Student Leader Nahid Islam: ବାଂଲାଦେଶକୁ ଶୁଭେଛା ଦିଅନ୍ତୁ । କାରଣ ବାଂଲାଦେଶକୁ ମିଳିଛନ୍ତି କେଜ୍ରିୱାଲଙ୍କ ନୂଆ ଭର୍ସନ । ଆନ୍ଦୋଳନଜିବୀ କେଜ୍ରିୱାଲଙ୍କ ଭଳି ବାଂଲାଦେଶର ଏହି କେଜ୍ରିୱାଲ ମଧ୍ୟ ଗୋଟିଏ ଆନ୍ଦୋଳନରୁ ଜନ୍ମ ନେଇଛନ୍ତି । କିନ୍ତୁ ସମସ୍ୟା ହେଉଛି ଭାରତୀୟ କେଜ୍ରିୱାଲଙ୍କ ଭଳି ବାଂଲାଦେଶୀ କେଜ୍ରିୱାଲଙ୍କ ପାଖରେ ସମସ୍ୟାର ଲମ୍ବା ତାଲିକା ଅଛି କିନ୍ତୁ ସମାଧାନ ନାହିଁ ।
ମାନେ, ରୋଗର କାରଣ ତ’ ତାଙ୍କୁ ଜଣା କିନ୍ତୁ ନିଦାନ ଜଣାନାହିଁ । ଭାରତୀୟ କେଜ୍ରିୱାଲ ଏକଦା ଗର୍ବର ସହିତ କହିଥିଲେ, ହଁ ମୁଁ ଅରଜକତାବାଦୀ । ବାଂଲାଦେଶୀ କେଜ୍ରିୱାଲ ନିଜକୁ ଅରାଜକତାବାଦୀ ବୋଲି କହିନଥିଲେ ମଧ୍ୟ ବାଂଲାଦେଶରେ ଗଲା ଅଗଷ୍ଟ ମାସଠାରୁ ଜାରି ଅରଜକତା ପାଇଁ ନିଶ୍ଚୟ ସେ ହିଁ ଦାୟୀ । ଏତେ ଉପକ୍ରମଣିକାର କାରଣ ହେଉଛି ବାଂଲାଦେଶୀ କେଜ୍ରିୱାଲ ମଧ୍ୟ ନିଜ ପାଇଁ ଗୋଟିଏ ଦଳ ଗଢିଛନ୍ତି। ଆସନ୍ତୁ ଜାଣିବା ଏହି ବାଂଲାଦେଶୀ କେଜ୍ରିୱାଲ କିଏ ଓ ତାଙ୍କୁ କାହିଁକି ଏମିତି କୁହାଯାଉଛି ।
ଅରଜକତାରୁ ଜନ୍ମ
ବାଂଲାଦେଶରେ ଗତବର୍ଷ ଛାତ୍ର ଆନ୍ଦୋଳନ କାରଣରୁ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ହସିନା ପଦ ଛାଡ଼ିବା ଓ ଦେଶ ଛାଡ଼ି ଫେରାର ହେବା ପଛରେ ଜଣେ ଯୁବକଙ୍କ ହାତ ରହିଥିଲା, ତାଙ୍କର ନାମ ହେଉଛି ନାହିଦ ଇସଲାମ । ନାହିଦ ’Students Against Democrimination’ ନାମକ ସଂଗଠନର କୋ-ଅର୍ଡିନେଟର ଥିଲେ । ନାହିଦ ଛାତ୍ରଙ୍କ ବିରୋଧ ପ୍ରଦର୍ଶନର ଚେହେରା ଭାବେ ସାମ୍ନାକୁ ଆସିବା ସହ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ । ଏହି କାରଣରୁ ହସିନାଙ୍କୁ କ୍ଷମତା ହରାଇବାକୁ ପଡ଼ିଥିଲା । ନିକଟରେ ମୋହମ୍ମଦ ୟୁନୁସଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ପରେ ନାହିଦଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଫେବୃଆରୀ ୨୮ ତାରିଖରେ ନାହିଦ ନିଜର ରାଜନୈତିକ ପାର୍ଟିର ଘୋଷାଣା କରି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ ।
୨୭ ବର୍ଷରେ ଜିଆଣ୍ଟ କିଲର
ନାହିଦଙ୍କ ବୟସ ମାତ୍ର ୨୭ ବର୍ଷ । ବାଂଲାଦେଶରେ ଗତ ଏକ ଦଶନ୍ଧୀରୁ ଅଧିକ ସମୟ ଧରି କ୍ଷମତାରେ ଥିବା ଶେଖ ହାସିନା ସରକାରଙ୍କୁ ହଟାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶେଖ ହସିନା ସରକାର ପତନ ପରେ ସେ ବାଂଲାଦେଶର ଅନ୍ତରୀଣ ସରକାରରେ ସୂଚନା ଓ ପ୍ରସାରଣ (I&B) ପରାମର୍ଶଦାତା ପଦରେ କାର୍ଯ୍ୟରତ ଥିଲେ । ଯେହେତୁ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା, ସେଥିପାଇଁ ତାଙ୍କର ଇସ୍ତଫା ଲୋକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା । ଶୁକ୍ରବାର ଦିନ ନାହିଦ ଢାକାର ସଂସଦ ନିକଟରେ ଥିବା ମାଣିକ ମିୟା ଏଭିନ୍ୟୁରେ ନିଜର ଏକ ନୂଆ ପାର୍ଟିର ଘୋଷଣା କରିଥିଲେ । ଯାହାର ନାମ ହେଉଛି ’ଜାତୀୟ ନାଗରିକ ପାର୍ଟି ବା ନ୍ୟାସନାଲ ସିଟିଜେନ ପାର୍ଟି (NCP) । ଅର୍ଥାତ ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ ଡିସକ୍ରିମେସନ’ ନାମକ ସଂଗଂନ ଏବେ ରାଜନୈତିକ ପାର୍ଟିରେ ପରିବର୍ତ୍ତିତ ହୋଇଯାଇଛି। ତେଣୁ ଏବେ ପ୍ରଶ୍ନ ଉଠୁଛି, ଏହି ପାର୍ଟି ବାଂଲାଦେଶର ରାଜନୀତିକୁ ହଲଚଲ କରିଦେବ କି?
ସମାଜଶାସ୍ତ୍ରରୁ ରାଜନୀତି ଶାସ୍ତ୍ର
ଢାକା ବିଶ୍ବବିଦ୍ୟାଳୟରେ ସମାଜଶାସ୍ତ୍ରର ଛାତ୍ର ନାହିଦ ଇସଲାମ । ୨୭ ବର୍ଷ ବୟସରେ ଶେଖ ହସିନାଙ୍କ ବିରୋଧରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ଚେହେରା ହୋଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ୧୯୯୮ ମସିହାରେ ଜନ୍ମିତ ନାହିଦଙ୍କ ଇତିହାସ ସରକାରଙ୍କ ଜଣେ ଆଲୋଚକ ଭାବେ ରହିଆସିଛି । ଢାକାରେ ଜନ୍ମିତ ଜଣେ ଶିକ୍ଷକଙ୍କ ପୁତ୍ର ନାହିଦ ଭାରତର ସୀମା ସ୍ଥିତ ସୁନ୍ଦରବନ ନିକଟରେ ଥିବା ଏକ କୋଇଲା କାରଖାନା ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥିଲେ । ୨୦୧୭ରେ ବିଶ୍ବବିଦ୍ୟାଳୟରେ ନିଜର ପ୍ରଥମ ସପ୍ତାହରେ ଏହି ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଦୁଇବର୍ଷ ପରେ ସେ ବିଶ୍ବବିଦ୍ୟାଳୟ ନିର୍ବାଚନରେ ସାମିଲ ହୋଇଥିଲେ ଓ ପରେ ନିଜର ସାଥୀଙ୍କ ସହ ମିଶି ଢାକା ବିଶ୍ବବିଦ୍ୟାଳୟରେ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଫୋର୍ସ ନାମକ ଏକ ଛାତ୍ର ସଂଗଠନ ଗଠନ କରିଥିଲେ ।
