Subhadra Yojana: ଓଡ଼ିଶାରେ ସୁଭଦ୍ରା ଯୋଜନାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି ଓ ଅନ୍ୟାନ୍ୟ ନିୟମ ପାଳନ କରୁନଥିବାରୁ ଆର୍ଥିକ ସହାୟତା ପାଇନାହାନ୍ତି।
ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ କରିନାହାନ୍ତି। ଏହାବ୍ୟତୀତ ସେମାନେ ଏପର୍ୟ୍ୟନ୍ତ ଇ-କେୱାଇସି କରିନାହାନ୍ତି। ଏହି ହିତାଧିକାରୀମାନେ ଏପର୍ୟ୍ୟନ୍ତ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ହିତାଧିକାରୀଙ୍କ ତାଲିକା ବ୍ଲକ, ପୌରପାଳିକା ଓ ମହାନଗର ନିଗମ ସ୍ତରରେ କର୍ତ୍ତୃପକ୍ଷଙ୍କ ନିକଟରେ ଉପଲବ୍ଧ ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଏପର୍ୟ୍ୟନ୍ତ ସୁଭଦ୍ରା ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ତାଲିକା ଯାଞ୍ଚ କରନ୍ତୁ ଏବଂ ନିମ୍ନଲିଖିତ ଚାରିଟି ଆବଶ୍ୟକତା ସୁନିଶ୍ଚିତ କରନ୍ତୁ:
୧. ସେମାନଙ୍କର ଏକକ ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ ।
୨. ବ୍ୟାଙ୍କ ଆକାଉଣ୍ଟ ହିତାଧିକାରୀଙ୍କ ଆଧାର ନମ୍ବର ସହ ଲିଙ୍କ ହେବା ଜରୁରୀ।
୩. ଆକାଉଣ୍ଟ ଡିବିଟି ସକ୍ଷମ ହେବା ଆବଶ୍ୟକ।
୪. ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେୱାଇସି କରିଥିବା ଆବଶ୍ୟକ।
ଆବେଦନକାରୀମାନେ ପ୍ରଥମ ତିନୋଟି କାର୍ୟ୍ୟ ଶେଷ କରିବା ପାଇଁ ନିଜ ନିଜ ବ୍ୟାଙ୍କକୁ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଚତୁର୍ଥ କାର୍ୟ୍ୟ ଜନ ସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ କରାଯାଇପାରିବ ବୋଲି ଡବ୍ଲୁ ଆଣ୍ଡ ସିଡି ବିଭାଗ କହିଛି।
ଆବେଦନକାରୀମାନେ ଏହି ୪ଟି କାର୍ୟ୍ୟ ଶେଷ କରି ଆବଶ୍ୟକତା ପୂରଣ କରିବା ପରେ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୮ ଲକ୍ଷ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି।
ମାର୍ଚ୍ଚ ୮ ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହିତାଧିକାରୀମାନଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ରହିଛି।
Also readhttps://purvapaksa.com/should-convicted-mps-mlas-be-banned-for-life/
ଦୋଷୀ ସାବ୍ୟସ୍ତ ସାଂସଦ, ବିଧାୟକଙ୍କୁ ଆଜୀବନ ନିଷିଦ୍ଧ କରାଯିବା ଉଚିତ କି? ବିସ୍ତୃତ ଶୁଣାଣି କରିବେ ସୁପ୍ରିମକୋର୍ଟ


