ମାତ୍ର ୧୦ ମାସ ହେଲା ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ବିଜେଡିର ଏକ ପ୍ରକାର ମନମୁଖୀ ଶାସନରେ ଅତିଷ୍ଠ ହୋଇ ସେମାନଙ୍କଠାରୁ ମୁହଁ ଫେରାଇ କିଛି ନୂଆ ପରିବର୍ତ୍ତନ ଆଣିବା ଲାଗି ଓଡ଼ିଶା ମତଦାତା ବିଜେପିକୁ ଭୋଟ୍ ଦେଇଥିଲେ। ହେଲେ ମାତ୍ର ୧୦ ମାସ ଭିତରେ ଲୋକମାନେ ବିଜେପି ଶାସନ ଉପରେ ଅତିଷ୍ଠ ହୋଇଗଲେଣି।
ରାଜଧାନୀ ଭୁବନେଶ୍ୱର କଥା ଇଏ ନୁହେଁ, ଯେଉଁ ଜିଲ୍ଲାର ୯ରୁ ୯ ଆସନ ବିଜେପି ଜିତିଛି ସେହି ଜିଲ୍ଲାରେ ରାଜ୍ୟ ପ୍ରଶାସନର ଶାସନ ବ୍ୟବସ୍ଥାକୁ ନେଇ ଲୋକମାନେ ହତାଶ୍ ହୋଇଛନ୍ତି। ଆଉ ଏଇ ହତାଶାର ପ୍ରତିକ୍ରିୟା ଭୋଗିବାକୁ ପଡ଼ିଛି ଖୋଦ୍ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ। ଲୋକଙ୍କଠାରୁ ତାଙ୍କୁ ଢେଲାମାଡ଼ ଖାଇବାକୁ ପଡ଼ିଛି। ମତଦାତାଙ୍କ ମନରେ କାହିଁକି ଏ ନିରାଶା ? କାହିଁକି ଏଇ ଅନାସ୍ଥା ଭାବ? କ’ଣ ପାଇଁ ଆଦିବାସୀ ବର୍ଗ ଆଜି ବିଜେପି ଶାସନ ଉପରେ ଉତ୍କ୍ଷିପ୍ତ? ଏ ସବୁ ପଛରେ ଦାୟୀ କିଏ?
ଆଜି ଆପଣଙ୍କୁ ମୟୁରଭଞ୍ଜ ଜିଲ୍ଲାର କଥା କହିବି। ଏହି ଜିଲ୍ଲାରେ ସମୁଦାୟ ବିଧାନସଭା ଆସନ ସଂଖ୍ୟା ହେଉଛି ୯। ଆଦିବାସୀ, ସରଳ ଲୋକଙ୍କ ଅଞ୍ଚଳଭାବେ ଏହି ଜିଲ୍ଲା ପରିଚିତ। ୨୦୨୪ ନିର୍ବାଚନ ପୂର୍ବରୁ ଏଇ ଜିଲ୍ଲାର ଝିଅଙ୍କୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଭାବେ ଚୟନ କରି ବିଜେପି ସାରାବିଶ୍ୱରେ ସମ୍ମାନ ଆପଣାଇଛି। ବିଜେପିର ଶୀର୍ଷ ନେତୃତ୍ୱଙ୍କ ଏ ସମ୍ମାନକୁ ଅନ୍ୟଥା ନ କରି ଏଠାର ମତଦାତାମାନେ ମଧ୍ୟ ବିଜେପିକୁ ନିର୍ବାଚନରେ ବେଶ୍ ସୁଫଳ ଦେଇଛନ୍ତି। ବିଜେଡିର ପ୍ରଲୋଭନ, ନିର୍ବାଚନୀ ପ୍ରତିଶ୍ରୁତି, ଭିନ୍ନ ଭିନ୍ନ ପ୍ରକଳ୍ପ ସବୁକିଛିକୁ ଏଡ଼ାଇ ବିଜେପିକୁ ଭୋଟ୍ ଦେଇଛନ୍ତି। ଅର୍ଥାତ୍ ବିଜେଡି ଗଡ଼ରେ ପଦ୍ମ ଫୁଟାଇଛନ୍ତି। କହିବାକୁ ଗଲେ ବିଜେପି ସେଠାକାର ଲୋକଙ୍କୁ ଯାହା ଦେଇଛି ତା’ଠାରୁ କେତେଗୁଣା ଅଧିକ ଫାଇଦା ମତଦାତାମାନେ ବିଜେପିକୁ ଫେରାଇ ଦେଇଛନ୍ତି।
