ଜନସମାଗମର ଦୃଷ୍ଟିକୁ ଆଣିପାରିଥିଲେ ଆଉ ମିଡିଆରେ ଏହାର ଖୁବ୍ ପ୍ରଚାର ପ୍ରସାର ହୋଇଥିଲା। ଏହା ରାଜନୀତିରେ ଏକ ପରିଚିତ ପର୍ବ ବୋଲି କୁହାଯାଇପାରେ। ହେଲେ ଏ ପରିଚିତ ପର୍ବରୁ ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଭାନ ହୋଇଛି। ଅର୍ଥାତ୍ ସେ ଆଉ ନଜରକୁ ଆସୁ ନାହାନ୍ତି।
ରାଜନୀତିକୁ ବନ୍ଧୁତାପୂର୍ଣ୍ଣ କ୍ରୀଡ଼ା ଭାବେ ଗ୍ରହଣ କରିଥିଲେ ନବୀନ
ଖାଲି ଦୁର୍ଗାପୂଜା ନୁହେଁ, ସେ କ୍ଷମତାରେ ଥିବାବେଳେ ବା କ୍ଷମତାରୁ ଯିବାବେଳେ ପୂଜା ମଣ୍ଡପଗୁଡ଼ିକ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାଆନ୍ତି। ତାଙ୍କ ପାଇଁ ସ୍ଥାନୀୟ ନେତାମାନେ ଗହଳି ବି ଯୋଗାଡ଼ କରନ୍ତି। କାରଣ ଏହା ନ ହେଲେ ତାହା ଛାମୁଙ୍କ ପାଇଁ ଅପମାନ ହେବ ତଥା ନିଜ ପଦବୀ ପାଇଁ ଆଶଙ୍କା ହୋଇପାରେ ବୋଲି ସେମାନେ ଛନକାରେ ରହିଥାନ୍ତି। କ୍ଷମତାରୁ ଯେଉଁ ବର୍ଷ ଗଲେ ଅର୍ଥାତ୍ ଗତବର୍ଷ ବି ତାଙ୍କୁ ବିଭିନ୍ନ ମେଢ଼ ବୁଲି ଦେଖିବା ଗଣମାଧ୍ୟମରେ ବେଶ୍ ଆକର୍ଷଣୀୟ ହୋଇଥିଲା। କେବଳ ଶରଦକାଳୀନ ପୂଜା ନୁହେଁ, ଗଜାନନ ଶ୍ରୀ ଗଣେଶଙ୍କ ପୂଜା ପେଣ୍ଡାଲ ବୁଲି ସେ ରାଜନୀତିକୁ ପ୍ରତିଶୋଧ ନୁହେଁ ବରଂ ଏକ ବନ୍ଧୁତାପୂର୍ଣ୍ଣ କ୍ରୀଡ଼ା ଭାବେ ଗ୍ରହଣ କରିଥିଲେ। ଅର୍ଥାତ୍ ତାଙ୍କର ବିଜୟ ବା ପରାଜୟ ଓଡ଼ିଶାର ଜନତାଙ୍କ ସହ ସମ୍ପର୍କରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ସେ ଗତବର୍ଷ କହିବାକୁ ଚାହିଁଥିଲେ। ପରାଜୟକୁ ସେ ବଡ଼ ଉତ୍ସାହର ସହ ଗ୍ରହଣ କରିଥିବା ମଧ୍ୟ ସୂଚାଇଥିଲେ।
ହଠାତ୍ ଗାଏବ କାହିଁକି ହେଲେ ନବୀନ ?
