ପରିବାରରେ କୌଣସି ସଙ୍କଟ ଆସିଲେ ସାଧାରଣତଃ ସବୁ ସଦସ୍ୟ ସମସ୍ତ ପୁରୁଣା ମତପାର୍ଥକ୍ୟକୁ ଭୁଲି ଏକାଠି ହୋଇଥାଆନ୍ତି। ଭାରତ ଏକ ପରିବାରଭାବେ ପ୍ରତିଟି ବୈଦେଶିକ ପ୍ରସଙ୍ଗ ବିଶେଷକରି ଯୁଦ୍ଧ ସମୟରେ ଏହାକୁ ପ୍ରଦର୍ଶିତ କରିଆସିଛି। ସେଥିଲାଗି ଭାରତକୁ ବିଶ୍ୱରେ ଗଣତନ୍ତ୍ରର ଜନନୀ କୁହାଯାଏ। ଆଉ ଏଭଳି ପରମ୍ପରାକୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟଭାବେ ଗ୍ରହଣ କରାଯାଏ। ଆଜି ବି ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ପରମ୍ପରାକୁ ସମ୍ମାନ ଦେଇ କଂଗ୍ରେସ ନିଜ ଆଦର୍ଶର ବିରୋଧୀ ବିଜେପି ସରକାରଙ୍କୁ ସମର୍ଥନ କରୁଥିଲେ ବି ଦେଶର ବିଭିନ୍ନ ଅଞ୍ଚଳରେ ବିଭ୍ରାନ୍ତ ପ୍ରସାର କରିବାକୁ ଭୁଲୁ ନାହିଁ। ଲୋକେ ପ୍ରଶ୍ନ କରୁଛନ୍ତି ‘କଂଗ୍ରେସ ଏମିତି ହାଇପାଇଁ କାହିଁକି’?
୨୨ ଏପ୍ରିଲ ୨୦୨୫; ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ନେତାମାନଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ କରି ଆସୁଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର ଯାହା ପଦକ୍ଷେପ ନେବେ ତାହାକୁ ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସର୍ବଦଳୀୟ ବୈଠକରେ କହୁଥିଲେ ବି ବିଭିନ୍ନ ରାଜ୍ୟରେ ଏହାର ଓଲଟା ଆଚରଣ ଦେଖିବାକୁ ମିଳୁଛି। ନିଜ ରାଜନୀତିକ ରୁଟି ସେକିବାକୁ ସରକାର ଦେଉଥିବା ତଥ୍ୟକୁ ବି ବିଶ୍ୱାସ କରିପାରୁନାହିଁ କଂଗ୍ରେସ। ବିଭିନ୍ନ ତୃଣମୂଳ ସ୍ତରର ନେତାମାନେ ଭିନ୍ନ ଭିନ୍ନ ମତ ଦେଇ ନିଜର ଅସ୍ୱୀକାରକୁ ଜାହିର କରୁଛନ୍ତି। ଏପରିକି ଖୋଦ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ତାଲିକାରୁ ବାଦ ପଡ଼ି ନାହାନ୍ତି। ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିବାକୁ ସେ ସମାଲୋଚନା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଡକାଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଦେଶର ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି।
