ବିଜେଡି ଘରେ କୁମ୍ଭୀର କିଏ? ଏ ପ୍ରଶ୍ନର ଉତ୍ତର ଖୋଜିବା ଉଭୟ ରାଜନେତା ଓ ରାଜନୀତିକ ସମୀକ୍ଷକଙ୍କ ପାଇଁ ବଡ଼ ଜଟିଳ ବ୍ୟାପାର ହୋଇଛି। ଏହାକୁ ନେଇ ଖୋଦ୍ ବିଜେଡି ମୁଖିଆଙ୍କ ଆଡ଼କୁ କେହି କେହି ବି ଅଙ୍ଗୁଳି ନିର୍ଦ୍ଦେଶ କଲେଣି। ଆଉ ନେତାମାନେ ଚାପା ଗଳାରେ କହୁଛନ୍ତି- ଯାହାକୁ ନେଇ ଦଳ ଗଢ଼ା ହେଲା ତାକୁ ନେଇ ଡୁବିବ ମଧ୍ୟ। ଯଦି ଏହା ସତ୍ୟ ହୁଏ ତେବେ ରାଜ୍ୟରେ ଅଣ କଂଗ୍ରେସ ରାଜନୀତିକୁ ଏହା ଏକ କୁଠାରଘାତ ହୋଇପାରେ। କିନ୍ତୁ ଏ ପ୍ରଶ୍ନ ଉଠୁଛି କାହିଁକି? ପ୍ରଚ୍ଛଦପଟ୍ଟରେ ସଭାପତିଙ୍କୁ ଭେଟୁଥିବା ନେତାଏଁ ଯାହା ସବୁ କଥା ପ୍ରସାର କରୁଛନ୍ତି ତାହାକୁ ଗମ୍ଭୀରତାର ସହ ବିଚାର କରିଲେ ଏ ପ୍ରଶ୍ନ ଛଡ଼ା ଆଉକିଛି ବିକଳ୍ପ ବି ନାହିଁ।
ବିଜେଡି ଗଠନ ହେବା ଦିନଠାରୁ କେହି କେବେ ସଭାପତି ନବୀନ ପଟ୍ଟନାୟକଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି। ଅତୀତରେ କେତେବେଳେ କିଏ ଯଦି ଅଜାଣତରେ ବି ଏପରି କରିଥିଲେ ଛାମୁ ତାକୁ କେବେ ନିସ୍ତାର ଦେଇ ନାହାନ୍ତି। ଏ କଥା ଅନେକଥର ପ୍ରମାଣିତ ହୋଇଛି। ନିଜ ଭାବମୂର୍ତ୍ତିକୁ ଆଞ୍ଚ ଆଣୁଥିବା ନେତାଙ୍କୁ ସବୁବେଳେ ନିଜ ପାଖରୁ ଦୂରେଇଛନ୍ତି ନବୀନ ପଟ୍ଟନାୟକ। ସେ ଗଞ୍ଜାମ ବାଘ ହୁଅନ୍ତୁ କି ବିଜୁଙ୍କ ଗେହ୍ଲାପୁଅ। ଅଥବା କୌଣସି ପ୍ରତିଷ୍ଠାତା ସଦସ୍ୟ। କେହି ନବୀନଙ୍କ ଏହି ମନ୍ତ୍ରରୁ ବାଦ୍ ପଡ଼ି ନାହାନ୍ତି।
ଏପରିକି ଯେଉଁ କର୍ମଚାରୀଙ୍କୁ ସେ ନିଜେ ନିଯୁକ୍ତି ଦେଇଛନ୍ତି ସେମାନେ ବି ଏହି ଚକ୍ରବ୍ୟୁହରେ ବେଳେ ବେଳେ ଫସି ସ୍ୱର୍ଗପୂର ଯାଇଛନ୍ତି। ଅର୍ଥାତ୍ ହାତ ଗଣିଲେ ଏମିତି ଅନେକ ଅପବାଦ ନବୀନଙ୍କ ମୁଣ୍ଡ ଉପରେ ଝୁଲୁଛି। ଅନୁଶୀଳନ କଲେ ଆପଣ ବି ତାଜୁବ ହେବେ, ଆଉ ନିଶ୍ଚିତ ଭାବେ କହିବେ ଯେ ଏହା କ୍ଷମତାର ଖେଳ, ଲୋଭ ବା ଅହଙ୍କାର।
ହେଲେ ଗଲା କିଛିଦିନ ହେଲା ନବୀନ ଏସବୁଠାରୁ ଉର୍ଦ୍ଧ୍ୱକୁ ଉଠିଥିବା ମନେହୁଏ। ସବୁ ବର୍ଗ, ବୟସର ନେତା, ଅଭିନେତା, ମନ୍ତ୍ରୀ ଓ ତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁଛନ୍ତି। ସେଥିଲାଗି ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ପୁଅ ଆଜି ବିଧାୟକ, ଅନେକ ଅଭିନେତା ଆଜି ରାଜନେତା ଆଉ ଅନେକ ତନ୍ତ୍ରୀ ଆଜି ଅବସର ପରେ ବି କ୍ଷମତା ଅଳିନ୍ଦରେ ଜଣେ ଜଣେ ‘ଗେଣ୍ଡୁ’ ସାଜି ବୁଲୁଛନ୍ତି।
