ମୋଗଲ ଇତିହାସରେ ସତ୍ତା ହାସଲ କରିବା ପାଇଁ ନିଜ ରକ୍ତସମ୍ପର୍କୀୟଙ୍କ ରକ୍ତ ବୁହାଇବା ଏକ ପରମ୍ପରା ଥିଲା, କିନ୍ତୁ ସବୁଠାରୁ ରୋଚକ ଘଟଣା ଔରଙ୍ଗଜେବଙ୍କ ସହ ଜଡ଼ିତ। ସେ ତାଙ୍କ ବଡ଼ ଭାଇ ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ। ଔରଙ୍ଗଜେବ କେବଳ ସତ୍ତା ହାସଲ କରିବା ପାଇଁ ଦାରାଙ୍କୁ ହତ୍ୟା କରାଇ ନ ଥିଲେ, ଏହା ପଛରେ ଆହୁରି ଅନେକ କାରଣ ଥିଲା।
ଆକବରଙ୍କ ପରେ ମୋଗଲ ସାମ୍ରାଜ୍ୟର ଅଧିକାଂଶ ଶାହଜାଦାଙ୍କ ମଧ୍ୟରେ ଉତ୍ତରାଧିକାରୀ ହେବା ପାଇଁ ସଂଘର୍ଷ ଚାଲି ଆସୁଥିଲା। ଶାହଜାହାନଙ୍କ ପୁତ୍ର ଦାରା ଶିକୋହ, ଔରଙ୍ଗଜେବ, ଶୁଜା ଓ ମୁରାଦଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ମଧ୍ୟ ଏହି ପରମ୍ପରାର ଏକ ଅଂଶ ଥିଲା। କିନ୍ତୁ ଔରଙ୍ଗଜେବ କେବଳ ସିଂହାସନର ଲୋଭରେ ତାଙ୍କ ବଡ଼ ଭାଇ ଦାରା ଶିକୋହଙ୍କ ସହ ଶତ୍ରୁତା କରି ନ ଥିଲେ। ଦାରା ଶିକୋହଙ୍କ ମୃତ୍ୟୁ ବାର୍ଷିକୀରେ ଜାଣନ୍ତୁ ସେହି ୫ଟି କାରଣ, ଯାହା ହେତୁ ଔରଙ୍ଗଜେବ ତାଙ୍କ ସହୋଦର ଭାଇ ଦାରା ଶିକୋହଙ୍କ ପ୍ରତି ରାଗ ରଖିଥିଲେ,ଔରଙ୍ଗଜେବ ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ ଏବଂ ଶାହଜାହାନଙ୍କ ଉତ୍ତରାଧିକାରୀ ବୋଲି ବିବେଚିତ ଦାରା ଶିକୋହ ସିଂହାସନରୁ ଦୂରେଇ ଯାଇଥିଲେ। ଏହିପରି ଔରଙ୍ଗଜେବ ତାଙ୍କ ଭାଇମାନଙ୍କଠାରୁ ସିଂହାସନ ଛଡ଼ାଇ ନେଇଥିଲେ।
୧. ଔରଙ୍ଗଜେବ କଟ୍ଟର ମୁସଲମାନ ଥିଲେ ଏବଂ ଦାରା ହିନ୍ଦୁ ଧର୍ମଗ୍ରନ୍ଥର ଅନୁବାଦ କରାଇଥିଲେ