ପୁଣି କଂଗ୍ରେସ ସୋସାଲ୍ ମିଡିଆ ହ୍ୟାଣ୍ଡଲରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଶରୀର ବିହୀନ ଚିତ୍ରକୁ ଉପସ୍ଥାପନ କରାଯାଇ ‘ଗାୟବ’ ବୋଲି କୁହାଯାଇଛି। ଦେଶ ଏମିତି ଏକ ପରିସ୍ଥିତି ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଅଦୃଶ୍ୟ ହୋଇଯାଇଥିବା କୁହାଯାଇଛି। ଏହାକୁ ନେଇ ପାକିସ୍ତାନର ନେତାମାନେ ଅପପ୍ରଚାର କରିବାକୁ ବି ପଛାଇ ନାହାନ୍ତି। ଅର୍ଥାତ୍ ଦେଶକୁ ଶତ୍ରୁ ପକ୍ଷଙ୍କ ଦ୍ୱାରା ଅପମାନୀତ କରିବା ପାଇଁ ଏହା ସୁଯୋଗ ସୃଷ୍ଟି କରୁଛି।
ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୋଦୀ କାଶ୍ମୀର ପ୍ରସଙ୍ଗରେ ଗମ୍ଭୀର ନୁହଁନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସର୍ବଦଳୀୟ ବୈଠକ ସମୟରେ ମୋଦୀ ବିହାରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ଅର୍ଥାତ୍ ଦେଶ ଅପେକ୍ଷା ବିହାର ନିର୍ବାଚନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ କେନ୍ଦ୍ରରେ ମୋଦୀ ସରକାରଙ୍କ ଗୁଇନ୍ଦା ଓ ନିରାପତ୍ତା ବିଫଳତାକୁ ନେଇ ସମାଲୋଚନା କରିଛନ୍ତି। ରାଜ୍ୟର ଆବକାରୀ ମନ୍ତ୍ରୀ ଆର.ବି. ତିମ୍ମାପୁର କହିଛନ୍ତି, ଆତଙ୍କୀମାନେ ଆକ୍ରମଣ ପୂର୍ବରୁ ଲକ୍ଷ୍ୟର ଧର୍ମ ପଚାରିନଥିଲେ, କିନ୍ତୁ ସରକାରଙ୍କ ବିଫଳତା ଏହି ଘଟଣାକୁ ଆହୁରି ଗମ୍ଭୀର କରିଛି।
ଏପରିକି କିଛି ନେତା ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରି ସରକାରଙ୍କ ନିରାପତ୍ତା ନୀତିକୁ ପ୍ରଶ୍ନ କରିଛନ୍ତି।
ମଣିଶଙ୍କର ଆୟାର ଓ ସୈଫୁଦ୍ଦିନ ସୋଜ୍ ଏ ପ୍ରସଙ୍ଗରେ ମଧ୍ୟ ରାଜନୀତିକ ଧ୍ୟାନ ଆକର୍ଷିତ କରିବାକୁ ଚାହିଁଛନ୍ତି। ତାଙ୍କ ମନ୍ତବ୍ୟ, ବିବାଦୀୟ ହେବା ପରେ ଦଳ ଏହାକୁ ‘ବ୍ୟକ୍ତିଗତ ମତ’ ବୋଲି କହି ଦୂରେଇ ରହିଛି। ଅପରପକ୍ଷେ ଏକଦା ଦଳର ନିକଟତର ତଥା ସହଯୋଗୀ ହୋଇଥିବା ବହୁଜନ ସଭାଜବାଦୀ ପାର୍ଟି ଓ ଶିବସେନା କଂଗ୍ରେସ ନେତାଙ୍କ ଏପରି ଆଚରଣକୁ କଠୋର ନିନ୍ଦା କରିଛନ୍ତି।
ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସର ଏପରି ବୟାନବାଜୀକୁ କୁତ୍ସିତ ରାଜନୀତି ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ପରିସ୍ଥିତିତରେ ସମସ୍ତ ରାଜନୀତିକ ଦଳ ଏକାଠି ହୋଇ ସରକାରଙ୍କୁ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ମୁଣ୍ଡବିହୀନ ପୋଷ୍ଟର ସୋଶାଲ ମିଡିଆରେ ପ୍ରସାର କରାଯିବା ଏବଂ ଭିନ୍ନ ଭିନ୍ନ ବିରୋଧୀ ମନ୍ତବ୍ୟ ଦିଆଯିବାକୁ ସେ ନିନ୍ଦା କରିଛନ୍ତି।
ଖାଲି ସେ ନୁହଁନ୍ତି ଶିବସେନା ନେତା ସଞ୍ଜୟ ନିରୂପମ୍ କଂଗ୍ରେସ ନେତାଙ୍କ ଏପରି ବୟାନବାଜୀ ଓ ପୋଷ୍ଟର ପ୍ରସାରକୁ ନେଇ କଂଗ୍ରେସ ନେତାଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ବୋଲି କହିଛନ୍ତି।