ହେଲେ ଆଜି ସେହି ସରଳ ଲୋକମାନେ ଶାସନ ବ୍ୟବସ୍ଥା ଉପରୁ ମାତ୍ର ୧୦ ମାସ ପରେ ମୁହଁ ଫେରାଇ ନେଇଛନ୍ତି। ତାଙ୍କୁ ପ୍ରତାରଣାର ଶିକାର ହେବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି। ତାଙ୍କର ବିପଦ ସମୟରେ ସରକାରୀ କଳ ଓ ବିଜେପିର ନେତାମାନେ ଠିଆ ହେଉନାହାନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଅଦିନିଆ ବର୍ଷା, କୁଆପଥର ମାଡ଼ ଯୋଗୁ ତାଙ୍କ ଘର ଭାଙ୍ଗିଯାଇଛି ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ମାତ୍ର କ୍ଷମତା ନିଶାରେ ମସଗୁଲ ଥିବା ମନ୍ତ୍ରୀମାନେ ପ୍ରଶାସନ କଥାରେ ମତଦାତାଙ୍କ କଥା ନ ଶୁଣି ସେମାନଙ୍କ ସମସ୍ୟାକୁ ଏଡ଼ାଇ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି। ଏହାର ଜବାବରେ ଏହି ସରଳ ଆଦିବାସୀ ଲୋକେ ମନ୍ତ୍ରୀମାନଙ୍କ ଉପରକୁ ତାଙ୍କୁ ଢେଲା ମାରିଛନ୍ତି। ଅର୍ଥାତ୍ ଆସ୍ଥା ହରାଇଛନ୍ତି।
ବିଜେପି ସରକାରଙ୍କୁ ଏହା ଏକ ଚେତାବନୀ ସଦୃଶ। ବାଙ୍ଗରିପୋଷିରୁ ବିଶୋଇ ଯିବା ରାସ୍ତାରେ ଧାରଣାରେ ବସିଥିବା ସାଧାରଣ ନାଗରିକଙ୍କୁ ରାଜସ୍ୱ ମନ୍ତ୍ରୀ କି ନଗର ଉନ୍ନୟନ ମନ୍ତ୍ରୀ କେହି ଧ୍ୟାନ ଦେଇ ନ ଥିବା ସେମାନେ କହିଛନ୍ତି।
ସେମାନଙ୍କ ଦାବିରେ ଯଥାର୍ଥତା ରହିଛି। କୁଆପଥର ମାଡ଼ ଯୋଗୁ ସେମାନଙ୍କ ଘରଦ୍ୱାର, ଫସଲ ନଷ୍ଟ ହୋଇଛି। ଗୁହାରି କଲେ ବି ପ୍ରଶାସନ ତାଙ୍କୁ ପଲିଥିନ୍ ଖଣ୍ଡେ ଦେଇନାହିଁ। ବିଧାନସଭା ଚାଲୁଥିଲେ କ୍ଷତିଗ୍ରସ୍ତ ଲୋକମାନଙ୍କର ଥଇଥାନ ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗି ନାହିଁ। ଆଉ ଯେତେବଳେ ରାଜସ୍ୱ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ତାଙ୍କୁ ସମବେଦନା ଦେବାକୁ ଆସିଛନ୍ତି ତାହା ପ୍ରତାରଣାରେ ପରିଣତ ହୋଇଛି। କାହିଁକି ଲୋକଙ୍କୁ ଏଡ଼ାଇବା ଭଳି ଏକ ହୀନ, ଅହଙ୍କାରୀ ନେତାର ପରିଚୟ ଏମାନେ ଦେଇଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ଅହଙ୍କାର ଦିନକୁ ଦିନ ବଢ଼ିବାର କାରଣ ଭିତରେ ପ୍ରଥମ ହେଉଛି ଯେଉଁ ନେତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀଭାବେ ବାଛିଛନ୍ତି ତାହାଙ୍କୁ ମନ୍ତ୍ରୀ ଓ ବିଜେପି ବିଧାୟକମାନେ ତିଳେମାତ୍ର ଖାତିର କରୁନାହାନ୍ତି। କେହି କେହି କହି ବୁଲିଲେଣି ତାଙ୍କ ନେତା କୁଆଡ଼େ ଦିଲ୍ଲୀରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର। ମୁଖ୍ୟମନ୍ତ୍ରୀ ଚାହିଲେ ମଧ୍ୟ ତାଙ୍କର କିଛି କ୍ଷତି କରିପାରିବେ ନାହିଁ।