ହେଲେ ଏ ବର୍ଷ ହଠାତ୍ ଗାଏବ କାହିଁକି ହେଲେ ନବୀନ ? ତାଙ୍କର ସେହି ସ୍କୋର୍ଟିଂ ମନୋଭାବ ଅର୍ଥାତ୍ ଜଣେ କ୍ରୀଡ଼ାବିତ୍ର ଭାବନା କ’ଣ ଉଭେଇଗଲା? ସେ କ’ଣ ସତରେ ପରାଜୟକୁ ଗ୍ରହଣ କରିପାରିଲେ ନାହିଁ? ସେ କ’ଣ ଗଣତନ୍ତ୍ରରେ ଏକ ନିର୍ବାଚିତ ସରକାରକୁ ଗ୍ରହଣ କରିପାରୁ ନାହାନ୍ତି? ନା ବିରୋଧୀ ଦଳ ନେତା ପଦବୀ ତାଙ୍କୁ ଭଲ ନାହିଁ? ଏମିତି ଅନେକ ପ୍ରଶ୍ନ.ଅସମାହିତ ହୋଇ ରହିଛି।
ତାଙ୍କର ଯେ ଶରୀର ଅସୁସ୍ଥ ତାହା ନୁହେଁ। ସେ ସୁସ୍ଥ, ଚାଲିବୁଲି ପାରୁଛନ୍ତି। ସୋଶାଲ୍ ମିଡିଆରେ ସକ୍ରିୟ ଅଛନ୍ତି। ରାଜନୀତିକ ଟିପ୍ପଣୀ ଦେଉଛନ୍ତି। ଏଠି ଥିବାବେଳେ ତ ତାଙ୍କର ଶାରୀରିକ ଅସୁସ୍ଥତା ସତ୍ତ୍ୱେ, ଅନ୍ୟର ସହାୟତାରେ ବି ସେ ବହିମେଳା, କଳା ପ୍ରଦର୍ଶନୀ, ରଥଯାତ୍ରା, ଦୁର୍ଗାପୂଜା ବୁଲି ଦେଖୁଥିଲେ। କିନ୍ତୁ ଏବେ ଦିଲ୍ଲୀରେ ହାଇ ସୋସାଇଟିର କଳା ପ୍ରଦର୍ଶନୀରେ ବିନା କୌଣସି ଆଶ୍ରୟରେ ବୁଲୁଛନ୍ତି। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ, ୨୦୨୫ ଦୁର୍ଗାପୂଜା, ଗଣେଶପୂଜାରେ ତାଙ୍କର ଗାୟବ ହେବା ପଛରେ ଶାରିରୀକ ଅସୁସ୍ଥତା କାରଣ ନୁହେଁ। ଏବେ ଦେଖନ୍ତୁ ସେ କିପରି କଳା ପ୍ରଦର୍ଶନୀରେ ବୁଲୁଛନ୍ତି।
Visited a wild life charity exhibition, ‘Heart Beats’ in New Delhi, organised by Padma Bhushan awardee Dr Ramakanta Panda, Founder of Asian Wildlife Trust and Asian Heart Institute. Our shared future is deeply linked with the future of wildlife. The exhibition organised under the… pic.twitter.com/ny7gotX0YT
— Naveen Patnaik (@Naveen_Odisha) September 27, 2025
ସରକାରଙ୍କୁ ଜଗିବାରେ ନବୀନ ବିଫଳ
ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ବି ଯୋଗ ଦେଲେ ନାହିଁ। ଯେଉଁ ନେତାଙ୍କୁ ଲୋକେ ବିରୋଧୀ ଦଳର ନେତା ପଦବୀରେ ଅଧିଷ୍ଠିତ କରିଛନ୍ତି, ଯାହାଙ୍କୁ କୌଣସି ମନ୍ତ୍ରୀ ନ ହେଲେବି କ୍ୟାବିନେଟ୍ ମନ୍ତ୍ରୀ ଭଳି ସୁବିଧା ଯୋଗାଇ ଦିଆଯାଉଛି ସେ କିନ୍ତୁ ନିଜ କାମ କରୁ ନାହାନ୍ତି। ରାଜ୍ୟ ଯେତେବେଳେ ସରକାରଙ୍କୁ ଏକଛତ୍ରବାଦୀ ହେବାକୁ ନ ଦେବା ପାଇଁ ତାଙ୍କୁ ଗେଟ୍ କିପର କରିଛି, ସେ ସେତେବେଳେ ଚୌକିରେ ବସି ନିଜ କାମ ପ୍ରତି ଅବହେଳା କରୁଛନ୍ତି। ଅର୍ଥାତ୍ ସରକାରଙ୍କୁ ଜଗିବାରେ ସେ ବିଫଳ ହୋଇଛନ୍ତି। ଯାହାଫଳରେ ତାଙ୍କ ଦଳର ବିଧାୟକମାନେ ନେତୃତ୍ୱବିହୀନ ହୋଇ ନିଜ ନିଜ ରାସ୍ତାରେ ଚାଲୁଛନ୍ତି। ଯାହାକୁ ନେଇ ଦଳ ଭିତରେ ବିବାଦ ଦିନକୁ ଦିନ ବଢ଼ିବା ସହିତ ବିଜେଡି ସର୍ବସାଧାରଣରରେ ନିନ୍ଦିତ ହେଉଛି।
କଂଗ୍ରେସକୁ ବିରୋଧିଦଳ ଭାବିଲେଣି ଜନତା
ଜଣେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହୋଇଥିବା ତାଲିକାରେ କେବଳ ନବୀନ ପଟ୍ଟନାୟକ ରହିଛନ୍ତି ତା’ ନୁହେଁ, ନବୀନଙ୍କ ପୂର୍ବରୁ ଅନେକ କିମ୍ବଦନ୍ତୀ ନାୟକ ଏ ରାଜ୍ୟର ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି ଯେଉଁମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନେତୃତ୍ୱକୁ ଲୋକମାନେ ପ୍ରତ୍ୟାଖ୍ୟାନ କଲେ ବୋଲି ସେ ବିରୋଧୀ ଦଳ ନେତା ହେଲେ ତା ନୁହେଁ, ଯଦି ପ୍ରତ୍ୟାଖ୍ୟାନ କରିଥାଆନ୍ତେ ତେବେ ସେ ନିର୍ବାଚିତ ବି ହୋଇପାରି ନ ଥାଆନ୍ତେ। ବରଂ ସରକାର ଚଳାଇବାର ଅଭିଜ୍ଞତା ସହ ସରକାରଙ୍କୁ କ୍ଷମତାର ଦୂରୁପୋଯୋଗ କରିବାକୁ ଦୂରେଇ ରଖିବା ପାଇଁ ଲୋକେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି- ଏହାକୁ ସେମାନେ ଗ୍ରହଣ କଲେ।
ଏ ତାଲିକାରେ ଜାନକୀ ବଲ୍ଲଭ ପଟ୍ଟନାୟକ ରହିଛନ୍ତି, ଯିଏ ୧୩ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବିରୋଧୀ ଦଳରେ ବସିଥିଲେ। ଆଉ କହିବାକୁ ବିଧାନସଭାରେ ଠିଆ ହେଉଥିଲେ ତାଙ୍କ ସାମ୍ନାରେ କହିବାକୁ ବି କେହି ସାହସ କରୁନଥିଲେ। ପୁଣି ବଡ଼ ବିଚିତ୍ର ସେ ପରିସ୍ଥିତି ଥିଲା।
ଜାନକୀ ବାବୁ ଯାହାଙ୍କ ସମୟରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ ତାଙ୍କ ବାପା ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିରୋଧୀ ଦଳ ନେତା ଥିଲେ। ଅର୍ଥାତ୍ ବିଜୁ ପଟ୍ଟନାୟକ ବି ବିରୋଧୀ ଦଳ ନେତା ପଦବୀରେ ରହିଛନ୍ତି। କହିବାକୁ ଗଲେ ସେ ତ ଦୀର୍ଘ କାଳ ସବୁଠାରୁ ଅଧିକ ଥର ସେ ବିରୋଧୀ ଦଳ ନେତା ପଦବୀରେ ରହି ଲୋକଙ୍କ ହୃଦୟ ଜିତିଛନ୍ତି, ଶାସନକୁ ଆସିଛନ୍ତି। ଆଉ ଏତେ ସଂଖ୍ୟାରେ ସମର୍ଥନ ପାଇଛନ୍ତି ଯେ ତାଙ୍କ ରେକର୍ଡକୁ ଏଯାଏ କେହି ଭାଙ୍ଗିପାରି ନାହାନ୍ତି। କାରଣ ସେ ସମୟରେ କୌଣସି ଦଳ ବିରୋଧୀ ଦଳ ଆସନ ପାଇଁ ଯୋଗ୍ୟ ହୋଇ ପାରିନଥିଲେ।
