ବିଜୁ ଜନତା ଦଳରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଗୋଷ୍ଠୀ ଏବେ ସୁପ୍ତଭାବରେ ଦଳର ସମସ୍ତ ସମ୍ପତ୍ତିକୁ ହଡ଼ପ କରିବାକୁ ବସିଛନ୍ତି। ଏପରିକି ଦଳର ବରିଷ୍ଠ ନେତାମାନେ ଏ ବାବଦରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯଦିଓ ପାଣ୍ଡିଆନ୍ ପର୍ଦ୍ଦା ଉପରକୁ ଆସୁନାହାନ୍ତି କି କୌଣସି ରାଜନୀତିକ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କିନ୍ତୁ ତାଙ୍କ ଲୋକଙ୍କ ପାଖରେ ଥିବା କ୍ଷମତାକୁ ଆଉ କାହାକୁ ଦେବାକୁ ମଧ୍ୟ ଦଳର ସଭାପତି ଚାହୁଁ ନାହାନ୍ତି। ଏହାଦ୍ୱାରା କିଛି ନେତା ଦଳଠୁ ବି ବଡ଼ ବୋଲି ନଜକୁ ସୂଚାଇବାକୁ ପଛାଉ ନାହାନ୍ତି। ଏହି ଗୋଷ୍ଠୀର ଏମିତି ଜଣେ ନେତା ହେଉଛନ୍ତି ମାନସ ରଞ୍ଜନ ମଙ୍ଗରାଜ। ପ୍ରଶ୍ନ ଉଠୁଛି ତାଙ୍କ ଆଗରେ କାହିଁକି ନଇଁଛି ବିଜେଡି?
ଗୋଟିଏ ଦଳ ଜଣେ ବ୍ୟକ୍ତିଙ୍କ ପାଖରେ ଆଣ୍ଠେଇବା ବିଜେଡିରେ ନୂଆ କଥା ନୁହେଁ। ଇତିହାସ ସାକ୍ଷୀ ରହିଛି, ଏହା କେବେ ପ୍ୟାରୀମୋହନ ମହାପାତ୍ରଙ୍କ ପାଖରେ ତ ଆଉ କେବେ କଳ୍ପତରୁ ଦାସଙ୍କ ପାଖରେ, ପୁଣି ଅନେକ ଦିନ ପାଣ୍ଡିଆନ୍ଙ୍କ ପାଖରେ ଆଣ୍ଠେଇଛି। ଆଜି ପ୍ରଚାର ହେଉଛି ପାଣ୍ଡିଆନ୍ ଦଳରେ ସକ୍ରିୟ ନାହାନ୍ତି କି ଦଳ ତାଙ୍କ ପାଖରେ ଅଟକି ନାହିଁ। କିନ୍ତୁ ବାସ୍ତବରେ ପାଣ୍ଡିଆନ୍ଙ୍କ ଅଫିସ ପୂର୍ବରୁ ଯେଉଁଠି ଥିଲା ଏବେ ସେଇଠି ଅଛି। ତାଙ୍କ ପାରିଷଦରେ ଯେଉଁମାନେ ଥିଲେ ସେମାନେ ସେମିତି ଅଛନ୍ତି। ଆଜିବି ସେଇ ବିଶ୍ୱାସ ଓ ଭରସା ସେ ସଭାପତିଙ୍କ ଅର୍ଜନ କରିଛନ୍ତି। ସୋଶାଲ ମିଡିଆରେ ତାଙ୍କ କଥାକୁ ପ୍ରସାର କରାଯାଉଛି। ଆଜିବି ତାଙ୍କ ପାରିଷଦ ଯାହା ଚାହୁଁଛନ୍ତି ସେହି କ୍ଷମତା ରକ୍ଷା କରିବାରେ ସମର୍ଥ ହୋଇଛନ୍ତି। ଯେମିତି ପ୍ରଣବ ପ୍ରକାଶ ଦାସ କୌଣସି ପଦବୀରେ ନ ଥାଇ ବି ଆଜି ଦଳର ସର୍ବେସର୍ବା। ତାଙ୍କ ବିନା ଅନୁମତିରେ ସଭାପତିଙ୍କ କାର୍ଯ୍ୟାଳୟରେ କେହି ପଶିବା ମୁସ୍କିଲ। ସେହିଭଳି ପ୍ରତାପ ଦେବ ମଧ୍ୟ ଯେ କୌଣସି ସମୟରେ ଯେକୌଣସି ଜିଲ୍ଲାର ସମୀକ୍ଷା ଯେଉଁଠି