ଉତ୍ତର ପ୍ରଦେଶର ବାଗପତରେ ରବିବାର ରାତିରେ ପୁଲିସ ଓ ଏସଟିଏଫର ମିଳିତ କାର୍ଯ୍ୟାନୁଷ୍ଠାନରେ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ଅପରାଧୀ ସନ୍ଦୀପ ଲୋହାର ଓରଫ ସନ୍ଦୀପ ପହଲୱାନ ଏନକାଉଣ୍ଟରରେ ପ୍ରାଣ ହରାଇଛି । ସାଇକୋ କିଲର ନାମରେ କୁଖ୍ୟାତ ସନ୍ଦୀପ ହାଇୱେରେ ଟ୍ରକ ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରିବା ସହ ଲୁଟପାଟ କରୁଥିଲା। ସେ ପ୍ରାୟତଃ ଉତ୍ତର ପ୍ରଦେଶ, ହରିୟାଣା ଓ ମହାରାଷ୍ଟ୍ରର ହାଇୱେରେ ଏଭଳି ଘଟଣା ଘଟାଉଥିଲା। ଯେଉଁମାନେ ତାଙ୍କୁ ଜାଣିଥିଲେ, ଖାସକରି ଡ୍ରାଇଭରମାନେ, ସେମାନଙ୍କ ମଧ୍ୟରେ ସନ୍ଦୀପ ପହଲୱାନଙ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଝିଅ ମୃତ୍ୟୁ ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଘୃଣା
ହରିୟାଣାର ରୋହତକ ଜିଲ୍ଲାର ଭୈଣୀ ମହାରାଜ ଗାଁର ନିବାସୀ ସନ୍ଦୀପ ଲୋହାର ଜଣେ ପହଲୱାନ ଥିଲା। କିନ୍ତୁ ୨୦୧୩ ମସିହାରେ ଏକ ସଡ଼କ ଦୁର୍ଘଟଣା ତା’ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଏହି ଦୁର୍ଘଟଣାରେ ତା’ ଝିଅର ମୃତ୍ୟୁ ହୋଇଥିଲା, ଯାହା ପାଇଁ ସେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦାୟୀ କରିଥିଲା। ଏହି ଘଟଣା ସନ୍ଦୀପକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ତା’ ଦୃଷ୍ଟିରେ ଟ୍ରକ ଡ୍ରାଇଭରମାନେ ଅପରାଧୀ ଥିଲେ। ଏହାପରେ ସେ ଟ୍ରକ ଡ୍ରାଇଭରମାନଙ୍କୁ ନିଶାନା କରିବା ଆରମ୍ଭ କରିଥିଲେ।
ପ୍ରଥମେ ବନ୍ଧୁତା,ତା’ପରେ ହତ୍ୟା
ସନ୍ଦୀପର ଅପରାଧ କରିବାର ଢଙ୍ଗ ଯେତିକି ଯୋଜନାବଦ୍ଧ ଥିଲା, ସେତିକି ବିପଜ୍ଜନକ ମଧ୍ୟ। ସେ ହାଇୱେରେ ଟ୍ରକ ଡ୍ରାଇଭରମାନଙ୍କ ସହ ପ୍ରଥମେ ବନ୍ଧୁତା କରୁଥିଲା, ସେମାନଙ୍କ ସହ ଖାଦ୍ୟ ଖାଉଥିଲେ ଓ ମଦ ପିଆଇ ସେମାନଙ୍କ ବିଶ୍ୱାସ ଅର୍ଜନ କରୁଥିଲେ। ତା’ପରେ ସୁଯୋଗ ପାଇ ସେ ତାଙ୍କର ଗଳା ଚିପି, ଗୁଳି ମାରି ବା ଧାରୁଆ ଅସ୍ତ୍ର ଦ୍ୱାରା ସେମାନଙ୍କୁ ହତ୍ୟା କରୁଥିଲା। ହତ୍ୟା ପରେ ଟ୍ରକରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଉଥିଲା। ପୁଲିସ ଅନୁସାରେ, ସନ୍ଦୀପ ଅତି କମରେ ଚାରି ଜଣ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିବା ସହିତ ଅନେକ ବଡ଼ ଲୁଟପାଟ କରିଥିଲା ।