ଦାରା ଶିକୋହଙ୍କ ସ୍ଵଭାବ ଉଦାର ଓ ସମନ୍ଵୟବାଦୀ ଥିଲା। ସେ ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକର ସଂସ୍କୃତରୁ ଫାରସୀ ଅନୁବାଦ କରାଇଥିଲେ। ଉପନିଷଦଗୁଡ଼ଙ୍କର ଅନୁବାଦ ସିର୍-ଏ-ଅକବର ନାମରେ କରାଇଥିଲେ। ସେ ସୂଫୀବାଦ ଓ ବେଦାନ୍ତକୁ ଯୋଡ଼ିବାର ପ୍ରୟାସ କରୁଥିଲେ। ତାଙ୍କ ମତରେ ସମସ୍ତ ଧର୍ମ ଦିବ୍ୟତାର ଭିନ୍ନ ଭିନ୍ନ ରୂପ। ଏହାର ବିପରୀତେ, ଔରଙ୍ଗଜେବଙ୍କ ଦୃଷ୍ଟିକୋଣ ଶରିଆ-ଆଧାରିତ କଠୋର ଇସଲାମୀ ଶାସନ ଥିଲା । ତାଙ୍କୁ ଲାଗୁଥିଲା ଯେ ଦାରାଙ୍କ ଏହି ଉଦାର ଚିନ୍ତାଧାରା ଇସଲାମକୁ ଭ୍ରଷ୍ଟ କରୁଛି ଏବଂ ସାମ୍ରାଜ୍ୟର ମୁସଲମାନ ସମୁଦାୟକୁ ଦୁର୍ବଳ କରୁଛି।
କେଥେରିନ ବ୍ଲିବେକଙ୍କ ପୁସ୍ତକ ‘ଦାରା ଶିକୋହ: ଦି ହ୍ୟୁମାନିଷ୍ଟ ପ୍ରିନ୍ସ’ରେ କୁହାଯାଇଛି ଯେ ଦାରାଙ୍କ ଦରବାରରେ ପଣ୍ଡିତ, ସାଧୁ ଓ ସୂଫୀ ସନ୍ଥମାନଙ୍କର ସମାନ ଉପସ୍ଥିତି ଏବଂ ଧାର୍ମିକ ସଂଳାପ କଟ୍ଟରପନ୍ଥୀ ସମୁଦାୟକୁ ଅସନ୍ତୁଷ୍ଟ କରିଥିଲା, ଯାହାର ସମର୍ଥନ ଔରଙ୍ଗଜେବ ନେଇଥିଲେ। ଏହି ବୈଚାରିକ ଭିନ୍ନତା ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତରର କାରଣ ହୋଇଥିଲା ।
୨. ଶାହଜାହାନଙ୍କ ଆଖିର ତାରା ଦାରାଙ୍କ ଦରବାରରେ ବଢୁଥିବା ପ୍ରତିଷ୍ଠା
ଶାହଜାହାନ ସବୁବେଳେ ଦାରା ଶିକୋହଙ୍କୁ ଉତ୍ତରାଧିକାରୀ ବୋଲି ବିବେଚନା କରୁଥିଲେ। ସେ ଦାରାଙ୍କୁ କଠୋର ରାଜନୀତିରୁ ଦୂରେଇ ରଖୁଥିଲେ, ତାଙ୍କୁ ପ୍ରଶାସନିକ ଦାୟିତ୍ଵରେ ଦୁର୍ବଳ ରଖୁଥିଲେ ଏବଂ ଦରବାରରେ ତାଙ୍କର ଔପଚାରିକ ମର୍ଯ୍ୟାଦା ବଢ଼ାଉଥିଲେ। ଏହାର ବିପରୀତେ, ଔରଙ୍ଗଜେବଙ୍କୁ ପ୍ରାୟତଃ ସୀମାନ୍ତ ସୁବା(ପ୍ରଦେଶ)ମାନଙ୍କକୁ ପଠାଯାଉଥିଲା, ସେ ଦକ୍ଷିଣ ଭାରତ ହେଉ କିମ୍ବା ବଲ୍ଖ କିମ୍ବା ଅନ୍ୟ କୌଣସି ସ୍ଥାନ।