ବି କଲେ ସାତଖୁଣ ମାଫ୍। ଆଉ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ କଥା ନ କହିଲେ ଭଲ। ସେ ଅଘୋଷିତଭାବେ ବିଜେଡିର କୋଟି କୋଟି ଟଙ୍କାର ମାଲିକ। ତାଙ୍କ ବିରୋଧରେ ବିଜେଡିର ବିଧାୟକମାନେ ନିକଟରେ ସଭାପତିଙ୍କ ପାଖରେ ଫେରାଦ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାଣ୍ଡିଆନ୍ କ୍ୟାମ୍ପରେ ନ ଥିବା କିଛି ବିଜେଡି ନେତା ନିକଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହି ଅଭିଯୋଗ ଅନୁସାରେ ଦଳର ସମ୍ପତ୍ତି ନନ୍ଦିଘୋଷ ଟିଭି ପାଇଁ ଯେତିକି ଖର୍ଚ୍ଚ ହେଉଛି ସେଥିରେ ୫ ଜଣ ନେତା ବିଧାୟକ ହୋଇପାରିବେ। ଅର୍ଥାତ୍ ଏହି ଖର୍ଚ୍ଚରୁ କିଛି ଲାଭ ଆସୁ ନାହିଁ। ଲୋକମାନେ ଏହି ଚ୍ୟାନେଲକୁ ପସନ୍ଦ କରୁନାହାନ୍ତି। ଟିଆରପି ସ୍କେଲରେ ଏହା ୧୦ ଅଙ୍କ ଛୁଇଁପାରୁନି। ଏଣୁ ଏ ଖର୍ଚ୍ଚକୁ ବନ୍ଦ କରିଦିଆଯାଉ।
ଏହି ଖବର ଅନୁସାରେ ବର୍ଷକୁ ପ୍ରାୟ ୨୫ କୋଟି ଟଙ୍କା ନନ୍ଦିଘୋଷ ଟିଭି ଏବଂ ସକାଳ ଖବରକାଗଜ ପାଇଁ ଖର୍ଚ୍ଚ ହେଉଛି। ହେଲେ ଦଳ କ୍ଷମତାରୁ ଦୂରେଇଯିବା ପରେ ଏହି ଖର୍ଚ୍ଚ ଭରଣା କରିବା ସମ୍ଭବପର ହେଉ ନାହିଁ। ସିଧାସଳଖ ବିଜେଡି ପାଣ୍ଠିରୁ ତାହାକୁ ବହନ କରିବାକୁ ପଡ଼ୁଛି। ପୁଣି ଏ ସଂସ୍ଥା ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ। ଯାହାର ନିର୍ଦ୍ଦେଶକମାନେ କୌଣସି ନିଷ୍ପତ୍ତି ନେବାର ଅଧିକାର ନାହିଁ। ଦିନରୁ ରାତି ଯାଏ ନିର୍ଦ୍ଦେଶକଙ୍କ ବଦଳରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏହାର କାର୍ଯ୍ୟାଳୟରେ ବସୁଛନ୍ତି। ସେ ହିଁ ହେଉଛନ୍ତି ସଂସ୍ଥାର ସର୍ବେସର୍ବା। ପୁଣି ନିର୍ଦ୍ଦେଶକମାନଙ୍କୁ ଇସ୍ତଫା ଦେବା ପାଇଁ ପ୍ରବର୍ତ୍ତାଯାଉଥିବା ବି ଖବର ପହଞ୍ଚିଛି। ଏଥିନେଇ ଏକ ଫାଉଣ୍ଡେସନ୍ ତିଆରି ହୋଇଛି। ଯାହାର ନାଁ ରହିଛି ଚତୁର୍ଦ୍ଧା ଫାଉଣ୍ଡେସନ୍। କୁହାଯାଉଛି କମ୍ପାନୀର ସମ୍ପତ୍ତିକୁ ଏହି ଫାଉଣ୍ଡେସନ୍କୁ ହସ୍ତାନ୍ତରଣ କରିବାକୁ ଉଦ୍ୟମ ଚାଲିଛି। ଏବେ ଏହି କମ୍ପାନୀ ନାଁରେ ଇଡକୋଠାରୁ ୩ କୋଟି ୧୨ ଲକ୍ଷ ୭୫ ହଜାର ଟଙ୍କାରେ କିଣାଯାଇଥିବା ଦୁଇଟି ପ୍ଲଟ୍ ରହିଛି। ଯାହା ଭଗବାନପୁର ଶିଳ୍ପାଞ୍ଚଳରେ ଅବସ୍ଥିତ। ଏହି ଦୁଇଟି ପ୍ଲଟ ଉପରେ ନନ୍ଦିଘୋଷ ଟିଭି ଠିଆ ହୋଇଛି। ଏହାର ସମୁଦାୟ ପରିଧି ହେଉଛି ୨ ଏକର ୮୫ ଡିସିମିଲ। ରାଜଧାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଥିବା ଏହି ଜମି ଅତ୍ୟନ୍ତ ମୂଲ୍ୟବାନ ସମ୍ପତ୍ତିଭାବେ ଗଣାଯାଏ। ଏହି ସମ୍ପତ୍ତି ଚତୁର୍ଦ୍ଧା ଫାଉଣ୍ଡେସନ୍କୁ ଆସିଲେ ତାହା ଆଉ ଦଳୀୟ ପରିଧିରେ ରହିବ ନାହିଁ ବୋଲି କିଛି ଆଶଙ୍କା କରୁଛନ୍ତି।
ଏହି ଆଶଙ୍କା ପଛରେ ଆଉ ଏକ ପୃଷ୍ଠଭୂମି ବି ରହିଛି। ଏହା ହେଉଛି ସଞ୍ଜୟ ଦାସବର୍ମା ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ଭିତରେ ବିବାଦ। ଆପଣମାନଙ୍କର ମନେଥିବା ବ୍ରହ୍ମଗିରିର ତତ୍କାଳୀନ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୟ ‘ସର୍ବସାଧାରଣ’ ନାମରେ ଏକ ଖବରକାଗଜ ଚଳାଇବା ସହ ଏକ ଛାପାଖାନା ସ୍ଥାପନ କରିଥିଲେ। କିନ୍ତୁ ଏହା ଅନେକ କ୍ଷତିରେ ଚାଲିବା ହେତୁ ସେ ଆଉ ଏହି ସଂସ୍ଥା ଚଳାଉ ନାହାନ୍ତି। ବିଜେଡି ଯେତେବେଳେ ମିଡିଆ ଚଳାଇବ ବୋଲି ଏକ ଖବରକାଗଜ ଏବଂ ଟିଭି କଥା ଚିନ୍ତା କରୁଥିଲା; ସେତେବେଳେ ସଞ୍ଜୟ କୁଆଡ଼େ ପାଣ୍ଡିଆନ୍ଙ୍କୁ ତାଙ୍କ ଖବରକାଗଜ ଓ ଛାପାଖାନାଟିକୁ କିଣି ତାଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବାକୁ କହିଥିଲେ। ପାଣ୍ଡିଆନ୍ ବି ଏଥିରେ ରାଜି ହୋଇଥିଲେ। କିନ୍ତୁ ମାନସ ରଞ୍ଜନ ମଙ୍ଗରାଜ ତାହାକୁ ଠୁକୁରେଇ ଦଳର ମିଡିଆ ବ୍ୟାପାରରେ ସଞ୍ଜୟଙ୍କୁ ଦୂରେଇ ରଖିବାକୁ ମାଷ୍ଟର ଷ୍ଟ୍ରୋକ୍ ମାରିଥିଲେ। ଫଳରେ ସଞ୍ଜୟଙ୍କର ହାତରେ ନା ବ୍ରହ୍ମଗିରି ରହିଲା ନା ସର୍ବସାଧାରଣ। ଆଜି ବି ସଞ୍ଜୟ ପାଣ୍ଡିଆନ୍ଙ୍କ ଗୁଡ୍ବୁକରେ ପ୍ରବେଶ କରିପାରୁ ନାହାନ୍ତି।