ହେଲେ ପ୍ରଶ୍ନ ଉଠୁଛି ନବୀନଙ୍କ ଏହି ପରିବର୍ତ୍ତନ ତାଙ୍କୁ ଫାଇଦା ଦେଇଛି କି? କ୍ଷମତା ରାଜନୀତିରେ ଉତ୍ତର ନା ହେବ। କାରଣ ସେ କ୍ଷମତା ହରାଇଛନ୍ତି। ବିରୋଧୀ ଦଳର ନେତା ହେଲେ ବି ବିଧାନସଭା ଯିବାକୁ ସାହସ ପାଉନାହାନ୍ତି। ପୁଣି ନିଜ ଦଳରେ କର୍ମୀ ତାଙ୍କ ନିଷ୍ପତ୍ତିଠାରୁ ଭାରି ପଡ଼ୁଛନ୍ତି। ଖାଲି ସେତିକି ନୁହେଁ, ନେତା ଓ କର୍ମୀ ଏହି ପରିବର୍ତ୍ତନ ପଛରେ କହୁଛନ୍ତି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି ନବୀନଙ୍କ ଆଦର ବଢ଼ିଛି। ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଅନ୍ୟମାନଙ୍କୁ ଭ୍ରମିତ କରୁଛି। ଆଉ ସେଇ ଭ୍ରମ ଯୋଗୁ ନବୀନ ଆଜି ହାରିଛନ୍ତି। ତଥାପି କର୍ମୀ ଓ କର୍ମଠୁ ଜଣେ ସେବକ ବଡ଼ ବୋଲି ସେ ଗ୍ରହଣ କରିଛନ୍ତି। ଆଉ ସେଥିଲାଗି ଦଳ ଭିତରେ ଆଉ ଏକ ଦଳ ସୃଷ୍ଟି ହେଲାଣି।
ନିର୍ବାଚନ ପରବର୍ତ୍ତୀ ସମୟରେ ଏହି ଦଳ ଭିତରେ ଆଉ ଏକ ଦଳକୁ ନେଇ ଅନେକ ପ୍ରବୀଣ ନେତା ନବୀନଙ୍କୁ ଜଣାଇବାକୁ ଚାହିଁଥିଲେ। କିନ୍ତୁ ଭେଟ ପାଉନଥିଲେ। କିଛି ନେତା ଜଣାଇଲେ ବି ଛାମୁ ତାଙ୍କୁ ତେରେଛା ନଜରରେ ଦେଖିଥିଲେ। ଯାହାଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଥିଲା ଛାମୁ ତାକୁ ନିୟନ୍ତ୍ରଣ କରିବାକୁ ପରିବର୍ତ୍ତେ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସା କରିଥିଲେ।
ସେ ଆଉ କେହି ନୁହନ୍ତି, ମନ ଇଚ୍ଛା ବିଜେଡିରେ ପ୍ରବେଶ କରି ମନଇଚ୍ଛା ପ୍ରସ୍ଥାନ କରିଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ନିର୍ବାଚନ ପୂର୍ବରୁ ସେ ଯେମିତି ସକ୍ରିୟ ଥିଲେ ହାରିଯିବା ପରେ ଓହରି ଗଲେ। ରାଜନୀତିକ ଇତିହାସରେ ଏମିତି ରାଜନେତା କେବେ ଦେଖିବାକୁ ମିଳି ନାହାନ୍ତି, ଯେଉଁମାନେ କେବଳ କ୍ଷମତା ପାଇଁ ଲୋକଙ୍କ ପାଖକୁ ଯାଆନ୍ତି ଆଉ ନିର୍ବାଚନ ସରିଗଲେ ବା କ୍ଷମତା ନ ମିଳିଲେ ନିଜକୁ ଦୂରେଇ ରଖିବାର ନାଟକ ରଚନ୍ତି।