ଏହାର ପ୍ରମାଣିତ କରୁଛି ଯେ ଦଳ ଭିତରେ ଏକତା ନାହିଁ। ଦେଶର ସର୍ବପୂରାତନ ଦଳ ଯିଏ ସରକାରରେ ଥିବା ସମୟରେ ଦେଶ ପାକିସ୍ତାନ, ଚୀନ ସହ ୫ଟି ପ୍ରମୁଖ ଯୁଦ୍ଧ ଲଢ଼ିଛି, ଆଜି କାହିଁକି ଏପରି ଅବସ୍ଥାର ସମ୍ମୁଖୀନ ହେଉଛି? ଉତ୍ତରରେ ୪ଟି ବିନ୍ଦୁକୁ ଏଠାରେ ଆଲୋକପାତ କରାଯାଇପାରେ।
ପ୍ରଥମେ ନେତୃତ୍ୱ ଓ ସମନ୍ୱୟର ଅଭାବ। ପରିସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ଯେ କଂଗ୍ରେସ ଦଳରେ କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି।। ଏହା ଫଳରେ ବିଭିନ୍ନ ନେତା ନିଜ ବ୍ୟକ୍ତିଗତ ଦୃଷ୍ଟିକୋଣ ଓ ରାଜନୈତିକ ଏଜେଣ୍ଡା ଅନୁସାରେ ମତ ପ୍ରକାଶ କରୁଛନ୍ତି। ଉଦାହରଣସ୍ୱରୂପ, ମଣିଶଙ୍କର ଆୟାର ଆକ୍ରମଣକୁ ଭାରତ-ପାକିସ୍ତାନ ବିଭାଜନ ସହ ଯୋଡ଼ିଥିବାବେଳେ ଅନ୍ୟ ନେତାମାନେ ସରକାରଙ୍କ ନିରାପତ୍ତା ବିଫଳତା ଉପରେ ଆଲୋଚନା କରିଛନ୍ତି।
ଦ୍ୱିତୀୟରେ ଭିନ୍ନ ଭିନ୍ନ ରାଜନୈତିକ ଏଜେଣ୍ଡା। କଂଗ୍ରେସ ଆଉ ଗୋଟିଏ ଏଜେଣ୍ଡାରେ ବିଶ୍ୱାସ କରୁନାହିଁ। ଏଠାରେ ଗୋଟିଏ ପାର୍ଟିର ଏଜେଣ୍ଡା ସ୍ଥଳ ଓ ଘଟଣା ବିଶେଷରେ ପରିବର୍ତ୍ତନ ହେଉଛି। ବିଭିନ୍ନ ନେତା ନିଜ ନିଜ ରାଜ୍ୟ ବା ଅଞ୍ଚଳରେ ରାଜନୈତିକ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି। ଉଦାହରଣସ୍ୱରୂପ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୟା ଓ ତାଙ୍କ ମନ୍ତ୍ରିମଣ୍ଡଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାବେଳେ, ରାହୁଲ ଗାନ୍ଧୀ ଏକତାର ନିଦର୍ଶନସ୍ୱରୂପ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ତୃତୀୟରେ ଦଳୀୟ ଅନୁଶାସନର ଅଭାବ। କଂଗ୍ରେସ ନେତାମାନଙ୍କ ବିବାଦୀୟ ବୟାନ ପରେ ଦଳ ସେମାନଙ୍କ ମତକୁ ‘ବ୍ୟକ୍ତିଗତ’ ବୋଲି କହି ନିଜକୁ ଦୂରେଇ ରଖିଛି। ଏହା ଦଳୀୟ ଅନୁଶାସନର ଅଭାବ ଓ ଏକକ ବାର୍ତ୍ତା ପ୍ରେରଣରେ ବିଫଳତାକୁ ସୂଚାଇଛି। ବିଜେପି ମଧ୍ୟ ଏହି ଦୁର୍ବଳତାକୁ ଟାର୍ଗେଟ କରି କଂଗ୍ରେସର ନେତୃତ୍ୱଙ୍କୁ ପ୍ରଶ୍ନ କରିଛି।
ଚତୁର୍ଥରେ ସ୍ଥାନୀୟ ଓ ଜାତୀୟ ଦୃଷ୍ଟିକୋଣର ପାର୍ଥକ୍ୟ। କିଛି ନେତା ପହଲଗାମ ଘଟଣାକୁ ଜାତୀୟ ନିରାପତ୍ତା ପ୍ରସଙ୍ଗଭାବେ ଦେଖୁଥିବାବେଳେ, ଅନ୍ୟମାନେ ଏହାକୁ ସ୍ଥାନୀୟ କାଶ୍ମୀରୀ ପ୍ରସଙ୍ଗ ବା ରାଜନୀତିକ ଇତିହାସ ସହ ଯୋଡ଼ିଛନ୍ତି। ଏହି ବିଭିନ୍ନ ଦୃଷ୍ଟିକୋଣ ଦଳରେ ଏକମତ ଅଭାବର କାରଣ ହୋଇପାରେ।