ଏବେ ତ ବିରୋଧୀ ଦଳ ନେତା ନବୀନଙ୍କ ପାଖରେ ୫୦ ବିଧାୟକଙ୍କ ସମର୍ଥନ ରହିଛି। ଅର୍ଥାତ୍ ସେ ଜଣେ ସବୁଠାରୁ ମଜଭୁତ ବିରୋଧୀ ଦଳ ନେତା, କିନ୍ତୁ ରାଜ୍ୟ ରାଜନୀତିରେ ଏବେକଂଗ୍ରେସ ଯେପରି ଆଚରଣ କରୁଛି ଜନତା ଭାବୁଛନ୍ତି ବୋଧହୁଏ ବିଜେପି-ବିଜେଡି ଏକ ସଙ୍ଗେ ଏଯାଏ ଅଛନ୍ତି ଆଉ କଂଗ୍ରେସ ହେଉଛ ବିରୋଧୀ ଦଳ।
କମୁଛି ନବୀନଙ୍କ ଆତ୍ମବିଶ୍ୱାସ
ଆଉ ଗଲା ୧୫ ମାସର ସମୟ ଭିତରେ ନବୀନଙ୍କ ନବୀନଙ୍କ ପ୍ରତିଟି ରାଜନୀତିକ ଗୋଟିଚାଳନାରେ ଏହା ଦେଖିବାକୁ ମିଳୁଛି ଯେ ସେ ବିରୋଧୀ ଦଳ ନେତା ରହିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ କେତେବେଳେ ସେ ସହରରେ ରହି ବିଧାନସଭା ଭିତରକୁ ଆସୁ ନହାନ୍ତି ତ ଆଉ କେତେବେଳେ ବିଧାନସଭା ଚାଲିଥିବାବେଳେ ରାଜ୍ୟରେ ରହୁ ନାହାନ୍ତି। ଏପରି ଆଚରଣ କ’ଣ ପ୍ରତିପାଦନ କରୁଛି?
ଏହା ତାଙ୍କ ଭିତରେ ଆତ୍ମ ବିଶ୍ୱାସର ଅଭାବକୁ ଦର୍ଶାଉଛି। ଓଡ଼ିଶାବାସୀଙ୍କ ଉପରେ ତାଙ୍କର ବିତୃଷ୍ଣା ଭାବକୁ ମଧ୍ୟ ଦର୍ଶାଉଛି। ଯଦି ଓଡ଼ିଶା ଓ ଓଡ଼ିଶା ରାଜନୀତି ପ୍ରତି ତାଙ୍କ ବିତୃଷ୍ଣାଭାବ ଆସିଛି ତେବେ ସେ ସସମ୍ମାନେ ଏହାକୁ ତ୍ୟାଗ କାହିଁକି କରୁନାହାନ୍ତି? ଯେଉଁ ତ୍ୟାଗ, ବଳିଦାନ ଓ ସାହସ ବଳରେ ଜଣେ ସାଧାରଣ ଦେବୀଙ୍କୁ ମା’ ଦୁର୍ଗାରେ ପରିଣତ କରିଥିଲା, ବୋଧହୁଏ ସେ ଭାବନା ଏ ଦୁର୍ଗାପୂଜା ନବୀନଙ୍କୁ ଆଶୀର୍ବାଦ ହେବ।
ଯାହା ତାଙ୍କ ସମ୍ମାନ ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ମଜଭୁତ କରିବ। ଖାଲି ସେତିକି ନୁହେଁ, ତାଙ୍କ ଅବସର ଜୀବନକୁ ଅଧିକ ସ୍ମରଣୀୟ, ଉଲ୍ଲେଖନୀୟ କରିବ। ଯାହା ତାଙ୍କୁ କେବଳ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ବାପାଙ୍କ ଭଳି ପ୍ରବାଦ ପୁରୁଷର ଆଖ୍ୟା ଦେବ।
ଅବଶ୍ୟ ଏହା ତାଙ୍କ ବ୍ୟକ୍ତିଗତ ବିଚାର, ରାଜନୀତିକ ଅଙ୍କ ଆଉ ଗୋଟିଚାଳନା ଅପେକ୍ଷା ତାଙ୍କ ସେବକଙ୍କ ପରାମର୍ଶ ଉପରେ ନିର୍ଭର କରେ। ଏଣୁ କେବଳ ଅପେକ୍ଷା ହିଁ ରାଜ୍ୟବାସୀଙ୍କ ପାଇଁ ସାର ହେବ, ନୁହେଁ କି?
Also readhttps://purvapaksa.com/ncrb-report-for-2023/
NCRB report for 2023 ।। ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ ,ନାବାଳକଙ୍କ ସମ୍ପୃକ୍ତି