୪ କୋଟିର ଲୁଟ ତାକୁ ମୋଷ୍ଟ ୱାଣ୍ଟେଡ କରିଥିଲା
ସନ୍ଦୀପର ସବୁଠାରୁ ଚାଞ୍ଚଲ୍ୟକର କାଣ୍ଡ ଥିଲା କାନପୁରର ପନକୀ ଥାନା ଅଞ୍ଚଳରେ ୧୫ ମେ ୨୦୨୫ରେ ୪ କୋଟି ଟଙ୍କାର ନିକେଲ ପ୍ଲେଟ ଲଦା ଟ୍ରକର ଲୁଟ। ଏହି ଘଟଣା ପରେ ସେ ଫେରାର ହୋଇଯାଇଥିଲା ଓ ପୁଲିସ ତା ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ଇନାମ ରଖିଥିଲା। ତାଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ, ହରିୟାଣା ଓ ମହାରାଷ୍ଟ୍ରରେ ହତ୍ୟା, ଲୁଟ ଓ ଡକାୟତିର ୧୫ରୁ ଅଧିକ ମାମଲା ରୁଜୁ ହୋଇଥିଲା।
ବାଗପତ ଏନକାଉଣ୍ଟରରେ ନିହତ
୨୯ ଜୁନ ରାତିରେ ବାଗପତର ମବୀକଲାଂ ଅଞ୍ଚଳରେ ପୁଲିସକୁ ସନ୍ଦୀପର ଉପସ୍ଥିତିର ସୂଚନା ମିଳିଥିଲା। ଏସଟିଏଫ ନୋଏଡା ୟୁନିଟ ଓ ବାଗପତ ପୁଲିସ ମିଳିତ ଭାବେ ଅଞ୍ଚଳଟିକୁ ଘେରାବନ୍ଦୀ କରିଥିଲେ। ଏନକାଉଣ୍ଟର ସମୟରେ ସନ୍ଦୀପ ପୁଲିସ ଉପରେ ଗୁଳି ଚଳାଇଥିଲା, ଯାହାର ଜବାବରେ ପୁଲିସର ଗୁଳିରେ ସେ ଆହତ ହୋଇଥିଲା। ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାଗପତର ପୁଲିସ ଅଧୀକ୍ଷକ ସୁରଜ କୁମାର ରାୟ କହିଛନ୍ତି, ସନ୍ଦୀପ ଜଣେ କୁଖ୍ୟାତ ଅପରାଧୀ ଥିଲା, ଯିଏ ହାଇୱେରେ ଟ୍ରକ ଡ୍ରାଇଭରମାନଙ୍କୁ ଟାର୍ଗେଟ କରୁଥିଲା। ତେବେ ଏବେବି ତା’ର ଜଣେ ସହଯୋଗୀ ଫେରାର ହୋଇଥିବା ସୂଚନା ମିଳିଛି, ଯାହାକୁ ଖୋଜାଖୋଜି ଚାଲିଛି। ଏନକାଉଣ୍ଟରରେ ସନ୍ଦୀପ ପାଖରୁ ଏକ ପିସ୍ତଲ, ଅଫୁଟା ଗୁଳି ଏବଂ ଅନ୍ୟାନ୍ୟ ସନ୍ଦେହ ଜନକ ସାମଗ୍ରୀ ଜବତ ହୋଇଛି। ଏସଟିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଅମିତାଭ ୟଶ କହିଛନ୍ତି, ଏହା ହାଇୱେରେ ଲୁଟ ଓ ହତ୍ୟା ଘଟଣାକୁ ରୋକିବାରେ ଏକ ବଡ଼ ସଫଳତା। ପୁଲିସ ଏବେ ସନ୍ଦୀପର ଅପରାଧୀ ନେଟୱାର୍କର ଗଭୀର ତଦନ୍ତ କରୁଛି।
Also read https://purvapaksa.com/anguls-coal-mines-will-become-a-death-trap-for-elephants/
