କଥାରେ ଅଛି; ଆଲା ମେହେରବାନ ତୋ ଗଧା ପେହେଲବାନ। ଏକଥାଟି ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦେଖା ଦେଇଛି। ମନ୍ତ୍ରୀଙ୍କ ଓଏସଡି ବା ଟହଲିଆ ଭାବରେ ନିଯୁକ୍ତି ପାଇଥିବା ଜଣେ ଅଧସ୍ତନ କର୍ମଚାରୀ ଏବେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଦୁଃସାହାସ କରିଛନ୍ତି। ଏହାକୁ ନେଇ ଏବେ ପାୱାର କରିଡରରେ ବଡ଼ ଚର୍ଚ୍ଚା ହେଉଛି।
ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଶାସନ ଏପରି ହୁଗୁଳା ହେଲାଣି ଯେ, ଜଣେ ପ୍ରମୁଖ ଶାସନ ସଚିବଙ୍କୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ନିର୍ଦ୍ଦେଶ ଦେଉଛନ୍ତି। ମନ୍ତ୍ରୀଙ୍କ ଗସ୍ତର ସମସ୍ତ ବ୍ୟବସ୍ଥା କରିବାକୁ ଲିଖିତ ନିର୍ଦ୍ଦେଶ ପଠାଉଛନ୍ତି।
ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଏହା ଘଟିଛି । ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ୧୯୯୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ଉଷା ପାଢ଼ୀ ଅଛନ୍ତି । ସେ ମଧ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱରେ ଅଛନ୍ତି । ଜଣେ ଦକ୍ଷ, ସଚୋଟ ଓ କର୍ମଠ ଆଇଏଏସ ଭାବେ ଜଣାଶୁଣା ଉଷା ପାଢ଼ୀ। ମଇ ମାସ ୩୧ ତାରିଖରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟରୁ ତାଙ୍କ ଓଏସଡି ପଠାଇଥିବା ନିର୍ଦ୍ଦେଶନାମା ରୁପକ ଚିଠିଟି ପ୍ରଶାସନିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ବୁଲିବାର ବନ୍ଦୋବସ୍ତ କରିବାକୁ ଓଏସଡି ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତ୍ୟେକ ବିଭାଗର ଶାସନର ମୁଖ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ପ୍ରଶାସନିକ ମୁଖ୍ୟ ହେଉଛନ୍ତି ସେହି ବିଭାଗର ସଚିବା ବା ପ୍ରମୁଖ ଶାସନ ସଚିବ। ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେବଳ ମନ୍ତ୍ରୀ ହିଁ ସଚିବଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବେ। ଅନ୍ୟ କେହି ନୁହେଁ। କିନ୍ତୁ ବିଜେପି ସରକାରରେ ଅଜବ ଶାସନ ଚାଲିଛି; ମନ୍ତ୍ରୀଙ୍କ ଓଏସଡି ମଧ୍ୟ ପ୍ରମୁଖ ଶାସନ ସଚିବଙ୍କୁ ଲିଖିତ ନିର୍ଦ୍ଦେଶ ଦେଉଛନ୍ତି।
ପ୍ରଶାସନିକ ମହଲରେ ଚର୍ଚ୍ଚା ଯେ, ଏପରି କରାଗଲେ ଆଇଏଏସ ଅଫିସରମାନେ କେମିତି କାମ କରିବେ। ଯଦି କାମ କଲାବେଳେ ବରିଷ୍ଠ-କନିଷ୍ଠ ବା ପାହ୍ୟାଗତ କୌଣସି ପ୍ରୋଟୋକଲ ରହିବ ନାହିଁ ତେବେ କିଏ କାହାକୁ ଆଉ ମାନିବ ?
ଉଲ୍ଲେଖଥାଉ କି, ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗକୁ ବା ବିଭାଗୀୟ ସଚିବଙ୍କୁ ଅବଗତି ନିମନ୍ତେ ପଠାଯାଏ। ଗସ୍ତର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ଓଏସଡି ନିର୍ଦ୍ଦେଶ ଚିଠି ପଠାନ୍ତି ନାହିଁ। କାରଣ ବିଭାଗୀୟ ସଚିବ ବା ପ୍ରମୁଖ ଶାସନ ସଚିବଙ୍କ ସହ ଯୋଗାଯୋଗ ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଭାବରେ ବ୍ୟକ୍ତିଗତ ସଚିବ (ପ୍ରାଇଭେଟ ସେକ୍ରେଟାରୀ) ଅଛନ୍ତି। ସେମାନେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ସଚିବଙ୍କ ପାଖରେ ପହଞ୍ଚାନ୍ତି।
ସାଧାରଣତଃ ଓଏସଡି ଭାବରେ ମନ୍ତ୍ରୀମାନେ ଅନେକ ସ୍ଥଳରେ ଅବସରପ୍ରାପ୍ତ ଅଧିକାରୀ ବା ବେସରକାରୀ ବ୍ୟକ୍ତିଙ୍କୁ ନିଜ ଇଚ୍ଛାରେ ନିଯୁକ୍ତି ଦିଅନ୍ତି। ସେମାନେ ସିଧାସଳଖ ପ୍ରଶାସନିକ ବ୍ୟବସ୍ଥା ଭିତରେ ସ୍ଥିତି ଜାହିର କରନ୍ତି ନାହିଁ। ବରଂ ମନ୍ତ୍ରୀଙ୍କୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ନିର୍ଦ୍ଦେଶ ମୁତାବକ ସହଯୋଗ କରନ୍ତି। ଏଠି କିନ୍ତୁ ଏହାର ବିପରୀତ ଧାରାରେ କାର୍ଯ୍ୟ ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ଯଦି ମନ୍ତ୍ରୀଙ୍କ ଟହଲିଆମାନେ ଏପରି ଦୁଃସାହସ କରିବେ ତେବେ ସଚିବମାନେ ନିଜ ଇଜ୍ଜତ ମହତକୁ ଜଗି କାମ ନ କରି ଚୁପ୍ ରହିବାକୁ ବାଧ୍ୟ ହେବେ। ଏହାଫଳରେ ରାଜ୍ୟର ହିଁ କ୍ଷତି ହେବ। ମୋହନ ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଓଏସଡି ଭାବରେ ନ ରଖିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ କିପରି ତାଙ୍କ ଅଫିସରେ ଏପରି ମର୍ଯ୍ୟାଦା ଲଂଘୁ ଥିବା ଟହଲିଆଙ୍କୁ ନିଯୁକ୍ତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Also readhttps://purvapaksa.com/pandian-syndrome-in-bjp-too/
‘Pandian Syndrome’ in BJP too! ।। ବିଜେପିରେ ବି ‘ପାଣ୍ଡିଆନ୍ ସିଣ୍ଡ୍ରୋମ’!
