Delhi: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଆମ ଆଦମୀ ପାର୍ଟି (ଆପ) ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି।
ଭାରତୀୟ ଜନତା ପାର୍ଟି (ବିଜେପି) ୨୭ ବର୍ଷ ପରେ ଦିଲ୍ଲୀରେ ୪୮ଟି ଆସନ ଜିତି କ୍ଷମତାକୁ ଫେରିଛି, ଯେତେବେଳେ କି ଆମ ଆଦମୀ ପାର୍ଟିକୁ କେବଳ ୨୨ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ସୋମନାଥ ଭାରତୀଙ୍କ ଭଳି ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ନିର୍ବାଚନୀ ମଇଦାନରେ ମାଟି କାମୁଡ଼ିଛନ୍ତି ।
ରାଜନୈତିକ ବିଶ୍ଲେଷକଙ୍କ କହିବା ହେଉଛି, ଏହି ପରାଜୟ ପରେ ଦଳର ଆଭ୍ୟନ୍ତରୀଣ ମତଭେଦ ଆହୁରି ଗଭୀର ହେବ। ଅର୍ଥାତ୍, ଆମ ଆଦମୀ ପାର୍ଟି ଯେଉଁ ଭାଗ୍ୟ ଆଡ଼କୁ ଯାଉଛି, ତାହା ୪୦ ବର୍ଷ ପୂର୍ବେ ଆସାମରେ ଗଠିତ ଆସାମ ଗଣ ପରିଷଦ (AGP)ର ରାଜନୈତିକ ବନବାସର କଥାକୁ ମନେ ପକାଇ ଦିଏ । ଆମ ଆଦମୀ ପାର୍ଟି ମଧ୍ୟ କ’ଣ ଏଜିପି ରାସ୍ତାରେ ଯାଉଛି?
ଆସାମ ଗଣ ପରିଷର ଜନ୍ମ
ଆସାମ ଗଣ ପରିଷଦ (AGP)ର ଜନ୍ମ ଆସାମ ଚୁକ୍ତି (୧୯୮୫)ରୁ ହୋଇଥିଲା। ଅଲ୍ ଆସାମ ଛାତ୍ର ସଂଘ ସହିତ ଏହି ଚୁକ୍ତିନାମା ଆସାମ ଆନ୍ଦୋଳନର ଅନ୍ତ ଘଟାଇଥିଲା। ବାଂଲାଦେଶୀମାନଙ୍କ ଅବୈଧ ଅନୁପ୍ରବେଶ ଯୋଗୁଁ ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା । ମୁଳ ଆସାମୀ ନିଜ ରାଜ୍ୟରେ ସଂଖ୍ୟାଲଘୁ ହେବାକୁ ଲାଗିଲେ । ଧର୍ମୀୟ ଜନସଂଖ୍ୟାରେ ଏହି ପରିବର୍ତ୍ତନ ଆସାମରେ ଉତ୍ତେଜନା ସୃଷ୍ଟି କରିଥିଲା । ବ୍ୟାପକ ଆନ୍ଦୋଳନ ପରେ ସ୍ୱାକ୍ଷରିତ ଚୁକ୍ତି ପରେ ଡିସେମ୍ବର ୧୯୮୫ରେ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନରେ, AGP ୧୨୬ଟି ଆସନରୁ ୬୭ଟି ଜିତି କ୍ଷମତାକୁ ଆସିଥିଲା।
ଏହାସତ୍ୱେ ଆସାମରେ ଦୁଇଥର ଶାସନ କରିବା ପରେ ବି ବାରମ୍ବାର ଆଭ୍ୟନ୍ତରୀଣ ବିଭାଜନ ଯୋଗୁଁ ଦଳ ଦୁର୍ବଳ ହୋଇ ଚାଲିଥିଲା। ପ୍ରାୟ ୨୦୦୦ ମସିହା ବେଳକୁ ଏଜିପି ଓ ଏହାର ମୁଖ୍ୟଙ୍କର ଲୋକପ୍ରିୟତା ବହୁତ ହ୍ରାସ ପାଇଲା। କିନ୍ତୁ ୨୦ ବର୍ଷର ବ୍ୟବଧାନ ପରେ ଏନଡିଏ ସହିତ ମେଣ୍ଟ ଗଠନ କରି ୨୦୨୪ରେ ଏଜିପି ଗୋଟିଏ ଲୋକସଭା ଆସନ (ବାରପେଟା) ଜିତିବାରେ ସଫଳ ହୋଇଥିଲା।
