Delhi: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ପୁଣି ଇଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ଦେଶର ମୁଖ୍ୟ ନ୍ୟାୟମୂର୍ତ୍ତି (ସିଜେଆଇ) ସଞ୍ଜୀବ ଖନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଗତ ସପ୍ତାହରେ ତାଙ୍କ ଆଧିକାରିକ ବଙ୍ଗଳାରେ ପ୍ରଚୁର ପରିମାଣରେ ନଗଦ ଟଙ୍କା ମିଳିବା ପରେ ଏହି ନିଷ୍ପତ୍ତି ନେଇଛି।
ଘରେ ଲାଗିଲା ନିଆଁ, ନିଆଁ ଲିଭୁଲିଭୁ ମିଳିଲା ଟଙ୍କା
ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ବେଳେ ବିଚାରପତିଙ୍କ ଘରେ ଥିବା ଗୋଟିଏ ରୁମରେ ପ୍ରଚୁର କ୍ୟାସ୍ ଥିବା ଦେଖିବାକୁ ପାଇଥିଲେ। ସେହି ସମୟରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା। ପୋଲିସ ଅଧିକାରୀ ନିଜ ଉପର ଅଧିକାରୀଙ୍କୁ ନଗଦ ଟଙ୍କା ବାବଦରେ ସୂଚନା ଦେଇଥିଲେ। ଏହି ସୂଚନା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପାଖରେ ପହଂଚିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ୧୪ ମାର୍ଚରେ ହୋଲି ଉତ୍ସବ ସମୟରେ ଘଟିଥିଲା। ସେହି ସମୟରେ ଜଷ୍ଟିସ୍ ନିଜ ଘରୁ ବାହାରେ ଥିଲେ।
କିଏ ଜଷ୍ଟିସ୍ ଯଶୱନ୍ତ ବର୍ମା?
ନ୍ୟାୟମୂର୍ତ୍ତି ଯଶୱନ୍ତ ବର୍ମାଙ୍କ ଜନ୍ମ ୬ ଜାନୁଆରୀ ୧୯୬୯ରେ ଆଲାହାବାଦରେ ହୋଇଥିଲା। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜରୁ ବି.କମ୍ (ଅନର୍ସ) ଡିଗ୍ରୀ ହାସଲ କରିଥିଲେ। ଯଶୱନ୍ତ ବର୍ମା ୧୯୯୨ରେ ରିୱା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୦୮ ଅଗଷ୍ଟ ୧୯୯୨ରେ ସେ ଆଡଭୋକେଟ୍ ଭାବେ ନାମାଙ୍କନ କରିଥିଲେ।
ଆଡଭୋକେଟ୍ ଯଶୱନ୍ତ ବର୍ମା ସାମ୍ବିଧାନିକ, ଶିଳ୍ପ ବିବାଦ, କର୍ପୋରେଟ୍, ଟାକ୍ସେସନ୍, ପରିବେଶ ଏବଂ ଆଇନର ସମ୍ପର୍କିତ ଶାଖାଗୁଡ଼ିକ ସହ ଜଡ଼ିତ ବିଭିନ୍ନ ପ୍ରକାରର ମାମଲାକୁ ପରିଚାଳନା କରି ମୁଖ୍ୟତଃ ଦୀବାନୀ ମୋକଦ୍ଦମାରେ ଓକାଲତି କରିଥିଲେ। ୨୦୦୬ରୁ ପଦୋନ୍ନତି ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ଯଶୱନ୍ତ ବର୍ମା ଇଲାହାବାଦ ହାଇକୋର୍ଟର ବିଶେଷ ଓକିଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
୨୦୨୧ରେ ଦିଲ୍ଲୀ ହାଇକୋର୍ଟରେ ଜଜ୍
ଯଶୱନ୍ତ ବର୍ମା ୨୦୧୨ରୁ ଅଗଷ୍ଟ ୨୦୧୩ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜ୍ୟର ମୁଖ୍ୟ ସ୍ଥାୟୀ ଓକିଲ ଭାବେ କାର୍ଯ୍ୟ କରିଥିଲେ। ଏହାପରେ କୋର୍ଟ ତରଫରୁ ସେ ସିନିୟର ଆଡଭୋକେଟ୍ ଭାବେ ନାମିତ ହୋଇଥିଲେ। ୧୩ ଅକ୍ଟୋବର ୨୦୧୪ରେ ଅତିରିକ୍ତ ଜଜ୍ ଭାବେ ତାଙ୍କର ପଦୋନ୍ନତି ହୋଇଥିଲା। ୦୧ ଫେବୃଆରୀ ୨୦୧୬ରେ ସେ ସ୍ଥାୟୀ ଜଜ୍ ଭାବେ ଶପଥ ଗ୍ରହଣ କରିଥିଲେ। ୧୧ ଅକ୍ଟୋବର ୨୦୨୧ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।
ନ୍ୟାୟପାଳିକା ଉପରେ କାର୍ଯ୍ୟାନୁଷ୍ଠାନର ଚାପ
କୌଣସି ଜଜଙ୍କ ଘରେ ନଗଦ ଟଙ୍କା ମିଳିବା ଏକ ବିରଳ ଓ ଗମ୍ଭୀର ମାମଲା। ନ୍ୟାୟପାଳିକା ଉପରେ ଏବେ ନିଜର ସଚ୍ଚୋଟତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ପୁନଃସ୍ଥାପନ କରିବା ପାଇଁ ତୁରନ୍ତ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କରିବାର ଚାପ ଥିଲା। କଲେଜିୟମ ସ୍ଥାନାନ୍ତରର ସୁପାରିଶ କରିଥିଲା, କିନ୍ତୁ କିଛି ସଦସ୍ୟ ଚିନ୍ତା ପ୍ରକାଶ କରିଥିଲେ ଯେ ନ୍ୟାୟିକ ସଚ୍ଚୋଟତା ବଜାୟ ରଖିବା ପାଇଁ ଏହା ଯଥେଷ୍ଟ ହୋଇନପାରେ। ଏପରି ପ୍ରସ୍ତାବ ଥିଲା ଯେ ଜଷ୍ଟିସ୍ ବର୍ମାଙ୍କୁ ଇସ୍ତଫା ଦେବା ଉଚିତ୍ ଏବଂ ଯଦି ସେ ମନା କରନ୍ତି, ତେବେ ସଂସଦ ତରଫରୁ ସମ୍ଭାବ୍ୟ ବହିଷ୍କାର ଦିଗରେ ପ୍ରାରମ୍ଭିକ ପଦକ୍ଷେପ ଭାବେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରାଯାଉ।
ALSO READ: https://purvapaksa.com/calcutta-hc-to-hear-plea-of-doctors-parents/
ଆର୍ ଜି କର ଲଜ୍ଜା: ଅଧିକ ତଦନ୍ତ ପାଇଁ ଡାକ୍ତରଙ୍କ ପିତାମାତାଙ୍କ ଆବେଦନର ଶୁଣାଣି ମାର୍ଚ୍ଚ ୨୪ରେ ହେବ