ଆଜି କିଛି କର୍ମୀ ବି ଅନୁଭବ କରିଛନ୍ତି ଯେ, ପାଣ୍ଡିଆନ୍ ସବୁ ନିୟନ୍ତ୍ରଣ କରୁଛନ୍ତି। ସେଥିଲାଗି ନବୀନ ନିବାସ ଭିତରେ ‘ପାଣ୍ତିଆନ୍ ଗୋ ବ୍ୟାକ୍’ ବୋଲି ସ୍ଲୋଗାନ ଦେଇଛନ୍ତି। ସଂଖ୍ୟାଲଘୁ ନେତାଏଁ ପରୋକ୍ଷରେ ନବୀନଙ୍କୁ ତାଙ୍କ ବିରୁଦ୍ଧରେ ଇଙ୍ଗିତ କରିଛନ୍ତି। ବରିଷ୍ଠ ନେତାମାନେ ଆନୁଷ୍ଠାନିକଭାବେ ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ ଘନ ଘର ବିଚାର ବିମର୍ଷ କରୁଛନ୍ତି। କିନ୍ତୁ କିଛି ଫଳ ଫଳୁ ନାହିଁ।
କିନ୍ତୁ ଯାହାଙ୍କ ବିରୁଦ୍ଧରେ ନେତା, କର୍ମୀ କହୁଛନ୍ତି ତାଙ୍କୁ ପାଟି ଚୁପ୍ କରି ବସିବାକୁ ନିର୍ଦ୍ଦେଶ ମିଳୁଛି। ଦଳର ଛବି ପ୍ରଭାବିତ ହେଉଛି। ଏଣୁ ପାଣ୍ଡିଆନ୍ଙ୍କ ନାଁରେ ଆଉ ଆଲୋଚନା ନ ହେଉ ବୋଲି ନବୀନ ନର୍ଦ୍ଦେଶ ଦେଇଛନ୍ତି।
ଏ ଭିତରେ ପୂର୍ବତନ ଅମଲାତନ୍ତ୍ରୀ ତଥା ଏକଦା ବିଜେଡିର ଅନ୍ୟତମ ଧ୍ରୁବତାରା ଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଫାଟ ବାବଦରେ ଆଜି ଦଳର କିଛି ଯୁବ ନେତା ଏକ ମେଳି କରିଛନ୍ତି। ଗଲା ୫ ଦିନ ହେଲା ଯେଉଁଭଳି ଭାବେ ପାଣ୍ଡିଆନ୍ଙ୍କ ଭୂମିକାକୁ ନେଇ ଦ୍ୱନ୍ଦ୍ୱ ଚାଲିଛି ତାହା ଦଳ ଭିତରେ ଅନେକ ଅସନ୍ତୋଷ ଏବଂ ବିଭ୍ରାନ୍ତ ସୃଷ୍ଟି କରିଛି। ଏଣୁ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରି ଆଗକୁ ରଣନୀତି ନିର୍ଦ୍ଧାରଣ କରିବା ଲାଗି ଯୁବ ନେତାମାନେ ନବୀନଙ୍କୁ ନିବେଦନ କରିବା ସହ ନିଜର ମତାମତ ପ୍ରକାଶ କରିବେ ବୋଲି ସୂଚନା ମିଳିଛି।
ଗତକାଲି ପୂର୍ବତନ ବିଧାୟକ ତଥା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତିଙ୍କ ଘରେ କିଛି ଯୁବ ନେତାଙ୍କ ବୈଠକ ହୋଇଥିଲା। ଏହି ନେତାମାନଙ୍କ ଭିତରେ ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ରୁଦ୍ରପ୍ରତାପ ମହାରଥି, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ର ସାରଥୀ ବହେରା ପ୍ରମୁଖ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ବୈଠକ ବିଜେଡି କାର୍ଯ୍ୟାଳୟକୁ ସମ୍ପ୍ରସାରିତ ହୋଇ ସେଠାରେ ସାଂସଦ ମୁଜିବୁଲ୍ଲା ଖାଁ ଓରଫ ମୁନା ଖାଁ ଯୋଗ ଦେଇଥିଲେ। ଏହି ନେତାମାନେ ମୁନାଙ୍କ ଆଭିମୁଖ୍ୟକୁ ସମ୍ମାନ ଜଣାଇବା ସହ ସେ ନବୀନଙ୍କ ରାସ୍ତାରେ ଚାଲିଥିବା କହିଥିଲେ। କିନ୍ତୁ ପ୍ରଶ୍ନ ଉଠାଇଥିଲେ ସାଂସଦଦ ସସ୍ମିତ ପାତ୍ରଙ୍କ ଉପରେ।