ଆପ୍ ଆନ୍ନା ଆନ୍ଦୋଳନର ଫଳ
ଆସାମ ଗଣ ପରିଷଦର ଜନ୍ମ ପଛରେ ବିଦେଶୀ ବିରୋଧୀ ଆନ୍ଦୋଳନ ଥିବାବେଳେ , ଆପ ହେଉଛି ୨୦୧୧-୨୦୧୨ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ଇଣ୍ଡିଆ ଏଗନେଷ୍ଟ କରପସନ୍ ଆନ୍ଦୋଳନର ଫଳାଫଳ। ଏହା ବ୍ୟତୀତ, AGP ଏବଂ AAPରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ଏହି ଉଭୟ ଦଳର ଯୁବ ନେତା ପ୍ରଫୁଲ୍ଲ ମହନ୍ତ ଏବଂ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା। ଏହା ବ୍ୟତୀତ, ଦୁର୍ନୀତି ଅଭିଯୋଗ ଏବଂ ଦଳ ଗଠନରେ ଯୋଗଦାନ ଦେଇଥିବା ଲୋକଙ୍କ ଦଳତ୍ୟାଗ କିମ୍ବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଯୋଗୁଁ ଉଭୟ ଦଳ ସେମାନଙ୍କର ପ୍ରଥମ କାର୍ଯ୍ୟକାଳ ପରେ ସେମାନଙ୍କର ବିଶ୍ୱସନୀୟତା ହରାଇଥିଲେ।
ଆପ୍ କିପରି ନିଜର ରାଜନୈତିକ ପୃଷ୍ଠଭୂମି ହରାଇଲା?
ପ୍ରଫୁଲ୍ଲ ମହନ୍ତଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସିବା ପରେ ଦଳକୁ ହଠାତ୍ ଝଟକା ଲାଗିଥିଲା। ଯଦିଓ ସେ ରାଜ୍ୟର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ପ୍ରତି ପ୍ରଚୁର ଜନ ସମର୍ଥନ ଥିଲା। କିନ୍ତୁସେ ଜଣେ ଅଯୋଗ୍ୟ ନେତାର ଆଖ୍ୟା ପାଇଥିଲେ ଏବଂ ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଅରବିନ୍ଦ କେଜ୍ରିୱାଲଙ୍କ ସହିତ ମଧ୍ୟ ସମାନ କିଛି ଘଟିଛି। ୨୦୨୦ ମସିହାରେ ବିଧାନସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଇଁ ବିପୁଳ ସଫଳତା ପାଇଲେ।
ଆପ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। କିନ୍ତୁ କେଜରିୱାଲ ମଦ (ଆବକାରୀ) ନୀତିରେ ଘୋଟାଲା ଅଭିଯୋଗରୁ ମୁକୁଳିପାରିଲେ ନାହିଁ। ପ୍ରଥମେ ତାଙ୍କର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେଲ୍ ପଠାଗଲା ଏବଂ ପରେ ତାଙ୍କୁ ମଧ୍ୟ ତିହାରରେ ସମୟ ବିତାଇବାକୁ ପଡିଲା। ଏହି କାରଣରୁ, କେଜରିୱାଲ ବିଜେପି ବିରୋଧରେ ନିଜର ରାଜନୈତିକ ଦବଦବା ହରାଇବାକୁ ଲାଗିଲେ ।
ଆପ୍ AGP ର ପଥରେ କେମିତି ଆଗକୁ ଯାଉଛି?
