ବିଜେପି ଖୁବଶୀଘ୍ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ। ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ ବିଜେପିର ନୂଆ ଅଧ୍ୟକ୍ଷ ପଦ ଦୌଡରେ ଦଳର ୬ ଜଣ ବରିଷ୍ଠ ନେତାଙ୍କ ନାମ ରହିଛି। ଏମାନଙ୍କ ଭିତରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ସେମାନେ ହେଲେ ଶିବରାଜ ସିଂହ ଚୌହାନ, ମନୋହରଲାଲ ଖଟ୍ଟର, ଭୂପେନ୍ଦ୍ର ଯାଦବ ଓ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ବିଜେପିର ମହାସଚିବ ସୁନୀଲ ବଂଶଲ ଓ ବିନୋଦ ତାୱଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।
ଜଣାପଡିଛି ଯେ ଦଳର ଅଧ୍ୟକ୍ଷ ବାଛିବା ଲାଗି ୩ଟି ମୁଖ୍ୟ ମାନଦଣ୍ଡ ଯଥା ସଙ୍ଗଠନାତ୍ମକ ଅନୁଭବ, କ୍ଷେତ୍ରୀୟ ସନ୍ତୁଳନ ଓ ଜାତୀୟ ସମୀକରଣ ଉପରେ ଧ୍ୟାନ ଦିଅଯାଉଛି। ଦଳର ଅଧ୍ୟକ୍ଷ ଚୟନ କରିବା ଲାଗି ଖୁବଶୀଘ୍ର ଏକ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ ହେବ । ଯଦି ଏକାଧିକ ପ୍ରାର୍ଥୀ ଏହି ଦୌଡକୁ ଆସନ୍ତି କିମ୍ବା ନିର୍ବାଚନର ଆବଶ୍ୟକତା ପଡେ ତେବେ ଏହି କମିଟି ନାମାଙ୍କନ, ଯାଞ୍ଚ ଓ ମତଦାନ ପ୍ରକ୍ରିୟା କଥା ବୁଝିବ।
ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି.ନଡ଼ାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ୍ରୁ ଶେଷ ହୋଇସାରିଛି। ସେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ସଭାପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ତେଣୁ ଖୁବଶୀଘ୍ର ବଳ ନୂଆ ଅଧ୍ୟକ୍ଷ ନିର୍ବାଚିତ କରିବା ଲକ୍ଷ୍ୟରେ ରହିଛି।
ଦଳର ସମ୍ବିଧାନ ଅନୁସାରେ ୫୦ ପ୍ରତିଶତ ରାଜ୍ୟରେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ କରାଯିବ। ଏବେ ବିଜେପିର ୩୭ ମାନ୍ୟତାପ୍ରାପ୍ତ ରାଜ୍ୟ ଶାଖା ରହିଛି। ସେଥିରୁ ୨୬ଟି ୟୁନିଟରେ ରାଜ୍ୟଶାଖା ନିଯୁକ୍ତ କରା ଯାଇସାରିଛି। ଚଳିତ ମାସ ୧ ଓ ୨ ତାରିଖରେ ବିଜେପି ୯ ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ଓଡ଼ିଶାର ଅଧ୍ୟକ୍ଷ ଭାବରେ ମନମୋହନ ସାମଲ ପୁଣି ନିର୍ବାଚିତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।
Also read https://purvapaksa.com/elon-musk-announces-his-own-party-trump-threatens-deportation/