ସସ୍ମିତ ୩ ତାରିଖ ରାତିରେ ରାଜ୍ୟ୍ୟସଭାରେ ହୋଇଥିବା ବିଭାଜନ ଭୋଟରେ ବିବେକାନୁମୋଦିତ ଭୋଟ୍ ପାଇଁ ନିବେଦନ କରିବା ସହ ବିଜେପିକୁ ସମର୍ଥନ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଏପରିକି ତାଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ବୋଲି ଚର୍ଚ୍ଚା ହେବା ପରେ ବିଜେଡି ପ୍ରାଥମିକ ସ୍ତରରେ ଦୁଇଭାଗ ହୋଇଥିଲା। କିଛି ନେତା ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେବା ଆରମ୍ଭ କରିଥିବାବେଳେ ଆଉ କିଛି ନେତା ତାଙ୍କୁ ସମର୍ଥନ କରି ସୋଶାଲ୍ ମିଡିଆରେ ନିଜର ବକ୍ତବ୍ୟ ଝାଡ଼ିଥିଲେ।
ଏପରିକି କିଛି ରାଜନୀତିକ ସମୀକ୍ଷକ ନବୀନଙ୍କୁ ଅସଲ ନାଟର ଗୋବର୍ଦ୍ଧନ ବୋଲି ଚିତ୍ରଣ କରିବାକୁ ବି ପଛାଇ ନାହାନ୍ତି। ହେଲେ ନବୀନ ଏଯାଏ ଏ ବାବଦରେ ମୁହଁ ଖୋଲି ନାହାନ୍ତି। ଶ୍ରୀ ପାଣ୍ଡିଆନ୍ଙ୍କୁ ନିଜର ସବୁଠାରୁ ବିଶ୍ୱସ୍ତ ନେତାଭାବେ ସେ ଗ୍ରହଣ କରନ୍ତି। ନିର୍ବାଚନ ହାରିବା ପରେ ମଧ୍ୟ ଶ୍ରୀ ପାଣ୍ଡିଆନ୍ ନବୀନଙ୍କ ମୁଖ୍ୟ ସହଯୋଗୀଭାବେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ନେବାରେ ସହଯୋଗୀ ପାଲଟିଛନ୍ତି।
ଆଜି ଯୁବ ନେତାଙ୍କ ସହ ନବୀନଙ୍କ ଭେଟ ମଧ୍ୟ ଅନୁରୂପ ଭାବେ ଏକ ପାଖିଆ ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ଗୋଟିଏ ବି ଶବ୍ଦକୁ ନବୀନ ବରଦାସ୍ତ କରିବାକୁ ଚାହୁଁ ନାହାନ୍ତି। ଅର୍ଥାତ୍ ଏ ଯେଉଁ ମେଳି ଚାଲିଛି ତାହା ବି କିଛି ରାଜନୀତିକ ନେତାଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ନବୀନ ନିଶ୍ଚିତ ରହିଛନ୍ତି। ଏଭଳି ପରିସ୍ଥିତିରେ ପାଣ୍ଡିଆନ୍ଙ୍କ ଦ୍ୱାରା ପୂର୍ବରୁ ଅନୁଗୃହୀତ ହୋଇଥିବା ଏହି ନେତାମାନଙ୍କ ମତ ନବୀନଙ୍କ ଉପରେ କି ପ୍ରଭାବ ପକାଇବ ତାହାକୁ ଅପେକ୍ଷା। ଏହି ଅପେକ୍ଷା ଦଳ ଭିତରେ ଅନେକ ବିଭୀଷଣଙ୍କୁ ଜନ୍ମ ଦେଇପାରେ! ଏ ଅପେକ୍ଷା ଦଳକୁ ବିଲୀନ ପଥକୁ ବି ନେଇପାରେ! ଏ ଅପେକ୍ଷା ଆଗକୁ ଦଳରେ ବିଭାଜନକୁ ବି ନିଶ୍ଚିତ କରିପାରେ! ଏଣୁ କିଛି ବି ଘଟିପାରେ କୌଣସି ସମୟରେ। ଆମେ ବି ଓଡ଼ିଶାର ସବୁଠାରୁ ଲମ୍ବା ସମୟ ଶାସନ ଗଦିରେ ବସିଥିବା ବିଜୁ ଜନତା ଦଳର ରଣନୀତିକୁ ଅପେକ୍ଷା କରିବା। କେମିତି ଏ ଜାଲରୁ ଦଳ ଉପରକୁ ଉଠିବ ତାହାର ସାକ୍ଷୀ ହେବା।
Also readhttps://purvapaksa.com/is-bjd-heading-towards-a-split/