ଅଡ୍ରେ ଟ୍ରଶ୍କେଙ୍କ ପୁସ୍ତକ ‘ଔରଙ୍ଗଜେବ: ଦି ମ୍ୟାନ ଆଣ୍ଡ ଦି ମିଥ’ ଏହା ଉଲ୍ଲେଖ କରେ ଯେ ଔରଙ୍ଗଜେବଙ୍କୁ ବାରମ୍ବାର ପଛକୁ ପେଲି ଦିଆଯାଉଥିଲା । ଯାହା, ତାଙ୍କ ମନରେ ଦାରା ଓ ତାଙ୍କ ପିତାଙ୍କ ପ୍ରତି ହୀନମନ୍ୟତା ଓ କ୍ଷୋଭ ସୃଷ୍ଟି କରୁଥିଲା। ଏହି ମାନସିକ ଅବସାଦ ତାଙ୍କ ଘୃଣାକୁ ଆହୁରି ଗଭୀର କରିଥିଲା।
୩. ସାମରିକ ଦୃଷ୍ଟିକୋଣରୁ ଦୁର୍ବଳ ଦାରାଙ୍କୁ ଅଯୋଗ୍ୟ ଭାବୁଥିଲେ ସଭାସଦ
ଦାରା ଜଣେ ବିଦ୍ଵାନ ଓ ସଂସ୍କାରି ଶାହଜାଦା ଥିଲେ, କିନ୍ତୁ ସାମରିକ ଦୃଷ୍ଟିରୁ ଅଧିକ ପ୍ରବୀଣ ନ ଥିଲେ। ତାଙ୍କୁ ଯୁଦ୍ଧ ନୀତି ଓ ପ୍ରଶାସନରେ ଗଭୀରତାର ସହ ନିୟୋଜିତ କରାଯାଇ ନ ଥିଲା। ଅନ୍ୟପକ୍ଷରେ, ଔରଙ୍ଗଜେବ ଯୁଦ୍ଧକ୍ଷେତ୍ରରେ ବଢ଼ି ଉଠିଥିଲେ। ସେ ଦକ୍ଷିଣ ଭାରତ, ମଧ୍ୟ ଏସିଆ ଓ ଉତ୍ତର-ପଶ୍ଚିମ ସୀମାରେ ଅନେକ ଅଭିଯାନର ନେତୃତ୍ଵ ନେଇଥିଲେ। ଶାହଜାହାନଙ୍କ ନଜରରେ ଏହି ଅଭିଜ୍ଞତା କମ୍ ଗୁରୁତ୍ଵପୂର୍ଣ୍ଣ ଥିଲା, କିନ୍ତୁ ବାସ୍ତବରେ ସାମ୍ରାଜ୍ୟ ଚଳାଇବା ଦୃଷ୍ଟିରୁ ଏହା ଏକ ନିର୍ଣ୍ଣାୟକ ପାର୍ଥକ୍ୟ ଥିଲା।
ଅଡ୍ରେ ଟ୍ରଶ୍କେଙ୍କ ପୁସ୍ତକରେ ଲେଖାଯାଇଛି ଯେ ସେନା ଓ ପ୍ରଶାସନିକ ଅମଲମାନଙ୍କର ଏକ ବଡ଼ ଅଂଶ ଔରଙ୍ଗଜେବଙ୍କ ସହ ଥିଲା କାରଣ ସେମାନେ ତାଙ୍କର କଠୋର, ସକ୍ଷମ ଓ ଅନୁଶାସିତ ନୀତିକୁ ଗୁରୁତ୍ଵପୂର୍ଣ୍ଣ ମନେ କରୁଥିଲେ। ଏହା ପରୋକ୍ଷ ଭାବେ ଦାରାଙ୍କ ବିରୁଦ୍ଧରେ ଔରଙ୍ଗଜେବଙ୍କ ଘୃଣାକୁ ଉସକାଇଥିଲା, ଯେ ଏପରି ଦୁର୍ବଳ ବ୍ୟକ୍ତିତ୍ଵ କିପରି ସିଂହାସନର ଅଧିକାରୀ ହୋଇପାରେ?