ଏହି ହେତୁ ସଞ୍ଜୟ ଦାସବର୍ମା ନନ୍ଦିଘୋଷକୁ ଦଳୀୟ ପାଣ୍ଠି ପ୍ରଦାନ ପକ୍ଷରେ ନାହାନ୍ତି ବୋଲି କୁହାଯାଉଛି। ଏପରିକି ସେ ଏ ନେଇ ସଭାପତିଙ୍କୁ ଲେଖିବା ଫଳରେ ନନ୍ଦିଘୋଷ ଚଳାଇବାକୁ ମାସକୁ ୨କୋଟି ବଦଳରେ ଏବେ ମାତ୍ର ୬୦ ଲକ୍ଷ ଟଙ୍କା ମିଳୁଛି। ଦୀର୍ଘ ୫ ବର୍ଷ ହେଲା ଅପର୍ଯ୍ୟାପ୍ତ ସରକାରୀ ପାଣ୍ଠି ବ୍ୟବହାର କରି ତିଆରି ହୋଇଥିବା ଏହି ସଂସ୍ଥା କୁ-ପରିଚାଳନା ହେତୁ ନିଜ ଗୋଡ଼ରେ ଠିଆ ହେବା ସମ୍ଭବ ହୋଇପାରି ନାହିଁ। ନିଷ୍ପତ୍ତି ନେଉଥିବା କିଛି ଅଧିକାରୀ ନିଜର ବ୍ୟକ୍ତିଗତ ସମ୍ପତ୍ତି ଓ ଅୟାସୀ ବୃଦ୍ଧି କରିବା ହେତୁ ଏହି ସଂସ୍ଥା ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ଦୂରର କଥା ତିଷ୍ଠିପାରିବ କି ନା ତାହା ବି ସନ୍ଦେହ ଭିତରକୁ ଆସିଛି।
ପ୍ରଶ୍ନ ଉଠୁଛି ଏହି ଲଗାତାର ବିଫଳତା ପରେ ବି ମାନସଙ୍କୁ କାହିଁକି ନନ୍ଦିଘୋଷରୁ ବାଦ୍ ଦେଇପାରୁନି ବିଜେଡି? କାହିଁକି ଅନ୍ୟ ଏକ ପରିଚାଳନା ଗୋଷ୍ଠୀ ତିଆରି କରାଯାଉ ନାହିଁ? କାହିଁକି ମାନସ ମଙ୍ଗରାଜଙ୍କ ନିକଟରେ ବିଜେଡି ସରେଣ୍ଡର କରିଛି?
ଏହାର ଉତ୍ତର ଗୋଟିଏ ବିନ୍ଦୁରେ ଦେବାକୁ ଚେଷ୍ଟା କରିବି। ତାହା ହେଲା ମାନସ ରଞ୍ଜନ ମଙ୍ଗରାଜ ହେଉଛନ୍ତି ପାଣ୍ଡିଆନ୍ଙ୍କ ପାରିଷଦର ସକ୍ରିୟ ସଦସ୍ୟ। କୁହାଯାଉଛି ପାରିଷଦର ଅନେକ ସଦସ୍ୟ ରାଜ୍ୟ ବାହାରେ ଥିବାରୁ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟ ଭିତରେ ସେମାନଙ୍କ ସମ୍ପତ୍ତିର କଷ୍ଟୋଡିଆନ୍। ଆଉ ତାଙ୍କ ଉପରେ ଚାପ ପକାଇଲେ ରାଜ୍ୟସଭାରେ ବିଜେଡି ସଂଖ୍ୟାରୁ ଆଉ ଜଣେ ବାଦ୍ ପଡ଼ିପାରନ୍ତି। ଏଣୁ ପାଣ୍ଡିଆନ୍ଙ୍କ ପାରିଷଦର ଅନ୍ୟ ନେତାଙ୍କ ଭଳି ବ୍ୟବସାୟୀରୁ ରାଜନେତା ପାଲଟିଥିବା ମାନସ ରଞ୍ଜନ ମଙ୍ଗରାଜ ଅଘୋଷିତ କ୍ଷମତାକୁ ଉପଭୋଗ କରୁଛନ୍ତି। ଅର୍ଥାତ୍ ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ବରିଷ୍ଠ ସ୍ପଷ୍ଟବାଦୀ ନେତା ଏ ବିଷୟରେ କୌଣସି ଚରମ ପଦକ୍ଷେପ ଘୋଷଣା କରିପାରିବେ ନାହିଁ। ଆଗକୁ ଏହି ସମୀକରଣ କେତେ ଶକ୍ତିଶାଳୀ ହେବ ତାହା ଆପଣମାନେ ବିଚାର କରିବେ।
Also readhttps://purvapaksa.com/vishnu-hypersonic-missile-nightmare-for-pakistan-and-china/