ପଞ୍ଚମ ତଥା ସର୍ବଶେଷ କାରଣ ହେଉଛି ବିଜେପିକୁ ବିରୋଧ କରିବାର ରଣନୀତି। କିଛି କଂଗ୍ରେସ ନେତା ଏହି ଘଟଣାକୁ ବିଜେପି ସରକାରଙ୍କ ବିଫଳତାଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ଯାହା ଅନ୍ୟ ନେତାଙ୍କ ଏକତା ଓ ସମର୍ଥନ ବାର୍ତ୍ତାର ସବ୍ପୂର୍ଣ୍ଣ ବିରୋଧୀ। ଏହା ଦଳରେ ରଣନୀତିଗତ ମତାନ୍ତରକୁ ସୂଚାଇଛି।
ଉପର ବିନ୍ଦୁଗୁଡ଼ିକ ଏହା ସୂଚାଉଛି ଯେ କଂଗ୍ରେସ ନେତାମାନଙ୍କ ଭିନ୍ନ ଭିନ୍ନ ମତ ଦଳୀୟ ଅନୁଶାସନର ଅଭାବ, ରାଜନୈତିକ ଏଜେଣ୍ଡାର ପାର୍ଥକ୍ୟ, ଓ ସ୍ଥାନୀୟ-ଜାତୀୟ ଦୃଷ୍ଟିକୋଣର ସଂଘର୍ଷ ଯୋଗୁଁ ହେଉଛି। ଦଳ ଏହାକୁ ସମାଧାନ କରିବା ପାଇଁ ନେତାମାନଙ୍କୁ ଏକକ ବାର୍ତ୍ତା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଏହା ସମ୍ପୂର୍ଣ୍ଣ ସଫଳ ହୋଇନାହିଁ।
ଏଠାରେ ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରାଯାଇପାରେ। ଏ ରାଜ୍ୟ ହିଁ ଗଲା ୭୮ ବର୍ଷ ହେଲା ପ୍ରତ୍ୟକ୍ଷ ଯୁଦ୍ଧର ସମ୍ମୁଖୀନ ହେଉଛି। ଏଠାର ଲୋକେ ହିଁ ଯୁଦ୍ଧ ଆସିଲେ ବଙ୍କର ଖୋଜନ୍ତି। ଏଠାର ସରକାର ସବୁକିଛି ଭୁଲି ଭାରତ କଥା ଚିନ୍ତା କରନ୍ତି। ଅର୍ଥାତ୍ ଏଠାରେ ଯୁଦ୍ଧ ନୂଆ ନୁହେଁ। ସରକାର ବଦଳୁଛି, ରାଜନୀତିର ପାଣିପାଗ ପରିବର୍ତ୍ତନ ହେଉଛି କିନ୍ତୁ ଯୁଦ୍ଧବେଳେ ଜମ୍ମୁ ଓ କାଶ୍ମୀରର ପ୍ରତିଟି ଜୀବନ ଭାରତ ସହ ଅଛନ୍ତି ତାହା ଆଜି ଯାଏ ଅପରିବର୍ତ୍ତନୀୟ ହୋଇ ରହି ଆସିଛି। କାରଗିଲ ଯୁଦ୍ଧକୁ ଅଙ୍ଗେ ନିଭାଇଥିବା ଫାରୁକ୍ ଅବଦୁଲ୍ଲା ବି କଂଗ୍ରେସର ନୀତିକୁ ସମର୍ଥନ କରିପାରୁ ନାହାନ୍ତି। ଫାରୁକ୍ ଏଭଳି ସମୟରେ ରାଜନୀତି ଛାଡ଼ି ସମସ୍ତେ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବା ଉଚିତ ବୋଲି କହିଛନ୍ତି।
ଫାରୁକ୍ଙ୍କ ଏହି ମନ୍ତବ୍ୟରୁ କଂଗ୍ରେସ ନିଜର ଚିନ୍ତାଧାରାକୁ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। ନହେଲେ ପରିବର୍ତ୍ତନଶୀଳ ପରିସ୍ଥିତିରେ କଂଗ୍ରସର ସତ୍ତା ଖୋଜିବା ଯେ ମୁସ୍କୁଲ୍ ନ ହୋଇପଡ଼ିବ, ତାହାକୁ ଅସ୍ୱୀକାର କରାଯାଇନପାରେ।
Also readhttps://purvapaksa.com/tanka-torani-odishas-traditional-summer-cooler-with-probiotic-power/
ଟଙ୍କ ତୋରାଣୀ: ଓଡ଼ିଶାର ପାରମ୍ପରିକ ଗ୍ରୀଷ୍ମ କାଳୀନ ଥଣ୍ଡା ପାନୀୟ, ଯେଉଁଥିରେ ରହିଛି ପ୍ରୋବାୟୋଟିକ୍ ଶକ୍ତି