ଆସାମ ଗଣ ପରିଷଦର ପତନ ମଧ୍ୟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏହାର ଶୀର୍ଷ ନେତା ପ୍ରଫୁଲ୍ଲ ମହାନ୍ତ ଏବଂ ଭୃଗୁ କୁମାର ଫୁକନଙ୍କ ମଧ୍ୟରେ ବଢ଼ୁଥିବା ମତଭେଦ ଯୋଗୁଁ ଏହା ବିଭାଜିତ ହୋଇଥିଲା। ଏହା ବ୍ୟତୀତ, ଉଭୟ କ୍ଷେତ୍ରରେ ଦଳ ପ୍ରତି ଜନସମର୍ଥନ ହ୍ରାସ ପାଇଛି ଏବଂ ଏହାର ନେତାମାନଙ୍କ ଛବି ମଧ୍ୟ କ୍ଷୁର୍ଣ୍ଣ ହୋଇଛି। ପ୍ରଫୁଲ୍ଲ ମହନ୍ତ ଏବଂ ଅରବିନ୍ଦ କେଜ୍ରିୱାଲ ଉଭୟଙ୍କ ବିରୁଦ୍ଧରେ ଲୋକଙ୍କ ଆନ୍ଦୋଳନକୁ ବ୍ୟକ୍ତିତ୍ୱ ପୂଜାରେ ପରିଣତ କରିବାର ଅଭିଯୋଗ ଆସୁଛି। ଏହି ଦୁଇଟି ଦଳ ପ୍ରତିଷ୍ଠା କରିବାରେ ଯୋଗଦାନ ଦେଇଥିବା ନେତାମାନେ କଂଗ୍ରେସ ଏବଂ ବିଜେପି ସମେତ ଅନ୍ୟ ଦଳକୁ ସମୟକ୍ରମେ ଚାଲିଯାଇଛନ୍ତି ।
କପିଲ ମିଶ୍ର ଏବଂ କୁମାର ବିଶ୍ୱାସଙ୍କ ସହ ଅରବିନ୍ଦ କେଜରିୱାଲଙ୍କ ମତଭେଦ କାହାକୁ ଅଛପା ନୁହେଁ । କପିଲ ମିଶ୍ର କେଜ୍ରିୱାଲଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଦଳ ଛାଡିଥିଲେ। ସେହି ସମୟରେ, ଯେତେବେଳେ କୁମାର ବିଶ୍ୱାସ ଲୋକସଭା ନିର୍ବାଚନରେ ପରାଜୟ ପାଇଁ କେଜରିୱାଲଙ୍କୁ ଦାୟୀ କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ କେଜରିୱାଲଙ୍କ ଚାଲିଥିବା ମତଭେଦ ମଧ୍ୟ ଦଳର ଲୋକପ୍ରିୟତାକୁ ଧକ୍କା ଦେଇଛି ।
ଆମ ଆଦମୀ ପାର୍ଟିର କଣ ହେବ?
ଆମ ଆଦମୀ ପାର୍ଟି ଏବଂ ଆସାମ ଗଣ ପରିଷଦର ରାଜନୈତିକ ଯାତ୍ରା ସମାନ ରହିଛି। ଯଦି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ପରାଜୟରୁ ମୁକୁଳିବାରେ ବିଫଳ ହୁଅନ୍ତି ଏବଂ ଦଳକୁ ଦୁର୍ନୀତି ଅଭିଯୋଗରୁ ବାହାର କରିବାରେ ବିଫଳ ହୁଅନ୍ତି, ତେବେ ଆମ ଆଦମୀ ପାର୍ଟି ମଧ୍ୟ ସମାନ ଭାଗ୍ୟର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ରାଜନୈତିକ ପରିସ୍ଥିତିରେ ଏକ ବିରାଟ ପରିବର୍ତ୍ତନ ନ ଆସିଲେ, ଆମ ଆଦମୀ ପାର୍ଟି ପାଇଁ ତାର ଭୋଟର ଆଧାର ଫେରି ପାଇବା ସହଜ ହେବ ନାହିଁ। ଯଦିଓ ଆମ ଆଦମୀ ପାର୍ଟି ଆସାମ ଗଣ ପରିଷଦ ଭଳି ଏକ ମେଣ୍ଟରେ ସାମିଲ ହୋଇ ନିଜ ପ୍ରଦର୍ଶନ ଉନ୍ନତ କରିବାର ବିକଳ୍ପ ରହିଛି। କାରଣ, ହରିୟାଣାରେ କଂଗ୍ରେସ ବହୁ ମତରୁ ବଞ୍ଚିତ ହେବା ଏବଂ ଦିଲ୍ଲୀରେ ଆମ ଆଦମୀ ପାର୍ଟି ବିଜେପିଠାରୁ କ୍ଷମତା ହରାଇବା ପଛରେ ମେଣ୍ଟ ଗଠନ ନ କରିବା ଏକ ବଡ଼ କାରଣ ବୋଲି ବିବେଚନା କରାଯାଉଛି।
ALSO READ: https://purvapaksa.com/can-bhakta-das-revive-the-congress-party/