୪. ହିନ୍ଦୁ ସନ୍ଥମାନଙ୍କ ସହ ଘନିଷ୍ଠତା ଯୋଗୁଁ କାଫିରର ଚିତ୍ର ସୃଷ୍ଟି ହେଲା
କେଥେରିନ ବ୍ଲିବେକଙ୍କ ପୁସ୍ତକରେ ଲେଖାଯାଇଛି ଯେ ଦାରାଙ୍କ ହିନ୍ଦୁ ସନ୍ଥମାନଙ୍କ ସହ ଗଭୀର ଘନିଷ୍ଠତା କଟ୍ଟର ମୌଲବୀମାନଙ୍କ ମଧ୍ୟରେ ତାଙ୍କୁ କାଫିର ଭାବେ ଚିତ୍ରଣ କରିଥିଲା। ସେମାନେ ଦାରାଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ସେ ଇସଲାମରୁ ବିମୁଖ ଏବଂ ହିନ୍ଦୁ ଧର୍ମକୁ ପ୍ରୋତ୍ସାହନ ଦେଉଛନ୍ତି। ଔରଙ୍ଗଜେବ ଏହି ପରିବେଶର ପୂର୍ଣ୍ଣ ଲାଭ ଉଠାଇଥିଲେ। ସେ ଦାରାଙ୍କ ବିରୁଦ୍ଧରେ ପାମ୍ଫଲେଟ ଲେଖାଇଥିଲେ ଏବଂ ଫତୁଆ ଜାରି କରାଇଥିଲେ ଯେ ଯଦି ଦାରାଙ୍କୁ ସିଂହାସନ ମିଳେ ତେବେ ଇସଲାମ ନଷ୍ଟ ହୋଇଯିବ। ଏହି ପରିବେଶ ଔରଙ୍ଗଜେବଙ୍କ ଦାରା-ବିରୋଧୀ ମନୋଭାବକୁ ବୈଚାରିକ ବୈଧତା ପ୍ରଦାନ କରିଥିଲା।
୫. ଦାରା ଔରଙ୍ଗଜେବଙ୍କୁ ଲୋଭୀ ଓ ଅଯୋଗ୍ୟ ଶାହଜାଦା ବୋଲି କହିଥିଲେ
ଦାରା ଶିକୋହଙ୍କୁ ପ୍ରାୟତଃ ଅହଂକାରୀ, ଦରବାରୀ ଔପଚାରିକତାରେ ପୂର୍ଣ୍ଣ ଏବଂ ବ୍ୟକ୍ତିଗତ ସମ୍ପର୍କରେ ଦୂରତ୍ଵ ରକ୍ଷା କରୁଥିବା ବ୍ୟକ୍ନ୍ତି ବୋଲି ବିବେଚନା କରାଯାଉଥିଲା। ଅନ୍ୟପକ୍ଷରେ, ଔରଙ୍ଗଜେବ ବ୍ୟବହାରିକ, କଠୋର ଓ ମହତ୍ତ୍ଵାକାଂକ୍ଷୀ ଥିଲେ। ଟ୍ରଶ୍କେଙ୍କ ପୁସ୍ତକରେ ଏକ ଉଲ୍ଲେଖ ମିଳେ ଯେ ଦାରା ଶିକୋହ ଔରଙ୍ଗଜେବଙ୍କୁ ଲୋଭୀ ଓ ଅଯୋଗ୍ୟ ଶାହଜାଦା ବୋଲି ଅପମାନ କରୁଥିଲେ। ଏପରି ବ୍ୟକ୍ତିଗତ କଟୁକଥା ସେମାନଙ୍କ ସମ୍ପର୍କକୁ ଆହୁରି ତିକ୍ତ କରି ଦେଇଥିଲା। ଦାରାଙ୍କ ଏହି ବ୍ୟବହାର ଔରଙ୍ଗଜେବଙ୍କ ଘୃଣାର ବ୍ୟକ୍ତିଗତ ଇନ୍ଧନ ଥିଲା ।
ଦାରା ଶିକୋହ କେବଳ ଏକ ଅସଫଳ ଉତ୍ତରାଧିକାରୀ ନ ଥିଲେ, ବରଂ ଭାରତୀୟ ଇତିହାସରେ ଏପରି ଏକ ବ୍ୟକ୍ତିତ୍ଵ ଥିଲେ ଯିଏ ଧର୍ମ ଓ ସଂସ୍କୃତି ମଧ୍ୟରେ ସେତୁ ନିର୍ମାଣ କରିବାର ସାହସ କରିଥିଲେ। ତାଙ୍କର ମୃତ୍ୟୁ କେବଳ ଏକ ଶାହଜାଦାଙ୍କର ପରାଜୟ ନ ଥିଲା, ବରଂ ଭାରତୀୟ ଉପମହାଦ୍ଵୀପରେ ସମନ୍ଵୟବାଦୀ ପରମ୍ପରାର ଏକ ବଡ଼ ସୁଯୋଗର ହତ୍ୟା ଥିଲା।
Also Read https://purvapaksa.com/sc-pulls-up-odisha-govt-over-non-compliance/