୨୦୨୪ ମସିହା ଜୁଲାଇରେ ନାହିଦଙ୍କୁ ଦେଶର ଗୁଇନ୍ଦା ସଂସ୍ଥା ତାଙ୍କୁ ଅପହରଣ କରିବା ସହ ନିର୍ଯାତନା ଦେଇଥିଲା । ଉକ୍ତ ଘଟଣା ପରେ ନାହିଦ ଚର୍ଚ୍ଚାକୁ ଆସିଥିଲେ । ଜୁଲାଇ ୧୯ ରାତିରେ ସାଦା ପୋଷାକରେ ୩୦ ପୋଲିସ ଅଧିକାରୀ ତାଙ୍କ ବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ସଂରକ୍ଷଣ ବିରୋଧୀ ପ୍ରଦର୍ଶନରେ ନିଜର ଭୂମିକା ପାଇଁ ଗିରଫଦାରୀରୁ ବର୍ତ୍ତିବା ପାଇଁ ନାହିଦ ଲୁଚିଥିଲେ । ନାହିଦଙ୍କ ଅନୁସାରେ ହସିନାଙ୍କ ପୋଲିସ ତାଙ୍କ ମୁହଁକୁ କଳା କପଡ଼ାରେ ଢାଙ୍କି ଦେଇଥିଲେ ଓ ସେ ଦୁନିଆକୁ ଆଉ କେବେ ଦେଖି ପାରିବେ ନାହିଁ ବୋଲି ତାଙ୍କୁ ଧମକ ଦିଆଯାଇଥିଲା ।
ଏକ ରିପୋର୍ଟ ମୁତାବକ, ’ଗୁପ୍ତ ଜେଲ’ରେ ନାହିଦଙ୍କୁ ଲୁହା ରଡ଼ ପରି ସାମଗ୍ରୀରେ ପିଟା ଯାଇଥିଲା ।
ଦିନକ ପରେ ତାଙ୍କୁ ଏକ ବ୍ରିଜ ନିକଟରେ ଫୋପାଡ଼ି ଦିଆଯାଇଥିଲା । ଜୁଲାଇ ୨୬ରେ ତାଙ୍କୁ ପୁଣି ଥରେ ହସ୍ପିଟାଲରୁ ଉଠାଇ ନିଆଯାଇଥିଲା । ’ହାସିନା ଇସ୍ତଫା ଦେବା ଉଚିତ’ ବୋଲି ଅଗଷ୍ଟ ୩ରେ ନାହିଦ ଢାକା ବିଶ୍ବବିଦ୍ୟାଳୟ ପରିସରରେ ଖୋଲାଖୋଲି ଭାବେ ଆହ୍ବାନ କରିଥିଲେ । ଅଗଷ୍ଟ ୫କୁ ଢାକାର ମଧ୍ୟଭାଗରେ ହସିନାଙ୍କ ବାସଭବନ ନିକଟରେ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ରୁଣ୍ଡ ହୋଇଥିଲେ । ଏହାପରେ ହସିନା ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ । । ହସିନା କ୍ଷମତାଚ୍ୟୁତ ହେବା ପରେ ତାଙ୍କୁ ନାହିଦଙ୍କୁ ମୋହମ୍ମଦ ୟୁନୁସଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ପରାମର୍ଶଦାତା ନିଯୁକ୍ତି ଦିଆଯାଇଥିଲା । ଗତବର୍ଷ ଅକ୍ଟୋବରରେ ତାଙ୍କୁ ଟାଇମ ପତ୍ରିକାର ପ୍ରତିଷ୍ଠିତ ’ଟାଇମ ୧୦୦ ନେକ୍ସଟ ଲିଷ୍ଟ’ରେ ମଧ୍ୟ ସାମିଲ କରାଯାଇଥିଲା ।
ସଡ଼କୁ ପୁଣି ଓହ୍ଲାଇବେ ନାହିଦ
ୟୁନୁସଙ୍କ ଅନ୍ତରୀଣ ସରକାରରେ ୬ ମାସ ଧରି କାମ କରିବା ପରେ ଫେବୃଆରୀ ୨୫ରେ ନାହିଦ ଇସ୍ତଫା ଦେଇଥିଲେ । ପଦ ଛାଡ଼ିବାକୁ ନେଇ ନାହିଦ କହିଥିଲେ, ଦେଶରେ ସାଂପ୍ରତିକ ପରିସ୍ଥିତି ଯାହା, ଏଠାରେ ଏକ ନୂଆ ରାଜନୈତିକ ଶକ୍ତିର ଅଭ୍ୟୁଦୟ ଜରୁରୀ । ଜନବିଦ୍ରୋହକୁ ମଜବୁତ କରିବା ପାଇଁ ସଡ଼କ ଉପରେ ରହିବା ପାଇଁ ମୁଁ ଇସ୍ତଫା ଦେଇଛି । ମୁଁ ଏବେ କୌଣସି ସରକାରୀ ପଦରେ ନାହିଁ । ମୋ ସ୍ଥାନରେ କିଏ କାମ କରିବ ତାହା ପରାମର୍ଶଦାତା ପରିଷଦ ଉପରେ ନିଭର୍ର କରେ । ଜନ ବିଦ୍ରୋହର ଦାବିକୁ ସରକାର ପୂରଣ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି । ଲଢ଼େଇ ଏବେ ସରିନାହିଁ, କେବଳ ଏକ ନୂଆ ରୂପରେ ଆରମ୍ଭ ହୋଇଛି । ଏହି ପାର୍ଟି ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ ଡିସକ୍ରିମିନେସନ (ଏସଏଡି) ଓ ଜାତୀୟ ନାଗରିକ ସମିତି (ଏଜେଏଏନଏସି) ମଧ୍ୟରେ ବୁଝାମଣା ହୋଇଛି । ଜେଏଏନଏସି ଜୁଲାଇ ବିଦ୍ରୋହ ପରେ ଏକ ରାଜେନୖତିକ ମଞ୍ଚର ରୂପ ନେଇଛି । ନୂଆ ପାର୍ଟି ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବ ।
ନୂଆ ପାର୍ଟି ତୁର୍କୀର ଏର୍ଡୋଗାନଙ୍କ ନେତୃତ୍ବାଧୀନ ଏକେ ପାର୍ଟି, ପାକିସ୍ତାନର ତହରୀକ-ଏ-ଇନସାଫ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ପରି ହେବ । ନାଗରିକ ସମିତିର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ୨୦୨୫ ଶେଷ ଓ ୨୦୨୬ ଆରମ୍ଭରୁ ବାଂଲାଦେଶରେ ନିର୍ବାଚନ ହୋଇଥାଏ । ତେଣୁ ନାହିଦ ଓ ତାଙ୍କ ପାର୍ଟି ପାଇଁ ଏହା ବେଶ ଫାଇଦାମନ୍ଦ ହେବ ବୋଲି ମୁଖପାତ୍ର କହିଛନ୍ତି । ଦେଶର ଦୁଇ ପ୍ରମୁଖ ପାର୍ଟି ଅଓ୍ବାମୀ ଲିଗ ଓ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି) ମୁସ୍କିଲ ସାମ୍ନା କରୁଛନ୍ତି । ଶେଖ ହସିନା ଦେଶ ଛାଡ଼ିବା ପରେ ଦଳର ଅନେକ ନେତା ଦେଶରୁ ଫେରାର ହୋଇଯାଇଛନ୍ତି ।
ଭାରତର ଏହି ପ୍ରଧାନମନ୍ତ୍ରୀ ବାପାଙ୍କ ମୃତ୍ୟୁର ତୃତୀୟ ଦିନରେ ବାହା ହୋଇଥିଲେ,୪ ବର୍ଷରେ ଥରେ ପାଳୁଥିଲେ ଜନ୍ମଦିନ!