ଆଉ କିଏ କହୁଛନ୍ତି, ଭାଗ୍ୟ ଭଲ ବୋଲି ମୋହନ ମୁଖ୍ୟମନ୍ତ୍ରୀ ହେଲେ ନ ହେଲେ ସେ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। ଏମିତି ଚର୍ଚ୍ଚା ଭିତରେ ସ୍ପଷ୍ଟ ହେଉଛି ଯେ କେହି ଜଣେ କ୍ଷମତାଶାଳୀ ନେତା ଅଛନ୍ତି ଯିଏ ଢୋଲ ଭିତରେ ମୂଷା ସାଜିଛନ୍ତି। କେହି ଜଣେ ମନ୍ତ୍ରିମଣ୍ଡଳକୁ ଅସ୍ତବ୍ୟସ୍ତ କରି ରଖିବାକୁ ଚାହିଁଛନ୍ତି।
ଆଉ ଏହି ଆଶଙ୍କା ଦିନକୁ ଦିନ ଏହି ବିଭାଜନକାରୀ ନେତାଙ୍କ ସ୍ଥିତି ସୁଦୃଢ଼ ହେଉଥିବାରୁ ଅଧିକାରୀ ବି କୁଆଡ଼େ ଯିବେ, କାହା କଥା ମାନିବେ ତାହା ଜାଣିପାରୁ ନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ସେମାନେ ଜିଲ୍ଲାସ୍ତରରେ କାହା କଥା ଶୁଣିବେ ସ୍ଥିର କରିନପାରି ଲୋକଙ୍କୁ ବି ବେଖାତିର କରୁଛନ୍ତି। ନବୀନଙ୍କ ସମୟରେ ଅଧିକାରୀମାନେ ନେତାଙ୍କୁ ବେଖାତିର କରି ତୃତୀୟ ମହଲାର ନିର୍ଦ୍ଦେଶକୁ ଅପେକ୍ଷା କରୁଥିଲେ। ସେମାନେ ଏବେ ନା ତୃତୀୟ ମହଲା ନା ତୃଣମୂଳର ନେତା କାହାକୁ ନ ଶୁଣି ନୀରବଦ୍ରଷ୍ଟା ପାଲଟିଛନ୍ତି। ଫଳରେ ସାଧାରଣ ଲୋକଙ୍କ ଉପରେ ଦିନକୁ ଦିନ ସମସ୍ୟାର ବୋଝ ବଢ଼ି ଚାଲିଛି।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା କୁହନ୍ତୁ କି, ଅପରାଧ ନିୟନ୍ତ୍ରଣ, ରାସନ କାର୍ଡ ବଣ୍ଟନ କଥା କୁହନ୍ତୁ କି ବିପର୍ଯ୍ୟୟ ପରିଚାଳନା ସବୁଠାରେ ପୁଲିସ ଓ ପ୍ରଶାସନ ଉଭୟ ଫେଲ୍ ମାରିଛନ୍ତି। ପ୍ରଶାସନର ଏହି ବିଫଳତା ଏବେ ରାଜ୍ୟ ସରକାରଙ୍କ ସଫଳତାରେ ପ୍ରଶ୍ନ ଚିହ୍ନ ଲଗାଉଛି। ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମାନ୍ତରାଳ ମନ୍ତ୍ରିମଣ୍ଡଳ ସୃଷ୍ଟି କରାଯାଉଛି ସେଠାରେ ଦଳର ଶୀର୍ଷ ନେତା କରୁଛନ୍ତି କ’ଣ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଆପଣ ବି ଏ ପ୍ରଶ୍ନ ପଚାରି ପାରନ୍ତି। ସାମାଜିକ ଗଣମାଧ୍ୟମଠରୁ ଆରମ୍ଭ କରି ମତଦାତାଙ୍କ ମଧ୍ୟରେ ଏହି ସ୍ୱର ଦିନକୁ ଦିନ ଶାଣିତ ହେବାରୁ ଏବେ ଓଡ଼ିଶାରେ ଯେ ୮୦ ଦଶକର କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରୁଛି ତାହାକୁ ଅନ୍ୟଥା କରାଯାଇନପାରେ।
Also readhttps://purvapaksa.com/what-is-the-fear-that-has-gripped-pandian/